Biblia Todo Logo
Bìoball air-loidhne

- Sanasan -

ନିହିମୀୟା 5 - ପବିତ୍ର ବାଇବଲ (Re-edited) - (BSI)


ଦରିଦ୍ରମାନଙ୍କ ଉପରେ ଅତ୍ୟାଚାର ନିଷେଧ

1 ଅନନ୍ତର ଯିହୁଦୀୟ ଭାଇମାନଙ୍କ ବିରୁଦ୍ଧରେ ଲୋକମାନଙ୍କର ଓ ସେମାନଙ୍କ ଭାର୍ଯ୍ୟାଗଣର ମହାକ୍ରନ୍ଦନ ଉଠିଲା।

2 କାରଣ କେହି କେହି କହିଲେ, ଆମ୍ଭେମାନେ, ଆମ୍ଭମାନଙ୍କ ପୁତ୍ର ଓ କନ୍ୟାଗଣ ଅନେକ ଲୋକ ଅଟୁ; ଆମ୍ଭମାନଙ୍କୁ ଶସ୍ୟ ମିଳୁ, ଆମ୍ଭେମାନେ ଖାଇ ବଞ୍ଚିବା।

3 ମଧ୍ୟ ଆଉ କେହି କେହି କହିଲେ, ଆମ୍ଭେମାନେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଓ ଗୃହ ବନ୍ଧକ ରଖିଅଛୁ, ଆମ୍ଭମାନଙ୍କୁ ଶସ୍ୟ ମିଳୁ, କାରଣ ଏ ଦୁର୍ଭିକ୍ଷ ସମୟ।

4 ଆହୁରି, କେତେକେ କହିଲେ, ଆମ୍ଭେମାନେ ରାଜ-କର ନିମନ୍ତେ ଆପଣା ଆପଣା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ବନ୍ଧକ ରଖି ମୁଦ୍ରା ଋଣ କରିଅଛୁ।

5 ମାତ୍ର ଆମ୍ଭମାନଙ୍କ ଶରୀର ଆମ୍ଭମାନଙ୍କ ଭ୍ରାତୃଗଣର ଶରୀର ସମାନ, ଆମ୍ଭମାନଙ୍କ ସନ୍ତାନଗଣ ସେମାନଙ୍କ ସନ୍ତାନଗଣର ସମାନ; ତଥାପି ଦେଖ, ଆମ୍ଭେମାନେ ଆପଣା ଆପଣା ପୁତ୍ର ଓ କନ୍ୟାଗଣକୁ ଦାସ ହେବା ପାଇଁ ଦାସତ୍ଵାବସ୍ଥାକୁ ଆଣୁଅଛୁ, ପୁଣି ଆମ୍ଭମାନଙ୍କ କନ୍ୟାଗଣ ମଧ୍ୟରୁ କେହି କେହି ଦାସୀତ୍ଵାବସ୍ଥାକୁ ଅଣାଯାଇ ସାରିଲେଣି; ଆଉ, ଆମ୍ଭମାନଙ୍କର କିଛି ଆୟତ୍ତ ନାହିଁ; କାରଣ ଅନ୍ୟ ଲୋକମାନେ ଆମ୍ଭମାନଙ୍କର ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଧରିଅଛନ୍ତି।

6 ସେତେବେଳେ ମୁଁ ସେମାନଙ୍କର କ୍ରନ୍ଦନ ଓ ଏହି କଥାସବୁ ଶୁଣି ଅତ୍ୟ; କ୍ରୁଦ୍ଧ ହେଲି।

7 ଆଉ, ମୁଁ ଆପଣା ମନରେ ବିବେଚନା କଲି, ପୁଣି କୁଳୀନମାନଙ୍କର ଓ ଅଧ୍ୟକ୍ଷମାନଙ୍କର ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଭାଇଠାରୁ ସୁଧ ନେଉଅଛ। ତହୁଁ ମୁଁ ସେମାନଙ୍କ ବିରୁଦ୍ଧରେ ମହାସଭା କଲି।

8 ଆଉ, ମୁଁ ସେମାନଙ୍କୁ କହିଲି, ଆମ୍ଭମାନଙ୍କର ଯିହୁଦୀୟ ଭାଇମାନେ ଅନ୍ୟ ଦେଶୀୟମାନଙ୍କ ନିକଟରେ ବିକା ଯାଇଥିଲେ, ଆମ୍ଭେମାନେ ସେମାନଙ୍କୁ ଆପଣା ସାଧ୍ୟାନୁସାରେ ମୁକ୍ତ କରିଅଛୁ, ଏବେ ତୁମ୍ଭେମାନେ କʼଣ ଆପଣା ଭାଇମାନଙ୍କୁ ବିକିବ? ଓ ସେମାନେ କʼଣ ଆମ୍ଭମାନଙ୍କ ନିକଟରେ ବିକାଯିବେ? ଏଥିରେ ସେମାନେ ନୀରବ ହେଲେ, କିଛି ଉତ୍ତର ଦେଇ ପାରିଲେ ନାହିଁ।

9 ଆହୁରି, ମୁଁ କହିଲି, ତୁମ୍ଭେମାନେ ଯେଉଁ କାର୍ଯ୍ୟ କରୁଅଛ, ତାହା ଭଲ ନୁହେଁ, ଆମ୍ଭମାନଙ୍କ ଶତ୍ରୁ ଅନ୍ୟ ଦେଶୀୟମାନଙ୍କର ଧିକ୍କାର ସକାଶୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ପ୍ରତି ଭୟରେ ଆଚରଣ କରିବା କʼଣ ତୁମ୍ଭମାନଙ୍କର ଉଚିତ ନୁହେଁ?

10 ମଧ୍ୟ ମୁଁ, ମୋʼ ଭାଇମାନେ ଓ ମୋହର ଦାସମାନେ ସୁଧରେ ସେମାନଙ୍କୁ ମୁଦ୍ରା ଓ ଶସ୍ୟ ଋଣ ଦେଉଅଛୁ। ମୁଁ ବିନୟ କରୁଅଛି, ଆମ୍ଭେମାନେ ଏହି ସୁଧ ଛାଡ଼ି ଦେଉ।

11 ମୁଁ ବିନୟ କରୁଅଛି, ତୁମ୍ଭେମାନେ ସେମାନଙ୍କର ଶସ୍ୟକ୍ଷେତ୍ର, ସେମାନଙ୍କର ଦ୍ରାକ୍ଷାକ୍ଷେତ୍ର, ସେମାନଙ୍କର ଜୀତ କ୍ଷେତ୍ର ଓ ସେମାନଙ୍କର ଗୃହ, ମଧ୍ୟ ସେମାନଙ୍କଠାରୁ ମୁଦ୍ରା ଓ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଶତକଡ଼ା ଯେଉଁ ବୃଦ୍ଧି ତୁମ୍ଭେମାନେ ନେଇଅଛ, ତାହା ଆଜି ସେମାନଙ୍କୁ ଫେରାଇ ଦିଅ।

12 ତହିଁରେ ସେମାନେ କହିଲେ, ଆମ୍ଭେମାନେ ଫେରାଇ ଦେବୁ ଓ ସେମାନଙ୍କୁ କିଛି ମାଗିବୁ ନାହିଁ; ଆପଣ ଯେପରି କହୁଅଛନ୍ତି, ଆମ୍ଭେମାନେ ସେପରି କରିବୁ। ତହୁଁ ମୁଁ ଯାଜକମାନଙ୍କୁ ଡାକି ଏହି ପ୍ରତିଜ୍ଞାନୁସାରେ ସେମାନେ ଯେପରି କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଶପଥ କରାଇଲି।

13 ମଧ୍ୟ ମୁଁ ଆପଣା ଅଣ୍ଟି ଝାଡ଼ି ଦେଇ କହିଲି, ଯେକେହି ଏହି ପ୍ରତିଜ୍ଞା ପ୍ରତିପାଳନ କରିବ ନାହିଁ, ପରମେଶ୍ଵର ତାହାର ଗୃହ ଓ ପରିଶ୍ରମର ଫଳରୁ ତାହାକୁ ଏହିପରି ଝାଡ଼ି ଦେଉନ୍ତୁ; ସେ ଏହିରୂପେ ଝଡ଼ା ଯାଉ ଓ ଶୂନ୍ୟ ହେଉ। ତହିଁରେ ସମସ୍ତ ସମାଜ ଆମେନ୍ କହିଲେ ଓ ସଦାପ୍ରଭୁଙ୍କର ପ୍ରଶଂସା କଲେ। ଏଥି ଉତ୍ତାରେ ଲୋକମାନେ ଏହି ପ୍ରତିଜ୍ଞାନୁସାରେ କର୍ମ କଲେ।


ନିହିମୀୟାଙ୍କର ନିଃସ୍ଵାର୍ଥପରତା

14 ଆହୁରି, ମୁଁ ଯିହୁଦା ଦେଶରେ ସେମାନଙ୍କର ଅଧ୍ୟକ୍ଷ ପଦରେ ନିଯୁକ୍ତ ଥିବା ସମୟଠାରୁ, ଅର୍ଥାତ୍, ଅର୍ତ୍ତକ୍ଷସ୍ତ ରାଜାର ଅଧିକାରର କୋଡ଼ିଏ ବର୍ଷଠାରୁ ବତିଶ ବର୍ଷ ପର୍ଯ୍ୟନ୍ତ ବାର ବର୍ଷ ମୁଁ ଓ ମୋʼ ଭ୍ରାତୃଗଣ ଦେଶାଧ୍ୟକ୍ଷର ବୃତ୍ତି ଭୋଗ କଲୁ ନାହିଁ।

15 ମାତ୍ର ମୋହର ପୂର୍ବବର୍ତ୍ତୀ ଦେଶାଧ୍ୟକ୍ଷମାନଙ୍କ ବ୍ୟୟଭାର ଲୋକମାନଙ୍କୁ ବହିବାକୁ ପଡ଼ିଲା, ଆଉ ସେମାନେ ଚାଳିଶ ଶେକଲ ରୂପା ଛଡ଼ା ଲୋକମାନଙ୍କଠାରୁ ଖାଦ୍ୟ ଓ ଦ୍ରାକ୍ଷାରସ ନେଲେ; କେବଳ ତାହା ନୁହେଁ, ସେମାନଙ୍କ ଦାସମାନେ ଲୋକମାନଙ୍କ ଉପରେ କର୍ତ୍ତୃତ୍ଵ କଲେ; ମାତ୍ର ପରମେଶ୍ଵରଙ୍କ ପ୍ରତି ଭୟ ସକାଶୁ ମୁଁ ସେପରି କଲି ନାହିଁ।

16 ଆହୁରି, ମୁଁ ଏହି ପ୍ରାଚୀର-କର୍ମରେ ଲାଗି ରହିଲି ଓ ଆମ୍ଭେମାନେ କୌଣସି ଭୂମି କିଣିଲୁ ନାହିଁ; ପୁଣି, ମୋହର ଦାସ ସମସ୍ତେ ସେଠାରେ କାର୍ଯ୍ୟରେ ଏକତ୍ରିତ ହେଲେ।

17 ତଥାପି ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ-ମାନଙ୍କ ମଧ୍ୟରୁ ଆମ୍ଭମାନଙ୍କ ନିକଟକୁ ଆଗତ ଲୋକମାନଙ୍କ ଛଡ଼ା ଯିହୁଦୀ ଓ ଅଧ୍ୟକ୍ଷ ଏକଣଶହ ପଚାଶ ଲୋକ ମୋʼ ଭୋଜନାସନରେ ବସିଲେ।

18 ସେସମୟରେ ପ୍ରତି ଦିନ ଏକ ବଳଦ ଓ ଛଅଟି ବଛା ମେଷ ପାକ କରାଗଲା; ମଧ୍ୟ ମୋʼ ପାଇଁ କେତେକ ପକ୍ଷୀ ପାକ କରାଗଲା ଓ ଦଶ ଦିନରେ ଥରେ ସର୍ବପ୍ରକାର ଦ୍ରାକ୍ଷାରସ ଆୟୋଜନ କରାଗଲା; ତଥାପି ମୁଁ ଏସବୁ ଲାଗି ଦେଶାଧ୍ୟକ୍ଷର ବୃତ୍ତି ଚାହିଁଲି ନାହିଁ, କାରଣ ଏହି ଲୋକଙ୍କ ଉପରେ ଦାସତ୍ଵର ଭାର ଗୁରୁତର ହୋଇଥିଲା।

19 ହେ ମୋହର ପରମେଶ୍ଵର, ମୁଁ ଏହି ଲୋକମାନଙ୍କ ନିମନ୍ତେ ଯେ ଯେ କାର୍ଯ୍ୟ କରିଅଛି, ମୋʼ ପକ୍ଷରେ ମଙ୍ଗଳ ନିମନ୍ତେ ତାହାସବୁ ସ୍ମରଣ କର।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan