ଗୀତସଂହିତା 5 - ପବିତ୍ର ବାଇବଲ (Re-edited) - (BSI)ନିରାପତ୍ତା ପାଇଁ ପ୍ରାର୍ଥନା ପ୍ରଧାନ ବାଦ୍ୟକର ନିମନ୍ତେ ବଂଶୀ ଯନ୍ତ୍ରରେ ଦାଉଦଙ୍କର ଗୀତ। 1 ହେ ସଦାପ୍ରଭୋ, ମୋʼ ବାକ୍ୟରେ କର୍ଣ୍ଣ ଦିଅ, ମୋହର କାକୂକ୍ତି ବିବେଚନା କର। 2 ହେ ମୋହର ରାଜନ୍, ହେ ମୋହର ପରମେଶ୍ଵର, ମୋହର ଆର୍ତ୍ତରବରେ ମନୋଯୋଗ କର; କାରଣ ତୁମ୍ଭ ନିକଟରେ ମୁଁ ପ୍ରାର୍ଥନା କରେ। 3 ହେ ସଦାପ୍ରଭୋ, ତୁମ୍ଭେ ପ୍ରାତଃକାଳରେ ମୋହର ରବ ଶୁଣିବ; ମୁଁ ପ୍ରାତଃକାଳରେ ତୁମ୍ଭ ଉଦ୍ଦେଶ୍ୟରେ ଆପଣା ପ୍ରାର୍ଥନା ସଜାଇବି ଓ ଜଗି ରହିବି। 4 କାରଣ ତୁମ୍ଭେ ଦୁଷ୍ଟତାରେ ସନ୍ତୁଷ୍ଟ ପରମେଶ୍ଵର ନୁହଁ; ମନ୍ଦ ତୁମ୍ଭ ସଙ୍ଗେ ପ୍ରବାସ କରିବ ନାହିଁ। 5 ଅହଂକାରୀ ତୁମ୍ଭ ସାକ୍ଷାତରେ ଠିଆ ହେବ ନାହିଁ; ତୁମ୍ଭେ ସମସ୍ତ ଅଧର୍ମାଚାରୀଙ୍କି ଘୃଣା କରୁଅଛ। 6 ତୁମ୍ଭେ ମିଥ୍ୟାବାଦୀମାନଙ୍କୁ ବିନାଶ କରିବ; ସଦାପ୍ରଭୁ ରକ୍ତପିପାସୁ ଓ ପ୍ରବଞ୍ଚକ ଲୋକକୁ ଘୃଣା କରନ୍ତି। 7 ମାତ୍ର ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାର ବାହୁଲ୍ୟରେ ତୁମ୍ଭ ଗୃହକୁ ଆସିବି; ମୁଁ ତୁମ୍ଭ ଭୟରେ ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ପ୍ରଣାମ କରିବି। 8 ହେ ସଦାପ୍ରଭୋ, ମୋʼ ଶତ୍ରୁଗଣ ସକାଶୁ ତୁମ୍ଭେ ଆପଣା ଧର୍ମଗୁଣରେ ମୋତେ ପଥ କଢ଼ାଇ ନିଅ; ମୋʼ ସମ୍ମୁଖରେ ତୁମ୍ଭର ପଥ ସରଳ କର। 9 କାରଣ ସେମାନଙ୍କ ମୁଖରେ କିଛି ବିଶ୍ଵସ୍ତତା ନାହିଁ; ସେମାନଙ୍କ ଅନ୍ତଃକରଣ ଦୁଷ୍ଟତାମୟ; ସେମାନଙ୍କ ଗଳାର ନଳୀ ଅନାବୃତ କବର ସ୍ଵରୂପ; ସେମାନେ ଜିହ୍ଵାରେ ଚାଟୁବାଦ କରନ୍ତି। 10 ହେ ପରମେଶ୍ଵର, ସେମାନଙ୍କୁ ଦୋଷୀ କର; ସେମାନେ ଆପଣାମାନଙ୍କ ମନ୍ତ୍ରଣା ଦ୍ଵାରା ପତିତ ହେଉନ୍ତୁ; ସେମାନଙ୍କ ଅପରାଧର ବାହୁଲ୍ୟରେ ସେମାନଙ୍କୁ ତଡ଼ି ଦିଅ; କାରଣ ସେମାନେ ତୁମ୍ଭ ପ୍ରତିକୂଳରେ ବିଦ୍ରୋହ କରିଅଛନ୍ତି। 11 ମାତ୍ର ତୁମ୍ଭର ଶରଣାଗତ ଲୋକ ସମସ୍ତେ ଆନନ୍ଦ କରନ୍ତୁ, ସେମାନେ ଆନନ୍ଦ ସକାଶୁ ସର୍ବଦା ଜୟଧ୍ଵନି କରନ୍ତୁ, କାରଣ ତୁମ୍ଭେ ସେମାନଙ୍କୁ ରକ୍ଷା କରୁଅଛ; ଆହୁରି, ଯେଉଁମାନେ ତୁମ୍ଭ ନାମକୁ ପ୍ରେମ କରନ୍ତି, ସେମାନେ ତୁମ୍ଭଠାରେ ଉଲ୍ଲସିତ ହେଉନ୍ତୁ। 12 ଯେଣୁ ତୁମ୍ଭେ ଧାର୍ମିକକୁ ଆଶୀର୍ବାଦ କରିବ; ହେ ସଦାପ୍ରଭୋ, ତୁମ୍ଭେ ତାହାକୁ ଢାଲ ପରି ଅନୁଗ୍ରହରେ ବେଷ୍ଟନ କରିବ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India