ଯିରିମୀୟ 10 - ପବିତ୍ର ବାଇବଲ (Re-edited) - (BSI)ପ୍ରତିମା ପୂଜା ଓ ସତ୍ୟ ଈଶ୍ଵରଙ୍କ ପୂଜା 1 ହେ ଇସ୍ରାଏଲ-ବଂଶ, ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ କଥା କହନ୍ତି, ତାହା ଶୁଣ; 2 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଅନ୍ୟ ଦେଶୀୟମାନଙ୍କର ବ୍ୟବହାର ଶିଖ ନାହିଁ ଆକାଶର ଓ ନାନା ଚିହ୍ନରେ ଭୀତ ହୁଅ ନାହିଁ, କାରଣ ଅନ୍ୟ ଦେଶୀୟ-ମାନେ ତହିଁରେ ଭୀତ ହୁଅନ୍ତି। 3 ଅନ୍ୟ ଦେଶୀୟମାନଙ୍କର ବିଧିସକଳ ଅସାର; ଯେହେତୁ ବନରୁ ଜଣେ ବୃକ୍ଷ ଛେଦନ କରେ, ତାହା ଅସ୍ତ୍ର ଦ୍ଵାରା କାରିଗରର ହସ୍ତକୃତ କର୍ମ। 4 ସେମାନେ ରୂପା ଓ ସୁନାରେ ତାହା ମଣ୍ତନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ନୋହିବ, ଏଥିପାଇଁ ହାତୁଡ଼ି ଦ୍ଵାରା କଣ୍ଟା ମାରି ତାହା ଦୃଢ଼ କରନ୍ତି। 5 ସେସବୁ ତାଳଗଛ ତୁଲ୍ୟ, କୁନ୍ଦା କର୍ମ ଓ କଥା କହନ୍ତି ନାହିଁ; ସେମାନେ ଚାଲି ପାରନ୍ତି ନାହିଁ, ଏଥିପାଇଁ ସେମାନଙ୍କୁ ବହିବାକୁ ହୁଏ। ସେମାନଙ୍କ ବିଷୟରେ ଭୀତ ହୁଅ ନାହିଁ; କାରଣ ସେମାନେ ଅମଙ୍ଗଳ କରି ପାରନ୍ତି ନାହିଁ କିଅବା ମଙ୍ଗଳ କରିବାକୁ ହିଁ ସେମାନଙ୍କର ସାଧ୍ୟ ନାହିଁ । 6 ହେ ସଦାପ୍ରଭୁ, ତୁମ୍ଭ ତୁଲ୍ୟ କେହି ନାହିଁ; ତୁମ୍ଭେ ମହାନ, ଓ ପରାକ୍ରମରେ ତୁମ୍ଭର ନାମ ମହତ। 7 ହେ ସର୍ବଦେଶୀୟମାନଙ୍କର ରାଜନ୍, ତୁମ୍ଭଙ୍କୁ କିଏ ଭୟ ନ କରିବ? କାରଣ ତାହା ତୁମ୍ଭର ପ୍ରାପ୍ୟ; ଯେହେତୁ ନାନା ଦେଶୀୟ ସମୁଦାୟ ଜ୍ଞାନୀମାନଙ୍କ ମଧ୍ୟରେ ଓ ସେମାନଙ୍କ ସମୁଦାୟ ରାଜକୀୟ ଐଶ୍ଵର୍ଯ୍ୟଶାଳୀମାନଙ୍କ ମଧ୍ୟରେ ତୁମ୍ଭ ତୁଲ୍ୟ କେହି ନାହିଁ। 8 ସେସମସ୍ତେ ପଶୁବତ୍ ଓ ଅଜ୍ଞାନ; ପ୍ରତିମାଗଣର ଶିକ୍ଷା କାଷ୍ଠ ମାତ୍ର। 9 ତର୍ଶୀଶ୍ରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଅଣାଯାଏ, ତାହା କାରିଗରର କର୍ମ ଓ ସ୍ଵର୍ଣ୍ଣକାରର ହସ୍ତନିର୍ମିତ; ସେମାନଙ୍କର ବସ୍ତ୍ର ନୀଳ ଓ ଧୂମ୍ରବର୍ଣ୍ଣ, ସେସବୁ ନିପୁଣ ଶିଳ୍ପକରମାନଙ୍କର କୃତକର୍ମ। 10 ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ଵର ଅଟନ୍ତି; ସେ ଜୀବତ ପରମେଶ୍ଵର ଓ ଅନ; କାଳସ୍ଥାୟୀ ରାଜା; ତାହାଙ୍କ କୋପରେ ପୃଥିବୀ କମ୍ପିତ ହୁଏ, ପୁଣି ସର୍ବଦେଶୀୟମାନେ ତାହାଙ୍କର କ୍ରୋଧ ସହି ପାରନ୍ତି ନାହିଁ। 11 ତୁମ୍ଭେମାନେ ସେମାନଙ୍କୁ ଏହି କଥା କହିବ, ଯେଉଁ ଦେବତାମାନେ ଆକାଶମଣ୍ତଳ ଓ ପୃଥିବୀ ନିର୍ମାଣ କରି ନାହାନ୍ତି, ସେମାନେ ପୃଥିବୀରୁ ଓ ଆକାଶମଣ୍ତଳର ତଳୁ ବିନଷ୍ଟ ହେବେ। 12 ସେ ଆପଣା ପରାକ୍ରମ ଦ୍ଵାରା ପୃଥିବୀ ନିର୍ମାଣ କରିଅଛନ୍ତି, ସେ ଆପଣା ଜ୍ଞାନ ଦ୍ଵାରା ଜଗତ ସ୍ଥାପନ କରିଅଛନ୍ତି ଓ ଆପଣାର ବୁଦ୍ଧି ଦ୍ଵାରା ସେ ଆକାଶମଣ୍ତଳ ବିସ୍ତାର କରିଅଛନ୍ତି ; 13 ଯେତେବେଳେ ସେ ଆପଣା ରବ ଉଚ୍ଚାରଣ କରନ୍ତି, ସେତେବେଳେ ଆକାଶରେ ଜଳରାଶିର ଶଦ୍ଦ ହୁଏ, ପୁଣି ସେ ପୃଥିବୀର ପ୍ରାନ୍ତରୁ ବାଷ୍ପ ଉତ୍ଥାପନ କରାନ୍ତି; ସେ ବୃଷ୍ଟି ନିମନ୍ତେ ବିଜୁଳି ପ୍ରସ୍ତୁତ କରନ୍ତି ଓ ଆପଣା ଭଣ୍ତାରସମୂହରୁ ବାୟୁ ବାହାର କରି ଆଣନ୍ତି। 14 ପ୍ରତ୍ୟେକ ମନୁଷ୍ୟ ପଶୁବତ୍ ଓ ଜ୍ଞାନହୀନ ହୋଇଅଛି; ପ୍ରତ୍ୟେକ ସ୍ଵର୍ଣ୍ଣକାର ଆପଣା ଖୋଦିତ ପ୍ରତିମା ଦ୍ଵାରା ଲଜ୍ଜିତ ହୋଇଅଛି ; କାରଣ ତାହାର ଢଳା ପ୍ରତିମା ମିଥ୍ୟା ଓ ସେମାନଙ୍କଠାରେ ପ୍ରାଣବାୟୁ ନାହିଁ। 15 ସେସବୁ ଅସାର ଓ ଭ୍ରାନ୍ତିର କର୍ମ; ସେମାନେ ଆପଣା ପ୍ରତିଫଳ ପାଇବା ସମୟରେ ବିନଷ୍ଟ ହେବେ। 16 ଯେ ଯାକୁବର ବାଣ୍ଟ ସ୍ଵରୂପ, ସେ ଏମାନଙ୍କ ପରି ନୁହନ୍ତି; କାରଣ ସେ ସର୍ବବସ୍ତୁର ନିର୍ମାଣକର୍ତ୍ତା ଓ ଇସ୍ରାଏଲ-ବଂଶ ତାହାଙ୍କର ଅଧିକାର ସ୍ଵରୂପ; ତାହାଙ୍କର ନାମ ସୈନ୍ୟାଧିପତି ସଦାପ୍ରଭୁ । 17 ହେ ଅବରୁଦ୍ଧ ସ୍ଥାନ ନିବାସୀନ୍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର। 18 କାରଣ ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ଏହି ସମୟରେ ଦେଶ ନିବାସୀମାନଙ୍କୁ ଛାଟିଣୀ ମାରିବା ପରି ଫିଙ୍ଗି ଦେବା ଓ ସେମାନଙ୍କୁ ଏପରି କ୍ଳେଶ ଦେବା ଯେ, ସେମାନେ ତାହା ବୋଧ ପାଇବେ। 19 ହାୟ ହାୟ, ମୋହର ଦୁଃଖ ! ମୋହର କ୍ଷତ ଅତି ବେଦନାଯୁକ୍ତ; ତଥାପି ମୁଁ କହିଲି, ଏହି ମୋହର ବେଦନା, ମୋତେ ଏହା ସହିବାକୁ ହେବ । 20 ମୋର ତମ୍ଵୁ ଲୁଟିତ ହୋଇଅଛି ଓ ମୋର ରଜ୍ଜୁସବୁ ଛିଣ୍ତି ଯାଇଅଛି; ମୋର ବାଳକମାନେ ମୋʼ ନିକଟରୁ ବାହାରି ଯାଇଅଛନ୍ତି, ସେମାନେ ନାହାନ୍ତି ମୋର ତମ୍ଵୁ ଆଉ ପ୍ରସାରିବାକୁ ଓ ମୋର ତମ୍ଵୁର ବାଡ଼ ଲଗାଇବାକୁ କେହି ନାହିଁ। 21 କାରଣ ପାଳକଗଣ ପଶୁବତ୍ ହୋଇଅଛନ୍ତି ଓ ସଦାପ୍ରଭୁଙ୍କ ନିକଟରେ ପଚାରି ନାହାନ୍ତି; ଏହେତୁ ସେମାନେ ଉନ୍ନତି କରି ନାହାନ୍ତି ଓ ସେମାନଙ୍କର ପଲସବୁ ଛିନ୍ନଭିନ୍ନ ହୋଇଅଛନ୍ତି। 22 କୋଳାହଳର ରବ, ଦେଖ ତାହା ଉପସ୍ଥିତ ହେଉଅଛି, ଆଉ ଯିହୁଦାର ନଗରସବୁ ଉଚ୍ଛିନ୍ନ ଓ ଶୃଗାଳମାନଙ୍କର ବାସସ୍ଥାନ କରିବା ପାଇଁ ଉତ୍ତର ଦେଶରୁ ମହାଚହଳ ଆସୁଅଛି। 23 ହେ ସଦାପ୍ରଭୁ, ମୁଁ ଜାଣେ; ମନୁଷ୍ୟର ଗତି ତାହାର ଆୟତ୍ତ ନୁହେଁନ୍ତ ନିଜ ପାଦବିକ୍ଷେପ ସ୍ଥିର କରିବାର ଗମନକାରୀ ମନୁଷ୍ୟର ସାଧ୍ୟ ନୁହେଁ। 24 ହେ ସଦାପ୍ରଭୁ, ମୋତେ ଶାସନ କର, ମାତ୍ର ବିଚାରପୂର୍ବକ କର; କ୍ରୋଧରେ ତାହା ନ କର, କଲେ ତୁମ୍ଭେ ମୋତେ ବିନାଶ କରିବ। 25 ଯେଉଁ ଅନ୍ୟ ଦେଶୀୟମାନେ ତୁମ୍ଭଙ୍କୁ ଜାଣନ୍ତି ନାହିଁ ଓ ଯେଉଁ ଗୋଷ୍ଠୀସକଳ ତୁମ୍ଭ ନାମରେ ପ୍ରାର୍ଥନା କରନ୍ତି ନାହିଁ, ସେମାନଙ୍କ ଉପରେ ତୁମ୍ଭେ ଆପଣା କୋପ ଢାଳିଦିଅ; କାରଣ ସେମାନେ ଯାକୁବକୁ ଗ୍ରାସ କରିଅଛନ୍ତି, ହଁ, ସେମାନେ ତାହାକୁ ଗ୍ରାସ କରି ସଂହାର କରିଅଛନ୍ତି ଓ ତାହାର ବାସସ୍ଥାନ ଉଚ୍ଛିନ୍ନ କରିଅଛନ୍ତି। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India