Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 4 - ପବିତ୍ର ବାଇବଲ (Re-edited) - (BSI)

1 ସଦାପ୍ରଭୁ କହନ୍ତି, ହେ ଇସ୍ରାଏଲ, ଯେବେ ତୁମ୍ଭେ ଫେରିବ, ତେବେ ଆମ୍ଭ ନିକଟକୁ ତୁମ୍ଭେ ଫେରି ଆସିବ; ଆଉ, ଯେବେ ତୁମ୍ଭେ ଆମ୍ଭ ଦୃଷ୍ଟିରୁ ତୁମ୍ଭର ଘୃଣାଯୋଗ୍ୟ ବିଷୟସବୁ ଦୂର କରିବ, ତେବେ ତୁମ୍ଭେ ସ୍ଥାନାନ୍ତରୀକୃତ ନୋହିବ;

2 ଆଉ, ତୁମ୍ଭେ ସତ୍ୟରେ ଓ ନ୍ୟାୟରେ ଓ ଧାର୍ମିକତାରେ ଜୀବତ ସଦାପ୍ରଭୁଙ୍କ ନାମରେ ଶପଥ କରିବ; ତହିଁରେ ନାନା ଦେଶୀୟମାନେ ତାହାଙ୍କଠାରେ ଆପଣାମାନଙ୍କୁ ଆଶୀର୍ବାଦର ପାତ୍ର କରିବେ ଓ ତାହାଙ୍କଠାରେ ଦର୍ପ କରିବେ।

3 କାରଣ ସଦାପ୍ରଭୁ ଯିହୁଦାର ଓ ଯିରୂଶାଲମର ଲୋକମାନଙ୍କୁ ଏହି କଥା କହନ୍ତି, ତୁମ୍ଭେମାନେ ଆପଣା-ମାନଙ୍କର ପଡ଼ିଆ-ଭୂମି ଚାଷ କର ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ।

4 ହେ ଯିହୁଦାର ଲୋକେ ଓ ଯିରୂଶାଲମର ନିବାସୀ-ଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା-ମାନଙ୍କୁ ସୁନ୍ନତ କର ଓ ଆପଣା ଆପଣା ହୃଦୟର ଅଗ୍ରଚର୍ମ କାଢ଼ି ପକାଅ; ନୋହିଲେ; ତୁମ୍ଭମାନଙ୍କ କ୍ରିୟାର ଦୁଷ୍ଟତା ସକାଶୁ ଆମ୍ଭର କୋପ ଅଗ୍ନି ତୁଲ୍ୟ ବାହାରି ପ୍ରଜ୍ଵଳିତ ହେବ ଓ କେହି ତାହା ନିଭାଇ ପାରିବ ନାହିଁ।


ଯିହୁଦା ଉପରେ ଶତ୍ରୁ ଆକ୍ରମଣର ଧମକ

5 ତୁମ୍ଭେମାନେ ଯିହୁଦାରେ ପ୍ରଚାର କର ଓ ଯିରୂଶାଲମରେ ଘୋଷଣା କର; ଆଉ କୁହ, ତୁମ୍ଭେମାନେ ଦେଶରେ ତୂରୀ ବଜାଅ; ଉଚ୍ଚସ୍ଵର କରି କୁହ, ତୁମ୍ଭେମାନେ ଏକତ୍ର ହୁଅ, ଆସ, ଆମ୍ଭେମାନେ ଦୃଢ଼ ନଗରମାନଙ୍କୁ ଯାଉ।

6 ସିୟୋନ ଆଡ଼େ ଧ୍ଵଜା ଟେକ, ରକ୍ଷା ନିମନ୍ତେ ପଳାଅ, ବିଳମ୍ଵ କର ନାହିଁ; କାରଣ ଆମ୍ଭେ ଉତ୍ତର ଦିଗରୁ ଅମଙ୍ଗଳ ଓ ମହାବିନାଶ ଆଣିବା।

7 ସିଂହ ଆପଣା ଗହ୍ଵରରୁ ବାହାରି ଅଛି, ନାନା ଦେଶୀୟମାନଙ୍କର ବିନାଶକ ଆସୁଅଛି; ତୁମ୍ଭ ନଗରସମୂହ ଯେପରି ଉଚ୍ଛିନ୍ନ, ନିବାସୀବିହୀନ ହେବ, ଏଥିପାଇଁ ତୁମ୍ଭ ଦେଶକୁ ଉଜାଡ଼ କରିବାକୁ ସେ ବାଟରେ ଅଛି, ସେ ଆପଣା ସ୍ଥାନରୁ ବାହାରି ଅଛି ।

8 ଏଥି ସକାଶୁ ତୁମ୍ଭେମାନେ ଚଟ ପିନ୍ଧି ବିଳାପ ଓ ହାହାକାର କର; କାରଣ ସଦାପ୍ରଭୁଙ୍କର ପ୍ରଚଣ୍ତ କ୍ରୋଧ ଆମ୍ଭମାନଙ୍କଠାରୁ ଫେରି ନାହିଁ।

9 ପୁଣି ସଦାପ୍ରଭୁ କହନ୍ତି, ସେହି ଦିନ ରାଜାର ହୃଦୟ ଓ ଅଧିପତିଗଣର ହୃଦୟ କ୍ଷୟ ପାଇବ ଓ ଯାଜକଗଣ ଚମତ୍କୃତ ହେବେ ଓ ଭବିଷ୍ୟଦ୍ବକ୍ତାମାନେ ବିସ୍ମୟାପନ୍ନ ହେବେ।

10 ଏଥିରେ ମୁଁ କହିଲି, ହାୟ ହାୟ, ହେ ପ୍ରଭୁ, ସଦାପ୍ରଭୁ, ତୁମ୍ଭେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ ତୁମ୍ଭମାନଙ୍କର ଶାନ୍ତି ହେବ ବୋଲି କହି ନିଶ୍ଚୟ ଅତିଶୟ ଭ୍ରାନ୍ତ କରିଅଛ; ଯେହେତୁ ଖଡ଼୍‍ଗ ପ୍ରାଣକୁ ଆଘାତ କରୁଅଛି।

11 ସେସମୟରେ ଏହି ଲୋକମାନଙ୍କୁ ଓ ଯିରୂଶାଲମକୁ କୁହାଯିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କର କନ୍ୟା ଆଡ଼କୁ ଉଷ୍ମ ବାୟୁ ଆସୁଅଛି, ତାହା ଶସ୍ୟ ଝାଡ଼ିବା କି ପରିଷ୍କାର କରିବା ନିମନ୍ତେ ନୁହେଁ;

12 ସେହିସବୁ ସ୍ଥାନରୁ ଘୂର୍ଣ୍ଣିବାୟୁ ଆମ୍ଭ ସପକ୍ଷରେ ଆସିବ; ଏବେ ଆମ୍ଭେ ହିଁ ଲୋକମାନଙ୍କ ବିରୁଦ୍ଧରେ ଦଣ୍ତାଜ୍ଞା ପ୍ରକାଶ କରିବା।


ଯିହୁଦାର ଚତୁର୍ଦ୍ଦିଗରେ ଶତ୍ରୁ ସମାବେଶ

13 ଦେଖ, ସେ ମେଘମାଳା ତୁଲ୍ୟ ଆସୁଅଛି, ତାହାର ରଥସବୁ ଘୂର୍ଣ୍ଣିବାୟୁ ସ୍ଵରୂପ ହେବ; ତାହାର ଅଶ୍ଵଗଣ ଉତ୍କୋଶ ପକ୍ଷୀ ଅପେକ୍ଷା ଦ୍ରୁତଗାମୀ। ହାୟ ହାୟ! ଆମ୍ଭେମାନେ ବିନଷ୍ଟ ହେଲୁ।

14 ହେ ଯିରୂଶାଲମ, ଉଦ୍ଧାର ପାଇବା ନିମନ୍ତେ ଦୁଷ୍ଟତାରୁ ଆପଣା ହୃଦୟ ଧୁଅ। ତୁମ୍ଭର ମନ୍ଦ କଳ୍ପନାସବୁ କେତେ କାଳ ତୁମ୍ଭ ମଧ୍ୟରେ ବାସ କରିବ?

15 କାରଣ ଦାନ୍ ନଗରଠାରୁ ଏକ ରବ ପ୍ରଚାର କରେ ଓ ଇଫ୍ରୟିମ ପର୍ବତମାଳାରୁ ଅମଙ୍ଗଳ ଘୋଷଣା କରେ;

16 ତୁମ୍ଭେମାନେ ନାନା ଦେଶୀୟମାନଙ୍କୁ ଜଣାଅ; ଦେଖ, ଯିରୂଶାଲମ ବିରୁଦ୍ଧରେ ଘୋଷଣା କର, ଦୂର ଦେଶରୁ ଅବରୋଧକାରୀମାନେ ଆସୁଅଛନ୍ତି ଓ ସେମାନେ ଯିହୁଦାର ନଗରସମୂହର ବିରୁଦ୍ଧରେ ହୁଙ୍କାର କରୁଅଛନ୍ତି।

17 ସେମାନେ କ୍ଷେତ୍ର-ରକ୍ଷକମାନଙ୍କ ପରି ତାହାର ଚାରିଆଡ଼େ ଅଛନ୍ତି,କାରଣ ସଦାପ୍ରଭୁ କହନ୍ତି, ସେ ଆମ୍ଭର ବିଦ୍ରୋହାଚାରିଣୀ ହୋଇଅଛି।

18 ତୁମ୍ଭର ଆଚରଣ ଓ ତୁମ୍ଭର କ୍ରିୟା ଏହିସବୁ ତୁମ୍ଭ ପ୍ରତି ଘଟାଇଅଛି; ଏହା ତୁମ୍ଭ ଦୁଷ୍ଟତାର ଫଳ, ହଁ, ତାହା ତିକ୍ତ, ହଁ, ତାହା ମର୍ମଭେଦକ।


ଯିହୁଦାର ଉଚ୍ଛିନ୍ନତା ପାଇଁ ଯିରିମୀୟଙ୍କ ଶୋକ

19 ହାୟ, ମୋହର ଅନ୍ତ୍ର ! ମୋହର ଅନ୍ତ୍ର ! ମୁଁ ହୃଦୟରେ ବ୍ୟଥିତ ଅଛି; ମୋର ହୃଦୟ ମୋʼ ମଧ୍ୟରେ ଅସ୍ଥିର ହେଉଅଛି; ମୁଁ ନୀରବ ରହି ନ ପାରେ; କାରଣ ହେ ମୋହର ପ୍ରାଣ, ତୁମ୍ଭେ ତୂରୀଶଦ୍ଦ ଓ ଯୁଦ୍ଧର ନାଦ ଶୁଣିଅଛ।

20 ବିନାଶ ଉପରେ ବିନାଶ ପ୍ରଚାରିତ ହେଉଅଛି; କାରଣ ସମୁଦାୟ ଦେଶ ଉଚ୍ଛିନ୍ନ ହୋଇଅଛି; ଅକସ୍ମାତ୍ ମୋହର ତମ୍ଵୁ, ଏକ ନିମିଷ ମଧ୍ୟରେ ମୋହର ଯବନିକାସବୁ ଉଚ୍ଛିନ୍ନ ହେଲା।

21 ମୁଁ କେତେ କାଳ ପତାକା ଦେଖିବି ଓ ତୂରୀର ଶଦ୍ଦ ଶୁଣିବି?

22 କାରଣ ଆମ୍ଭର ଲୋକମାନେ ଅଜ୍ଞାନ, ସେମାନେ ଆମ୍ଭକୁ ଚିହ୍ନନ୍ତି ନାହିଁ; ସେମାନେ ନିର୍ବୋଧ ବାଳକ, ସେମାନଙ୍କର କିଛି ବିବେଚନା ନାହିଁ; ସେମାନେ କୁକର୍ମ କରିବାକୁ ପଟୁ, ମାତ୍ର ସୁକର୍ମ କରିବାକୁ ସେମାନଙ୍କର କିଛି ଜ୍ଞାନ ନାହିଁ।

23 ମୁଁ ପୃଥିବୀକି ଅନାଇଲି, ଆଉ ଦେଖ, ତାହା ନିର୍ଜନ ଓ ଶୂନ୍ୟ ଥିଲା; ଆକାଶମଣ୍ତଳକୁ ଅନାଇଲି, ଆଉ ତହିଁରେ ଦୀପ୍ତି ନ ଥିଲା।

24 ମୁଁ ପର୍ବତମାଳାକୁ ଅନାଇଲି, ଆଉ ଦେଖ, ସେସବୁ କମ୍ପିଲେ ଓ ଉପପର୍ବତସବୁ ଏଣେତେଣେ ଦୋହଲିଲେ।

25 ମୁଁ ଅନାଇଲି, ଆଉ ଦେଖ, କେହି ମନୁଷ୍ୟ ନ ଥିଲା ଓ ଆକାଶର ପକ୍ଷୀସବୁ ପଳାଇ ଯାଇଥିଲେ।

26 ମୁଁ ଅନାଇଲି, ଆଉ ଦେଖ, ସଦାପ୍ରଭୁଙ୍କ ଛାମୁରେ ଓ ତାହାଙ୍କ ପ୍ରଚଣ୍ତ କ୍ରୋଧ ସମ୍ମୁଖରେ ଉର୍ବରାକ୍ଷେତ୍ର, ମରୁଭୂମି ଓ ତହିଁର ନଗରସକଳ ଭଗ୍ନ ହୋଇଥିଲା।

27 କାରଣ ସଦାପ୍ରଭୁ ଏହି କଥା କହନ୍ତି, ସମୁଦାୟ ଦେଶ ଧ୍ଵଂସସ୍ଥାନ ହେବ; ତଥାପି ଆମ୍ଭେ ନିଃଶେଷ ରୂପେ ନାଶ କରିବା ନାହିଁ।

28 ଏଥି ସକାଶୁ ପୃଥିବୀ ଶୋକ କରିବ ଓ ଉପରିସ୍ଥ ଆକାଶମଣ୍ତଳ କୃଷ୍ଣବର୍ଣ୍ଣ ହେବ; କାରଣ ଆମ୍ଭେ ଏହା କହିଅଛୁ, ଆମ୍ଭେ ଏହା ମନରେ ସ୍ଥିର କରିଅଛୁ ଓ ଆମ୍ଭେ ଦୁଃଖିତ ହୋଇ ନାହୁଁ, କିଅବା ଆମ୍ଭେ ଏଥିରୁ ଫେରିବୁ ନାହିଁ ।

29 ଅଶ୍ଵାରୋହୀ ଓ ଧନୁର୍ଦ୍ଧାରୀମାନଙ୍କ ରବ ସକାଶୁ ସମୁଦାୟ ନଗର ପଳାୟନ କରେ; ସେମାନେ ନିବିଡ଼ ବନକୁ ଯାଆନ୍ତି ଓ ଶୈଳ ଉପରେ ଚଢ଼ନ୍ତି; ପ୍ରତ୍ୟେକ ନଗର ତ୍ୟକ୍ତ ହୋଇଅଛି ଓ ତହିଁ ମଧ୍ୟରେ ଜଣେ ମନୁଷ୍ୟ ସୁଦ୍ଧା ବାସ କରେ ନାହିଁ।

30 ଆଉ, ତୁମ୍ଭେ ଯେତେବେଳେ ଉଚ୍ଛିନ୍ନ ହେବ, ସେତେବେଳେ ତୁମ୍ଭେ କଅଣ କରିବ? ଯଦ୍ୟପି ତୁମ୍ଭେ ସିନ୍ଦୂରବର୍ଣ୍ଣ ବସ୍ତ୍ର ପରିଧାନ କରୁଅଛ, ଯଦ୍ୟପି ତୁମ୍ଭେ ସୁବର୍ଣ୍ଣ ଅଳଙ୍କାରରେ ଆପଣାକୁ ଭୂଷିତା କରୁଅଛ, ଯଦ୍ୟପି ତୁମ୍ଭେ ଅଞ୍ଜନ ଦ୍ଵାରା ଆପଣା ଚକ୍ଷୁ ପ୍ରସାରୁଅଛ, ତଥାପି ତୁମ୍ଭେ ବ୍ୟର୍ଥରେ ଆପଣାକୁ ସୁନ୍ଦର କରୁଅଛ; ତୁମ୍ଭର ଜାରପୁରୁଷମାନେ ତୁମ୍ଭକୁ ଘୃଣା କରନ୍ତି, ସେମାନେ ତୁମ୍ଭ ପ୍ରାଣନାଶ କରିବାକୁ ଚେଷ୍ଟା କରନ୍ତି।

31 କାରଣ ପ୍ରସବକାରିଣୀ ସ୍ତ୍ରୀର ରବ ପରି, ପ୍ରଥମ ସନ୍ତାନ ପ୍ରସବକାରିଣୀର ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ, ସେ ଦୀର୍ଘନିଶ୍ଵାସ ଛାଡ଼ି ଓ ଆପଣା ହାତ ପ୍ରସାରି କହୁଅଛି, ହାୟ ହାୟ ! ହତ୍ୟାକାରୀମାନଙ୍କ ଆଗରେ ମୋʼ ପ୍ରାଣ ମୂର୍ଚ୍ର୍ଛିତ ହେଲା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan