ଗଣନା ପୁସ୍ତକ 30 - ପବିତ୍ର ବାଇବଲ (Re-edited) - (BSI)ଶପଥ ବିଷୟକ ନିୟମ 1 ଅନନ୍ତର ମୋଶା ଇସ୍ରାଏଲ-ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି। 2 କୌଣସି ପୁରୁଷ ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ, କିଅବା ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କରେ, ତେବେ ସେ ଆପଣା ବାକ୍ୟ ଲଙ୍ଘନ କରିବ ନାହିଁ; ସେ ଆପଣା ମୁଖରୁ ନିର୍ଗତ ସମସ୍ତ (ବାକ୍ୟ) ଅନୁସାରେ ସାଧନ କରିବ। 3 ମଧ୍ୟ କୌଣସି ସ୍ତ୍ରୀ ଯେବେ ଯୌବନାବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ଵାରା ଆପଣାକୁ ଆବଦ୍ଧ କରେ, 4 ପୁଣି ତାହାର ପିତା ଯେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତର କଥା ଶୁଣି ତାହାକୁ କିଛି ନ କହେ, ତେବେ ତାହାର ସକଳ ମାନତ ସ୍ଥିର ହେବ; ପୁଣି ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ସେହି ବ୍ରତ ସ୍ଥିର ହେବ। 5 ମାତ୍ର ତାହାର ପିତା ଯେବେ ଶୁଣିବା ଦିନ ତାହାକୁ ନିଷେଧ କରେ, ତେବେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ ନାହିଁ; ପୁଣି ତାହାର ପିତା ନିଷେଧ କରିବା ହେତୁରୁ ସଦାପ୍ରଭୁ ତାହାକୁ କ୍ଷମା କରିବେ। 6 ଆଉ ଯେବେ ସେ ଆପଣା ମାନତର ଅବା ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟର ଅଧୀନା ଥାଉ ଥାଉ କୌଣସି ସ୍ଵାମୀକି ବିବାହ କରେ; 7 ପୁଣି ତାହାର ସ୍ଵାମୀ ତାହା ଶୁଣେ ଓ ସେ ତାହା ଶୁଣିବା ଦିନ ତୁନି ହୋଇ ରହେ; ତେବେ ତାହାର ମାନତ ସ୍ଥିର ହେବ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ସେହି ବ୍ରତ ସ୍ଥିର ହେବ। 8 ମାତ୍ର ତାହାର ସ୍ଵାମୀ ତାହା ଶୁଣିବା ଦିନ ଯେବେ ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ଦ୍ଵାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି, ତାହାର ମୁଖନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ। ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ। 9 ମାତ୍ର ବିଧବା କି ସ୍ଵାମୀତ୍ୟକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି; ସେହିସବୁ ତାହା ନିମନ୍ତେ ସ୍ଥିର ହେବ। 10 ଆଉ ସେ ଯେବେ ସ୍ଵାମୀର ଗୃହରେ ମାନତ କରିଥାଏ, ଅବା ଶପଥପୂର୍ବକ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କରିଥାଏ, 11 ପୁଣି ତାହାର ସ୍ଵାମୀ ତାହା ଶୁଣି ତାହା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତାହାର ସମସ୍ତ ମାନତ ସ୍ଥିର ହେବ; ପୁଣି ସେ ଯେଉଁସବୁ ବ୍ରତ ଦ୍ଵାରା ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାସବୁ ସ୍ଥିର ହେବ। 12 ମାତ୍ର ତାହାର ସ୍ଵାମୀ ଯେବେ ଶୁଣିବା ଦିନ ତାହାସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ଓ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା, ସେସବୁ ସ୍ଥିର ହେବ ନାହିଁ; ତାହାର ସ୍ଵାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ। 13 ତାହାର ସ୍ଵାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଳେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରି ପାରେ, ଅବା ତାହାର ସ୍ଵାମୀ ବ୍ୟର୍ଥ କରି ପାରେ। 14 ମାତ୍ର ତାହାର ସ୍ଵାମୀ ଯେବେ ଦିନକୁ ଦିନ ତାହା ପ୍ରତି ସର୍ବତୋଭାବେ ତୁନି ହୋଇ ରହେ, ତେବେ ସେ ତାହାର ସମସ୍ତ ମାନତ ଅବା ତାହାର ସମସ୍ତ ବ୍ରତ ସ୍ଥିର କରେ। ସେ ତାହା ଶୁଣିବା ଦିନ ତୁନି ହୋଇ ରହିବାରୁ ତାହା ସ୍ଥିର କଲା। 15 ମାତ୍ର ତାହା ଶୁଣିଲା ଉତ୍ତାରେ ଯେବେ ସେ ତାହା ରହିତ ଓ ବ୍ୟର୍ଥ କରେ, ତେବେ ସେ ସ୍ତ୍ରୀର ଅପରାଧ ବହିବ। 16 ପୁରୁଷ ଓ ତାହାର ଭାର୍ଯ୍ୟା ବିଷୟରେ, ପିତା ଓ ପିତୃଗୃହସ୍ଥିତା ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୋଶାଙ୍କୁ ଏହି ସମସ୍ତ ଆଜ୍ଞା ଦେଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India