Biblia Todo Logo
Bìoball air-loidhne

- Sanasan -

ମାଥିଉ 7 - ପବିତ୍ର ବାଇବଲ (Re-edited) - (BSI)


ଅନ୍ୟର ବିଚାର ନ କରିବା

1 ତୁମ୍ଭେମାନେ ଯେପରି ବିଚାରିତ ନ ହେବ, ଏଥିପାଇଁ ବିଚାର କର ନାହିଁ।

2 କାରଣ ଯେଉଁ ବିଚାରରେ ବିଚାର କର, ସେହି ବିଚାରରେ ତୁମ୍ଭେମାନେ ବିଚାରିତ ହେବ; ପୁଣି, ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ମପାଇ ଦିଆଯିବ।

3 ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁ?

4 ଅଥବା ତୁମ୍ଭେ କିପରି ଆପଣା ଭାଇକି କହିବ, ଆସ, ତୁମ୍ଭ ଆଖିରୁ କୁଟାଟିକକ ବାହାର କରିଦିଏ? ଆଉ ଦେଖ, ତୁମ୍ଭ ଆଖିରେ କଡ଼ିକାଠ ଅଛି !

5 ରେ କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହା ପରେ ନିଜ ଭାଇର ଆଖିରୁ କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖି ପାରିବ।

6 ପବିତ୍ର ପଦାର୍ଥ କୁକୁରମାନଙ୍କୁ ଦିଅ ନାହିଁ, କିମ୍ଵା ତୁମ୍ଭମାନଙ୍କର ମୁକ୍ତା ଘୁଷୁରିମାନଙ୍କ ଆଗରେ ପକାଅ ନାହିଁ, କାଳେ ସେମାନେ ସେହିସବୁ ସେମାନଙ୍କ ପାଦ ତଳେ ଦଳନ୍ତି ଓ ବୁଲିପଡ଼ି ତୁମ୍ଭମାନଙ୍କୁ ବିଦୀର୍ଣ୍ଣ କରନ୍ତି।


ମାଗ, ଖୋଜ ଓ ଦ୍ଵାରରେ ଆଘାତ କର

7 ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ; ଦ୍ଵାରରେ ମାର, ସେଥିରେ ତୁମ୍ଭମାନଙ୍କ ନିମନ୍ତେ ଫିଟାଇ ଦିଆଯିବ।

8 କାରଣ ଯେକେହି ମାଗେ, ସେ ପାଏ; ଯେ ଖୋଜେ, ସେ ସନ୍ଧାନ ପାଏ; ଆଉ, ଯେ ଦ୍ଵାରରେ ମାରେ, ତାହା ନିମନ୍ତେ ଫିଟାଇ ଦିଆଯାଏ।

9 କିମ୍ଵା ତୁମ୍ଭମାନଙ୍କ ମଧ୍ୟରେ ଏପରି କେଉଁ ଲୋକ ଅଛି, ଯେ ନିଜ ପୁଅ ରୋଟୀ ମାଗିଲେ ତାହାକୁ ପଥର ଦେବ,

10 କିଅବା ମାଛ ମାଗିଲେ ତାହାକୁ ସାପ ଦେବ?

11 ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ !


ଧର୍ମଶାସ୍ତ୍ରର ସାର

12 ଅତଏବ, ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯାହାସବୁ କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ମଧ୍ୟ ସେମାନଙ୍କ ପ୍ରତି ସେହିସବୁ କର, କାରଣ ଏହା ହିଁ ବ୍ୟବସ୍ଥା ଓ ଭାବବାଦୀ-ମାନଙ୍କ ଧର୍ମଶାସ୍ତ୍ରର ସାର।

13 ସଂକୀର୍ଣ୍ଣ ଦ୍ଵାର ଦେଇ ପ୍ରବେଶ କର; କାରଣ ସର୍ବ-ନାଶକୁ ଘେନିଯିବା ଦ୍ଵାର ଓସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ।

14 ଆଉ, ଜୀବନକୁ ଘେନିଯିବା ଦ୍ଵାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ।


ଗଛ ଓ ତାʼ ଫଳ

15 ଭଣ୍ତ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ; ସେମାନେ ମେଣ୍ତାବେଶରେ ତୁମ୍ଭମାନଙ୍କ ପାଖକୁ ଆସନ୍ତି, କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ!

16 ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ। ଲୋକମାନେ କି କଣ୍ଟା ଗଛରୁ ଦ୍ରାକ୍ଷା ଫଳ କିମ୍ଵା କାନକୋଳି ଗଛରୁ ଡିମିରି ଫଳ ତୋଳନ୍ତି?

17 ସେହି ପ୍ରକାରେ ସବୁ ଭଲ ଗଛ ଭଲ ଫଳ ଫଳେ, କିନ୍ତୁ ମନ୍ଦ ଗଛ ମନ୍ଦ ଫଳ ଫଳେ।

18 ଭଲ ଗଛ ମନ୍ଦ ଫଳ ଫଳି ନ ପାରେ, କିଅବା ମନ୍ଦ ଗଛ ଭଲ ଫଳ ଫଳି ନ ପାରେ।

19 ଯେକୌଣସି ଗଛ ଭଲ ଫଳ ନ ଫଳେ, ତାହା ହଣାଯାଇ ନିଆଁରେ ପକାଯାଏ।

20 ଅତଏବ, ସେମାନଙ୍କ ଫଳ ଦ୍ଵାରା ତୁମ୍ଭେମାନେ ସେମାନଙ୍କୁ ଚିହ୍ନିବ।


ମୁଁ ତୁମ୍ଭମାନଙ୍କୁ ଜାଣେ ନାହିଁ

21 ମୋତେ ପ୍ରଭୁ, ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ଵର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ଵର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ।

22 ସେଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ, ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ?

23 ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ। ହେ ଅଧର୍ମାଚାରୀମାନେ, ମୋʼ ପାଖରୁ ଦୂର ହୁଅ।


ଦୁଇ ଗୃହ ନିର୍ମାଣକାରୀ

24 ଏଣୁ ଯେକେହି ମୋହର ଏହି ସମସ୍ତ କଥା ଶୁଣେ ଓ ପାଳନ କରେ, ସେ ପାଷାଣ ଉପରେ ଗୃହ ନିର୍ମାଣକାରୀ ଜଣେ ବୁଦ୍ଧିମାନ ଲୋକ ସଦୃଶ ହେବ।

25 ବୃଷ୍ଟି ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଲା ନାହିଁ, କାରଣ ପଥର ଉପରେ ତାହାର ମୂଳଦୁଆ ଥିଲା।

26 ଆଉ, ଯେକେହି ମୋର ଏହିସମସ୍ତ କଥା ଶୁଣି ପାଳନ କରେ ନାହିଁ, ସେ ବାଲୁକା ଉପରେ ଗୃହ ନିର୍ମାଣକାରୀ ଜଣେ ମୂର୍ଖ ଲୋକ ସଦୃଶ ହେବ।

27 ବୃଷ୍ଟି ହେଲା, ବଢ଼ି ଆସିଲା, ପୁଣି ବତାସ ବହିଲା ଓ ସେହି ଘରକୁ ଧକ୍କା ମାରିଲା, ଆଉ ତାହା ପଡ଼ିଗଲା, ପୁଣି ତାହାର ପତନ ଭୟଙ୍କର ହେଲା।


ଯୀଶୁଙ୍କର ଅଧିକାର

28 ଯୀଶୁ ଏହିସବୁ କଥା ଶେଷ କରନ୍ତେ, ଲୋକସମୂହ ତାହାଙ୍କ ଶିକ୍ଷାରେ ଆଶ୍ଚର୍ଯ୍ୟାନ୍ଵିତ ହେଲେ,

29 କାରଣ ସେ ସେମାନଙ୍କର ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନ ଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan