Biblia Todo Logo
Bìoball air-loidhne

- Sanasan -

ଗଣନା ପୁସ୍ତକ 25 - ପବିତ୍ର ବାଇବଲ (Re-edited) - (BSI)


ବାଲପିୟୋର ପ୍ରତି ଆସକ୍ତି

1 ଅନନ୍ତର ଇସ୍ରାଏଲ ଶିଟୀମରେ ବାସ କଲେ, ପୁଣି ଲୋକମାନେ ମୋୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ।

2 ପୁଣି ସେହି କନ୍ୟାମାନେ ଲୋକମାନଙ୍କୁ ଆପଣାମାନଙ୍କ ଦେବଗଣର ବଳିଦାନ ଉପଲକ୍ଷରେ ନିମନ୍ତ୍ରଣ କଲେ; ପୁଣି ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ।

3 ଆଉ ଇସ୍ରାଏଲ ଆପେ ବାଲପିୟୋର ପ୍ରତି ଆସକ୍ତ ହେଲେ; ଏଣୁ ସଦାପ୍ରଭୁଙ୍କର କ୍ରୋଧ ଇସ୍ରାଏଲର ପ୍ରତିକୂଳରେ ପ୍ରଜ୍ଵଳିତ ହେଲା।

4 ଏଥିରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ତ କ୍ରୋଧ ଫେରିବ।

5 ତହୁଁ ମୋଶା ଇସ୍ରାଏଲର ବିଚାରକର୍ତ୍ତୃଗଣକୁ କହିଲେ, ତୁମ୍ଭେମାନେ ପ୍ରତ୍ୟେକେ ବାଲପିୟୋର ପ୍ରତି ଆସକ୍ତ ଆପଣା ଆପଣା ଲୋକମାନଙ୍କୁ ବଧ କର।

6 ଏଥିରେ ଦେଖ, ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଜଣେ ମୋଶାଙ୍କର ସାକ୍ଷାତରେ ଓ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦୀୟନୀୟା ସ୍ତ୍ରୀକି ଆଣିଲା, ସେତେବେଳେ ଲୋକମାନେ ସମାଗମ-ତମ୍ଵୁ ନିକଟରେ ରୋଦନ କରୁଥିଲେ।

7 ତେବେ ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା;

8 ପୁଣି ସେ ଇସ୍ରାଏଲୀୟ ସେହି ପୁରୁଷର ପଛେ ପଛେ ତମ୍ଵୁ ଭିତରେ ପ୍ରବେଶ କରି ସେହି ଦୁଇ ଜଣକୁ, ଅର୍ଥାତ୍, ସେହି ଇସ୍ରାଏଲୀୟ ପୁରୁଷକୁ ଓ ସେହି ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ-ସନ୍ତାନଗଣଠାରୁ ମାରୀ ନିବୃତ୍ତ ହେଲା।

9 ତଥାପି ଚବିଶ ହଜାର ଲୋକ ଏହି ମାରୀରେ ମଲେ।


ପୀନହସ୍ଙ୍କ ଅନ୍ତର୍ଜ୍ଵାଳା

10 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

11 ହାରୋଣ ଯାଜକର ପୌତ୍ର, ଇଲୀୟାସରର ପୁତ୍ର ପୀନହସ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତର୍ଜ୍ଵାଳାରେ ଅନ୍ତର୍ଜ୍ଵାଳା ପ୍ରକାଶ କରି ଇସ୍ରାଏଲ-ସନ୍ତାନଗଣଠାରୁ ଆମ୍ଭର କ୍ରୋଧ ଫେରାଇଅଛି, ତହିଁରେ ଆମ୍ଭେ ଆପଣା ଅନ୍ତର୍ଜ୍ଵାଳାରେ ଇସ୍ରାଏଲ-ସନ୍ତାନଗଣକୁ ନିଃଶେଷ ରୂପେ ସଂହାର କଲୁ ନାହିଁ।

12 ଏହେତୁ ତୁମ୍ଭେ କୁହ, ଦେଖ, ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ;

13 ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ଵର ନିୟମ ହେବ; କାରଣ ସେ ଆପଣା ପରମେଶ୍ଵରଙ୍କ ପକ୍ଷରେ ଅନ୍ତର୍ଜ୍ଵାଳା ପ୍ରକାଶ କଲା ଓ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ୍ତ କଲା।

14 ଇସ୍ରାଏଲୀୟ ଯେଉଁ ହତ ପୁରୁଷ, ଯେ ସେହି ମିଦୀୟନୀୟା ସ୍ତ୍ରୀ ସହିତ ହତ ହୋଇଥିଲା, ତାହାର ନାମ ସିମ୍ରି, ସେ ଶିମୀୟୋନୀୟ ପିତୃଗୃହର ଅଧିପତି ସାଲୂର ପୁତ୍ର।

15 ପୁଣି ସେହି ହତ ମିଦୀୟନୀୟା ସ୍ତ୍ରୀର ନାମ କସ୍ବୀ, ସେ ସୂରର କନ୍ୟା; ସେହି ସୂର ମିଦୀୟନୀୟ ଏକ ପିତୃଗୃହର ଲୋକମାନଙ୍କ ମଧ୍ୟରେ ପ୍ରଧାନ ଥିଲା।

16 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

17 ମିଦୀୟନୀୟ ଲୋକମାନଙ୍କୁ କ୍ଳେଶ ଦିଅ ଓ ସେମାନଙ୍କୁ ବଧ କର;

18 କାରଣ ପିୟୋର (ଦେବତା) ବିଷୟକ ଛଳରେ ଓ ସେହି ପିୟୋର ଲାଗି ମାରୀ ଦିନରେ ହତ ହେଲା ଯେ ସେମାନଙ୍କ ଆତ୍ମୀୟା କସ୍ଵୀ ନାମ୍ନୀ ମିଦୀୟନୀୟ ରାଜକୁମାରୀ, ତାହାରି ବିଷୟକ ଛଳରେ ସେମାନେ ତୁମ୍ଭମାନଙ୍କୁ ଛଳ କରି କ୍ଳେଶ ଦେଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan