ଗଣନା ପୁସ୍ତକ 2 - ପବିତ୍ର ବାଇବଲ (Re-edited) - (BSI)ଛାଉଣିର ପ୍ରସ୍ତୁତି 1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ, 2 ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ଵରୂପ ଧ୍ଵଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ଵୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ। 3 ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ଵଜାର ପଶ୍ଚାଦ୍ଗାମୀ ଲୋକ; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ; 4 ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଚଉସ୍ତରି ହଜାର ଛଅ ଶହ। 5 ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର ସନ୍ତାନଗଣର ଅଧିପତି ହେବ ; 6 ତାହାର ଗଣିତ ସୈନ୍ୟସଂଖ୍ୟା ଚଉବନ ହଜାର ଚାରି ଶହ। 7 ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍ ସବୂଲୂନ ସନ୍ତାନଗଣର ଅଧିପତି ହେବ; 8 ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ସତାବନ ହଜାର ଚାରି ଶହ। 9 ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ। 10 ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ-ଛାଉଣିର ଧ୍ଵଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ-ସନ୍ତାନଗଣର ଅଧିପତି ହେବ; 11 ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ। 12 ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ; 13 ତାହାର ଗଣିତ ସୈନ୍ୟସଂଖ୍ୟା ଊଣଷଠି ହଜାର ତିନି ଶହ। 14 ତହୁଁ ଗାଦର ବଂଶ ରୁୟେଲର ପୁତ୍ର ଇଲୀୟାସଫ୍ ଗାଦ ସନ୍ତାନଗଣର ଅଧିପତି ହେବ; 15 ପୁଣି ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ। 16 ରୁବେନ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ଵିତୀୟରେ ଅଗ୍ରସର ହେବେ। 17 ଏଉତ୍ତାରେ ସମାଗମ-ତମ୍ଵୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ଵ ସ୍ଵ ସ୍ଥାନରେ ଧ୍ଵଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ। 18 ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ; 19 ଆଉ ତାହାର ଗଣିତ ସୈନ୍ୟସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ। 20 ତାହା ପାଖରେ ମନଃଶି ବଂଶ ରହିବେ, ପୁଣି ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ; 21 ତାହାର ଗଣିତ ସୈନ୍ୟସଂଖ୍ୟା ବତିଶ ହଜାର ଦୁଇ ଶହ। 22 ତହୁଁ ବିନ୍ୟାମିନ ବଂଶ; ପୁଣି ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ; 23 ତାହାର ଗଣିତ ସୈନ୍ୟସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ। 24 ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ। 25 ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ-ଛାଉଣିର ଧ୍ଵଜା ରହିବ; ପୁଣି ଅମ୍ମୀଶଦ୍ଦୟର ପୁତ୍ର ଅହୀୟେସର ଦାନ-ସନ୍ତାନଗଣର ଅଧିପତି ହେବ; 26 ତାହାର ଗଣିତ ସୈନ୍ୟସଂଖ୍ୟା ବାଷଠି ହଜାର ସାତ ଶହ। 27 ତାହା ପାଖରେ ଆଶେର୍ ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ; 28 ତାହାର ଗଣିତ ସୈନ୍ୟସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ। 29 ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ; 30 ତାହାର ଗଣିତ ସୈନ୍ୟସଂଖ୍ୟା ତେପନ ହଜାର ଚାରି ଶହ। 31 ଦାନ-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ଵଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ। 32 ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା। 33 ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ। 34 ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ଵଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India