ମାର୍କ 2 - ପବିତ୍ର ବାଇବଲ (Re-edited) - (BSI)ପକ୍ଷାଘାତୀର ସୁସ୍ଥତା 1 କେତେକ ଦିନ ଉତ୍ତାରେ ଯୀଶୁ ପୁନର୍ବାର କଫର୍ନାହୂମରେ ପ୍ରବେଶ କରନ୍ତେ, ସେ ଗୃହରେ ଅଛନ୍ତି ବୋଲି ଜନରବ ହେଲା। 2 ସେଥିରେ ଏତେ ଲୋକ ଏକତ୍ର ହେଲେ ଯେ, ଦ୍ଵାର ପାଖରେ ସୁଦ୍ଧା ଆଉ ସ୍ଥାନ ରହିଲା ନାହିଁ, ପୁଣି ସେ ସେମାନଙ୍କ ନିକଟରେ ବାକ୍ୟ ପ୍ରଚାର କରିବାକୁ ଲାଗିଲେ। 3 ଇତିମଧ୍ୟରେ ଲୋକେ ଜଣେ ପକ୍ଷାଘାତ ରୋଗୀକି ଚାରି ଜଣଙ୍କ ଦ୍ଵାରା ବୁହାଇ ତାହାଙ୍କ ନିକଟକୁ ଘେନି-ଆସିଲେ, 4 କିନ୍ତୁ ଭିଡ଼ ହେତୁ ତାହାଙ୍କ ପାଖକୁ ଆଣି ନ ପାରିବାରୁ, ସେ ଯେଉଁ ସ୍ଥାନରେ ଥିଲେ, ସେହି ସ୍ଥାନର ଛାତ ଖୋଳି କାଢ଼ିପକାଇଲେ, ଆଉ ତାହା ଭାଙ୍ଗି, ଯେଉଁ ଖଟିଆରେ ପକ୍ଷାଘାତ ରୋଗୀଟି ଶୋଇଥିଲା, ତାହା ଓହ୍ଲାଇ ଦେଲେ। 5 ଯୀଶୁ ସେମାନଙ୍କର ବିଶ୍ଵାସ ଦେଖି ସେହି ପକ୍ଷାଘାତ ରୋଗୀକି କହିଲେ, ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା। 6 କିନ୍ତୁ ଶାସ୍ତ୍ରୀମାନଙ୍କ ମଧ୍ୟରୁ କେତେକ ସେ ସ୍ଥାନରେ ବସି ଆପଣା ଆପଣା ମନରେ ଏହା ତର୍କବିତର୍କ କରୁଥିଲେ, 7 ଏ ଲୋକ କାହିଁକି ଏପରି କହୁଅଛି? ସେ ଈଶ୍ଵରନିନ୍ଦା କରୁଅଛି; କେବଳ ଜଣଙ୍କ ବିନା, ଅର୍ଥାତ୍ ଈଶ୍ଵରଙ୍କ ବିନା ଆଉ କିଏ ପାପ କ୍ଷମା କରି ପାରେ? 8 ସେମାନେ ଯେ ମନେ ମନେ ଏପରି ତର୍କବିତର୍କ କରୁଅଛନ୍ତି, ତାହା ଯୀଶୁ ନିଜ ଆତ୍ମାରେ ସେହିକ୍ଷଣି ଜ୍ଞାତ ହୋଇ ସେମାନଙ୍କୁ କହିଲେ, ତୁମ୍ଭେମାନେ ଆପଣା ଆପଣା ମନରେ କାହିଁକି ଏହିସମସ୍ତ ତର୍କବିତର୍କ କରୁଅଛ? 9 କଅଣ ସହଜ? ପକ୍ଷାଘାତ ରୋଗୀକି ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି କହିବା, କିଅବା, ଉଠ, ତୁମ୍ଭର ଖଟିଆ ଘେନି ଚାଲ ବୋଲି କହିବା। 10 କିନ୍ତୁ ପୃଥିବୀରେ ପାପ କ୍ଷମା କରିବାକୁ ମନୁଷ୍ୟ-ପୁତ୍ରଙ୍କର ଯେ ଅଧିକାର ଅଛି, ଏହା ଯେପରି ତୁମ୍ଭେମାନେ ଜାଣିପାର-ଏଥିପାଇଁ ସେ ପକ୍ଷାଘାତ ରୋଗୀକି କହିଲେ, 11 ମୁଁ ତୁମ୍ଭକୁ କହୁଅଛି, ଉଠ, ନିଜ ଖଟିଆ ଘେନି ଆପଣା ଘରକୁ ଚାଲିଯାଅ। 12 ସେଥିରେ ସେ ଉଠି ତତ୍କ୍ଷଣାତ୍ ଖଟିଆ ଘେନି ସମସ୍ତଙ୍କ ସାକ୍ଷାତରେ ବାହରିଗଲା; ତହିଁରେ ସମସ୍ତେ ଆଚ଼ମ୍ଵିତ ହୋଇ ଈଶ୍ଵରଙ୍କ ମହିମା କୀର୍ତ୍ତନ କରୁ କରୁ କହିଲେ, ଆମ୍ଭେମାନେ ଏପରି କେବେ ହେଁ ଦେଖି ନ ଥିଲୁ। ଲେବୀଙ୍କୁ ଆହ୍ଵାନ 13 ଯୀଶୁ ପୁନର୍ବାର ସମୁଦ୍ରକୂଳକୁ ବାହାରିଗଲେ, ଆଉ ଲୋକସମୂହ ତାହାଙ୍କ ନିକଟକୁ ଆସନ୍ତେ, ସେ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ। 14 ପୁଣି, ଯାଉ ଯାଉ ଯୀଶୁ ଆଲଫିଙ୍କ ପୁତ୍ର ଲେବୀଙ୍କି କରଆଦାୟ ସ୍ଥାନରେ ବସିଥିବା ଦେଖି ତାଙ୍କୁ କହିଲେ, ମୋହର ଅନୁଗମନ କର। ସେଥିରେ ସେ ଉଠି ତାହାଙ୍କର ଅନୁଗମନ କଲେ। 15 ଆଉ, ଯୀଶୁ ତାଙ୍କ ଗୃହରେ ଭୋଜନ କରିବାକୁ ବସିବା ସମୟରେ ଅନେକ କରଗ୍ରାହୀ ଏବଂ ପାପୀ ତାହାଙ୍କ ଓ ତାହାଙ୍କର ଶିଷ୍ୟମାନଙ୍କ ସାଙ୍ଗରେ ବସିଲେ; କାରଣ ସେମାନେ ଅନେକ ଥିଲେ, ପୁଣି ତାହାଙ୍କର ଅନୁଗମନ କରୁଥିଲେ। 16 ସେ ପାପୀ ଓ କରଗ୍ରାହୀମାନଙ୍କ ସହିତ ଭୋଜନ କରୁଅଛନ୍ତି, ଏହା ଦେଖି ଫାରୂଶୀ ଦଳର ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ କହିବାକୁ ଲାଗିଲେ, ଏ କଅଣ? ସେ କରଗ୍ରାହୀ ଓ ପାପୀମାନଙ୍କ ସାଙ୍ଗରେ ଭୋଜନ କରନ୍ତିଣ! 17 ଯୀଶୁ ତାହା ଶୁଣି ସେମାନଙ୍କୁ କହିଲେ, ସୁସ୍ଥ ଲୋକମାନଙ୍କର ବୈଦ୍ୟଠାରେ ପ୍ରୟୋଜନ ନାହିଁ, ମାତ୍ର ଅସୁସ୍ଥ ଲୋକମାନଙ୍କର ପ୍ରୟୋଜନ ଅଛି; ମୁଁ ଧାର୍ମିକମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସି ନାହିଁ, କିନ୍ତୁ ପାପୀମାନଙ୍କୁ ଆହ୍ଵାନ କରିବା ନିମନ୍ତେ ଆସିଅଛି। ଉପବାସ ପ୍ରସଙ୍ଗ 18 ଯୋହନଙ୍କର ଶିଷ୍ୟମାନେ ଓ ଫାରୂଶୀମାନେ ଉପବାସ କରୁଥିଲେ। ସେଥିରେ ସେମାନେ ଆସି ତାହାଙ୍କୁ କହିଲେ, ଯୋହନଙ୍କ ଶିଷ୍ୟମାନେ ଓ ଫାରୂଶୀ-ମାନଙ୍କର ଶିଷ୍ୟମାନେ ଉପବାସ କରନ୍ତି, କିନ୍ତୁ ଆପଣଙ୍କ ଶିଷ୍ୟମାନେ ଉପବାସ କରନ୍ତି ନାହିଁ କାହିଁକି? 19 ଯୀଶୁ ସେମାଙ୍କୁ କହିଲେ, ବରଯାତ୍ରୀମାନଙ୍କ ସହିତ ବର ଥିବା ସମୟରେ ସେମାନେ କି ଉପବାସ କରି ପାରନ୍ତି? ବର ଯେପର୍ଯ୍ୟନ୍ତ ସେମାନଙ୍କ ସହିତ ଥାଆନ୍ତି, ସେପର୍ଯ୍ୟନ୍ତ, ସେମାନେ ଉପବାସ କରି ପାରନ୍ତି ନାହିଁ। 20 କିନ୍ତୁ ସମୟ ଆସିବ, ଯେତେବେଳେ ସେମାନଙ୍କଠାରୁ ବରଙ୍କୁ କାଢ଼ିନିଆଯିବ, ଆଉ ସେତେବେଳେ ସେହି ଦିନ ସେମାନେ ଉପବାସ କରିବେ। 21 କେହି ନୂଆ ଲୁଗାର ତାଳି ପୁରୁଣା ଲୁଗାରେ ପକାଏ ନାହିଁ; ପକାଇଲେ ନୂଆ ତାଳି ପୁରୁଣା ଲୁଗାରୁ ବେଶୀ ଛିଣ୍ତାଇନିଏ ଏବଂ ଆହୁରି ଅଧିକ ବଡ଼ ଚିରା ହୁଏ। 22 ଆଉ, କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ; ରଖିଲେ ତାହା କୁମ୍ପା ଫଟାଇଦିଏ, ପୁଣି ଦ୍ରାକ୍ଷାରସ ଓ କୁମ୍ପା ଉଭୟ ନଷ୍ଟ ହୁଏ। କିନ୍ତୁ ନୂଆ ଦ୍ରାକ୍ଷାରସ ନୂଆ କୁମ୍ପାରେ ରଖିବା ଉଚିତ। ବିଶ୍ରାମବାରର ପ୍ରଭୁ 23 ଥରେ ଯୀଶୁ ବିଶ୍ରାମବାରରେ ଶସ୍ୟକ୍ଷେତ୍ର ଦେଇ ଯାଉଥିଲେ, ଆଉ ତାହାଙ୍କ ଶିଷ୍ୟମାନେ ଯାଉ ଯାଉ ଶସ୍ୟର ଶିଁଷା ଛିଣ୍ତାଇବାକୁ ଲାଗିଲେ। 24 ଏଥିରେ ଫାରୂଶୀମାନେ ତାହାଙ୍କୁ କହିଲେ, ଦେଖ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, 25 ଏମାନେ କାହିଁକି ତାହା କରୁଅଛନ୍ତି? ଯୀଶୁ ସେମାନଙ୍କୁ କହିଲେ, ଦାଉଦଙ୍କର ଅଭାବ ସମୟରେ ଯେତେବେଳେ ସେ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହୋଇଥିଲେ, ସେତେବେଳେ ସେ କଅଣ କରିଥିଲେ, ତାହା କି ତୁମ୍ଭେମାନେ କେବେ ହେଁ ପାଠ କରି ନାହଁ? 26 ଅବୀୟାଥର ମହାଯାଜକଙ୍କ ସମୟରେ ସେ କିପରି ଈଶ୍ଵରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଦର୍ଶନୀରୋଟୀ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଭୋଜନ କରିଥିଲେ, ପୁଣି ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ। 27 ଆଉ, ଯୀଶୁ ସେମାନଙ୍କୁ କହିଲେ, ବିଶ୍ରାମବାର ମନୁଷ୍ୟ ନିମନ୍ତେ ହୋଇଅଛି, ମନୁଷ୍ୟ ବିଶ୍ରାମବାର ନିମନ୍ତେ ହୋଇନାହିଁ। 28 ତେଣୁ ମନୁଷ୍ୟପୁତ୍ର ବିଶ୍ରାମବାରର ମଧ୍ୟ ପ୍ରଭୁ ଅଟନ୍ତି। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India