Biblia Todo Logo
Bìoball air-loidhne

- Sanasan -

ଯୂନସ 2 - ପବିତ୍ର ବାଇବଲ (Re-edited) - (BSI)


ଯୂନସଙ୍କ ପ୍ରାର୍ଥନା

1 ସେତେବେଳେ ଯୂନସ ସେହି ମତ୍ସ୍ୟ ଉଦରରେ ଥାଇ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କଲେ।

2 ଆଉ, ସେ କହିଲେ, ମୁଁ ଆପଣା ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି, ତହିଁରେ ସେ ମୋତେ ଉତ୍ତର ଦେଲେ, ମୁଁ ପାତାଳର ଉଦରରୁ ପ୍ରାର୍ଥନା କଲି, ତୁମ୍ଭେ ମୋର ରବ ଶୁଣିଲ।

3 କାରଣ ତୁମ୍ଭେ ସମୁଦ୍ର ଗର୍ଭର ଗଭୀର ଜଳରେ ମୋତେ ନିକ୍ଷେପ କଲ, ତହିଁରେ ସ୍ରୋତ ମୋତେ ଚାରିଆଡ଼େ ଘେରିଲା; ତୁମ୍ଭର ଢେଉ ଓ ତରଙ୍ଗସବୁ ମୋʼ ଉପର ଦେଇ ଗଲା।

4 ଆଉ, ମୁଁ କହିଲି, ମୁଁ ତୁମ୍ଭ ଦୃଷ୍ଟିଗୋଚରରୁ ଦୂରୀକୃତ ହୋଇଅଛି; ତଥାପି ମୁଁ ପୁନର୍ବାର ତୁମ୍ଭ ପବିତ୍ର ମନ୍ଦିର ଆଡ଼େ ଦୃଷ୍ଟିପାତ କରିବି।

5 ଜଳରାଶି ପ୍ରାଣ ପର୍ଯ୍ୟନ୍ତ ହିଁ ମୋତେ ଘେରିଲା; ଗଭୀର ସାଗର ମୋତେ ଚାରିଆଡ଼େ ଘେରିଲା; ସମୁଦ୍ରର ଦଳ ମୋʼ ମସ୍ତକର ଚାରିଆଡ଼େ ଜଡ଼ିତ ହେଲା।

6 ମୁଁ ପର୍ବତଗଣର ମୂଳ ପର୍ଯ୍ୟନ୍ତ ତଳକୁ ଗଲି; ମୋʼ ପଶ୍ଚାତ୍ ପୃଥିବୀ ଆପଣାର ଅର୍ଗଳସକଳ ଚିରକାଳ ନିମନ୍ତେ ରୁଦ୍ଧ କଲା; ତଥାପି ହେ ସଦାପ୍ରଭୁ, ମୋʼ ପରମେଶ୍ଵର, ତୁମ୍ଭେ ଗର୍ତ୍ତରୁ ମୋʼପ୍ରାଣକୁ ବାହାର କରି ଆଣିଲ।

7 ମୋʼ ମଧ୍ୟରେ ମୋʼ ପ୍ରାଣ ମୂର୍ଚ୍ଛିତ ହେବା ବେଳେ ମୁଁ ସଦାପ୍ରଭୁଙ୍କୁ ସ୍ମରଣ କଲି; ପୁଣି, ମୋʼ ପ୍ରାର୍ଥନା ତୁମ୍ଭ ନିକଟରେ, ତୁମ୍ଭ ପବିତ୍ର ମନ୍ଦିରରେ ଉପସ୍ଥିତ ହେଲା।

8 ଯେଉଁମାନେ ମିଥ୍ୟା ଅସାର ବସ୍ତୁ ମାନନ୍ତି, ସେମାନେ ନିଜ ଦୟାନିଧିଙ୍କୁ ପରିତ୍ୟାଗ କରନ୍ତି।

9 ମାତ୍ର ମୁଁ ଧନ୍ୟବାଦ ସହିତ ତୁମ୍ଭ ଉଦ୍ଦେଶ୍ୟରେ ବଳିଦାନ କରିବି; ମୁଁ ଯାହା ମାନତ କରିଅଛି, ତାହା ପରିଶୋଧ କରିବି; ପରିତ୍ରାଣ ସଦାପ୍ରଭୁଙ୍କଠାରୁ ହୁଏ।

10 ଏଥିରେ ସଦାପ୍ରଭୁ ସେହି ମତ୍ସ୍ୟକୁ ଆଜ୍ଞା କରନ୍ତେ, ସେ ଯୂନସଙ୍କୁ ଶୁଷ୍କ ଭୂମିରେ ଉଦ୍ଗାର କଲା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan