ଗୀତସଂହିତା 4 - ପବିତ୍ର ବାଇବଲ (Re-edited) - (BSI)ସାହାଯ୍ୟାର୍ଥେ ସନ୍ଧ୍ୟାକାଳୀନ ପ୍ରାର୍ଥନା ତାରଯୁକ୍ତ ଯନ୍ତ୍ରରେ ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 1 ହେ ମୋହର ଧର୍ମ ସ୍ଵରୂପ ପରମେଶ୍ଵର, ମୁଁ ଡାକିଲେ ମୋତେ ଉତ୍ତର ଦିଅ; ସଙ୍କଟରେ ଥିବା ସମୟରେ ତୁମ୍ଭେ ମୋତେ ପ୍ରଶସ୍ତ ସ୍ଥାନ ଦେଇଅଛ: ମୋତେ ଦୟା କର ଓ ମୋହର ପ୍ରାର୍ଥନା ଶୁଣ। 2 ହେ ମନୁଷ୍ୟସନ୍ତାନଗଣ, କେତେ କାଳ ମୋହର ଗୌରବ ଅପମାନରେ ପରିଣତ ହେବ? କେତେ କାଳ ତୁମ୍ଭେମାନେ ଅସାରତାକୁ ସ୍ନେହ କରିବ ଓ ମିଥ୍ୟାର ଅନ୍ଵେଷଣ କରିବ? [ସେଲା 3 ମାତ୍ର ସଦାପ୍ରଭୁ ଆପଣା ପାଇଁ ସଦ୍ଭକ୍ତ ଲୋକକୁ ପୃଥକ୍ କରି ରଖିଅଛନ୍ତି, ଏହା ଜ୍ଞାତ ହୁଅ; ମୁଁ ସଦାପ୍ରଭୁଙ୍କୁ ଡାକିଲେ, ସେ ଶୁଣିବେ। 4 ଭୀତ ହୁଅ ଓ ପାପ କର ନାହିଁ ତୁମ୍ଭେମାନେ ଶଯ୍ୟା ଉପରେ ମନେ ମନେ କଥା କହି ନୀରବ ହୁଅ। [ସେଲା 5 ଧର୍ମବଳି ଉତ୍ସର୍ଗ କର ଓ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର। 6 ଅନେକେ କହନ୍ତି, କିଏ ଆମ୍ଭମାନଙ୍କୁ ମଙ୍ଗଳ ଦେଖାଇବ? ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି ଆପଣା ମୁଖର ତେଜ ପ୍ରକାଶ କର। 7 ତୁମ୍ଭେ ମୋʼ ଅନ୍ତଃକରଣରେ ଆନନ୍ଦ ଦେଇଅଛ, ତାହା ସେମାନଙ୍କ ଶସ୍ୟ ଓ ଦ୍ରାକ୍ଷାରସ ବୃଦ୍ଧିକାଳର ଆନନ୍ଦ ଅପେକ୍ଷା ଅଧିକ। 8 ମୁଁ ଶାନ୍ତିରେ ଶୟନ କରିବି ଓ ନିଦ୍ରା ଯିବି; କାରଣ ହେ ସଦାପ୍ରଭୋ, କେବଳ ତୁମ୍ଭେ ମୋତେ ନିରାପଦରେ ବାସ କରାଉଅଛ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India