ଲେବୀୟ ପୁସ୍ତକ 12 - ପବିତ୍ର ବାଇବଲ (Re-edited) - (BSI)ପ୍ରସୂତିମାନଙ୍କର ଶୁଚିକରଣ 1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 2 ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ, ଯେବେ କୌଣସି ସ୍ତ୍ରୀ ଗର୍ଭଧାରଣ କରି ପୁତ୍ର ପ୍ରସବ କରେ, ତେବେ ସେ ଯେପରି ସ୍ତ୍ରୀଧର୍ମର ଅଶୌଚ ସମୟରେ, ସେପରି ସାତ ଦିନଯାଏ ଅଶୁଚି ରହିବ। 3 ତହୁଁ ଅଷ୍ଟମ ଦିନରେ ବାଳକର ପୁରୁଷାଙ୍ଗଚର୍ମର ଛେଦ ହେବ। 4 ପୁଣି ସେ ସ୍ତ୍ରୀ ତେତିଶ୍ ଦିନ ପର୍ଯ୍ୟନ୍ତ ଆପଣାର ଶୌଚ ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ; ଆଉ ଯେପର୍ଯ୍ୟନ୍ତ ଶୌଚର ଦିନ ପୂର୍ଣ୍ଣ ନ ହୁଏ, ସେପର୍ଯ୍ୟନ୍ତ ସେ କୌଣସି ପବିତ୍ର ବସ୍ତୁ ଛୁଇଁବ ନାହିଁ; କିଅବା ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। 5 ମାତ୍ର ଯେବେ ସେ କନ୍ୟା ପ୍ରସବ କରେ, ତେବେ ସେ ଯେପରି ସ୍ତ୍ରୀଧର୍ମର ଅଶୌଚ ସମୟରେ, ସେପରି ଦୁଇ ସପ୍ତାହ ଅଶୁଚି ରହିବ; ପୁଣି ସେ ଛଷଠି ଦିନ ଆପଣା ଶୌଚ ନିମନ୍ତେ ରକ୍ତସ୍ରାବ ଅବସ୍ଥାରେ ରହିବ। 6 ତହିଁ ଉତ୍ତାରେ ପୁତ୍ର ବା କନ୍ୟା ପ୍ରସବର ଅଶୌଚ ଦିନ ପୂର୍ଣ୍ଣ ହେଲେ, ସେ ହୋମବଳି ନିମନ୍ତେ ଏକବର୍ଷୀୟ ଏକ ମେଷବତ୍ସ ଓ ପାପାର୍ଥକ ବଳି ନିମନ୍ତେ ଏକ କାପ୍ତାଛୁଆ ବା ଏକ ଘୁଘୁ ସମାଗମ-ତମ୍ଵୁଦ୍ଵାରର ଯାଜକ ନିକଟକୁ ଆଣିବ। 7 ତହୁଁ ସେ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଉତ୍ସର୍ଗ କରି ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଆପଣା ରକ୍ତସ୍ରାବରୁ ଶୁଚି ହେବ; ପୁତ୍ର ବା କନ୍ୟା ପ୍ରସବକାରିଣୀ ନିମନ୍ତେ ଏହି ବ୍ୟବସ୍ଥା। 8 ମାତ୍ର ଯେବେ ସେ ମେଷବତ୍ସ ଆଣିବାକୁ ଅସମର୍ଥ ହୁଏ, ତେବେ ସେ ଦୁଇ ଘୁଘୁ ଅବା ଦୁଇ କାପ୍ତାଛୁଆ ନେଇ, ତହିଁରୁ ଗୋଟିକି ହୋମାର୍ଥେ ଓ ଅନ୍ୟଟିକି ପାପାର୍ଥେ ଉତ୍ସର୍ଗ କରିବ; ପୁଣି ଯାଜକ ତାହା ନିମନ୍ତେ ପ୍ରାୟଶ୍ଚିତ୍ତ କରିବ, ତହିଁରେ ସେ ଶୁଚି ହେବ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India