Biblia Todo Logo
Bìoball air-loidhne

- Sanasan -

ଯିହୋଶୂୟ 20 - ପବିତ୍ର ବାଇବଲ (Re-edited) - (BSI)


ଆଶ୍ରୟ ନଗରସମୂହ

1 ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ;

2 ଆମ୍ଭେ ମୋଶା ହାତରେ ଯେଉଁସବୁ ଆଶ୍ରୟ ନଗର ବିଷୟ ତୁମ୍ଭମାନଙ୍କୁ କହିଅଛୁ, ତାହା ତୁମ୍ଭେମାନେ ଆପଣାମାନଙ୍କ ପାଇଁ ନିରୂପଣ କର।

3 ତହିଁରେ ଯେଉଁ ନରହତ୍ୟାକାରୀ ଭ୍ରାନ୍ତିରେ ଓ ଅଜ୍ଞାତସାରରେ କାହାକୁ ବଧ କରେ, ସେ ସେଠାକୁ ପଳାଇ ଯାଇ ପାରିବ; ପୁଣି ସେହିସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ନଗର ହେବ।

4 ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ଵାରର ପ୍ରବେଶ-ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କ କର୍ଣ୍ଣଗୋଚରରେ ଆପଣାର କଥା କହିବ, ତହୁଁ ସେମାନେ ନଗର ମଧ୍ୟରେ ଆପଣାମାନଙ୍କ ନିକଟକୁ ତାହାକୁ ଆଣି ଆପଣାମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ।

5 ପୁଣି ରକ୍ତର ପ୍ରତିହନ୍ତା ତାହା ପଛେ ପଛେ ଗୋଡ଼ାଇଲେ, ସେମାନେ ନରହତ୍ୟାକାରୀକି ତାହା ହସ୍ତରେ ସମର୍ପଣ କରିବେ ନାହିଁ; କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକି ବଧ କରିଅଛି ଓ ସେ ପୂର୍ବରେ ତାହାକୁ ହିଂସା କରି ନ ଥିଲା।

6 ଏହି ନିମନ୍ତେ ସେ ବିଚାରାର୍ଥେ ମଣ୍ତଳୀ ସାକ୍ଷାତରେ ଠିଆ ହେବାଯାଏ, ପୁଣି ସେହି ସମୟର ମହାଯାଜକର ମୃତ୍ୟୁ ହେବାଯାଏ ସେ ସେହି ନଗରରେ ବାସ କରିବ; ତହିଁ ଉତ୍ତାରୁ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ଆପଣା ନିଜର ସେହି ନଗରକୁ ଓ ଆପଣା ନିଜ ଗୃହକୁ ଫେରି ଆସିବ।

7 ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଓ ଇଫ୍ରୟିମ ପର୍ବତମୟ ଦେଶରେ ଶିଖିମ ଓ ଯିହୁଦାର ପର୍ବତମୟ ଦେଶରେ କିରୀୟଥର୍ବ (ଏହାକୁ ହିବ୍ରୋଣ କହନ୍ତି) ପ୍ରତିଷ୍ଠା କଲେ।

8 ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦ୍ ବଂଶର ଗିଲୀୟଦରେ ରାମୋତ୍ ଓ ମନଃଶି ବଂଶର ବାଶନରେ ଗୋଲନ୍ ନିରୂପଣ କଲେ।

9 କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ତଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସାଏଲ-ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan