Biblia Todo Logo
Bìoball air-loidhne

- Sanasan -

ଗଣନା ପୁସ୍ତକ 10 - ପବିତ୍ର ବାଇବଲ (Re-edited) - (BSI)


ରୌପ୍ୟ ତୂରୀ

1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

2 ତୁମ୍ଭେ ରୂପାର ଦୁଇ ତୂରୀ ନିର୍ମାଣ କର; ତୁମ୍ଭେ ପିଟାକର୍ମରେ ତାହା ନିର୍ମାଣ କରିବ; ଆଉ ତୁମ୍ଭେ ମଣ୍ତଳୀକି ଆହ୍ଵାନ କରିବା ବେଳେ ଓ ଛାଉଣିସମୂହ ପ୍ରସ୍ଥାନ କରିବା ବେଳେ ତାହା ବ୍ୟବହାର କରିବ।

3 ପୁଣି ସେମାନେ ସେହି ଦୁଇ ତୂରୀ ବଜାନ୍ତେ, ସମସ୍ତ ମଣ୍ତଳୀ ସମାଗମ-ତମ୍ଵୁ ଦ୍ଵାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ।

4 ଆଉ ଯେବେ ସେମାନେ ଏକ ତୂରୀ ବଜାଇବେ, ତେବେ ଅଧିପତିମାନେ, ଅର୍ଥାତ୍, ଇସ୍ରାଏଲର ସହସ୍ରପତିମାନେ, ତୁମ୍ଭ ନିକଟରେ ଏକତ୍ରିତ ହେବେ।

5 ପୁଣି ତୁମ୍ଭେମାନେ ରଣତୂରୀ ବଜାନ୍ତେ, ପୂର୍ବ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ।

6 ପୁଣି ତୁମ୍ଭେମାନେ ଦ୍ଵିତୀୟ ଥର ରଣତୂରୀ ବଜାନ୍ତେ, ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ; ଏହି କ୍ରମରେ ସେମାନେ ଆପଣାମାନଙ୍କ ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ।

7 ସମାଜକୁ ଏକତ୍ର କରିବା ସମୟରେ ତୁମ୍ଭେମାନେ ତୂରୀ ବଜାଇବ, ମାତ୍ର ରଣତୂରୀ ବଜାଇବ ନାହିଁ।

8 ଆଉ ହାରୋଣର ପୁତ୍ର ଯାଜକମାନେ ସେହି ଦୁଇ ତୂରୀ ବଜାଇବେ; ପୁଣି ତାହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ।

9 ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ କ୍ଳେଶଦାୟୀ ବିପକ୍ଷଗଣର ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମ୍ଭେମାନେ ଏହି ତୂରୀରେ ରଣବାଦ୍ୟ ବଜାଇବ; ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ସାକ୍ଷାତରେ ତୁମ୍ଭେମାନେ ସ୍ମରଣ କରାଯିବ ଓ ତୁମ୍ଭେମାନେ ଆପଣାମାନଙ୍କ ଶତ୍ରୁଗଣଠାରୁ ରକ୍ଷା ପାଇବ।

10 ଆହୁରି ତୁମ୍ଭମାନଙ୍କ ଆନନ୍ଦ-ଦିନରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମ୍ଭେମାନେ ଆପଣାମାନଙ୍କ ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ; ତହିଁରେ ତାହା ତୁମ୍ଭମାନଙ୍କ ପରମେଶ୍ଵରଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ସ୍ମରଣାର୍ଥେ ହେବ; ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ଵର ଅଟୁ।


ସୀନୟ ଛାଉଣି ପରିତ୍ୟାଗ

11 ଆଉ ଦ୍ଵିତୀୟ ବର୍ଷର ଦ୍ଵିତୀୟ ମାସର କୋଡ଼ିଏ ଦିନରେ ସେହି ମେଘ ସାକ୍ଷ୍ୟରୂପ ଆବାସ ଉପରୁ ନିଆଗଲା।

12 ତହିଁରେ ଇସ୍ରାଏଲ-ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସୀନୟ ପ୍ରାନ୍ତରରୁ ଅଗ୍ରସର ହେଲେ; ପୁଣି ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା।

13 ଆଉ ମୋଶାଙ୍କ ଦ୍ଵାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ।

14 ପ୍ରଥମରେ ଯିହୁଦା-ସନ୍ତାନଗଣର ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି ଅମ୍ମୀନାଦବର ପୁତ୍ର ନହଶୋନ ସେମାନଙ୍କ ସୈନ୍ୟ ଉପରେ ଥିଲା।

15 ଆଉ ସୂୟାରର ପୁତ୍ର ନଥନେଲ, ଇଷାଖର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

16 ଆଉ ହେଲୋନର ପୁତ୍ର ଇଲୀୟାବ୍, ସବୂଲୂନ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

17 ଏଉତ୍ତାରେ ଆବାସ ଭଙ୍ଗାଯାʼନ୍ତେ, ଗେର୍ଶୋନର ସନ୍ତାନଗଣ ଓ ମରାରିର ସନ୍ତାନଗଣ ସେହି ଆବାସ ବହି ଅଗ୍ରସର ହେଲେ।

18 ତହୁଁ ରୁବେନ-ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା; ପୁଣି ଶଦେୟରର ପୁତ୍ର ଇଲୀଷୂର ସେମାନଙ୍କ ସୈନ୍ୟ ଉପରେ ଥିଲା।

19 ଆଉ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

20 ଆଉ ଦ୍ୟୁୟେଲର ପୁତ୍ର ଇଲୀୟାସଫ୍ ଗାଦ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

21 ତହିଁ ଉତ୍ତାରେ କହାତୀୟମାନେ ପବିତ୍ର ସ୍ଥାନର ଭାର ବହି ଅଗ୍ରସର ହେଲେ; ପୁଣି ସେମାନଙ୍କ ପହୁଞ୍ଚିବା ସମୟକୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ।

22 ଆଉ ଇଫ୍ରୟିମ-ସନ୍ତାନଗଣର ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀହୂଦର ପୁତ୍ର ଇଲୀଶାମା ସେମାନଙ୍କ ସୈନ୍ୟ ଉପରେ ଥିଲା।

23 ଆଉ ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

24 ପୁଣି ଗିଦିୟୋନିର ପୁତ୍ର ଅବୀଦାନ୍ ବିନ୍ୟାମୀନ-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

25 ତହୁଁ ସମସ୍ତ ଛାଉଣିର ପଶ୍ଚାତ୍ ଦାନ-ସନ୍ତାନଗଣର ଛାଉଣିର ଧ୍ଵଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା ଓ ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ସେମାନଙ୍କ ସୈନ୍ୟ ଉପରେ ଥିଲା।

26 ଆଉ ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

27 ପୁଣି ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା।

28 ଏହିରୂପେ ଇସ୍ରାଏଲ ସନ୍ତାନଗଣର ଯାତ୍ରା ସେମାନଙ୍କ ସୈନ୍ୟାନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ।

29 ଅନନ୍ତର ମୋଶା ଆପଣା ଶ୍ଵଶୁର ମିଦୀୟନୀୟ ରୁୟେଲର ପୁତ୍ର ହୋବବକୁ କହିଲେ, ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ କହିଅଛନ୍ତି, ଆମ୍ଭେ ତାହା ତୁମ୍ଭମାନଙ୍କୁ ଦେବା, ସେହି ସ୍ଥାନକୁ ଆମ୍ଭେମାନେ ଯାତ୍ରା କରୁଅଛୁ; ତୁମ୍ଭେ ଆମ୍ଭମାନଙ୍କ ସଙ୍ଗରେ ଆସ, ତହିଁରେ ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା; କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ-କଥା କହିଅଛନ୍ତି।

30 ତହୁଁ ସେ କହିଲା, ମୁଁ ଯିବି ନାହିଁ; ମାତ୍ର ମୁଁ ଆପଣା ନିଜ ଦେଶକୁ ଓ ଆପଣା ଜ୍ଞାତିମାନଙ୍କ ନିକଟକୁ ପ୍ରସ୍ଥାନ କରିବି।

31 ତେବେ ମୋଶା କହିଲେ, ବିନୟ କରୁଅଛି, ତୁମ୍ଭେ, ଆମ୍ଭମାନଙ୍କୁ ଛାଡ଼ି ଯାଅ ନାହିଁ; କାରଣ ପ୍ରାନ୍ତର ମଧ୍ୟରେ କିପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ, ତାହା ତୁମ୍ଭେ ଜାଣ, ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳେ ହେବ।

32 ଆଉ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ ଗଲେ ଏହା ହେବ, ନିଶ୍ଚୟ ଏହା ହେବ ଯେ, ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ମଙ୍ଗଳ କରିବେ, ତାହା ଆମ୍ଭେମାନେ ତୁମ୍ଭ ପ୍ରତି କରିବୁ।

33 ଏ ଉତ୍ତାରେ ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଗଲେ, ପୁଣି ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ନିମନ୍ତେ ବିଶ୍ରାମ ସ୍ଥାନ ଅନ୍ଵେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା।

34 ପୁଣି ସେମାନେ ଛାଉଣିରୁ ଯାତ୍ରା କରିବା ବେଳେ ସଦାପ୍ରଭୁଙ୍କ ମେଘ ଦିବସରେ ସେମାନଙ୍କ ଉପରେ ରହିଲା।

35 ପୁଣି ସିନ୍ଦୁକ ଅଗ୍ରସର ହେବା ବେଳେ ମୋଶା କହନ୍ତି, ସଦାପ୍ରଭୋ, ଉଠ, ପୁଣି ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହେଉନ୍ତୁ ଓ ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ।

36 ଆଉ ତାହା ବିଶ୍ରାମ କରିବା ବେଳେ ସେ କହନ୍ତି, ସଦାପ୍ରଭୋ, ତୁମ୍ଭେ ଇସ୍ରାଏଲର ଅୟୁତ ଅୟୁତ ସହସ୍ର ପ୍ରତି ଫେର।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan