Biblia Todo Logo
Bìoball air-loidhne

- Sanasan -

ଗଣନା ପୁସ୍ତକ 13 - ପବିତ୍ର ବାଇବଲ (Re-edited) - (BSI)


କିଣାନକୁ ଦୂତ ପ୍ରେରଣ

1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

2 ଆମ୍ଭେ ଇସ୍ରାଏଲ-ସନ୍ତାନଗଣକୁ ଯେଉଁ କିଣାନ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ, ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।

3 ତହିଁରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ; ସେହି ଲୋକ ସମସ୍ତେ ଇସ୍ରାଏଲ-ସନ୍ତାନଗଣର ପ୍ରଧାନ ଥିଲେ।

4 ସେମାନଙ୍କର ନାମ ଏହି - ରୁବେନ ବଂଶ ମଧ୍ୟରୁ ସକ୍କୁରର ପୁତ୍ର ଶମ୍ମୂୟ;

5 ଶିମୀୟୋନ ବଂଶ ମଧ୍ୟରୁ ହୋରିର ପୁତ୍ର ଶାଫଟ;

6 ଯିହୁଦା ବଂଶ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ;

7 ଇଷାଖର ବଂଶ ମଧ୍ୟରୁ ଯୋଷେଫର ପୁତ୍ର ଯିଗାଲ;

8 ଇଫ୍ରୟିମ ବଂଶ ମଧ୍ୟରୁ ନୂନର ପୁତ୍ର ହୋଶେୟ;

9 ବିନ୍ୟାମିନ ବଂଶ ମଧ୍ୟରୁ ରାଫୂର ପୁତ୍ର ପଲ୍ଟି;

10 ସବୂଲୂନ ବଂଶ ମଧ୍ୟରୁ ସୋଦିର ପୁତ୍ର ଗଦ୍ଦୀୟେଲ;

11 ଯୋଷେଫ ବଂଶ ମଧ୍ୟରୁ, ଅର୍ଥାତ୍, ମନଃଶି ବଂଶ ମଧ୍ୟରୁ ସୂଷିର ପୁତ୍ର ଗଦ୍ଦି;

12 ଦାନ ବଂଶ ମଧ୍ୟରୁ ଗମଲ୍ଲୀର ପୁତ୍ର ଅମ୍ମୀୟେଲ;

13 ଆଶେର ବଂଶ ମଧ୍ୟରୁ ମୀଖାୟେଲର ପୁତ୍ର ସଥୁର;

14 ନପ୍ତାଲି ବଂଶ ମଧ୍ୟରୁ ବପ୍ସିର ପୁତ୍ର ନହବି;

15 ଗାଦ ବଂଶ ମଧ୍ୟରୁ ମାଖିର ପୁତ୍ର ଗୂୟେଲ।

16 ମୋଶା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ, ସେମାନଙ୍କର ନାମ ଏହି, ଆଉ ମୋଶା, ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।

17 ଆଉ ମୋଶା ଏମାନଙ୍କୁ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇ କହିଲେ, ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର;

18 ପୁଣି ସେହି ଦେଶ କିପରି ଓ ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ;

19 ପୁଣି ସେମାନେ ଯେଉଁ ଦେଶରେ ବାସ କରନ୍ତି, ତାହା ଭଲ କି ମନ୍ଦ ଓ ଯେ ଯେ ନଗରରେ ବାସ କରନ୍ତି, ତାହା କି ପ୍ରକାର; ସେମାନେ ତମ୍ଵୁରେ କି ଗଡ଼ରେ, କାହିଁରେ ବାସ କରନ୍ତି;

20 ପୁଣି ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପକ୍ଵ ଦ୍ରାକ୍ଷାଫଳର ସମୟ ଥିଲା।

21 ଏଣୁ ସେମାନେ ସୀନ୍ ପ୍ରାନ୍ତରରୁ ଯାତ୍ରା କରି ହମାତରପ୍ରବେଶ ସ୍ଥାନସ୍ଥିତ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ।

22 ଆଉ ସେମାନେ ଦକ୍ଷିଣ ଦିଗ ଦେଇ ଯାଇ ହିବ୍ରୋଣରେ ଉପସ୍ଥିତ ହେଲେ; ସେହି ସ୍ଥାନରେ ଅହୀମାନ୍ ଓ ଶେଶୟ ଓ ତଲ୍ମୟ, ଅନାକର ଏହି ସନ୍ତାନମାନେ ଥିଲେ। ମିସରସ୍ଥିତ ସୋୟନ-ପତ୍ତନର ସାତ ବର୍ଷ ପୂର୍ବେ ହିବ୍ରୋଣର ପତ୍ତନ ହୋଇଥିଲା।

23 ଏଉତ୍ତାରେ ସେମାନେ ଇଷ୍କୋଲ-ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ତା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇ ଜଣ ସାଙ୍ଗୀରେ ବହିଲେ; ସେମାନେ ଡାଳିମ୍ଵ ଓ ଡିମିରି ଫଳ ମଧ୍ୟ ଆଣିଲେ।

24 ଇସ୍ରାଏଲ-ସନ୍ତାନଗଣ ଯେଉଁ ଦ୍ରାକ୍ଷାପେଣ୍ତା କାଟିଥିଲେ, ତହିଁ ସକାଶୁ ସେହି ସ୍ଥାନ ଇଷ୍କୋଲ (ପେଣ୍ତା) ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।


ଦୂତମାନଙ୍କ ବିବରଣ

25 ଆଉ ଚାଳିଶ ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରି ଆସିଲେ।

26 ଅନନ୍ତର ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୋଶା ଓ ହାରୋଣ ଓ ଇସ୍ରାଏଲ-ସନ୍ତାନଗଣର ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ।

27 ପୁଣି ସେମାନେ ବର୍ଣ୍ଣନା କରି ତାଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ; ଆଉ ତାହା ଦୁଗ୍ଧମଧୁପ୍ରବାହୀ ପ୍ରମାଣ ଓ ଏହା ତହିଁର ଫଳ।

28 ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ଼; ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ।

29 ଦକ୍ଷିଣ ଦେଶରେ ଅମାଲେକ ବାସ କରେ; ପୁଣି ପର୍ବତରେ ହିତ୍ତୀୟ ଓ ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି; ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।

30 ତହିଁରେ କାଲେବ ମୋଶାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷା; କରି କହିଲେ, ଆସ, ଆମ୍ଭେମାନେ ଏକାବେଳକେ ଉଠିଯାଇ ତାହା ଅଧିକାର କରୁ; ତାହା ପରାସ୍ତ କରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କ-ଠାରୁ ବଳବାନ।

32 ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ, ଇସ୍ରାଏଲ-ସନ୍ତାନଗଣ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, ଆମ୍ଭେମାନେ ଯେଉଁ ଦେଶର ମଧ୍ୟଦେଇ ଅନୁସନ୍ଧାନ କରିବାକୁ ଯାଇଥିଲୁ, ସେହି ଦେଶ ସ୍ଵନିବାସୀମାନଙ୍କୁ ଗ୍ରାସ କରେ, ପୁଣି ତହିଁ ମଧ୍ୟରେ ଆମ୍ଭେମାନେ ଯେତେ ଲୋକଙ୍କୁ ଦେଖିଲୁ, ସେମାନେ ବଡ଼ ଡେଙ୍ଗା।

33 ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀରଗଣକୁ ଦେଖିଲୁ; ଆଉ ଆମ୍ଭେମାନେ ଆପଣାମାନଙ୍କ ଦୃଷ୍ଟିରେ ଫଡ଼ିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେରୂପ ଥିଲୁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan