ଗଣନା ପୁସ୍ତକ 29 - ପବିତ୍ର ବାଇବଲ (Re-edited) - (BSI)ତୂରୀଧ୍ଵନୀ ପର୍ବର ନୈବେଦ୍ୟ 1 ଆଉ ସପ୍ତମ ମାସରେ, ସେହି ମାସର ପ୍ରଥମ ଦିନରେ ତୁମ୍ଭମାନଙ୍କର ଗୋଟିଏ ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; ସେହିଦିନ ତୁମ୍ଭମାନଙ୍କ ପ୍ରତି ତୂରୀଧ୍ଵନିର ଦିନ। 2 ପୁଣି ତୁମ୍ଭେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ରୂପେ ନିଖୁନ୍ତ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ; 3 ଆଉ ତହିଁର ଭକ୍ଷ୍ୟ-ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ 4 ଓ ସାତ ମେଷବତ୍ସର ଏକ ଏକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଉତ୍ସର୍ଗ କରିବ; 5 ପୁଣି ଆପଣାମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ। 6 ଏହି ସମସ୍ତ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିଁର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଘ୍ରାଣାର୍ଥେ ଭକ୍ଷ୍ୟ-ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ-ନୈବେଦ୍ୟ ପୁଣି ବିଧିମତେ ଉଭୟର ପେୟ-ନୈବେଦ୍ୟ, ଛଡ଼ା ଉତ୍ସର୍ଗ କରିବ। ପ୍ରାୟଶ୍ଚିତ୍ତ ଦିନର ନୈବେଦ୍ୟ 7 ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ; ପୁଣି ତୁମ୍ଭେମାନେ ଆପଣା ଆପଣା ପ୍ରାଣକୁ କ୍ଳେଶ ଦେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ; 8 ମାତ୍ର ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂଗୋବତ୍ସ, ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ, ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ; 9 ପୁଣି ତହିଁର ଭକ୍ଷ୍ୟ-ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ 10 ଓ ସାତ ମେଷବତ୍ସର ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା; 11 ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ; ଏହି ସମସ୍ତ ତୁମ୍ଭେମାନେ ପ୍ରାୟଶ୍ଚିତ୍ତାର୍ଥକ ପାପବଳି ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ପତ୍ରକୁଟୀର ପର୍ବର ନୈବେଦ୍ୟ 12 ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି ସାତ ଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ପାଳନ କରିବ। 13 ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ; ଏମାନେ ନିଖୁନ୍ତ ହେବେ। 14 ପୁଣି ତହିଁର ଭକ୍ଷ୍ୟ-ନୈବେଦ୍ୟ, ତେର ପୁଂଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ 15 ଓ ଚଉଦ ମେଷବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳମିଶ୍ରିତ ସରୁ ମଇଦା; 16 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 17 ଆଉ ଦ୍ଵିତୀୟ ଦିନରେ ନିଖୁନ୍ତ ବାର ପୁଂଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 18 ପୁଣି ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 19 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 20 ଆଉ ତୃତୀୟ ଦିନରେ ନିଖୁନ୍ତ ଏଗାର ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 21 ପୁଣି ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 22 ଆଉ ପାପାର୍ଥକ ବଳି ରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 23 ଆଉ ଚତୁର୍ଥ ଦିନରେ ନିଖୁନ୍ତ ଦଶ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ 24 ଓ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 25 ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 26 ଆଉ ପଞ୍ଚମ ଦିନରେ ନିଖୁନ୍ତ ନଅ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 27 ପୁଣି ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 28 ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 29 ଆଉ ଷଷ୍ଠ ଦିନରେ ନିଖୁନ୍ତ ଆଠ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 30 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 31 ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 32 ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ, ଦୁଇ ମେଷ ଓ ଏକବର୍ଷୀୟ ଚଉଦ ମେଷବତ୍ସ, 33 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 34 ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 35 ଆଉ ଅଷ୍ଟମ ଦିନରେ ତୁମ୍ଭମାନଙ୍କର ମହାସଭା ହେବ; ତୁମ୍ଭେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ। 36 ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁନ୍ତ ଏକ ଗୋବତ୍ସ, ଏକ ମେଷ ଓ ଏକବର୍ଷୀୟ ସାତ ମେଷବତ୍ସ, 37 ଆଉ ଗୋବତ୍ସର, ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ-ନୈବେଦ୍ୟ, 38 ପୁଣି ପାପାର୍ଥକ ବଳିରୂପେ ଏକ ଛାଗ, ଏ ସମସ୍ତ ତୁମ୍ଭେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ-ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। 39 ତୁମ୍ଭେମାନେ ଏହି ସମସ୍ତ, ଆପଣା ଆପଣା ମାନତ ଓ ସ୍ଵେଚ୍ଛାଦତ୍ତ ଉପହାର ସମ୍ଵନ୍ଧୀୟ ତୁମ୍ଭମାନଙ୍କ ହୋମବଳି ଓ ତୁମ୍ଭମାନଙ୍କ ଭକ୍ଷ୍ୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ପେୟ-ନୈବେଦ୍ୟ ଓ ତୁମ୍ଭମାନଙ୍କ ମଙ୍ଗଳାର୍ଥକ ବଳି ଛଡ଼ା ନିରୂପିତ ପର୍ବମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। 40 ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଲେ, ମୋଶା ସେସମସ୍ତ ଇସ୍ରାଏଲ-ସନ୍ତାନଗଣକୁ କହିଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India