Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 21 - ପବିତ୍ର ବାଇବଲ (Re-edited) - (BSI)


ଯିରୂଶାଲମର ପରାଜୟ ବିଷୟରେ ଭବିଷ୍ୟତବାଣୀ

1 ସିଦିକୀୟ ରାଜା ଯେଉଁ ସମୟରେ ମଲ୍‍କୀୟର ପୁତ୍ର ପଶ୍ହୂରକୁ ଓ ମାସେୟର ପୁତ୍ର ସଫନୀୟ। ଯାଜକକୁ ଯିରିମୀୟଙ୍କ ନିକଟକୁ ପଠାଇ କହିଲା,

2 ଯଥା, ବିନୟ କରୁଅଛୁ, ତୁମ୍ଭେ ଆମ୍ଭମାନଙ୍କ ପକ୍ଷରୁ ସଦାପ୍ରଭୁଙ୍କୁ ପଚାର; କାରଣ ବାବିଲର ରାଜା ନବୂଖଦ୍ନିତ୍ସର ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଅଛି; କେଜାଣି ସଦାପ୍ରଭୁ ଆପଣାର ସକଳ ଆଶ୍ଚର୍ଯ୍ୟ କ୍ରିୟାନୁସାରେ ଆମ୍ଭମାନଙ୍କ ପ୍ରତି ବ୍ୟବହାର କରିବେ, ତାହାହେଲେ ସେ ଆମ୍ଭମାନଙ୍କ ନିକଟରୁ ଉଠି ପ୍ରସ୍ଥାନ କରିବ, ସେସମୟରେ ଯିରିମୀୟଙ୍କ ନିକଟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଉପସ୍ଥିତ ହେଲା।

3 ତହିଁରେ ଯିରିମୀୟ ସେମାନଙ୍କୁ କହିଲେ, ତୁମ୍ଭେମାନେ ସିଦିକୀୟକୁ ଏହି କଥା କହିବ;

4 ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହି କଥା କହନ୍ତି, ଦେଖ, ତୁମ୍ଭେମାନେ ଆପଣା ହସ୍ତସ୍ଥିତ ଯେଉଁସକଳ ଯୁଦ୍ଧାସ୍ତ୍ର ଦ୍ଵାରା ବାବିଲର ରାଜା ଓ ତୁମ୍ଭମାନଙ୍କର ଅବରୋଧକାରୀ କଲ୍ଦୀୟମାନଙ୍କ ସହିତ ପ୍ରାଚୀରର ବାହାରେ ଯୁଦ୍ଧ କରୁଅଛ, ଆମ୍ଭେ ସେହିସବୁକୁ ଫେରାଇ ଦେବା ଓ ଆମ୍ଭେ ଏହି ନଗର ମଧ୍ୟରେ ସେସବୁକୁ ସଂଗ୍ରହ କରିବା।

5 ପୁଣି, ଆମ୍ଭେ ଆପେ ବିସ୍ତୃତ ହସ୍ତ ଓ ବଳବାନ ବାହୁ ଦ୍ଵାରା କ୍ରୋଧରେ, ପ୍ରଚଣ୍ତ ରୋଷରେ ଓ ମହାକୋପରେ ତୁମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା।

6 ଆଉ, ଆମ୍ଭେ ଏହି ନଗରବାସୀ ମନୁଷ୍ୟ ଓ ପଶୁ ସମସ୍ତଙ୍କୁ ସଂହାର କରିବା; ସେମାନେ ମହାମାରୀରେ ମରିବେ।

7 ଆଉ, ସଦାପ୍ରଭୁ କହନ୍ତି, ତହିଁ ଉତ୍ତାରେ ଆମ୍ଭେ ଯିହୁଦାର ରାଜା ସିଦିକୀୟକୁ, ତାହାର ଦାସଗଣକୁ ଓ ଲୋକମାନଙ୍କୁ, ଅର୍ଥାତ୍, ଏହି ନଗରର ଯେଉଁସକଳ ଲୋକ ମହାମାରୀ, ଖଡ଼୍‍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସେମାନଙ୍କୁ ବାବିଲର ରାଜା ନବୂଖଦ୍ନିତ୍ସରର ହସ୍ତରେ ଓ ସେମାନଙ୍କ ଶତ୍ରୁଗଣର ହସ୍ତରେ ଓ ସେମାନଙ୍କ ପ୍ରାଣନାଶର ଚେଷ୍ଟାକାରୀମାନଙ୍କ ହସ୍ତରେ ସମର୍ପଣ କରିବା; ଆଉ, ସେ ସେମାନଙ୍କୁ ଖଡ଼୍‍ଗଧାରରେ ବଧ କରିବ; ସେ ସେମାନଙ୍କୁ କ୍ଷମା କି ଦୟା କି କରୁଣା କରିବ ନାହିଁ।

8 ପୁଣି, ତୁମ୍ଭେ ଏହି ଲୋକମାନଙ୍କୁ କହିବ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ତୁମ୍ଭମାନଙ୍କ ସମ୍ମୁଖରେ ଜୀବନର ପଥ ଓ ମୃତ୍ୟୁର ପଥ ରଖୁଅଛୁ।

9 ଯେଉଁ ଲୋକ ଏହି ନଗର ମଧ୍ୟରେ ରହିବ, ସେ ଖଡ଼୍‍ଗ, ଦୁର୍ଭିକ୍ଷ ଓ ମହାମାରୀରେ ମରିବ; ମାତ୍ର ଯେଉଁ ଲୋକ ବାହାରି ଯାଇ ତୁମ୍ଭମାନଙ୍କର ଅବରୋଧକାରୀ କଲ୍ଦୀୟମାନଙ୍କର ପକ୍ଷ ହେବ, ସେ ବଞ୍ଚିବ ଓ ତାହାର ପ୍ରାଣ ତାହା ପ୍ରତି ଲୁଟ-ଦ୍ରବ୍ୟ ତୁଲ୍ୟ ହେବ।

10 କାରଣ ସଦାପ୍ରଭୁ କହନ୍ତି, ମଙ୍ଗଳର ନିମନ୍ତେ ନୁହେଁ, ପୁଣି ଅମଙ୍ଗଳର ନିମନ୍ତେ ଏହି ନଗର ପ୍ରତି ଆମ୍ଭେ ଆପଣା ମୁଖ ରଖିଅଛୁ; ତାହା ବାବିଲ ରାଜାର ହସ୍ତଗତ କରାଯିବ ଓ ସେ ଅଗ୍ନିରେ ତାହା ଦଗ୍ଧ କରିବ।


ଦାଉଦ ବଂଶ ପ୍ରତି ବାର୍ତ୍ତା

11 ଆଉ, ଯିହୁଦାର ରାଜବଂଶ ବିଷୟରେ ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ;

12 ହେ ଦାଉଦ-ବଂଶ, ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ପ୍ରଭାତରେ ବିଚାର ନିଷ୍ପତ୍ତି କର ଓ ଲୁଟିତ ଲୋକକୁ ଉପଦ୍ରବୀର ହସ୍ତରୁ ଉଦ୍ଧାର କର, ନୋହିଲେ ତୁମ୍ଭମାନଙ୍କ ଦୁଷ୍ଟାଚରଣ ହେତୁରୁ ଆମ୍ଭର ପ୍ରଚଣ୍ତ କ୍ରୋଧ ଅଗ୍ନି ତୁଲ୍ୟ ବାହାରି ଦଗ୍ଧ କରିବ ଓ କେହି ତାହା ନିର୍ବାଣ କରି ପାରିବ ନାହିଁ।

13 ହେ ଉପତ୍ୟକା ଓ କ୍ଷେତ୍ରସ୍ଥ ଶୈଳନିବାସିନୀ, ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ; ତୁମ୍ଭେମାନେ କହୁଅଛ, ଆମ୍ଭମାନଙ୍କ ବିରୁଦ୍ଧରେ କିଏ ଆସିବ? ଅବା କିଏ ଆମ୍ଭମାନଙ୍କ ନିବାସ-ସ୍ଥାନରେ ପ୍ରବେଶ କରିବ?

14 ସଦାପ୍ରଭୁ କହନ୍ତି, ଆମ୍ଭେ ତୁମ୍ଭମାନଙ୍କ କର୍ମର ଫଳାନୁସାରେ ତୁମ୍ଭମାନଙ୍କୁ ଶାସ୍ତି ଦେବା; ପୁଣି, ଆମ୍ଭେ ତାହାର ବନରେ ଅଗ୍ନି ଜ୍ଵଳାଇବା, ତହିଁରେ ତାହା ତାହାର ଚତୁର୍ଦ୍ଦିଗସ୍ଥ ସକଳ ଗ୍ରାସ କରିବ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan