Biblia Todo Logo
Bìoball air-loidhne

- Sanasan -

ହିତୋପଦେଶ 1 - ପବିତ୍ର ବାଇବଲ (Re-edited) - (BSI)


ହିତୋପଦେଶର ଉପାଦେୟତା

1 ଦାଉଦଙ୍କ ପୁତ୍ର ଇସ୍ରାଏଲର ରାଜା ଶଲୋମନଙ୍କ ହିତୋପଦେଶ;

2 ଜ୍ଞାନ ଓ ଉପଦେଶ ବୁଝିବାକୁ; ଜ୍ଞାନଜନକ ବାକ୍ୟ ବିବେଚନା କରିବାକୁ;

3 ସୁଆଚରଣ, ସାଧୁତା ଓ ସୁବିବେଚନା ଏବଂ ନ୍ୟାୟ ବିଷୟରେ ଉପଦେଶ ଗ୍ରହଣ କରିବାକୁ;

4 ସରଳ ଲୋକଙ୍କୁ ସତର୍କତା ଓ ଯୁବା ଲୋକକୁ ବିଦ୍ୟା ଓ ପରିଣାମଦର୍ଶିତା ଦେବାକୁ;

5 ଯେପରି ଜ୍ଞାନବାନ ଲୋକ (ତାହା) ଶୁଣି ପାଣ୍ତିତ୍ୟରେ ବୃଦ୍ଧି ପାଇବ ଏବଂ ବୁଦ୍ଧିମାନ ଲୋକ ହିତଜନକ ପରାମର୍ଶ ପ୍ରାପ୍ତ ହେବ;

6 ପୁଣି, ଏକ ଉପଦେଶ କଥା ଓ ଏକ ରୂପକ କଥା ଏବଂ ପଣ୍ତିତମାନଙ୍କର ବାକ୍ୟ ଓ ସେମାନଙ୍କର ଗୂଢ଼ ବଚନ ବୁଝି ପାରିବ।


ଯୁବ ସମାଜକୁ ଉପଦେଶ

7 ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ; ମାତ୍ର ନିର୍ବୋଧ ଲୋକେ ଜ୍ଞାନ ଓ ଉପଦେଶ ତୁଚ୍ଛ ବୋଧ କରନ୍ତି।

8 ହେ ମୋହର ପୁତ୍ର, ତୁମ୍ଭ ପିତାର ଉପଦେଶ ଶୁଣ ଓ ତୁମ୍ଭ ମାତାର ଆଦେଶ ପରିତ୍ୟାଗ କର ନାହିଁ।

9 ଯେହେତୁ ତାହା ତୁମ୍ଭର ଅନୁଗ୍ରହଜନକ ଶିରୋଭୂଷଣ ଓ ଗଳଦେଶର ହାର ସ୍ଵରୂପ ହେବ।

10 ହେ ମୋହର ପୁତ୍ର, ପାପୀଗଣ ତୁମ୍ଭକୁ ଫୁସୁଲାଇଲେ, ତୁମ୍ଭେ ସମ୍ମତ ହୁଅ ନାହିଁ।

11 ସେମାନେ ଯେବେ କହନ୍ତି, ଆମ୍ଭମାନଙ୍କ ସହିତ ଆସ, ଆମ୍ଭେମାନେ ରକ୍ତପାତ କରିବାକୁ ଛକି ବସୁ, ନିର୍ଦ୍ଦୋଷମାନଙ୍କୁ ଅକାରଣରେ ଧରିବାକୁ ଗୁପ୍ତରେ ଲୁଚି ରହୁ;

12 ପାତାଳର ନ୍ୟାୟ ଆମ୍ଭେମାନେ ସେମାନଙ୍କୁ ଜୀଅନ୍ତା ଗ୍ରାସ କରୁ ଓ ଗର୍ତ୍ତପତିତ ଲୋକ ପରି ସେମାନଙ୍କୁ ସର୍ବତୋଭାବେ ଗ୍ରାସ କରୁ;

13 ତହିଁରେ ଆମ୍ଭେମାନେ ସର୍ବପ୍ରକାର ବହୁମୂଲ୍ୟ ଧନ ପାଇବା, ଲୁଟିତ ଦ୍ରବ୍ୟରେ ଆପଣା ଆପଣା ଗୃହ ପରିପୂର୍ଣ୍ଣ କରିବା,

14 ତୁମ୍ଭେ ଆମ୍ଭମାନଙ୍କ ମଧ୍ୟରେ ଅଂଶୀ ହେବ; ଆମ୍ଭ ସମସ୍ତଙ୍କର ଏକତୋଡ଼ା ହେବ।

15 ହେ ମୋହର ପୁତ୍ର, ତୁମ୍ଭେ ସେମାନଙ୍କ ସଙ୍ଗେ ସେହି ପଥରେ ଚାଲ ନାହିଁ, ସେମାନଙ୍କ ପଥରୁ ଆପଣା ପାଦ ଅଟକାଅ;

16 ଯେହେତୁ ସେମାନଙ୍କ ଚରଣ କୁକ୍ରିୟା କରିବାକୁ ଦୌଡ଼େ ଓ ରକ୍ତପାତ କରିବାକୁ ଶୀଘ୍ର ଧାଇଁଯାଏ।

17 କୌଣସି ପକ୍ଷୀର ଆକ୍ଷି ଆଗରେ ଜାଲ ପାତିବା ନିତା; ବ୍ୟର୍ଥ ହୁଏ।

18 ସେମାନେ ନିଜ ନିଜର ରକ୍ତପାତ କରିବାକୁ ଛକି ବସନ୍ତି ଓ ଆପଣାମାନଙ୍କ ପ୍ରାଣକୁ (ଧରିବା ପାଇଁ) ଗୁପ୍ତରେ ଲୁଚି ରହନ୍ତି।

19 ସମସ୍ତ ଧନଲୋଭୀର ଗତି ଏହି; ତାହା ଧନର ଅଧିକାରୀମାନଙ୍କର ପ୍ରାଣ ନାଶ କରେ।


ଜ୍ଞାନର ଆହ୍ଵାନ

20 ଜ୍ଞାନ ରାସ୍ତାରେ ଉଚ୍ଚସ୍ଵରରେ ଡାକେ; ସେ ଛକ ସ୍ଥାନମାନଙ୍କରେ ଆପଣା ରବ ଶୁଣାଏ;

21 ସେ ଲୋକମାନଙ୍କର ପ୍ରଧାନ ସ୍ଥାନରେ ଡାକେ; ନଗର ଦ୍ଵାରର ପ୍ରବେଶ ସ୍ଥାନରେ ଓ ନଗର ମଧ୍ୟରେ ଆପଣା ବାକ୍ୟ ଉଚ୍ଚାରଣ କରି କହେଣ:

22 ହେ ନିର୍ବୋଧ ଲୋକମାନେ, କେତେ କାଳ ମୂର୍ଖତାକୁ ଭଲ ପାଇବ? ହେ ନିନ୍ଦୁକମାନେ, ଆଉ କେତେ କାଳ ନିନ୍ଦାରେ ସନ୍ତୁଷ୍ଟ ଥିବ? ହେ ମୂର୍ଖମାନେ, ଆଉ କେତେ କାଳ ବିଦ୍ୟାକୁ ଘୃଣା କରିବ?

23 ମୋʼ ଅନୁଯୋଗରେ ମନ ଫେରାଅ; ଦେଖ, ମୁଁ ତୁମ୍ଭମାନଙ୍କ ଉପରେ ଆପଣା ଆତ୍ମା ଢାଳି ଦେବି, ମୁଁ ଆପଣା ବାକ୍ୟସବୁ ତୁମ୍ଭମାନଙ୍କୁ ଜଣାଇବି।

24 ଯେହେତୁ ମୁଁ ଡାକିଲି, ପୁଣି ତୁମ୍ଭେମାନେ ନାସ୍ତି କଲ; ମୁଁ ହସ୍ତ ବିସ୍ତାର କଲି, କେହି ମାନ୍ୟ କଲା ନାହିଁ;

25 ମାତ୍ର ତୁମ୍ଭେମାନେ ମୋହର ସମସ୍ତ ମନ୍ତ୍ରଣା ତୁଚ୍ଛଜ୍ଞାନ କଲ, ପୁଣି ମୋହର କୌଣସି ଅନୁଯୋଗକୁ ଚାହିଁଲ ନାହିଁ;

26 ଏହେତୁ ମୁଁ ମଧ୍ୟ ତୁମ୍ଭମାନଙ୍କ ବିପଦ ବେଳେ ହସିବି, ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବା ସମୟରେ ମୁଁ ପରିହାସ କରିବି।

27 ଯେତେବେଳେ ପ୍ରଚଣ୍ତ ଝଡ଼ ପରି ତୁମ୍ଭମାନଙ୍କର ଆଶଙ୍କା ଉପସ୍ଥିତ ହେବ ଓ ଘୂର୍ଣ୍ଣିବାୟୁ ପରି ତୁମ୍ଭମାନଙ୍କର ବିପଦ ଆସିବ; ଯେତେବେଳେ କ୍ଳେଶ ଓ ବେଦନା ତୁମ୍ଭମାନଙ୍କ ପ୍ରତି ଘଟିବନ୍ତ

28 ସେତେବେଳେ ସେମାନେ ମୋତେ ଡାକ ପକାଇବେ, ମାତ୍ର ମୁଁ ଉତ୍ତର ଦେବି ନାହିଁ; ସେମାନେ ଅତି ଯନିରେ ମୋହର ଅନ୍ଵେଷଣ କରିବେ, ମାତ୍ର ମୋହର ଉଦ୍ଦେଶ୍ୟ ପାଇବେ ନାହିଁ।

29 କାରଣ ସେମାନେ ବିଦ୍ୟାକୁ ଘୃଣା କଲେ ଓ ସଦାପ୍ରଭୁଙ୍କ ବିଷୟକ ଭୟ ମନୋନୀତ କଲେ ନାହିଁ;

30 ସେମାନେ ମୋହର କୌଣସି ମନ୍ତ୍ରଣା ଗ୍ରହଣ କଲେ ନାହିଁ ଓ ମୋହର ସମସ୍ତ ଅନୁଯୋଗ ହେୟଜ୍ଞାନ କଲେ।

31 ତେଣୁକରି ସେମାନେ ଆପଣା ଆପଣା କର୍ମର ପ୍ରତିଫଳ ଭୁଞ୍ଜିବେ ଓ ଆପଣା ଆପଣା କୁପରାମର୍ଶର ସମ୍ପୂର୍ଣ୍ଣ ଫଳ ଭୋଗ କରିବେ।

32 ହଁ, ନିର୍ବୋଧମାନଙ୍କର ବିପଥ-ଗମନ ସେମାନଙ୍କୁ ବିନାଶ କରିବ ଓ ଅଜ୍ଞାନମାନଙ୍କର ଆତ୍ମତୃପ୍ତି ସେମାନଙ୍କୁ ସଂହାର କରିବ।

33 ମାତ୍ର ଯେଉଁ ଲୋକ ମୋହର କଥା ଶୁଣେ, ସେ ନିରାପଦରେ ବାସ କରିବ ଓ ଅମଙ୍ଗଳର ଆଶଙ୍କା ବିନା ବିଶ୍ରାମ ପାଇବ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan