ଲୂକ ଲିଖିତ ସୁସମାଚାର 6 - ପବିତ୍ର ବାଇବଲ (Re-edited) - (BSI)ବିଶ୍ରାମବାରର ପ୍ରଭୁ 1 ଥରେ ବିଶ୍ରାମବାରରେ ସେ ଶସ୍ୟକ୍ଷେତ୍ର ଦେଇ ଯାଉଥିବା ସମୟରେ ତାହାଙ୍କ ଶିଷ୍ୟମାନେ ଶିଁଷା ଛିଣ୍ତାଇ ଛିଣ୍ତାଇ ହାତରେ ମଳି ଖାଉଥିଲେ। 2 କିନ୍ତୁ ଫାରୂଶୀମାନଙ୍କ ମଧ୍ୟରୁ କେତେକ କହିଲେ, ବିଶ୍ରାମବାରରେ ଯାହା କରିବା ବିଧିସଙ୍ଗତ ନୁହେଁ, ତାହା ତୁମ୍ଭେମାନେ କାହିଁକି କରୁଅଛ? 3 ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଦାଉଦ ଓ ତାଙ୍କ ସଙ୍ଗୀମାନେ କ୍ଷୁଧିତ ହେବା ସମୟରେ ସେ କଅଣ କରିଥିଲେ, ତାହା ସୁଦ୍ଧା କି ତୁମ୍ଭେମାନେ ପାଠ କରି ନାହଁ? 4 ସେ କିପରି ଈଶ୍ଵରଙ୍କ ଗୃହରେ ପ୍ରବେଶ କରି, ଯେଉଁ ଦର୍ଶନୀରୋଟୀ କେବଳ ଯାଜକମାନଙ୍କ ବିନା ଆଉ କାହାରି ଭୋଜନ କରିବା ବିଧିସଙ୍ଗତ ନୁହେଁ, ତାହା ଘେନି ଭୋଜନ କରିଥିଲେ, ପୁଣି ଆପଣା ସଙ୍ଗୀମାନଙ୍କୁ ମଧ୍ୟ ଦେଇଥିଲେ। 5 ଆଉ, ସେ ସେମାନଙ୍କୁ କହିଲେ, ମନୁଷ୍ୟପୁତ୍ର ବିଶ୍ରାମବାରର ପ୍ରଭୁ ଅଟନ୍ତି। ଶୁଷ୍କ ହସ୍ତ ବିଶିଷ୍ଟ ବ୍ୟକ୍ତିର ସୁସ୍ଥତା 6 ସେ ଆଉ ଗୋଟିଏ ବିଶ୍ରାମବାରରେ ସମାଜଗୃହରେ ପ୍ରବେଶ କରି ଶିକ୍ଷା ଦେଉଥିଲେ; ସେଠାରେ ଜଣେ ଲୋକ ଥିଲା, ତାହାର ଡାହାଣ ହାତ ଶୁଖିଯାଇଥିଲା। 7 ଆଉ, ସେ କେଜାଣି ବିଶ୍ରାମବାରରେ ସୁସ୍ଥ କରନ୍ତି, ଏହା ଦେଖିବା ପାଇଁ ଶାସ୍ତ୍ରୀ ଓ ଫାରୂଶୀମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ, ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗର କାରଣ ପାଇ ପାରନ୍ତି। 8 କିନ୍ତୁ ସେ ସେମାନଙ୍କର ତର୍କବିତର୍କ ଜ୍ଞାତ ହୋଇ, ଯେଉଁ ଲୋକର ହାତ ଶୁଖିଯାଇଥିଲା, ତାହାକୁ କହିଲେ, ଉଠ, ମଝିରେ ଠିଆ ହୁଅ। ପୁଣି, ସେ ଉଠି ଠିଆ ହେଲା। 9 ସେଥିରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ତୁମ୍ଭମାନଙ୍କୁ ପଚାରୁଅଛି, ବିଶ୍ରାବାରରେ କଅଣ କରିବା ବିଧିସଙ୍ଗତ? ଭଲ କରିବା ନା ମନ୍ଦ କରିବା? ପ୍ରାଣ ରକ୍ଷା କରିବା ନା ବିନାଶ କରିବା? 10 ଆଉ, ସେ ଚାରିଆଡ଼େ ସମସ୍ତଙ୍କ ପ୍ରତି ଦୃଷ୍ଟିପାତ କରି ତାହାକୁ କହିଲେ, ତୁମ୍ଭର ହାତ ବଢ଼ାଅ। ସେଥିରେ ସେ ତାହା କଲା, ଆଉ ତାହାର ହାତ ପୁଣି ଭଲ ହୋଇଗଲା। 11 କିନ୍ତୁ ସେମାନେ କ୍ରୋଧରେ ଉନ୍ମତ୍ତ ହେଲେ, ଆଉ ଯୀଶୁଙ୍କ ପ୍ରତି କଅଣ କରି ପାରନ୍ତି, ସେ ବିଷୟରେ ପରସ୍ପର କଥାବାର୍ତ୍ତା କରିବାକୁ ଲାଗିଲେ। ଯୀଶୁଙ୍କ ବାର ଶିଷ୍ୟ ମନୋନୟନ 12 ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରିଯାଇ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ। 13 ପ୍ରଭାତ ହୁଅନ୍ତେ, ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ ଦ୍ଵାଦଶ ଜଣଙ୍କୁ ମନୋନୀତ କଲେ; ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ; 14 ସେମାନେ ଶିମୋନ, ଯାହାଙ୍କୁ ସେ ମଧ୍ୟ ପିତର ନାମ ଦେଲେ, ଆଉ ତାଙ୍କ ଭ୍ରାତା ଆନ୍ଦ୍ରିୟ, ଯାକୁବ ଓ ଯୋହନ, ଫିଲିପ୍ପ ଓ ବର୍ଥଲମି, 15 ମାଥିଉ ଓ ଥୋମା, ଆଲଫିଙ୍କ ପୁତ୍ର ଯାକୁବ ଓ ଶିମୋନ, ଯାହାଙ୍କୁ ଉଦ୍ଯୋଗୀ ବୋଲି କହନ୍ତି, 16 ଯାକୁବଙ୍କ ପୁତ୍ର ଯିହୂଦା ଓ ଇଷ୍କାରିୟୋତୀୟ ଯିହୂଦା, ଯେ ତାହାଙ୍କୁ ଶତ୍ରୁହସ୍ତରେ ସମର୍ପଣ କଲା। ଯୀଶୁଙ୍କ ଶିକ୍ଷା ଏବଂ ସୁସ୍ଥତା 17 ଆଉ, ସେ ସେମାନଙ୍କ ସହିତ ଓହ୍ଲାଇ ଗୋଟିଏ ସମତଳ ଭୂମିରେ ଠିଆ ହେଲେ, ପୁଣି ତାହାଙ୍କର ବହୁସଂଖ୍ୟକ ଶିଷ୍ୟ ଏବଂ ସମସ୍ତ ଯିହୁଦା ପ୍ରଦେଶ, ଯିରୂଶାଲମ, ଆଉ ସୋର ଓ ସୀଦୋନର ଉପକୂଳରୁ ମହାଜନତା ଉପସ୍ଥିତ ହେଲେ; 18 ସେମାନେ ତାହାଙ୍କ ବାକ୍ୟ ଶୁଣିବାକୁ ଓ ଆପଣା ଆପଣା ରୋଗରୁ ସୁସ୍ଥ ହେବାକୁ ଆସିଥିଲେ, ଆଉ ଯେଉଁମାନେ ଅଶୁଚି ଆତ୍ମାଗୁଡ଼ାକ ଦ୍ଵାରା କ୍ଳେଶ ଭୋଗୁଥିଲେ, ସେମାନେ ସୁସ୍ଥ କରାଗଲେ; 19 ପୁଣି ଲୋକସମୂହ ତାହାଙ୍କୁ ସ୍ପର୍ଶ କରିବାକୁ ଚେଷ୍ଟା କରୁଥିଲେ, କାରଣ ତାହାଙ୍କଠାରୁ ଶକ୍ତି ନିର୍ଗତ ହୋଇ ସମସ୍ତଙ୍କୁ ସୁସ୍ଥ କରୁଥିଲା। କେଉଁମାନେ ଧନ୍ୟ 20 ସେସମୟରେ ସେ ଆପଣା ଶିଷ୍ୟମାନଙ୍କ ପ୍ରତି ଦୃଷ୍ଟିପାତ କରି କହିଲେ, ଦୀନହୀନ ଯେ ତୁମ୍ଭେମାନେ, ତୁମ୍ଭେ-ମାନେ ଧନ୍ୟ, କାରଣ ଈଶ୍ଵରଙ୍କ ରାଜ୍ୟ ତୁମ୍ଭମାନଙ୍କର। 21 ବର୍ତ୍ତମାନ କ୍ଷୁଧିତ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ପରିତୃପ୍ତ ହେବ। ବର୍ତ୍ତମାନ ରୋଦନ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭେମାନେ ଧନ୍ୟ, କାରଣ ତୁମ୍ଭେମାନେ ହାସ୍ୟ କରିବ। 22 ଲୋକେ ଯେବେ ତୁମ୍ଭମାନଙ୍କୁ ଘୃଣା କରନ୍ତି ଓ ମନୁଷ୍ୟପୁତ୍ରଙ୍କ ହେତୁ ପୃଥକ୍ କରନ୍ତି, ପୁଣି ନିନ୍ଦା କରନ୍ତି ଓ ତୁମ୍ଭମାନଙ୍କ ନାମକୁ ମନ୍ଦ ବୋଲି ଅଗ୍ରାହ୍ୟ କରନ୍ତି, ତେବେ ତୁମ୍ଭେମାନେ ଧନ୍ୟ। 23 ସେହି ଦିନ ଆନନ୍ଦ କରି ନୃତ୍ୟ କର, କାରଣ ଦେଖ, ସ୍ଵର୍ଗରେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର; ଆଉ, ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭାବବାଦୀମାନଙ୍କ ପ୍ରତି କରୁଥିଲେ। ସ୍ଵର୍ଗସ୍ଥ ପିତାଙ୍କ ସନ୍ତାନ ପରି ଆଚରଣ 24 କିନ୍ତୁ ହାୟ, ଦଣ୍ତର ପାତ୍ର ଧନୀ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଆପଣା ଆପଣା ସୁଖ ଭୋଗ କରିଅଛ। 25 ହାୟ, ଦଣ୍ତର ପାତ୍ର ବର୍ତ୍ତମାନ ପରିତୃପ୍ତ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ କ୍ଷୁଧିତ ହେବ। ହାୟ, ଦଣ୍ତର ପାତ୍ର ବର୍ତ୍ତମାନ ହାସ୍ୟ କରୁଅଛ ଯେ ତୁମ୍ଭେମାନେ, କାରଣ ତୁମ୍ଭେମାନେ ଶୋକ ଓ ରୋଦନ କରିବ। 26 ଯେତେବେଳେ ଲୋକସମସ୍ତେ ତୁମ୍ଭମାନଙ୍କର ସୁଖ୍ୟାତି କରନ୍ତି, ସେତେବେଳେ ହାୟ, ତୁମ୍ଭେମାନେ ଦଣ୍ତର ପାତ୍ର; ସେହିପରି ତ ସେମାନଙ୍କ ପିତୃପୁରୁଷମାନେ ଭଣ୍ତ ଭାବବାଦୀମାନଙ୍କ ପ୍ରତି କରୁଥିଲେ। 27 କିନ୍ତୁ ଶ୍ରବଣ କରୁଅଛ ଯେ ତୁମ୍ଭେମାନେ, ତୁମ୍ଭମାନଙ୍କୁ ମୁଁ କହୁଅଛି, ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର; ଯେଉଁମାନେ ତୁମ୍ଭମାନଙ୍କୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର; 28 ଯେଉଁମାନେ ତୁମ୍ଭମାନଙ୍କୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର; ଯେଉଁମାନେ ତୁମ୍ଭମାନଙ୍କୁ ଅପମାନ କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। 29 ଯେ ତୁମ୍ଭକୁ ଗୋଟିଏ ଗାଲରେ ଚାପୁଡ଼ା ମାରେ, ତାହା ପ୍ରତି ଅନ୍ୟଟି ମଧ୍ୟ ଦେଖାଇଦିଅ; ଆଉ, ଯେ ତୁମ୍ଭର ଚାଦର ନେଇଯାଏ, ତାହାକୁ ତୁମ୍ଭର ଅଙ୍ଗରଖା ମଧ୍ୟ ନେବାକୁ ବାରଣ କର ନାହିଁ। 30 ଯେକେହି ତୁମ୍ଭକୁ ମାଗେ, ତାହାକୁ ଦିଅ; ଆଉ, ଯେ ତୁମ୍ଭର ସମ୍ପତ୍ତି ଘେନିଯାଏ, ତାହାଠାରୁ ତାହା ପୁର୍ନବାର ଦାବୀ କର ନାହିଁ। 31 ଲୋକମାନେ ତୁମ୍ଭମାନଙ୍କ ପ୍ରତି ଯେପ୍ରକାର ବ୍ୟବହାର କରନ୍ତୁ ବୋଲି ଇଚ୍ଛା କର, ତୁମ୍ଭେମାନେ ସେମାନଙ୍କ ପ୍ରତି ସେହିପ୍ରକାର କର। 32 ପୁଣି, ଯେଉଁମାନେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ପ୍ରେମ କଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ଆପଣା ଆପଣା ପ୍ରେମକାରୀ-ମାନଙ୍କୁ ପ୍ରେମ କରନ୍ତି। 33 ଆଉ, ଯେଉଁମାନେ ତୁମ୍ଭମାନଙ୍କର ମଙ୍ଗଳ କରନ୍ତି, ଯଦି ତୁମ୍ଭେମାନେ ସେମାନଙ୍କର ମଙ୍ଗଳ କର, ତେବେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? କାରଣ ପାପୀମାନେ ସୁଦ୍ଧା ତାହା କରନ୍ତି। 34 ପୁଣି, ଯେଉଁମାନଙ୍କଠାରୁ ତୁମ୍ଭମାନଙ୍କର ପାଇବାର ଆଶା ଥାଏ, ସେମାନଙ୍କୁ ଋଣ ଦେଲେ ତୁମ୍ଭେମାନେ କି ଅନୁଗ୍ରହ ପାଇବ? ପାପୀମାନେ ସୁଦ୍ଧା ସମାନ ପରିମାଣରେ ପରିଶୋଧ ପାଇବା ନିମନ୍ତେ ପାପୀମାନଙ୍କୁ ଋଣ ଦିଅନ୍ତି। 35 ମାତ୍ର ତୁମ୍ଭମାନଙ୍କର ଶତ୍ରୁମାନଙ୍କୁ ପ୍ରେମ କର ଏବଂ ସେମାନଙ୍କର ମଙ୍ଗଳ କର, ପୁଣି ପରିଶୋଧର ଆଶା ନ ରଖି ଋଣ ଦିଅ ; ତାହାହେଲେ ତୁମ୍ଭମାନଙ୍କର ପୁରସ୍କାର ପ୍ରଚୁର ହେବ ଓ ତୁମ୍ଭେମାନେ ପରାତ୍ପରଙ୍କ ସନ୍ତାନ ହେବ, କାରଣ ସେ ଅକୃତଜ୍ଞ ଓ ଦୁଷ୍ଟମାନଙ୍କ ପ୍ରତି କୃପାବାନ ଅଟନ୍ତି। 36 ତୁମ୍ଭମାନଙ୍କ ପିତା ଯେପରି ଦୟାଳୁ, ତୁମ୍ଭେମାନେ ସେହିପରି ଦୟାଳୁ ହୁଅ। ଅନ୍ୟର ବିଚାର ନ କରିବା 37 ପୁଣି, ବିଚାର କର ନାହିଁ, ତାହାହେଲେ ତୁମ୍ଭେମାନେ ବିଚାରିତ ହେବ ନାହିଁ; ଦୋଷୀ କର ନାହିଁ, ତାହାହେଲେ ତୁମ୍ଭେମାନେ ଦୋଷୀକୃତ ହେବ ନାହିଁ। କ୍ଷମା କର, ତାହାହେଲେ ତୁମ୍ଭମାନଙ୍କୁ କ୍ଷମା କରାଯିବ; 38 ଦାନ କର, ତାହାହେଲେ ତୁମ୍ଭମାନଙ୍କୁ ଦାନ ଦିଆଯିବ; ଲୋକେ ମାଣକୁ ପୁରା କରି ତାହାକୁ ଚାପି ହଲାଇ ଉଛୁଳାଇ ତୁମ୍ଭମାନଙ୍କ ଅଣ୍ଟିରେ ଦେବେ; କାରଣ ଯେଉଁ ମାପରେ ମାପ କର, ସେହି ମାପରେ ତୁମ୍ଭମାନଙ୍କୁ ପୁଣି ମପାଇ ଦିଆଯିବ। 39 ସେ ସେମାନଙ୍କୁ ଗୋଟିଏ ଦୃଷ୍ଟାନ୍ତ ମଧ୍ୟ କହିଲେ, ଅନ୍ଧ କଅଣ ଅନ୍ଧକୁ ବାଟ କଢ଼ାଇ ପାରେ? ସେମାନେ କଅଣ ଉଭୟେ ଖାତରେ ପଡ଼ିବେ ନାହିଁ? 40 ଶିଷ୍ୟ ଗୁରୁଠାରୁ ଶ୍ରେଷ୍ଠ ନୁହେଁ; କିନ୍ତୁ ପ୍ରତ୍ୟେକ ଶିଷ୍ୟ ସିଦ୍ଧ ହୋଇ ଆପଣା ଗୁରୁଙ୍କ ତୁଲ୍ୟ ହେବ। 41 ଆଉ, କାହିଁକି ତୁମ୍ଭ ଭାଇର ଆଖିରେ ଥିବା କୁଟାଟିକକ ଦେଖୁଅଛ, କିନ୍ତୁ ତୁମ୍ଭ ନିଜ ଆଖିରେ ଯେଉଁ କଡ଼ିକାଠ ଅଛି, ତାହା ଭାବି ଦେଖୁ ନାହଁଣ? 42 ତୁମ୍ଭେ ଆପଣା ଆଖିରେ ଥିବା କଡ଼ିକାଠ ନ ଦେଖି କିପରି ନିଜ ଭାଇକି କହି ପାର, ଭାଇ, ଆସ, ତୁମ୍ଭ ଆଖିରେ ଥିବା କୁଟାଟିକକ ବାହାର କରିଦିଏ? କପଟୀ, ଆଗେ ଆପଣା ଆଖିରୁ କଡ଼ିକାଠ ବାହାର କରିପକାଅ, ତାହାପରେ ନିଜ ଭାଇର ଆଖିରେ ଥିବା କୁଟାଟିକକ ବାହାର କରିବା ନିମନ୍ତେ ସ୍ପଷ୍ଟ ରୂପେ ଦେଖି ପାରିବ। ଗଛ ଓ ତାʼର ଫଳ 43 କାରଣ ଏପରି କୌଣସି ଭଲ ଗଛ ନାହିଁ, ଯାହାକି ମନ୍ଦ ଫଳ ଫଳେ, ଅନ୍ୟ ପକ୍ଷରେ ଏପରି କୌଣସି ମନ୍ଦ ଗଛ ନାହିଁ, ଯାହାକି ଭଲ ଫଳ ଫଳେ। 44 କାରଣ ପ୍ରତ୍ୟେକ ଗଛ ନିଜର ଫଳ ଦ୍ଵାରା ଚିହ୍ନାଯାଏ; କଣ୍ଟାଗଛରୁ ତ ଲୋକମାନେ ଡିମିରି ତୋଳନ୍ତି ନାହିଁ, କିମ୍ଵା କଣ୍ଟାବୁଦାରୁ ଦ୍ରାକ୍ଷାଫଳ ତୋଳନ୍ତି ନାହିଁ। 45 ଉତ୍ତମ ଲୋକ ଆପଣା ହୃଦୟରୂପ ଉତ୍ତମ ଭଣ୍ତାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ତାରରୁ ମନ୍ଦ ପଦାର୍ଥ ବାହାର କରେ; କାରଣ ହୃଦୟର ପୂର୍ଣ୍ଣତାରୁ ମୁଖ କଥା କହେ। ଦୁଇ ଗୃହ ନିର୍ମାଣକାରୀ 46 ଆଉ, ତୁମ୍ଭେମାନେ କାହିଁକି ମୋତେ ପ୍ରଭୁ, ପ୍ରଭୁ ବୋଲି ସମ୍ଵୋଧନ କରୁଅଛ, ମାତ୍ର ମୋହର ବାକ୍ୟ ପାଳନ କରୁ ନାହଁ? 47 ଯେକେହି ମୋʼନିକଟକୁ ଆସି ମୋହର କଥା ଶୁଣି ସେହିସବୁ ପାଳନ କରେ, ସେ କାହା ସଦୃଶ, ତାହା ମୁଁ ତୁମ୍ଭମାନଙ୍କୁ ଜଣାଇବି। 48 ସେ ଏପରି ଜଣେ ଘର ତୋଳିବା ଲୋକ ପରି, ଯେ ଗହୀର କରି ଖୋଳି ମୂଳଦୁଆ ପଥର ଉପରେ ବସାଇଲେ; ଆଉ , ବଢ଼ି ହୁଅନ୍ତେ, ସୁଅ ସେହି ଘରକୁ ପ୍ରବଳ ଭାବରେ ଧକ୍କା ମାରିଲା, କିନ୍ତୁ ତାହା ଟଳାଇ ପାରିଲା ନାହିଁ, କାରଣ ତାହା ଉତ୍ତମ ରୂପେ ତୋଳାଯାଇଥିଲା। 49 କିନ୍ତୁ ଯେ ଶୁଣି ପାଳନ କରେ ନାହିଁ, ସେ ମୂଳଦୁଆ ନ ବସାଇ ମାଟି ଉପରେ ଘର ତୋଳିବା ଲୋକ ପରି; ସୁଅ ସେହି ଘରକୁ ପ୍ରବଳ ଭାବରେ ଧକ୍କା ମାରନ୍ତେ, ସେହିକ୍ଷଣି ତାହା ପଡ଼ିଗଲା ଓ ତାହାର ବିନାଶ ଭୟଙ୍କର ହେଲା। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India