Biblia Todo Logo
Bìoball air-loidhne

- Sanasan -

ନିହିମୀୟା 3 - ପବିତ୍ର ବାଇବଲ (Re-edited) - (BSI)


ଯିରୂଶାଲମ ପ୍ରାଚୀର ପୁନର୍ନିର୍ମାଣ

1 ଏଥି ଉତ୍ତାରେ ଇଲିୟାଶୀବ୍ ମହାଯାଜକ ଓ ତାହାର ଯାଜକ ଭାଇମାନେ ଉଠି ମେଷଦ୍ଵାର ଗଢ଼ିଲେ; ସେମାନେ ତାହା ପବିତ୍ର କରି ତହିଁର କବାଟସବୁ ସ୍ଥାପନ କଲେ; ହମ୍ମେୟା ଦୁର୍ଗ ଓ ହନନେଲ ଦୁର୍ଗ ପର୍ଯ୍ୟନ୍ତ ସେମାନେ ପବିତ୍ର କଲେ।

2 ତାହା ନିକଟରେ ଯିରୀହୋର ଲୋକମାନେ ଗଢ଼ିଲେ। ଆଉ, ସେମାନଙ୍କ ନିକଟରେ ଇମ୍ରିର ପୁତ୍ର ସକ୍କୂର ଗଢ଼ିଲା।

3 ଆଉ, ହସନାୟାର ସନ୍ତାନଗଣ ମତ୍ସ୍ୟଦ୍ଵାର ଗଢ଼ିଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ ଓ ତହିଁର କବାଟ ଓ ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।

4 ପୁଣି, ସେମାନଙ୍କ ନିକଟରେ ହକ୍କୋସର ପୌତ୍ର ଊରୀୟର ପୁତ୍ର ମରେମୋତ୍ ଜୀର୍ଣ୍ଣସଂସ୍କାର କଲା। ଆଉ, ସେମାନଙ୍କ ନିକଟରେ ମଶେଷବେଲର ପୌତ୍ର ବେରିଖୀୟର ପୁତ୍ର ମଶୁଲ୍ଲମ୍ ଜୀର୍ଣ୍ଣସଂସ୍କାର କଲା। ଆଉ, ସେମାନଙ୍କ ନିକଟରେ ବାନାର ପୁତ୍ର ସାଦୋକ୍ ଜୀର୍ଣ୍ଣସଂସ୍କାର କଲା।

5 ପୁଣି, ସେମାନଙ୍କ ନିକଟରେ ତକୋୟୀୟ ଲୋକମାନେ ଜୀର୍ଣ୍ଣସଂସ୍କାର କଲେ; ମାତ୍ର ସେମାନଙ୍କର କୁଳୀନବର୍ଗ ଆପଣାମାନଙ୍କ ପ୍ରଭୁଙ୍କ କର୍ମରେ ବେକ ଦେଲେ ନାହିଁ।

6 ଆଉ, ପାସେହର ପୁତ୍ର ଯିହୋୟାଦା ଓ ବଷୋଦିୟାର ପୁତ୍ର ମଶୁଲ୍ଲମ୍ ପୁରାତନ ଦ୍ଵାରର ଜୀର୍ଣ୍ଣସଂସ୍କାର କଲେ; ସେମାନେ ତହିଁର କଡ଼ି ଚଢ଼ାଇଲେ, ଆଉ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ।

7 ପୁଣି, ସେମାନଙ୍କ ନିକଟରେ ଗିବିୟୋନୀୟ ମଲାଟୀୟ ଓ ମରୋଣୋଥୀୟ ଯାଦୋନ, ଗିବୀୟୋନ ଓ ମିସ୍ପାର ଲୋକମାନେ ଜୀର୍ଣ୍ଣସଂସ୍କାର କଲେ, ଏମାନେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷର ସିଂହାସନର ଅଧୀନ।

8 ତାହା ନିକଟରେ ସ୍ଵର୍ଣ୍ଣକାରମାନେ, ହର୍ହୟର ପୁତ୍ର ଉଷୀୟେଲ୍ ଜୀର୍ଣ୍ଣସଂସ୍କାର କଲେ। ଆଉ, ତାହା ନିକଟରେ ଗନ୍ଧବଣିକମାନଙ୍କ ମଧ୍ୟରୁ ହନାନୀୟ ଜୀର୍ଣ୍ଣ-ସଂସ୍କାର କଲା, ପୁଣି ସେମାନେ ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଯିରୂଶାଲମ ଦୃଢ଼ କଲେ।

9 ସେମାନଙ୍କ ନିକଟରେ ଯିରୂଶାଲମସ୍ଥ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହୂରର ପୁତ୍ର ରଫାୟ ଜୀର୍ଣ୍ଣସଂସ୍କାର କଲା।

10 ଆଉ, ସେମାନଙ୍କ ନିକଟରେ ହରୁମଫର ପୁତ୍ର ଯିଦାୟ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣସଂସ୍କାର କଲା। ତାହା ନିକଟରେ ହଶ୍ବନୀୟର ପୁତ୍ର ହଟୂଶ୍ ଜୀର୍ଣ୍ଣସଂସ୍କାର କଲା।

11 ହାରିମର ପୁତ୍ର ମଲ୍‍କୀୟ ଓ ପହତ୍-ମୋୟାବର ପୁତ୍ର ହଶୂବ୍ ଅନ୍ୟ ଏକ ଅଂଶ ଓ ତୁନ୍ଦୁରୁ-ଦୁର୍ଗର ଜୀର୍ଣ୍ଣସଂସ୍କାର କଲେ।

12 ତାହା ନିକଟରେ ଯିରୂଶାଲମ ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଲୋହେଶର ପୁତ୍ର ଶଲ୍ଲୁମ୍ ଓ ତାହାର କନ୍ୟାମାନେ ଜୀର୍ଣ୍ଣସଂସ୍କାର କଲେ।

13 ହାନୂନ୍ ଓ ସାନୋହ ନିବାସୀମାନେ ଉପତ୍ୟକା-ଦ୍ଵାରର ଜୀର୍ଣ୍ଣସଂସ୍କାର କଲେ; ସେମାନେ ତାହା ଗଢ଼ିଲେ ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲେ, ଆଉ ଖତଦ୍ଵାର ପର୍ଯ୍ୟନ୍ତ ପ୍ରାଚୀରର ଏକ ହଜାର ହାତ ଦୃଢ଼ କଲେ।

14 ପୁଣି, ବୈଥ୍-ହକ୍କେରମ୍ ପ୍ରଦେଶର ଅଧ୍ୟକ୍ଷ ରେଖବର ପୁତ୍ର ମଲ୍‍କୀୟ ଖତଦ୍ଵାରର ଜୀର୍ଣ୍ଣସଂସ୍କାର କଲା; ସେ ତାହା ଗଢ଼ିଲା ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲା।

15 ପୁଣି, ମିସ୍ପା ପ୍ରଦେଶର ଅଧ୍ୟକ୍ଷ କଲ୍ହୋଷିର ପୁତ୍ର ଶଲ୍ଲୁନ୍ ନିର୍ଝରଦ୍ଵାରର ଜୀର୍ଣ୍ଣସଂସ୍କାର କଲା; ସେ ତାହା ଗଢ଼ି ଆଚ୍ଛାଦନ କଲା ଓ ତହିଁର କବାଟ, ହୁଡ଼ୁକା ଓ ଅର୍ଗଳସବୁ ଲଗାଇଲା, ପୁଣି ଦାଉଦ-ନଗରରୁ ତଳକୁ ଯିବା ପାବଚ୍ଛ ପର୍ଯ୍ୟନ୍ତ ରାଜାଙ୍କର ଉଦ୍ୟାନ ନିକଟସ୍ଥ ଶେଲା ପୁଷ୍କରିଣୀ-ପ୍ରାଚୀର (ଜୀର୍ଣ୍ଣସଂସ୍କାର କଲା)।

16 ତାହା ନିକଟରେ ବୈଥ୍ସୂର ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ଅସ୍ବୂକର ପୁତ୍ର ନିହିମୀୟା ଦାଉଦଙ୍କର କବର ସମ୍ମୁଖ ପର୍ଯ୍ୟନ୍ତ ଓ ନିର୍ମିତ ପୁଷ୍କରିଣୀ ପର୍ଯ୍ୟନ୍ତ ଓ ବୀରମାନଙ୍କ ଗୃହ ପର୍ଯ୍ୟନ୍ତ ଜୀର୍ଣ୍ଣସଂସ୍କାର କଲା।


ପ୍ରାଚୀର ନିର୍ମାଣ କାର୍ଯ୍ୟ କରିଥିବା ଲେବୀୟମାନେ

17 ତାହା ନିକଟରେ ଲେବୀୟମାନେ, ଅର୍ଥାତ୍, ବାନିର ପୁତ୍ର ରହୂମ୍ ଜୀର୍ଣ୍ଣସଂସ୍କାର କଲା। ତାହା ନିକଟରେ କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହଶବୀୟ ଆପଣା ପ୍ରଦେଶ ପକ୍ଷରେ ଜୀର୍ଣ୍ଣସଂସ୍କାର କଲା।

18 ତାହା ନିକଟରେ ସେମାନଙ୍କ ଭ୍ରାତୃଗଣ, ଅର୍ଥାତ୍, କିୟୀଲା ପ୍ରଦେଶର ଅର୍ଦ୍ଧଭାଗର ଅଧ୍ୟକ୍ଷ ହେନାଦଦା ପୁତ୍ର ବବୟ ଜୀର୍ଣ୍ଣସଂସ୍କାର କଲା।

19 ତାହା ନିକଟରେ ମିସ୍ପାର ଅଧ୍ୟକ୍ଷ ଯେଶୂୟର ପୁତ୍ର ଏସର୍ ପ୍ରାଚୀରର ବାଙ୍କ ନିକଟସ୍ଥ ଅସ୍ତ୍ରାଗାରର ଉଠାଣି ପଥ ସମ୍ମୁଖରେ ଅନ୍ୟ ଏକ ଅଂଶର ଜୀର୍ଣ୍ଣସଂସ୍କାର କଲା।

20 ତାହା ନିକଟରେ ସବ୍ବୟର ପୁତ୍ର ବାରୁକ୍ ଯନି କରି ପ୍ରାଚୀରର ବାଙ୍କଠାରୁ ଇଲିୟାଶୀବ୍ ମହାଯାଜକର ଗୃହଦ୍ଵାର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣସଂସ୍କାର କଲା।

21 ତାହା ଉତ୍ତାରେ ହକକୋସର ପୌତ୍ର ଊରୀୟର ପୁତ୍ର ମରେମୋତ୍ ଇଲିୟାଶୀବର ଗୃହଦ୍ଵାରଠାରୁ ଇଲୀୟାଶୀବର ଗୃହପ୍ରା; ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣସଂସ୍କାର କଲା।


ପ୍ରାଚୀର ନିର୍ମାଣ କରିଥିବା ଯାଜକମାନେ

22 ପୁଣି, ତାହା ଉତ୍ତାରେ ପ୍ରାନ୍ତରବାସୀ ଯାଜକମାନେ ଜୀର୍ଣ୍ଣସଂସ୍କାର କଲେ।

23 ସେମାନଙ୍କ ଉତ୍ତାରେ ବିନ୍ୟାମୀନ୍ ଓ ହଶୂବ୍ ଆପଣାମାନଙ୍କ ଗୃହ ସମ୍ମୁଖରେ ଜୀର୍ଣ୍ଣସଂସ୍କାର କଲେ। ସେମାନଙ୍କ ଉତ୍ତାରେ ଅନନୀୟର ପୌତ୍ର ମାସେୟର ପୁତ୍ର ଅସରୀୟ ଆପଣା ଗୃହ ନିକଟରେ ଜୀର୍ଣ୍ଣସଂସ୍କାର କଲା।

24 ତାହା ଉତ୍ତାରେ ହେନାଦଦ୍ର ପୁତ୍ର ବିନ୍ନୁୟି ଅସରୀୟର ଗୃହଠାରୁ ପ୍ରାଚୀରର ବାଙ୍କ ଓ କୋଣ ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣସଂସ୍କାର କଲା।

25 ଉଷୟର ପୁତ୍ର ପାଲାଲ୍ ପ୍ରାଚୀରର ବାଙ୍କ ସମ୍ମୁଖରେ ପ୍ରହରୀଶାଳାର ନିକଟସ୍ଥ ଉଚ୍ଚତର ରାଜଗୃହ ସମୀପରେ ବାହାର ଦୁର୍ଗ ପାଖରେ ଜୀର୍ଣ୍ଣସଂସ୍କାର କଲା। ତାହା ଉତ୍ତାରେ ପରୀୟୋଶର ପୁତ୍ର ପଦାୟ ଜୀର୍ଣ୍ଣସଂସ୍କାର କଲା।

26 ଏହି ସମୟରେ ନଥୀନୀୟମାନେ ଜଳଦ୍ଵାରର ପୂର୍ବଦିଗର ସମ୍ମୁଖ ପର୍ଯ୍ୟନ୍ତ ଓ ବାହାର ଦୁର୍ଗ ପର୍ଯ୍ୟନ୍ତ ଓଫଲରେ ବାସ କରୁଥିଲେ।


ଅନ୍ୟ ନିର୍ମାଣକାରୀମାନେ

27 ତାହା ଉତ୍ତାରେ ତକୋୟୀୟମାନେ ବାହାରସ୍ଥ ବଡ଼ ଦୁର୍ଗ ସମ୍ମୁଖରୁ ଓଫଲର ପ୍ରାଚୀର ପର୍ଯ୍ୟନ୍ତ ଅନ୍ୟ ଏକ ଅଂଶର ଜୀର୍ଣ୍ଣସଂସ୍କାର କଲେ।

28 ଯାଜକମାନେ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ଅଶ୍ଵଦ୍ଵାରର ଉପରଭାଗର ଜୀର୍ଣ୍ଣସଂସ୍କାର କଲେ।

29 ସେମାନଙ୍କ ଉତ୍ତାରେ ଇମ୍ମେରର ପୁତ୍ର ସାଦୋକ୍ ଆପଣା ଗୃହ ସମ୍ମୁଖରେ ଜୀର୍ଣ୍ଣସଂସ୍କାର କଲା। ପୁଣି, ତାହା ଉତ୍ତାରେ ପୂର୍ବ-ଦ୍ଵାରପାଳ ଶିଖନୀୟର ପୁତ୍ର ଶମୟୀୟ ଜୀର୍ଣ୍ଣସଂସ୍କାର କଲା।

30 ତାହା ଉତ୍ତାରେ ଶେଲିମୀୟର ପୁତ୍ର ହନାନୀୟ ଓ ସାଲଫର ଷଷ୍ଠ ପୁତ୍ର ହାନୂନ୍ ଅନ୍ୟ ଏକ ଅଂଶର ଜୀର୍ଣ୍ଣସଂସ୍କାର କଲେ। ତାହା ଉତ୍ତାରେ ବେରିଖୀୟର ପୁତ୍ର ମଶୁଲ୍ଲମ୍ ଆପଣା କୋଠରି ସମ୍ମୁଖରେ ଜୀର୍ଣ୍ଣସଂସ୍କାର କଲା।

31 ତାହା ଉତ୍ତାରେ ମଲକୀୟ ନାମକ ଜଣେ ସ୍ଵର୍ଣ୍ଣକାର ହମିପ୍କଦ୍ ଦ୍ଵାରର ସମ୍ମୁଖସ୍ଥ ନଥୀନୀୟମାନଙ୍କର ଓ ବଣିକମାନଙ୍କର ଗୃହ ପର୍ଯ୍ୟନ୍ତ, ଆଉ କୋଣର ଉଠାଣି ପର୍ଯ୍ୟନ୍ତ ଜୀର୍ଣ୍ଣସଂସ୍କାର କଲା।

32 ପୁଣି, କୋଣର ଉଠାଣି ଓ ମେଷଦ୍ଵାର ମଧ୍ୟରେ ସ୍ଵର୍ଣ୍ଣକାର ଓ ବଣିକମାନେ ଜୀର୍ଣ୍ଣସଂସ୍କାର କଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan