Biblia Todo Logo
Bìoball air-loidhne

- Sanasan -

ଗୀତସଂହିତା 51 - ପବିତ୍ର ବାଇବଲ (Re-edited) - (BSI)


କ୍ଷମା ପାଇଁ ପ୍ରାର୍ଥନା
ପ୍ରଧାନ ବାଦ୍ୟକାର ନିମନ୍ତେ ଦାଉଦଙ୍କର ଗୀତ। ଦାଉଦ ବଥ୍ଶେବାଠାରେ ଗମନ କଲା ଉତ୍ତାରେ ତାଙ୍କ ନିକଟକୁ ନାଥନ ଭବିଷ୍ୟଦ୍ବକ୍ତା ଆସିବା ସମୟରେ ରଚିତ।

1 ହେ ପରମେଶ୍ଵର, ଆପଣା ସ୍ନେହପୂର୍ଣ୍ଣ କରୁଣାନୁସାରେ ମୋʼ ପ୍ରତି ଦୟା କର; ତୁମ୍ଭ କୃପାର ବାହୁଲ୍ୟ ଅନୁସାରେ ମୋହର ଅଧର୍ମ ମାର୍ଜନା କର।

2 ମୋʼ ଅପରାଧରୁ ମୋତେ ସମ୍ପୂର୍ଣ୍ଣ ପ୍ରକ୍ଷାଳନ କର ଓ ମୋʼ ପାପରୁ ମୋତେ ଶୁଚି କର।

3 କାରଣ ମୁଁ ଆପଣା ଅଧର୍ମ ସ୍ଵୀକାର କରୁଅଛି ଓ ମୋʼ ପାପ ସର୍ବଦା ମୋʼ ସମ୍ମୁଖରେ ଅଛି।

4 ମୁଁ ତୁମ୍ଭ ବିରୁଦ୍ଧରେ, କେବଳ ତୁମ୍ଭ ବିରୁଦ୍ଧରେ ପାପ କରିଅଛି, ଆଉ, ତୁମ୍ଭ ଦୃଷ୍ଟିରେ ଯାହା ମନ୍ଦ, ତାହା ହିଁ କରିଅଛି; ତେଣୁ ତୁମ୍ଭେ କଥା କହିବା ବେଳେ ଧାର୍ମିକ ଓ ବିଚାର କରିବା ବେଳେ ନିର୍ଦ୍ଦୋଷ ହେବ।

5 ଦେଖ, ଅପରାଧରେ ମୁଁ ନିର୍ମିତ ହେଲି ଓ ପାପରେ ମୋʼ ମାତା ମୋତେ ଗର୍ଭରେ ଧାରଣ କଲା।

6 ଦେଖ, ତୁମ୍ଭେ ଅନ୍ତରରେ ସତ୍ୟତା ଚାହୁଁଅଛ; ପୁଣି, ତୁମ୍ଭେ ଗୂଢ଼ ସ୍ଥାନରେ ମୋତେ ଜ୍ଞାନ ଶିକ୍ଷା ଦେବ।

7 ଏସୋବ ଦେଇ ମୋତେ ନିର୍ମଳ କର, ତହିଁରେ ମୁଁ ଶୁଚି ହେବି; ମୋତେ ପ୍ରକ୍ଷାଳନ କର, ତହିଁରେ ମୁଁ ହିମଠାରୁ ଶୁକ୍ଳ ହେବି।

8 ମୋତେ ଆହ୍ଲାଦ ଓ ଆନନ୍ଦଜନକ ବାକ୍ୟ ଶୁଣାଅ; ତହିଁରେ ତୁମ୍ଭ ଦ୍ଵାରା ଭଗ୍ନ ଅସ୍ଥିସବୁ ପ୍ରଫୁଲ୍ଲ ହେବ।

9 ମୋʼ ପାପସମୂହ ପ୍ରତି ଆପଣା ମୁଖ ଆଚ୍ଛାଦନ କର ଓ ମୋʼ ଅପରାଧସବୁ ମାର୍ଜ୍ଜନା କର।

10 ହେ ପରମେଶ୍ଵର, ମୋʼ ଅନ୍ତରରେ ଶୁଚି ଅନ୍ତଃକରଣ ସୃଷ୍ଟି କର ଓ ମୋʼ ମଧ୍ୟରେ ସୁସ୍ଥିର ଆତ୍ମା ନୂତନ କର।

11 ତୁମ୍ଭ ଛାମୁରୁ ମୋତେ ଦୂର କର ନାହିଁ ଓ ତୁମ୍ଭ ପବିତ୍ର ଆତ୍ମା ମୋʼଠାରୁ ନିଅ ନାହିଁ।

12 ତୁମ୍ଭ ପରିତ୍ରାଣର ଆନନ୍ଦ ପୁନର୍ବାର ମୋତେ ଦିଅ ଓ ସ୍ଵଚ୍ଛନ୍ଦ ଆତ୍ମା ଦେଇ ମୋତେ ଧରି ରଖ।

13 ତହିଁରେ ମୁଁ ଅପରାଧୀମାନଙ୍କୁ ତୁମ୍ଭର ପଥ ଶିଖାଇବି ଓ ପାପୀମାନେ ତୁମ୍ଭ ପ୍ରତି ଫେରିବେ।

14 ହେ ପରମେଶ୍ଵର, ମୋʼ ତ୍ରାଣର ପରମେଶ୍ଵର, ତୁମ୍ଭେ ମୋତେ ରକ୍ତପାତ ଦୋଷରୁ ଉଦ୍ଧାର କର; ତହିଁରେ ମୋହର ଜିହ୍ଵା ତୁମ୍ଭ ଧର୍ମ ବିଷୟ ଉଚ୍ଚସ୍ଵରରେ ଗାନ କରିବ।

15 ହେ ପ୍ରଭୋ, ମୋʼ ଓଷ୍ଠାଧର ଫିଟାଅ, ତହିଁରେ ମୋʼ ମୁଖ ତୁମ୍ଭର ପ୍ରଶଂସା ପ୍ରକାଶ କରିବ।

16 କାରଣ ତୁମ୍ଭେ ବଳିଦାନରେ ସନ୍ତୁଷ୍ଟ ନୁହଁ; ହେଲେ ମୁଁ ତାହା ଦିଅନ୍ତି; ହୋମବଳିରେ ତୁମ୍ଭର କିଛି ସନ୍ତୋଷ ନାହିଁ।

17 ଭଗ୍ନ-ଆତ୍ମା ପରମେଶ୍ଵରଙ୍କର ଗ୍ରାହ୍ୟ ବଳି, ହେ ପରମେଶ୍ଵର, ତୁମ୍ଭେ ଭଗ୍ନ ଓ ଚୂର୍ଣ୍ଣ ଅନ୍ତଃକରଣ ତୁଚ୍ଛ କରିବ ନାହିଁ।

18 ତୁମ୍ଭେ ଆପଣା ଅନୁଗ୍ରହରେ ସିୟୋନର ମଙ୍ଗଳ କର; ତୁମ୍ଭେ ଯିରୂଶାଲମର ପ୍ରାଚୀରସବୁ ନିର୍ମାଣ କର।

19 ତେବେ ତୁମ୍ଭେ ଧର୍ମବଳି, ହୋମବଳି ଓ ପୂର୍ଣ୍ଣ ଆହୁତିରେ ସନ୍ତୁଷ୍ଟ ହେବ; ତହୁଁ ଲୋକମାନେ ତୁମ୍ଭ ବେଦି ଉପରେ ବୃଷମାନ ଉତ୍ସର୍ଗ କରିବେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan