Biblia Todo Logo
Bìoball air-loidhne

- Sanasan -

ଲେବୀୟ ପୁସ୍ତକ 8 - ପବିତ୍ର ବାଇବଲ (Re-edited) - (BSI)


ହାରୋଣ ଓ ତାଙ୍କ ପୁତ୍ରମାନଙ୍କ ପବିତ୍ରିକରଣ

1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ,

2 ତୁମ୍ଭେ ହାରୋଣକୁ ଓ ତାହା ସହିତ ତାହାର ପୁତ୍ରଗଣଙ୍କୁ; ଆଉ ବସ୍ତ୍ରସକଳ ଓ ଅଭିଷେକାର୍ଥକ ତୈଳ ଓ ପାପାର୍ଥକ ବଳିର ଗୋବତ୍ସ ଓ ଦୁଇ ମେଷ ଓ ତାଡ଼ିଶୂନ୍ୟ ରୋଟୀର ଡାଲା ସଙ୍ଗେ ନିଅ।

3 ପୁଣି ସମାଗମ-ତମ୍ଵୁଦ୍ଵାର ନିକଟରେ ସମଗ୍ର ମଣ୍ତଳୀକି ଏକତ୍ର କର।

4 ଆଉ, ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା କଲେ; ତହିଁରେ ସମାଗମ-ତମ୍ଵୁଦ୍ଵାର ନିକଟରେ ସମଗ୍ର ମଣ୍ତଳୀ ଏକତ୍ର ହେଲେ।

5 ପୁଣି ମୋଶା ମଣ୍ତଳୀକି କହିଲେ, ଯାହା କରିବା ପାଇଁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି, ସେହି କଥା ଏହି।

6 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଆଣି ଜଳରେ ସ୍ନାନ କରାଇଲେ।

7 ପୁଣି ହାରୋଣଙ୍କ ଉପରେ ଜାମା ଦେଲେ ଓ କଟିବନ୍ଧନୀରେ ତାଙ୍କର କଟି ବାନ୍ଧିଲେ ଓ ତାଙ୍କୁ ଚୋଗା ପିନ୍ଧାଇଲେ ଓ ତହିଁ ଉପରେ ଏଫୋଦ ଦେଲେ, ପୁଣି ଏଫୋଦର ଚିତ୍ରିତ ପଟୁକା ବାନ୍ଧି ତହିଁ ସଙ୍ଗେ ଏଫୋଦକୁ ବଦ୍ଧ କଲେ।

8 ଆଉ, ସେ ତାହା ଉପରେ ବୁକୁପଟା ଦେଲେ; ଆଉ, ବୁକୁପଟାରେ ଊରୀମ୍ ଓ ତୁମ୍ମୀମ୍ ରଖିଲେ।

9 ପୁଣି, ତାଙ୍କର ମସ୍ତକରେ ପାଗ ରଖିଲେ; ପାଗ ସମ୍ମୁଖରେ ସ୍ଵର୍ଣ୍ଣପତ୍ରର ପବିତ୍ର ମୁକୁଟ ଦେଲେ; ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏହା କଲେ।

10 ଅନନ୍ତର ମୋଶା ଅଭିଷେକାର୍ଥକ ତୈଳ ନେଇ ଆବାସ ଓ ତହିଁ ମଧ୍ୟସ୍ଥିତ ସମସ୍ତ ବସ୍ତୁ ଅଭିଷେକ କରି ପବିତ୍ର କଲେ।

11 ପୁଣି, ସେ ତହିଁରୁ କିଛି ନେଇ ବେଦି ଉପରେ ସାତ ଥର ସେଚନ କଲେ ଆଉ, ବେଦି ଓ ତହିଁର ସମସ୍ତ ପାତ୍ର ଓ ପ୍ରକ୍ଷାଳନପାତ୍ର ଓ ତହିଁର ବୈଠିକି ପବିତ୍ର କରିବାକୁ ଅଭିଷେକ କଲେ।

12 ଅନନ୍ତର ସେ ହାରୋଣଙ୍କୁ ପ୍ରତିଷ୍ଠା କରିବା ପାଇଁ ତାଙ୍କର ମସ୍ତକରେ କିଛି ଅଭିଷେକାର୍ଥକ ତୈଳ ଢାଳି ତାଙ୍କୁ ଅଭିଷେକ କଲେ।

13 ଅନନ୍ତର ମୋଶା ହାରୋଣଙ୍କର ପୁତ୍ରଗଣଙ୍କୁ ଆଣି ସେମାନଙ୍କୁ ଜାମା ପିନ୍ଧାଇଲେ ଓ କଟିବନ୍ଧନୀରେ ସେମାନଙ୍କର କଟି ବାନ୍ଧିଲେ ଓ ସେମାନଙ୍କୁ ଶିରୋଭୂଷଣରେ ଭୂଷିତ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।

14 ଆଉ, ସେ ପାପାର୍ଥକ ବଳିର ଗୋବତ୍ସ ଆଣିଲେ; ପୁଣି ହାରୋଣ ଓ ତାଙ୍କର ପୁତ୍ରଗଣ ସେହି ପାପାର୍ଥକ ବଳିର ଗୋବତ୍ସ-ମସ୍ତକରେ ହସ୍ତନିର୍ଭର ଦେଲେ।

15 ତହୁଁ ସେ ତାକୁ ବଧ କଲେ; ପୁଣି ମୋଶା ରକ୍ତ ନେଇ ଅଙ୍ଗୁଳି ଦ୍ଵାରା ବେଦିର ଚାରିଆଡ଼େ ଶୃଙ୍ଗ ଉପରେ ଦେଇ ବେଦିକି ପବିତ୍ର କଲେ; ଆଉ, ବେଦିମୂଳରେ ସେହି ରକ୍ତ ଢାଳିଦେଲେ ଓ ତହିଁ ନିମନ୍ତେ ପ୍ରାୟଶ୍ଚିତ୍ତ କରିବା ପାଇଁ ପବିତ୍ର କଲେ।

16 ଅନନ୍ତର ମୋଶା ଅନ୍ତ୍ର-ଉପରିସ୍ଥିତ ସମସ୍ତ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁର ମେଦ ନେଇ ବେଦି ଉପରେ ଦଗ୍ଧ କଲେ।

17 ମାତ୍ର ସେହି ଗୋବତ୍ସର ଚର୍ମ ଓ ମାଂସ ଓ ଗୋମୟ ନେଇ ଛାଉଣିର ବାହାରେ ଦଗ୍ଧ କଲେ; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।

18 ଅନନ୍ତର ସେ ହୋମାର୍ଥକ ମେଷ ଆଣିଲେ; ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକରେ ହସ୍ତନିର୍ଭର ଦେଲେ।

19 ତହୁଁ ସେ ତାକୁ ବଧ କଲେ, ପୁଣି ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।

20 ଆଉ, ସେ ମେଷକୁ ଖଣ୍ତ ଖଣ୍ତ କରି କାଟିଲେ; ପୁଣି, ମୋଶା ତାହାର ମସ୍ତକ ଓ ମାଂସଖଣ୍ତସକଳ ଓ ମେଦ ଦଗ୍ଧ କଲେ।

21 ଆଉ, ସେ ତାହାର ଅନ୍ତ୍ର ଓ ପାଦ ଜଳରେ ଧୌତ କଲେ। ପୁଣି, ମୋଶା ବେଦି ଉପରେ ମେଷ ସମେତ ଦଗ୍ଧ କଲେ, ଏହା ତୁଷ୍ଟିଜନକ ଆଘ୍ରାଣାର୍ଥକ ହୋମବଳି; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।

22 ଅନନ୍ତର ସେ ଅନ୍ୟ ମେଷ, ଅର୍ଥାତ୍, ପଦନି-ଯୋଗାର୍ଥକ ମେଷ ଆଣିଲେ, ତହିଁରେ ହାରୋଣ ଓ ତାଙ୍କର ପୁତ୍ରଗଣ ମେଷର ମସ୍ତକ ଉପରେ ହସ୍ତନିର୍ଭର ଦେଲେ।

23 ଆଉ, ସେ ତାକୁ ବଧ କଲେ; ତହୁଁ ମୋଶା ତାହାର କିଛି ରକ୍ତ ନେଇ ହାରୋଣଙ୍କର ଦକ୍ଷିଣ କର୍ଣ୍ଣପ୍ରାନ୍ତରେ ଓ ତାଙ୍କର ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।

24 ଏଉତ୍ତାରେ ସେ ହାରୋଣଙ୍କର ପୁତ୍ରଗଣଙ୍କୁ ଆଣିଲେ, ତହୁଁ ମୋଶା ସେହି ରକ୍ତରୁ କିଛି ନେଇ ସେମାନଙ୍କ ଦକ୍ଷିଣ କର୍ଣ୍ଣପ୍ରାନ୍ତରେ ଓ ସେମାନଙ୍କ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ସେମାନଙ୍କ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ; ଆଉ ମୋଶା ବେଦି ଉପରେ ଚାରିଆଡ଼େ ରକ୍ତ ସେଚନ କଲେ।

25 ପୁଣି, ସେ ମେଦ ଓ ମେଦମୟ ଲାଙ୍ଗୁଳ ଓ ଅନ୍ତ୍ର-ଉପରିସ୍ଥିତ ସକଳ ମେଦ ଓ ଯକୃତର ଉପରିସ୍ଥିତ ଅନ୍ତ୍ରାପ୍ଳାବକ ଓ ଦୁଇ ଗୁରୁଦା ଓ ତହିଁର ମେଦ ଓ ଡାହାଣ ଚଟୁଆ ନେଲେ;

26 ଆଉ, ସେ ସଦାପ୍ରଭୁଙ୍କ ସମ୍ମୁଖସ୍ଥିତ ତାଡ଼ିଶୂନ୍ୟ ରୋଟୀର ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତୈଳପକ୍ଵ ରୋଟୀର ଗୋଟିଏ ପିଠା ଓ ଗୋଟିଏ ସରୁ ଚକୁଳି ନେଇ ମେଦ ଓ ଡାହାଣ ଚଟୁଆ ଉପରେ ଥୋଇଲେ;

27 ତହୁଁ ସେ ହାରୋଣଙ୍କର ଓ ତାଙ୍କର ପୁତ୍ରଗଣଙ୍କର ହସ୍ତରେ ସେହି ସବୁ ଦେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ।

28 ଏଉତ୍ତାରେ ମୋଶା ସେମାନଙ୍କ ହସ୍ତରୁ ସେସବୁ ନେଇ ବେଦିସ୍ଥିତ ହୋମବଳି ଉପରେ ଦଗ୍ଧ କଲେ; ଏସବୁ ତୁଷ୍ଟିଜନକ ଆଘ୍ରାଣାର୍ଥେ ପଦନିଯୋଗାର୍ଥକ ନୈବେଦ୍ୟ; ଏହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।

29 ଆଉ, ମୋଶା ବକ୍ଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟାର୍ଥେ ଦୋଳାଇଲେ; ପଦନିଯୋଗାର୍ଥକ ମେଷର ଏହି ଅଂଶ ମୋଶାଙ୍କର ହେଲା; ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଶା ଏହା କଲେ।

30 ଅନନ୍ତର ମୋଶା ଅଭିଷେକାର୍ଥକ ତୈଳରୁ ଓ ବେଦି ଉପରିସ୍ଥ ରକ୍ତରୁ କିଛି ନେଇ ହାରୋଣଙ୍କ ଉପରେ ଓ ତାଙ୍କର ବସ୍ତ୍ର ଉପରେ, ପୁଣି ତାଙ୍କ ସଙ୍ଗେ ତାଙ୍କର ପୁତ୍ରଗଣଙ୍କ ଉପରେ ଓ ସେମାନଙ୍କ ବସ୍ତ୍ର ଉପରେ ତାହା ସେଚନ କଲେନ୍ତଆଉ ହାରୋଣଙ୍କୁ ଓ ତାଙ୍କର ବସ୍ତ୍ରସକଳକୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ସେମାନଙ୍କ ବସ୍ତ୍ର ସକଳକୁ ପବିତ୍ର କଲେ।

31 ତହୁଁ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ କହିଲେ, ସମାଗମ-ତମ୍ଵୁଦ୍ଵାର ନିକଟରେ ମାଂସ ସିଦ୍ଧ କର; ଆଉ ‘ହାରୋଣ ଓ ତାହାର ପୁତ୍ରଗଣ ତାହା ଭୋଜନ କରିବେ,ʼ ଆମ୍ଭର ଏହି ଆଜ୍ଞାନୁସାରେ ସେହି ସ୍ଥାନରେ ତାହା ଓ ପଦନିଯୋଗାର୍ଥକ ଡାଲାରେ ଥିବା ରୋଟୀ ଭୋଜନ କର।

32 ପୁଣି, ମାଂସ ଓ ରୋଟୀରୁ ଯାହା ଅବଶିଷ୍ଟ ରହିବ, ତାହା ତୁମ୍ଭେମାନେ ଅଗ୍ନିରେ ଦଗ୍ଧ କରିବ।

33 ଆଉ, ତୁମ୍ଭେମାନେ ସାତ ଦିନଯାଏ, ଅର୍ଥାତ୍, ତୁମ୍ଭମାନଙ୍କ ପଦନିଯୋଗ ଦିନର ସମାପ୍ତି ପର୍ଯ୍ୟନ୍ତ ସମାଗମ-ତମ୍ଵୁଦ୍ଵାରରୁ ବାହାରକୁ ଯିବ ନାହିଁ; କାରଣ ସେ ତୁମ୍ଭମାନଙ୍କୁ ସାତ ଦିନଯାଏ ପଦରେ ନିଯୁକ୍ତ କରିବେ।

34 ଯେପରି ଆଜି କରାଯାଇଅଛି, ସେପରି ତୁମ୍ଭମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କରିବାକୁ ସଦାପ୍ରଭୁ ଆଜ୍ଞା ଦେଇଅଛନ୍ତି।

35 ପୁଣି, ତୁମ୍ଭେମାନେ ଯେପରି ନ ମର, ଏଥିପାଇଁ ସାତ ଦିନଯାଏ ସମାଗମ-ତମ୍ଵୁଦ୍ଵାରରେ ଦିବାରାତ୍ର ରହିବ ଓ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କରିବ। କାରଣ ଏହିପରି ଆମ୍ଭେ ଆଜ୍ଞା ପାଇଅଛୁ।

36 ତହୁଁ ସଦାପ୍ରଭୁ ମୋଶାଙ୍କ ଦ୍ଵାରା ଯାହା ଆଜ୍ଞା କରିଥିଲେ, ହାରୋଣ ଓ ତାଙ୍କର ପୁତ୍ରଗଣ ସେସବୁ କଥା ପାଳନ କଲେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan