ଲେବୀୟ ପୁସ୍ତକ 3 - ପବିତ୍ର ବାଇବଲ (Re-edited) - (BSI)ମଙ୍ଗଳାର୍ଥକ ବଳିଦାନର ନିୟମ 1 ଆଉ, କୌଣସି ବ୍ୟକ୍ତିର ଉପହାର ଯେବେ ମଙ୍ଗଳାର୍ଥକ ବଳିଦାନ ହୁଏ; ଯେବେ ସେ ପଲରୁ ଅଣ୍ତିରା କି ମାଈ ଗୋରୁ ଦିଏ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ନିଖୁନ୍ତ ପଶୁ ଆଣିବ। 2 ପୁଣି, ସେ ସମାଗମ-ତମ୍ଵୁଦ୍ଵାର ନିକଟରେ ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ର ଯାଜକଗଣ ତାହାର ରକ୍ତ ବେଦି ଉପରେ ଚାରିଆଡ଼େ ଛିଞ୍ଚିବେ। 3 ଏଉତ୍ତାରେ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ମେଦ 4 ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ। 5 ତହୁଁ ହାରୋଣର ପୁତ୍ରଗଣ ବେଦି ଉପରିସ୍ଥିତ ଅଗ୍ନି ଓ କାଷ୍ଠ ଓ ହୋମଦ୍ରବ୍ୟ ଉପରେ ତାହା ଦଗ୍ଧ କରିବେ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର। 6 ଆଉ, ଯେବେ କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମେଷାଦିପଲରୁ ମଙ୍ଗଳାର୍ଥକ ବଳିଦାନ କରେ, ତେବେ ସେ ନିଖୁନ୍ତ ଅଣ୍ତିରା କି ମାଈ ପଶୁ ଉତ୍ସର୍ଗ କରିବ। 7 ଯେବେ ସେ ଉପହାର ନିମନ୍ତେ ମେଷବତ୍ସ ବଳିଦାନ କରେ, ତେବେ ସେ ସଦାପ୍ରଭୁଙ୍କ ଛାମୁକୁ ତାହା ଆଣିବ; 8 ପୁଣି ଆପଣା ବଳିର ମସ୍ତକରେ ହସ୍ତ-ନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ। ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ। 9 ଏଉତ୍ତାରୁ ସେ ସେହି ମଙ୍ଗଳାର୍ଥକ ବଳିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ; ଅର୍ଥାତ୍, ତହିଁର ମେଦ, ସମସ୍ତ ମେଦମୟ ଲାଙ୍ଗୁଳ ମେରୁଦଣ୍ତ ନିକଟରୁ ନେବ ଓ ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର ଉପରିସ୍ଥ ସମସ୍ତ ମେଦ 10 ଓ ଦୁଇ ଗୁରୁଦା ଓ ତହିଁ ଉପରିସ୍ଥିତ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଲାବକ, ଗୁରୁଦା ସହିତ ନେବ। 11 ତହୁଁ ଯାଜକ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପ ଭୋଜନ। 12 ଆଉ, କେହି ଯେବେ ଛାଗଳ ବଳିଦାନ କରେ, ତେବେ ସେ ତାହା ସଦାପ୍ରଭୁଙ୍କ ଛାମୁକୁ ଆଣିବ, 13 ପୁଣି, ଆପଣା ବଳିର ମସ୍ତକରେ ହସ୍ତନିର୍ଭର ଦେଇ ସମାଗମ-ତମ୍ଵୁ ନିକଟରେ ତାକୁ ବଧ କରିବ; ତହୁଁ ହାରୋଣର ପୁତ୍ରଗଣ ବେଦି ଉପରେ ଚାରିଆଡ଼େ ତାହାର ରକ୍ତ ଛିଞ୍ଚିବେ। 14 ଆଉ, ସେ ତହିଁରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ, ଅର୍ଥାତ୍, ଅନ୍ତ୍ର-ଆଚ୍ଛାଦକ ମେଦ ଓ ଅନ୍ତ୍ର-ଉପରିସ୍ଥ ସମସ୍ତ ମେଦ 15 ଓ ଦୁଇ ଗୁରୁଦା ଓ ତାହାର ଉପରିସ୍ଥ ପାର୍ଶ୍ଵବର୍ତ୍ତୀ ମେଦ ଓ ଯକୃତର ଉପରିସ୍ଥ ଅନ୍ତ୍ରାପ୍ଳାବକ, ଗୁରୁଦା ସହିତ ନେବ। 16 ତହୁଁ ଯାଜକ ବେଦି ଉପରେ ତାହା ଦଗ୍ଧ କରିବ; ତାହା ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପ ଭୋଜନ; ସମସ୍ତ ମେଦ ସଦାପ୍ରଭୁଙ୍କର। 17 ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସମସ୍ତ ଗୃହରେ ପାଳନୀୟ ଅନନ୍ତକାଳୀନ ବିଧି; ତୁମ୍ଭେମାନେ ମେଦ ଓ ରକ୍ତ, କିଛି ଭୋଜନ କରିବ ନାହିଁ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India