Biblia Todo Logo
Bìoball air-loidhne

- Sanasan -

ନିହିମୀୟା 2 - ପବିତ୍ର ବାଇବଲ (Re-edited) - (BSI)


ନିହିମୀୟା ଯିହୁଦାକୁ ପ୍ରେରିତ

1 ଅନନ୍ତର ଅର୍ତ୍ତକ୍ଷସ୍ତ ରାଜାଙ୍କ ଅଧିକାରର ବିଂଶତିତମ ବର୍ଷରେ ନୀସନ୍ ମାସରେ ଏପରି ଘଟିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏଥିପୂର୍ବେ ମୁଁ ତାଙ୍କ ସାକ୍ଷାତରେ ଦୁଃଖିତ ହୋଇ ନ ଥିଲି।

2 ଏଥିରେ ରାଜା ମୋତେ ପଚାରିଲେ, ତୁମ୍ଭେ ତ ପୀଡ଼ିତ ହୋଇ ନାହଁ, କାହିଁକି ତୁମ୍ଭର ମୁଖ ବିବର୍ଣ୍ଣ ହୋଇଅଛି? ଏହା ମନର ଦୁଃଖ ବିନୁ ଆଉ କିଛି ନୁହେଁ। ତହିଁରେ ମୁଁ ଅତିଶୟ ଭୀତ ହେଲି।

3 ପୁଣି, ମୁଁ ରାଜାଙ୍କୁ କହିଲି, ମହାରାଜ ଚିରଜୀବୀ ହେଉନ୍ତୁ; ଯେଉଁ ନଗର ମୋହର ପୂର୍ବପୁରୁଷଗଣର କବରସ୍ଥାନ, ତାହା ଯେତେବେଳେ ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ଵାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ସେତେବେଳେ କାହିଁକି ମୋହର ମୁଖ ବିବର୍ଣ୍ଣ ନୋହିବ?

4 ଏଥିରେ ରାଜା ମୋତେ କହିଲେ, ତେବେ ତୁମ୍ଭେ କି ବିଷୟରେ ନିବେଦନ କରୁଅଛ? ତହୁଁ ମୁଁ ସ୍ଵର୍ଗସ୍ଥ ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କଲି।

5 ପୁଣି, ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ, ମୋହର ପିତୃଲୋକଙ୍କ କବର-ନଗରକୁ ମୋତେ ପଠାଇବା ପାଇଁ ଆଜ୍ଞା କରନ୍ତୁ, ତହିଁରେ ମୁଁ ତାହା ନିର୍ମାଣ କରିବି।

6 ତହୁଁ ରାଜା ମୋତେ ପଚାରିଲେ, (ମଧ୍ୟ ରାଣୀ ତାଙ୍କ ପାଖରେ ବସିଥିଲେ,) ତୁମ୍ଭ ଯାତ୍ରା କେତେ ଦିନ ଲାଗିବ? ଓ ତୁମ୍ଭେ କେବେ ଫେରି ଆସିବ? ଏହିରୂପେ ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହୁଅନ୍ତେ, ମୁଁ ତାଙ୍କ ନିକଟରେ ସମୟ ନିରୂପଣ କଲି।

7 ଆହୁରି, ମୁଁ ରାଜାଙ୍କୁ କହିଲି, ଯେବେ ମହାରାଜଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷ-ମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ି ଦିଅନ୍ତି, ଏଥିପାଇଁ ସେମାନଙ୍କ ନିକଟକୁ ମୋତେ ପତ୍ର ଦିଆଯାଉ;

8 ଆଉ, ମନ୍ଦିର-ସମ୍ପର୍କୀୟ ଦୁର୍ଗଦ୍ଵାର ଓ ନଗର-ପ୍ରାଚୀର ଓ ମୋହର ପ୍ରବେଶଗୃହ ନିମନ୍ତେ କଡ଼ି କରିବା ପାଇଁ ମୋତେ କାଷ୍ଠ ଦେବାକୁ ମହାରାଜଙ୍କ ବନରକ୍ଷକ ଆସଫ ନିକଟକୁ ଏକ ପତ୍ର ଦିଆଯାଉ। ତହିଁରେ ମୋʼ ପ୍ରତି ମୋର ପରମେଶ୍ଵରଙ୍କ ମଙ୍ଗଳମୟ ହସ୍ତର ସହାୟତା ପ୍ରମାଣେ ରାଜା ତାହା ମୋତେ ଦେଲେ।


ଯିରୂଶାଲମ ପ୍ରାଚୀର ନିରୀକ୍ଷଣ

9 ଏଉତ୍ତାରେ ମୁଁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନଙ୍କ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ରାଜାଙ୍କ ପତ୍ର ଦେଲି। ଆହୁରି, ରାଜା ମୋʼ ସଙ୍ଗେ ସେନାପତି ଓ ଅଶ୍ଵାରୋହୀ-ମାନଙ୍କୁ ପଠାଇଥିଲେ।

10 ମାତ୍ର ଇସ୍ରାଏଲ-ସନ୍ତାନଗଣର ମଙ୍ଗଳ ଚେଷ୍ଟା କରିବା ପାଇଁ ଜଣେ ଲୋକ ଆସିଅଛି ବୋଲି ଶୁଣି ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଦାସ ଟୋବୀୟ ଅତିଶୟ ଅସନ୍ତୁଷ୍ଟ ହେଲେ।

11 ଏହିରୂପେ ମୁଁ ଯିରୂଶାଲମରେ ଉପସ୍ଥିତ ହୋଇ ସେଠାରେ ତିନି ଦିନ ରହିଲି।

12 ତହୁଁ ରାତ୍ରିରେ ମୁଁ ଓ ମୋʼ ସଙ୍ଗେ କେତେକ ଲୋକ ଉଠିଲୁ; ପୁଣି, ମୋର ପରମେଶ୍ଵର ଯିରୂଶାଲମ ନିମନ୍ତେ ଯାହା କରିବାକୁ ମୋର ମନରେ ପ୍ରବୃତ୍ତି ଦେଇଥିଲେ, ତାହା ମୁଁ କାହାକୁ ଜଣାଇଲି ନାହିଁ; ଆଉ ମୁଁ ଯେଉଁ ପଶୁ ଉପରେ ଚଢ଼ିଥିଲି, ତାହା ଛଡ଼ା ଅନ୍ୟ ପଶୁ ମୋʼ ସଙ୍ଗରେ ନ ଥିଲା।

13 ପୁଣି, ମୁଁ ରାତ୍ରିରେ ବାହାରି ଉପତ୍ୟକା-ଦ୍ଵାର ଦେଇ ନାଗକୂପ ଓ ଖତଦ୍ଵାର ପର୍ଯ୍ୟନ୍ତ ଗଲି ଓ ଯିରୂଶାଲମର ଭଗ୍ନପ୍ରାଚୀର ଓ ତହିଁର ଅଗ୍ନିଦଗ୍ଧ ଦ୍ଵାରସବୁ ଦେଖିଲି।

14 ତହୁଁ ମୁଁ ନିର୍ଝରଦ୍ଵାର ଓ ରାଜପୁଷ୍କରିଣୀ ପର୍ଯ୍ୟନ୍ତ ଗଲି; ମାତ୍ର ସେଠାରେ ମୋର ବାହନ ପଶୁର ଯିବାର ସ୍ଥାନ ନ ଥିଲା।

15 ତେବେ ମୁଁ ରାତ୍ରିକାଳେ ନଦୀ ନିକଟ ଦେଇ ଊର୍ଦ୍ଧ୍ଵକୁ ଗମନ କରି ପ୍ରାଚୀର ଦେଖିଲି; ତହୁଁ ମୁଁ ବୁଲି ଉପତ୍ୟକା-ଦ୍ଵାର ଦେଇ ପ୍ରବେଶ କରି ଫେରି ଆସିଲି।

16 ମାତ୍ର ମୁଁ କେଉଁଆଡ଼େ ଗଲି ଓ କଅଣ କଲି, ଏହା ଅଧ୍ୟକ୍ଷମାନେ ଜାଣିଲେ ନାହିଁ; ଆଉ, ସେପର୍ଯ୍ୟନ୍ତ ମୁଁ ଯିହୁଦୀୟମାନଙ୍କୁ କି ଯାଜକମାନଙ୍କୁ କି କୁଳୀନମାନଙ୍କୁ କି ଅଧ୍ୟକ୍ଷମାନଙ୍କୁ କି ଅନ୍ୟ କର୍ମଚାରୀମାନଙ୍କୁ ତାହା ଜଣାଇ ନ ଥିଲି।

17 ଏଉତ୍ତାରେ ମୁଁ ସେମାନଙ୍କୁ କହିଲି, ଆମ୍ଭେମାନେ କିପ୍ରକାର ମନ୍ଦ ଅବସ୍ଥାରେ ଅଛୁ, ଯିରୂଶାଲମ କିପରି ଉଜାଡ଼ ହୋଇ ପଡ଼ିଅଛି ଓ ତହିଁର ଦ୍ଵାରସବୁ ଅଗ୍ନିରେ ଦଗ୍ଧ ହୋଇଅଛି, ଏହା ତୁମ୍ଭେମାନେ ଦେଖୁଅଛ; ଆସ, ଆମ୍ଭେମାନେ ଯେପରି ଆଉ ନିନ୍ଦାପାତ୍ର ନୋହିବା, ଏଥିପାଇଁ ଯିରୂଶାଲମର ପ୍ରାଚୀର ନିର୍ମାଣ କରୁ।

18 ତହୁଁ ମୋʼ ପ୍ରତି ମୋର ପରମେଶ୍ଵରଙ୍କ ମଙ୍ଗଳମୟ ହସ୍ତ ବିଷୟ, ମଧ୍ୟ ମୋʼ ପ୍ରତି ଉକ୍ତ ରାଜାଙ୍କ କଥା ବିଷୟ ମୁଁ ସେମାନଙ୍କୁ ଜଣାଇଲି। ତହିଁରେ ସେମାନେ କହିଲେ, ଆସ, ଆମ୍ଭେମାନେ ଉଠି ନିର୍ମାଣ କରିବା। ଏହିରୂପେ ସେମାନେ ସେହି ଉତ୍ତମ କାର୍ଯ୍ୟ ନିମନ୍ତେ ଆପଣାମାନଙ୍କ ହସ୍ତ ସବଳ କଲେ।

19 ମାତ୍ର ହୋରୋଣୀୟ ସନ୍ବଲ୍ଲଟ୍ ଓ ଅମ୍ମୋନୀୟ ଦାସ ଟୋବୀୟ ଓ ଆରବୀୟ ଗେଶମ୍ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ ଓ ତୁଚ୍ଛ କରି କହିଲେ, ତୁମ୍ଭେମାନେ ଏ କି କାର୍ଯ୍ୟ କରୁଅଛ? ତୁମ୍ଭେମାନେ କି ରାଜଦ୍ରୋହ କରିବ?

20 ତେବେ ମୁଁ ଉତ୍ତର କରି ସେମାନଙ୍କୁ କହିଲି, ଯେ ସ୍ଵର୍ଗସ୍ଥ ପରମେଶ୍ଵର, ସେ ଆମ୍ଭମାନଙ୍କ କାର୍ଯ୍ୟ ସିଦ୍ଧ କରିବେ; ଏଥିପାଇଁ ତାହାଙ୍କର ଦାସ ଆମ୍ଭେମାନେ ଉଠି ନିର୍ମାଣ କରିବୁ; ମାତ୍ର ଯିରୂଶାଲମରେ ତୁମ୍ଭମାନଙ୍କର କୌଣସି ଅଂଶ କି ଅଧିକାର କି ସ୍ମୃତିଚିହ୍ନ ନାହିଁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan