Biblia Todo Logo
Bìoball air-loidhne

- Sanasan -

ଯିରିମୀୟ 15 - ପବିତ୍ର ବାଇବଲ (Re-edited) - (BSI)


ଯିହୁଦାର ସର୍ବନାଶ ସୁନିଶ୍ଚିତ

1 ସେତେବେଳେ ସଦାପ୍ରଭୁ ମୋତେ କହିଲେ, ଯଦ୍ୟପି ମୋଶା ଓ ଶାମୁୟେଲ ଆମ୍ଭ ସମ୍ମୁଖରେ ଠିଆ ହୁଅନ୍ତେ, ତଥାପି ଆମ୍ଭର ମନ ଏହି ଲୋକମାନଙ୍କ ପ୍ରତି ଅନୁକୂଳ ହୁଅନ୍ତା ନାହିଁ; ସେମାନଙ୍କୁ ଆମ୍ଭ ଦୃଷ୍ଟିରୁ ଦୂର କର, ସେମାନେ ବାହାରି ଯାଉନ୍ତୁ।

2 ପୁଣି, ଯେବେ ସେମାନେ ତୁମ୍ଭକୁ କହନ୍ତି, ଆମ୍ଭେମାନେ କେଉଁଠାକୁ ବାହାରି ଯିବା? ତେବେ ତୁମ୍ଭେ ସେମାନଙ୍କୁ ଏହା କହିବ, ସଦାପ୍ରଭୁ ଏହି କଥା କହନ୍ତି, ହତଯୋଗ୍ୟ ଲୋକମାନେ ହତ ସ୍ଥାନକୁ, ଖଡ଼୍‍ଗଯୋଗ୍ୟ ଲୋକମାନେ ଖଡ଼୍‍ଗ ନିକଟକୁ, ଦୁର୍ଭିକ୍ଷଯୋଗ୍ୟ ଲୋକମାନେ ଦୁର୍ଭିକ୍ଷ ସ୍ଥାନକୁ ଓ ବନ୍ଦୀତ୍ଵର ଯୋଗ୍ୟ ଲୋକମାନେ ବନ୍ଦୀ ସ୍ଥାନକୁ ଯାଉନ୍ତୁ।

3 ପୁଣି, ସଦାପ୍ରଭୁ କହନ୍ତି, ଆମ୍ଭେ ବଧ କରିବା ନିମନ୍ତେ ଖଡ଼୍‍ଗ, ବିଦୀର୍ଣ୍ଣ କରିବା ନିମନ୍ତେ କୁକ୍କୁରଗଣ, ପୁଣି ଗ୍ରାସ ଓ ବିନାଶ କରିବା ନିମନ୍ତେ ଖେଚର ପକ୍ଷୀଗଣ ଓ ଭୂଚର ପଶୁଗଣ, ଏହି ଚାରି ଜାତିକି ସେମାନଙ୍କ ଉପରେ ନିଯୁକ୍ତ କରିବା।

4 ଆଉ, ଯିହୁଦାର ରାଜା ହିଜକୀୟର ପୁତ୍ର ମନଃଶିର ଯିରୂଶାଲମରେ କୃତକାର୍ଯ୍ୟ ସକାଶୁ ଆମ୍ଭେ ସେମାନଙ୍କୁ ପୃଥିବୀର ଯାବତୀୟ ରାଜ୍ୟରେ ଏଣେତେଣେ ନିକ୍ଷିପ୍ତ କରାଇବା।

5 କାରଣ ହେ ଯିରୂଶାଲମ, କିଏ ତୁମ୍ଭକୁ ଦୟା କରିବ? ଅବା କିଏ ତୁମ୍ଭ ଲାଗି ବିଳାପ କରିବ? ଅଥବା ତୁମ୍ଭର ମଙ୍ଗଳ ବିଷୟ ପଚାରିବା ପାଇଁ କିଏ କତିକି ଆସିବ?

6 ସଦାପ୍ରଭୁ କହନ୍ତି, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ; ଏନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ; ଆମ୍ଭେ କ୍ଷମା କରି କରି କ୍ଳା; ଅଛୁ।

7 ଆମ୍ଭେ ସେମାନଙ୍କୁ ଦେଶର ପୁର-ଦ୍ଵାରସମୂହରେ କୁଲାରେ ପାଛୁଡ଼ି ଅଛୁ; ଆମ୍ଭେ ସେମାନଙ୍କୁ ସନ୍ତାନ-ସନ୍ତତିବିହୀନ କରିଅଛୁ, ଆମ୍ଭେ ଆପଣା ଲୋକମାନଙ୍କୁ ବିନାଶ କରିଅଛୁ; ସେମାନେ ଆପଣା ଆପଣା ପଥରୁ ଫେରି ନାହାନ୍ତି।

8 ଆମ୍ଭ ସାକ୍ଷାତରେ ସେମାନଙ୍କର ବିଧବାମାନେ ସମୁଦ୍ରର ବାଲି ଅପେକ୍ଷା ବହୁସଂଖ୍ୟକ ହୋଇଅଛନ୍ତି, ଆମ୍ଭେ ସେମାନଙ୍କ ମଧ୍ୟରେ ଯୁବାଗଣର ମାତା ବିରୁଦ୍ଧରେ ବିନାଶକ ଏକ ଜଣକୁ ମଧ୍ୟାହ୍ନ କାଳରେ ଆଣିଅଛୁ; ଆମ୍ଭେ ଅକସ୍ମାତ୍ ତାହା ପ୍ରତି ଦୁଃଖ ଓ ଆଶଙ୍କା ଉପସ୍ଥିତ କରାଇଅଛୁ।

9 ସାତ ସନ୍ତାନପ୍ରସୂତା ସ୍ତ୍ରୀ କ୍ଷୀଣା ହେଉଅଛି; ସେ ପ୍ରାଣତ୍ୟାଗ କରିଅଛି; ଦିନ ଥାଉ ଥାଉ ତାହାର ସୂର୍ଯ୍ୟ ଅସ୍ତ ହୋଇଅଛି; ସେ ଲଜ୍ଜିତା ଓ ହତାଶା ହୋଇଅଛି; ପୁଣି, ସେମାନଙ୍କର ଅବଶିଷ୍ଟ ଲୋକମାନଙ୍କୁ ଆମ୍ଭେ ସେମାନଙ୍କ ଶତ୍ରୁଗଣର ସମ୍ମୁଖରେ ଖଡ଼୍‍ଗରେ ସମର୍ପଣ କରିବା, ଏହା ସଦାପ୍ରଭୁ କହନ୍ତି।


ଯିରିମୀୟଙ୍କ ଅଭିଯୋଗ

10 ଗୋ ଆମ୍ଭର ମାତଃ, ମୁଁ ସନ୍ତାପର ପାତ୍ର, ତୁମ୍ଭେ ମୋତେ ସମୁଦାୟ ପୃଥିବୀର ବିରୋଧ ଓ ବିବାଦର ପାତ୍ର କରି ଜାତ କରିଅଛ ! ମୁଁ ସୁଧ ନିମନ୍ତେ ଋଣ ଦେଇ ନାହିଁ; କିଅବା ଲୋକେ ମୋତେ ସୁଧ ଲାଗି ଋଣ ଦେଇ ନାହାନ୍ତି; ତଥାପି ସେମାନଙ୍କର ପ୍ରତ୍ୟେକ ଜଣ ମୋତେ ଶାପ ଦିଅନ୍ତି।

11 ସଦାପ୍ରଭୁ କହିଲେ, ଆମ୍ଭେ ନିଶ୍ଚୟ ମଙ୍ଗଳ ନିମନ୍ତେ ତୁମ୍ଭକୁ ସବଳ କରିବା; ଆମ୍ଭେ ନିଶ୍ଚୟ ବିପଦ ଓ ଦୁର୍ଦ୍ଦଶା ସମୟରେ ତୁମ୍ଭ ଶତ୍ରୁଗଣକୁ ତୁମ୍ଭ ନିକଟରେ ବିନତି କରାଇବା।

12 ଲୌହ, ଉତ୍ତର ଦେଶୀୟ ଲୌହ ଓ ପିତ୍ତଳ କି କେହି ଭାଙ୍ଗିପାରେ?

13 ଆମ୍ଭେ ତୁମ୍ଭର ସମ୍ପତ୍ତି ଓ ଧନଭଣ୍ତାରସବୁ ବିନାମୂଲ୍ୟରେ ଲୁଟିତ ହେବା ପାଇଁ ଦେବା ଓ ତୁମ୍ଭର ସମୁଦାୟ ଅଞ୍ଚଳରେ ତୁମ୍ଭ ପାପସମୂହର ସକାଶେ ତାହା କରିବା।

14 ପୁଣି, ଆମ୍ଭେ ସେସମସ୍ତଙ୍କୁ ତୁମ୍ଭ ଶତ୍ରୁଗଣର ସଙ୍ଗରେ ତୁମ୍ଭ ଅଜ୍ଞାତ ଏକ ଦେଶକୁ ନେଇଯିବା; କାରଣ ଆମ୍ଭର କ୍ରୋଧରୂପ ଅଗ୍ନି ପ୍ରଜ୍ଵଳିତ ହୋଇଅଛି, ତାହା ତୁମ୍ଭମାନଙ୍କୁ ଦଗ୍ଧ କରିବ।

15 ହେ ସଦାପ୍ରଭୋ, ତୁମ୍ଭେ ଜାଣୁଅଛ; ମୋତେ ସ୍ମରଣ କର ଓ ମୋହର ତତ୍ତ୍ଵାନୁସନ୍ଧାନ କର, ପୁଣି ମୋର ତାଡ଼ନାକାରୀମାନଙ୍କଠାରୁ ପରିଶୋଧ ନିଅ; ତୁମ୍ଭର ଦୀର୍ଘସହିଷ୍ଣୁତା ସକାଶୁ ମୋତେ ସଂହାର କର ନାହିଁ; ମୁଁ ତୁମ୍ଭ ସକାଶୁ ନିନ୍ଦାଭୋଗ କରିଅଛି , ଏହା ଜ୍ଞାତ ହୁଅ।

16 ତୁମ୍ଭର ବାକ୍ୟ ପ୍ରାପ୍ତ ହେଲା, ପୁଣି ମୁଁ ତାହା ଭୋଜନ କଲି; ଆଉ, ତୁମ୍ଭର ବାକ୍ୟ ମୋର ଆନନ୍ଦ ଓ ଚିତ୍ତର ଆହ୍ଲାଦଜନକ ହେଲା; କାରଣ ହେ ସୈନ୍ୟାଧିପତି ସଦାପ୍ରଭୁ ପରମେଶ୍ଵର, ମୁଁ ତୁମ୍ଭ ନାମରେ ଖ୍ୟାତ ଅଟେ।

17 ମୁଁ ଆମୋଦପ୍ରମୋଦକାରୀମାନଙ୍କ ସଭାରେ ବସିଲି ନାହିଁ, କିଅବା ଆନନ୍ଦ କଲି ନାହିଁ; ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି; କାରଣ ତୁମ୍ଭେ ମୋତେ କ୍ରୋଧରେ ପୂର୍ଣ୍ଣ କରିଅଛ।

18 ମୋର ବେଦନା ନିତ୍ୟସ୍ଥାୟୀ ଓ ମୋର କ୍ଷତ ଅପ୍ରତୀକାର୍ଯ୍ୟ ହୋଇ ସୁସ୍ଥ ହେବାକୁ ଅସ୍ଵୀକାର କରେ କାହିଁକିଣ? ତୁମ୍ଭେ କି ମୋʼ ପ୍ରତି ନିତା; ପ୍ରବଞ୍ଚନାଜନକ ନଦୀସ୍ରୋତ, ଅସ୍ଥାୟୀ ଜଳ ତୁଲ୍ୟ ହେବ?

19 ଏନିମନ୍ତେ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେ ଯେବେ ଫେରିବ, ତେବେ ଆମ୍ଭ ସମ୍ମୁଖରେ ଠିଆ ହେବା ନିମନ୍ତେ ଆମ୍ଭେ ତୁମ୍ଭକୁ ପୁନର୍ବାର ଆଣିବା; ପୁଣି, ତୁମ୍ଭେ ଯେବେ ନିକୃଷ୍ଟ ବସ୍ତୁରୁ ବହୁମୂଲ୍ୟ ବସ୍ତୁ ବାହାର କରି ନେବ , ତେବେ ତୁମ୍ଭେ ଆମ୍ଭର ମୁଖ ସ୍ଵରୂପ ହେବ; ସେମାନେ ତୁମ୍ଭ କତିକି ଫେରି ଆସିବେ, ମାତ୍ର ତୁମ୍ଭେ ସେମାନଙ୍କ କତିକି ଫେରି ଯିବ ନାହିଁ।

20 ପୁଣି, ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ଵରୂପ କରିବା; ସେମାନେ ତୁମ୍ଭ ସଙ୍ଗେ ଯୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜୟ କରି ପାରିବେ ନାହିଁ; କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ତ୍ରାଣ କରିବା ପାଇଁ ଓ ତୁମ୍ଭର ଉଦ୍ଧାର କରିବା ପାଇଁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।

21 ପୁଣି, ଆମ୍ଭେ ତୁମ୍ଭକୁ ଦୁଷ୍ଟମାନଙ୍କ ହସ୍ତରୁ ଉଦ୍ଧାର କରିବା ଓ ଆମ୍ଭେ ତୁମ୍ଭକୁ ଭୟଙ୍କର ଲୋକମାନଙ୍କ ହସ୍ତରୁ ମୁକ୍ତ କରିବା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan