ଲେବୀୟ ପୁସ୍ତକ 27 - ପବିତ୍ର ବାଇବଲ (Re-edited) - (BSI)ମାନତ ସମ୍ଵନ୍ଧୀୟ ବିଧି 1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ମାନତ ପୂର୍ଣ୍ଣ କରିବାକୁ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ପ୍ରାଣୀସକଳ ସଦାପ୍ରଭୁଙ୍କର ହେବେ। 3 ପୁରୁଷ ହେଲେ, କୋଡ଼ିଏ ବର୍ଷଠାରୁ ଷାଠିଏ ବର୍ଷ ବୟସ ପର୍ଯ୍ୟନ୍ତ ତୁମ୍ଭର ନିରୂପିତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ପଚାଶ ଶେକଲ ରୂପା ହେବ। 4 ପୁଣି ସ୍ତ୍ରୀ ହେଲେ, ତୁମ୍ଭ ନିରୂପିତ ମୂଲ୍ୟ ତିରିଶ ଶେକଲ ରୂପା ହେବ। 5 ଆଉ ପାଞ୍ଚ ବର୍ଷଠାରୁ କୋଡ଼ିଏ ବର୍ଷ ବୟସ ପର୍ଯ୍ୟନ୍ତ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ କୋଡ଼ିଏ ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ରୂପା ହେବ। 6 ଆଉ ଏକ ମାସଠାରୁ ପାଞ୍ଚ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପାଞ୍ଚ ଶେକଲ ରୂପା ହେବ ଓ ସ୍ତ୍ରୀ ନିମନ୍ତେ ତୁମ୍ଭର ନିରୂପିତ ମୂଲ୍ୟ ତିନି ଶେକଲ ରୂପା ହେବ। 7 ପୁଣି ଷାଠିଏ ବର୍ଷରୁ ଅଧିକ ବର୍ଷ ବୟସ ହେଲେ, ତୁମ୍ଭର ନିରୂପିତ ମୂଲ୍ୟ ପୁରୁଷ ନିମନ୍ତେ ପନ୍ଦର ଶେକଲ ଓ ସ୍ତ୍ରୀ ନିମନ୍ତେ ଦଶ ଶେକଲ ହେବ। 8 ମାତ୍ର ସେ ତୁମ୍ଭର ନିରୂପିତ ମୂଲ୍ୟ ଅପେକ୍ଷା ଦରିଦ୍ର ହେଲେ, ଯାଜକ ସମ୍ମୁଖକୁ ଅଣାଯିବ, ତହୁଁ ଯାଜକ ତାହାର ମୂଲ୍ୟ ନିରୂପଣ କରିବ; ମାନତକାରୀର ଶକ୍ତି ଅନୁସାରେ ଯାଜକ ତାହାର ମୂଲ୍ୟ ନିରୂପଣ କରିବ। 9 ଆଉ ଲୋକମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଉପହାର ଉତ୍ସର୍ଗ କରନ୍ତି, ତାହା ପଶୁ ହେଲେ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତ ସେହିସବୁ ପଶୁ ପବିତ୍ର ହେବ। 10 ସେ ତାହା ଅନ୍ୟଥା କି ପରିବର୍ତ୍ତନ କରିବ ନାହିଁ। ମନ୍ଦ ପାଲଟେ ଭଲ, କି ଭଲ ପାଲଟେ ମନ୍ଦ ଦେବ ନାହିଁ; ଯେବେ ସେ କୌଣସିମତେ ପଶୁର ପାଲଟେ ପଶୁ ଦେବ, ତେବେ ତାହା ଓ ତହିଁ ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ। 11 ଆଉ ଯାହା ଦ୍ଵାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରାଯାଏ ନାହିଁ, ଏପରି କୌଣସି ଅଶୁଚି ପଶୁ ଯେବେ ଦିଆଯାଏ, ତେବେ ସେ ସେହି ପଶୁକୁ ଯାଜକ ସମ୍ମୁଖରେ ଉପସ୍ଥିତ କରିବ। 12 ପୁଣି ସେହି ପଶୁ ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ତୁମ୍ଭର, ଅର୍ଥାତ୍, ଯାଜକର ନିରୂପଣ ଅନୁସାରେ ତହିଁର ମୂଲ୍ୟ ହେବ। 13 ମାତ୍ର ଯେବେ ସେ କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। 14 ଆଉ ଯେବେ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର କରିବା ପାଇଁ ଆପଣା ଗୃହ ପ୍ରତିଷ୍ଠା କରେ, ତେବେ ତାହା ଭଲ କି ମନ୍ଦ ହେଉ, ଯାଜକ ତହିଁର ମୂଲ୍ୟ ନିରୂପଣ କରିବ; ଯାଜକ ତହିଁର ଯେଉଁ ମୂଲ୍ୟ ନିରୂପଣ କରିବ, ତାହା ସ୍ଥିର ହେବ। 15 ଆଉ, ଯେବେ ଗୃହ-ପ୍ରତିଷ୍ଠାକାରୀ ଆପଣା ଗୃହ ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ। 16 ଆଉ ଯେବେ କୌଣସି ମନୁଷ୍ୟ ଆପଣା ଅଧିକୃତ କ୍ଷେତ୍ରର କୌଣସି ଅଂଶ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ, ତେବେ ତୁମ୍ଭର ମୂଲ୍ୟ-ନିରୂପଣ ତାହାର ବପନୀୟ ବିହନ ଅନୁସାରେ ହେବ; ଏକ ହୋମର-ପରିମିତ ଯବ-ବିହନର ମୂଲ୍ୟ ପଚାଶ ଶେକଲ ରୂପା ହେବ। 17 ଯେବେ ସେ ଯୋବେଲ-ବର୍ଷଠାରୁ ଆପଣା କ୍ଷେତ୍ର ପ୍ରତିଷ୍ଠା କରେ, ତେବେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ସ୍ଥିର ହେବ। 18 ମାତ୍ର ଯେବେ ସେ ଯୋବେଲ ଉତ୍ତାରେ ଆପଣା କ୍ଷେତ୍ର ପ୍ରତିଷ୍ଠା କରେ, ତେବେ ଯାଜକ ଯୋବେଲ-ବର୍ଷ ପର୍ଯ୍ୟନ୍ତ ଅବଶିଷ୍ଟ ବର୍ଷର ସଂଖ୍ୟାନୁସାରେ ତାହା ସହିତ ମୂଲ୍ୟର ଗଣନା କରିବ, ପୁଣି ତଦନୁସାରେ ତୁମ୍ଭ ନିରୂପିତ ମୂଲ୍ୟରୁ ଊଣା କରାଯିବ। 19 ଆଉ ସେହି କ୍ଷେତ୍ର-ପ୍ରତିଷ୍ଠାକାରୀ ଲୋକ ଯେବେ କୌଣସିମତେ ତାହା ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତୁମ୍ଭ ନିରୂପିତ ରୂପାର ପଞ୍ଚମାଂଶ ଅଧିକ ଦେବ, ତହିଁରେ ତାହା ତାହାର ହେବ। 20 ମାତ୍ର ଯେବେ ସେ ଆପଣା କ୍ଷେତ୍ର ମୁକ୍ତ ନ କରେ, କିଅବା ଯେବେ ସେ ସେହି କ୍ଷେତ୍ର ଅନ୍ୟକୁ ବିକେ, ତେବେ ତାହା ଆଉ କେବେ ମୁକ୍ତ ହେବ ନାହିଁ। 21 ମାତ୍ର ସେହି କ୍ଷେତ୍ର ଯୋବେଲ ସମୟରେ ମୁକ୍ତ ହେଲେ, ତାହା ବର୍ଜିତ କ୍ଷେତ୍ର ତୁଲ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ; ତହିଁରେ ଯାଜକର ଅଧିକାର ହେବ। 22 ଆଉ ଯେଉଁ କ୍ଷେତ୍ର ଆପଣାର ସମ୍ପତ୍ତି ନୁହେଁ , ତାହା କେହି ଯେବେ କିଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠା କରେ; 23 ତେବେ ଯାଜକ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ଯୋବେଲ-ବର୍ଷ ପର୍ଯ୍ୟନ୍ତ ତାହା ପାଇଁ ଗଣନା କରିବ; ପୁଣି ସେ ସେହିଦିନ ତୁମ୍ଭର ନିରୂପିତ ମୂଲ୍ୟ ଦେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ବସ୍ତୁ ତୁଲ୍ୟ। 24 ଯାହାଠାରୁ ସେହି କ୍ଷେତ୍ର କିଣାଗଲା, ଅର୍ଥାତ୍, ଭୂମି ଯାହାର ସମ୍ପତ୍ତି ଅଟେ, ତାହା ଯୋବେଲ-ବର୍ଷରେ ତାହାକୁ ଫେରାଇ ଦିଆଯିବ। 25 ପୁଣି ତୁମ୍ଭର ନିରୂପିତ ସମସ୍ତ ମୂଲ୍ୟ ପବିତ୍ର ସ୍ଥାନର ଶେକଲ ଅନୁସାରେ ହେବ; କୋଡ଼ିଏ ଗେରାରେ ଏକ ଶେକଲ ହୁଏ। 26 ପଶୁମାନଙ୍କ ମଧ୍ୟରେ କେବଳ ପ୍ରଥମଜାତ ପଶୁ, ଯାହା ସଦାପ୍ରଭୁଙ୍କର ପ୍ରଥମଜାତ ହୁଏ, ତାହା କୌଣସି ମନୁଷ୍ୟ ପ୍ରତିଷ୍ଠା କରିବ ନାହିଁ; ଗୋରୁ କି ମେଷ ହେଉ, ତାହା ସଦାପ୍ରଭୁଙ୍କର ଅଟେ। 27 ପୁଣି ଯେବେ ତାହା ଅଶୁଚି ପଶୁ ହୁଏ, ତେବେ ସେ ତୁମ୍ଭ ନିରୂପିତ ମୂଲ୍ୟ ଅନୁସାରେ ତାହା ମୁକ୍ତ କରିବ, ପୁଣି ସେହି ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ; ମୁକ୍ତ କରା ନ ଗଲେ ତୁମ୍ଭର ନିରୂପିତ ମୂଲ୍ୟ ଅନୁସାରେ ତାହା ବିକ୍ରୀତ ହେବ। 28 ଆଉ କୌଣସି ମନୁଷ୍ୟ ଆପଣା ସର୍ବସ୍ଵରୁ, ଅର୍ଥାତ୍, ମନୁଷ୍ୟ କି ପଶୁ କି ଅଧିକୃତ କ୍ଷେତ୍ରରୁ ଯାହା କିଛି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜନ କରେ,ଏପରି କୌଣସି ବର୍ଜିତ ବସ୍ତୁ ବିକ୍ରୀତ ବା ମୁକ୍ତ ହେବ ନାହିଁ; ପ୍ରତ୍ୟେକ ବର୍ଜିତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଅଟେ। 29 ମନୁଷ୍ୟମାନଙ୍କ ମଧ୍ୟରେ ଯେ ବର୍ଜିତ ହେବ, ଏପରି ବର୍ଜିତ କେହି ମୁକ୍ତ କରାଯିବ ନାହିଁ; ସେ ନିତା; ହତ ହେବ। 30 ପୁଣି ଭୂମିର ଶସ୍ୟ କି ବୃକ୍ଷର ଫଳ ହେଉ, ଭୂମିରୁ ଉତ୍ପନ୍ନ ସମସ୍ତ ଦ୍ରବ୍ୟର ଦଶମାଂଶ ସଦାପ୍ରଭୁଙ୍କର ହେବ, ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। 31 ଆଉ ଯେବେ କେହି ଆପଣା ଦଶମାଂଶରୁ କିଛି ମୁକ୍ତ କରିବାକୁ ଇଚ୍ଛା କରେ, ତେବେ ସେ ତହିଁର ମୂଲ୍ୟର ପଞ୍ଚମାଂଶ ଅଧିକ ଦେବ। 32 ପୁଣି ଗୋମେଷାଦି ପଲର ଦଶମାଂଶ, ଅର୍ଥାତ୍, ପାଞ୍ଚଣ-ତଳ ଦେଇ ଗମନକାରୀ ସବୁ ପଶୁ ମଧ୍ୟରେ ପ୍ରତ୍ୟେକ ଦଶମ ପଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ। 33 ତାହା ଭଲ କି ମନ୍ଦ, ଏଥିର ସେ ଅନୁସନ୍ଧାନ କରିବ ନାହିଁ, କିଅବା ତହିଁର ବଦଳ କରିବ ନାହିଁ; ପୁଣି ଯେବେ ସେ କୌଣସିମତେ ବଦଳ କରେ, ତେବେ ତାହା ଓ ତାହା ପାଇଁ ଯାହା ବଦଳ କରାଯାଏ, ଦୁହେଁ ପବିତ୍ର ହେବେ, ତାହା ମୁକ୍ତ କରାଯିବ ନାହିଁ। 34 ସଦାପ୍ରଭୁ ସୀନୟ ପର୍ବତରେ ଇସ୍ରାଏଲ-ସନ୍ତାନଗଣ ନିମନ୍ତେ ମୋଶାଙ୍କୁ ଯେଉଁ ଆଜ୍ଞା ଦେଇଥିଲେ, ସେହି ସକଳ ଆଜ୍ଞା ଏହି। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India