Biblia Todo Logo
Bìoball air-loidhne

- Sanasan -

ଗଣନା ପୁସ୍ତକ 36 - ପବିତ୍ର ବାଇବଲ (Re-edited) - (BSI)


ବିବାହିତା ସ୍ତ୍ରୀଙ୍କ ପୈତୃକ ସମ୍ପତ୍ତିର ଅଧିକାର

1 ଅନନ୍ତର ଯୋଷେଫ-ସନ୍ତାନଗଣର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ, ପୁଣି ମୋଶାଙ୍କର ସମ୍ମୁଖରେ ଓ ଇସ୍ରାଏଲ-ସନ୍ତାନମାନଙ୍କ ପିତୃଗୃହର ପ୍ରଧାନ ସ୍ଵରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ;

2 ଆଉ ସେମାନେ କହିଲେ, ସଦାପ୍ରଭୁ ଗୁଲିବାଣ୍ଟ ଦ୍ଵାରା ଇସ୍ରାଏଲ-ସନ୍ତାନଗଣକୁ ଦେଶାଧିକାର ଦେବା ନିମନ୍ତେ ଆମ୍ଭ ପ୍ରଭୁଙ୍କୁ ଆଜ୍ଞା ଦେଲେ; ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲଫାଦର ଅଧିକାର ତାହାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ।

3 ମାତ୍ର ଇସ୍ରାଏଲ-ସନ୍ତାନଗଣର ବଂଶସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯେବେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କ ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ; ପୁଣି ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ; ଏହିରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ।

4 ଆଉ ଯେତେବେଳେ ଇସ୍ରାଏଲ-ସନ୍ତାନଗଣର ଯୋବେଲ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାର ଯୁକ୍ତ ହେବ; ଏହିରୂପେ ଆମ୍ଭମାନଙ୍କ ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ।

5 ତହିଁରେ ମୋଶା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆଜ୍ଞା ଦେଇ କହିଲେ, ଯୋଷେଫ-ସନ୍ତାନଗଣର ବଂଶ ଯଥାର୍ଥ କହୁଅଛନ୍ତି।

6 ସଦାପ୍ରଭୁ ସଲଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି, ସେମାନଙ୍କୁ ବିବାହ ହେଉନ୍ତୁ; କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ।

7 ତାହା କଲେ ଇସ୍ରାଏଲ-ସନ୍ତାନଗଣର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ; ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ।

8 ପୁଣି ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ-ସନ୍ତାନଗଣର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣକର ଭାର୍ଯ୍ୟା ହେବ।

9 ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ; ମାତ୍ର ଇସ୍ରାଏଲ-ସନ୍ତାନଗଣର ବଂଶସମୂହ ପ୍ରତ୍ୟେକେ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ।

10 ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲଫାଦର କନ୍ୟାମାନେ କର୍ମ କଲେ।

11 ଅର୍ଥାତ୍, ମହଲା ଓ ତିର୍ସା ଓ ହଗ୍ଲା ଓ ମିଲ୍‍କା ଓ ନୋୟା, ସଲଫାଦର ଏହି କନ୍ୟାଗଣ ଆପଣା ଆପଣା ପିତୃବ୍ୟ ପୁତ୍ରମାନଙ୍କ ସହିତ ବିବାହ କଲେ।

12 ଯୋଷେଫଙ୍କର ପୁତ୍ର ମନଃଶି-ସନ୍ତାନଗଣର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା, ତହିଁରେ ସେମାନଙ୍କର ଅଧିକାର ସେମାନଙ୍କ ପିତୃବଂଶୀୟ ବଂଶ ମଧ୍ୟରେ ରହିଲା।

13 ସଦାପ୍ରଭୁ ଯିରୀହୋ ନିକଟସ୍ଥ ଯର୍ଦ୍ଦନ ସମୀପରେ ମୋୟାବ-ପଦାରେ ମୋଶାଙ୍କ ଦ୍ଵାରା ଇସ୍ରାଏଲ-ସନ୍ତାନଗଣ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan