Biblia Todo Logo
Bìoball air-loidhne

- Sanasan -

ମାର୍କ 16 - ପବିତ୍ର ବାଇବଲ (Re-edited) - (BSI)


ଯୀଶୁଙ୍କ ପୁନରୁତ୍ଥାନ

1 ବିଶ୍ରାମବାର ଗତ ହେଲା ଉତ୍ତାରେ ମଗ୍ଦଲୀନୀ ମରୀୟମ, ଯାକୁବଙ୍କ ମାତା ମରୀୟମ ଓ ଶଲୋମୀ ସୁଗନ୍ଧି ଦ୍ରବ୍ୟ କିଣିଲେ, ଯେପରି ସେମାନେ ଯାଇ ତାହାଙ୍କୁ ମଖାଇଦେଇ ପାରନ୍ତି।

2 ପୁଣି, ସପ୍ତାହର ପ୍ରଥମ ଦିବସର ଅତି ପ୍ରତ୍ୟୁଷରେ ସେମାନେ ସମାଧି ନିକଟକୁ ଗଲେ, ସେତେବେଳେ ସୂର୍ଯ୍ୟ ଉଠିଥିଲା।

3 ସେମାନେ ପରସ୍ପର କୁହାକୋହି ହେଉଥିଲେ, କିଏ ଆମ୍ଭମାନଙ୍କ ପାଇଁ ସମାଧି ଦ୍ଵାରରୁ ପଥରଟା ଗଡ଼ାଇଦେବ? କାରଣ ତାହା ଅତି ବୃହତ ଥିଲା।

4 ଏପରି ସମୟରେ ସେମାନେ ଚାହିଁ ଦେଖିଲେ ଯେ, ପଥର ଗଡ଼ାଇ ଦିଆଯାଇଅଛି।

5 ସେମାନେ ସମାଧି ମଧ୍ୟରେ ପ୍ରବେଶ କରି ଶୁକ୍ଳବସ୍ତ୍ର ପରିହିତ ଜଣେ ଯୁବାଙ୍କୁ ଦକ୍ଷିଣ ପାର୍ଶ୍ଵରେ ବସିଥିବା ଦେଖି ଅତିଶୟ ବିସ୍ମୟାନ୍ଵିତ ହେଲେ।

6 ସେଥିରେ ସେ ସେମାନଙ୍କୁ କହିଲେ, ବିସ୍ମୟାନ୍ଵିତ ହୁଅ ନାହିଁ; ତୁମ୍ଭେମାନେ କ୍ରୁଶରେ ହତ ନାଜରିତୀୟ ଯୀଶୁଙ୍କର ଅନ୍ଵେଷଣ କରୁଅଛ; ସେ ଉଠିଅଛନ୍ତି, ସେ ଏଠାରେ ନାହାନ୍ତି; ଦେଖ, ଏହି ସ୍ଥାନରେ ସେମାନେ ତାହାଙ୍କୁ ରଖିଥିଲେ।

7 କିନ୍ତୁ ତୁମ୍ଭେମାନେ ଯାଇ ତାହାଙ୍କ ଶିଷ୍ୟମାନଙ୍କୁ ଓ ପିତରଙ୍କୁ କୁହ, ସେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯାଉଅଛନ୍ତି; ସେ ତୁମ୍ଭମାନଙ୍କୁ ଯେପରି କହିଥିଲେ, ସେପରି ତୁମ୍ଭେମାନେ ତାହାଙ୍କୁ ସେଠାରେ ଦେଖିବ।

8 ସେଥିରେ ସେମାନେ ବାହାରି ସମାଧି ନିକଟରୁ ପଳାଇଗଲେ, କାରଣ ସେମାନେ ଭୟରେ କମ୍ପୁଥିଲେ ଓ ବିସ୍ମୟରେ ଅଭିଭୂତ ହୋଇଥିଲେ, ପୁଣି କାହାକୁ କିଛି କହିଲେ ନାହିଁ, ଯେଣୁ ସେମାନେ ଭୀତ ହୋଇଥିଲେ।


ମରୀୟମଙ୍କୁ ଯୀଶୁଙ୍କ ପ୍ରଥମ ଦର୍ଶନ

9 [ସପ୍ତାହର ପ୍ରଥମ ଦିବସ ପ୍ରତ୍ୟୁଷରେ ସେ ପୁନରୁତ୍ଥାନ କରି, ଯାହାଙ୍କଠାରୁ ସାତ ଭୂତ ଛଡ଼ାଇଥିଲେ, ସେହି ମଗ୍ଦଲୀନୀ ମରୀୟମଙ୍କୁ ପ୍ରଥମରେ ଦର୍ଶନ ଦେଲେ]।

10 ସେ ଯାଇ, ଯେଉଁମାନେ ତାହାଙ୍କ ସଙ୍ଗୀ ହୋଇଥିଲେ, ସେମାନଙ୍କୁ ସମ୍ଵାଦ ଦେଲେ; ସେମାନେ ଶୋକ ଓ ରୋଦନ କରୁଥିଲେ।

11 ସେ ଯେ ଜୀବିତ ଅଟନ୍ତି ଓ ତାଙ୍କୁ ଦର୍ଶନ ଦେଇଅଛନ୍ତି, ଏହା ଶୁଣି ସେମାନେ ବିଶ୍ଵାସ କଲେ ନାହିଁ।


ଦୁଇଜଣ ଶିଷ୍ୟଙ୍କୁ ଯୀଶୁଙ୍କ ଦର୍ଶନ

12 ଏହି ସମସ୍ତ ଘଟଣା ଉତ୍ତାରେ ସେମାନଙ୍କ ମଧ୍ୟରୁ ଦୁଇଜଣ ଗୋଟିଏ ପଲ୍ଲୀଗ୍ରାମକୁ ଯାଉଥିବା ସମୟରେ ସେ ଅନ୍ୟ ରୂପରେ ସେମାନଙ୍କୁ ଦର୍ଶନ ଦେଲେ,

13 ପୁଣି ସେମାନେ ଯାଇ ଅନ୍ୟମାନଙ୍କୁ ସମ୍ଵାଦ ଦେଲେ; କିନ୍ତୁ ସେମାନଙ୍କ କଥା ସୁଦ୍ଧା ସେମାନେ ବିଶ୍ଵାସ କଲେ ନାହିଁ।


ମହାନ ଆଦେଶ

14 ଏଥିଉତ୍ତାରେ ଏକାଦଶ ଶିଷ୍ୟ ଭୋଜନରେ ବସିଥିବା ସମୟରେ ସେ ସେମାନଙ୍କୁ ଦର୍ଶନ ଦେଲେ ଏବଂ ସେମାନଙ୍କର ଅବିଶ୍ଵାସ ଓ ହୃଦୟର କଠିନତା ହେତୁ ସେମାନଙ୍କୁ ଅନୁଯୋଗ କଲେ, କାରଣ ଯେଉଁମାନେ ତାହାଙ୍କୁ ପୁନରୁତ୍ଥିତ ଦେଖିଥିଲେ, ସେମାନଙ୍କ କଥା ସେମାନେ ବିଶ୍ଵାସ କରି ନ ଥିଲେ।

15 ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ ମାନବଜାତି ନିକଟରେ ସୁସମାଚାର ଘୋଷଣା କର।

16 ଯେ ବିଶ୍ଵାସ କରି ବାପ୍ତିଜିତ ହୁଏ, ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ଵାସ କରେ, ସେ ଦଣ୍ତାଜ୍ଞା ପାଇବ।

17 ଆଉ, ବିଶ୍ଵାସୀମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ, ସେମାନେ ମୋʼ ନାମରେ ଭୂତ ଛଡ଼ାଇବେ, ନୂତନ ନୂତନ ଭାଷାରେ କଥା କହିବେ,

18 ହସ୍ତରେ ସର୍ପ ଧରିବେ, ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କର କିଛି କ୍ଷତି ହେବ ନାହିଁ; ସେମାନେ ପୀଡ଼ିତମାନଙ୍କ ଉପରେ ହସ୍ତ ଥୋଇଲେ ସେମାନେ ସୁସ୍ଥ ହେବେ।


ଯୀଶୁଙ୍କ ସ୍ଵର୍ଗାରୋହଣ

19 ଏହିରୂପେ ପ୍ରଭୁ ଯୀଶୁ ସେମାନଙ୍କୁ କଥା କହିବା ପରେ ସ୍ଵର୍ଗରେ ଗୃହୀତ ହୋଇ ଈଶ୍ଵରଙ୍କ ଦକ୍ଷିଣ ପାର୍ଶ୍ଵରେ ବସିଲେ।

20 କିନ୍ତୁ ସେମାନେ ପ୍ରସ୍ଥାନ କରି ସର୍ବତ୍ର ପ୍ରଚାର କଲେ, ଆଉ ପ୍ରଭୁ ସେମାନଙ୍କର ସହକର୍ମୀ ହୋଇ ଅନୁବର୍ତ୍ତୀ ଚିହ୍ନଗୁଡ଼ିକ ଦ୍ଵାରା ସେହି ବାକ୍ୟ ପ୍ରମାଣସିଦ୍ଧ କଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan