ଲେବୀୟ ପୁସ୍ତକ 9 - ପବିତ୍ର ବାଇବଲ (Re-edited) - (BSI)ହାରୋଣଙ୍କ ବଳିଦାନ ଗୃହୀତ 1 ଅନନ୍ତର ଅଷ୍ଟମ ଦିନରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ, 2 ପୁଣି ସେ ହାରୋଣଙ୍କୁ କହିଲେ, ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ନିଖୁନ୍ତ ଏକ ବୃଷ-ବତ୍ସ ଓ ହୋମବଳି ନିମନ୍ତେ ନିଖୁନ୍ତ ଏକ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର। 3 ପୁଣି, ଇସ୍ରାଏଲ-ସନ୍ତାନଗଣକୁ କହିବ, ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁରେ ବଳିଦାନାର୍ଥେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷବତ୍ସ ନେବ, ଦୁହେଁ ଏକବର୍ଷୀୟ ଓ ନିଖୁନ୍ତ ଥିବେ, 4 ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି। 5 ତହୁଁ ମୋଶା ଯାହା ଆଜ୍ଞା କଲେ, ତାହା ସେମାନେ ସମାଗମ-ତମ୍ଵୁ ନିକଟକୁ ଆଣିଲେ, ପୁଣି ସମସ୍ତ ମଣ୍ତଳୀ ନିକଟବର୍ତ୍ତୀ ହୋଇ ସଦାପ୍ରଭୁଙ୍କ ଛାମୁରେ ଛିଡ଼ା ହେଲେ। 6 ଆଉ ମୋଶା କହିଲେ, ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ; ଏହା କଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇବ। 7 ତହୁଁ ମୋଶା ହାରୋଣଙ୍କୁ କହିଲେ, ତୁମ୍ଭେ ବେଦି ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଆପଣାର ପାପାର୍ଥକ ବଳି ଓ ଆପଣା ହୋମବଳି ଉତ୍ସର୍ଗ କର, ପୁଣି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; ତହିଁ ଉତ୍ତାରୁ ଲୋକମାନଙ୍କର ଉପହାର ଉତ୍ସର୍ଗ କରି ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର। 8 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ବେଦି ନିକଟକୁ ଯାଇ ଆପଣା ପାପାର୍ଥକ ବଳିର ଗୋବତ୍ସ ବଧ କଲେ। 9 ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ବୁଡ଼ାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦିମୂଳରେ ଢାଳିଲେ; 10 ମାତ୍ର ପାପାର୍ଥକ ବଳିର ମେଦ ଓ ଗୁରୁଦା ଓ ଯକୃତରୁ ଅନ୍ତ୍ରାପ୍ଳାବକ ବେଦି ଉପରେ ଦଗ୍ଧ କଲେ। 11 ପୁଣି, ମାଂସ ଓ ଚର୍ମ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କଲେ। 12 ଅନନ୍ତର ସେ ହୋମାର୍ଥକ ବଳି ବଧ କଲେ; ପୁଣି ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ। 13 ଅନନ୍ତର ସେମାନେ ତାଙ୍କ ନିକଟରେ ହୋମବଳିର ଖଣ୍ତକୁ ଖଣ୍ତ ମାଂସ ଓ ମସ୍ତକ ସମର୍ପଣ କଲେ; ତହିଁରେ ସେ ସେହି ସକଳ ବେଦି ଉପରେ ଦଗ୍ଧ କଲେ। 14 ପୁଣି, ସେ ଅନ୍ତ୍ର ଓ ପାଦ ଧୌତ କରି ହୋମଦ୍ରବ୍ୟ ସହିତ ବେଦି ଉପରେ ଦଗ୍ଧ କଲେ। 15 ଅନନ୍ତର ସେ ଲୋକମାନଙ୍କର ଉପହାର ନିକଟକୁ ଆଣିଲେ, ପୁଣି ଲୋକମାନଙ୍କ ପାପାର୍ଥକ ଛାଗ ନେଇ ପ୍ରଥମଟିର ନ୍ୟାୟ ବଧ କରି ପାପାର୍ଥରେ ତାହା ଉତ୍ସର୍ଗ କଲେ; 16 ଏଉତ୍ତାରେ ସେ ହୋମବଳି ଆଣି ବିଧିମତେ ଉତ୍ସର୍ଗ କଲେ। 17 ଆଉ, ସେ ଭକ୍ଷ୍ୟ-ନୈବେଦ୍ୟ ଆଣି ତହିଁରୁ ମୁଠିଏ ନେଇ ପ୍ରଭାତର ହୋମବଳି ସହିତ ବେଦି ଉପରେ ତାହା ଦଗ୍ଧ କଲେ। 18 ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ; ପୁଣି, ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟରେ ରକ୍ତ ସମର୍ପଣ କରନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ; 19 ପୁଣି ଗୋରୁର ମେଦ, ମେଷର ମେଦମୟ ଲାଙ୍ଗୁଳ, ଆଉ ଅନ୍ତ୍ର ଓ ଗୁରୁଦାର ଉପରିସ୍ଥିତ ମେଦ ଓ ଯକୃତର ଉପରିସ୍ଥିତ ଅନ୍ତ୍ରାପ୍ଳାବକ, 20 ଏହି ସମସ୍ତ ମେଦ ସେମାନେ ବକ୍ଷ ଉପରେ ରଖିଲେ, ପୁଣି, ସେ ବେଦି ଉପରେ ମେଦ ଦଗ୍ଧ କଲେ; 21 ପୁଣି, ମୋଶାଙ୍କର ଆଜ୍ଞାନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଚଟୁଆ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇଲେ। 22 ତହୁଁ ହାରୋଣ ଲୋକମାନଙ୍କ ପ୍ରତି ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଶୀର୍ବାଦ କଲେ ; ଏହିରୂପେ ପାପାର୍ଥକ ବଳି ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଓହ୍ଲାଇ ଆସିଲେ। 23 ଅନନ୍ତର ମୋଶା ଓ ହାରୋଣ ସମାଗମ-ତମ୍ଵୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା। 24 ପୁଣି, ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦି-ଉପରିସ୍ଥ ହୋମବଳି ଓ ମେଦ ଭସ୍ମ କଲା, ପୁଣି, ସମସ୍ତ ଲୋକେ ତାହା ଦେଖି ଉଚ୍ଚଧ୍ଵନି କରି ମୁହଁ ମାଡ଼ି ହୋଇ ପଡ଼ିଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India