ଯାକୁବଙ୍କ ପତ୍ର 3 - ପବିତ୍ର ବାଇବଲ (Re-edited) - (BSI)ବଶୀଭୂତ ଜିହ୍ଵା 1 ହେ ମୋହର ଭାଇମାନେ, ତୁମ୍ଭେମାନେ ଅନେକେ ଶିକ୍ଷକ ହୁଅ ନାହିଁ ଶିକ୍ଷକ ଯେ ଆମ୍ଭେମାନେ, ଆମ୍ଭେମାନେ ଯେ ଗୁରୁତର ଦଣ୍ତ ପାଇବା, ଏହା ଜାଣ। 2 ଯେଣୁ ଆମ୍ଭେମାନେ ସମସ୍ତେ ଅନେକ ବିଷୟରେ ଝୁଣ୍ଟିପଡ଼ୁ। ଯଦି କେହି ବାକ୍ୟରେ ଝୁଣ୍ଟି ନ ପଡ଼େ, ତେବେ ସେ ସିଦ୍ଧ ପୁରୁଷ, ସମସ୍ତ ଶରୀରକୁ ମଧ୍ୟ ବଶରେ ରଖିବାକୁ ସମର୍ଥ। 3 ଆମ୍ଭେମାନେ ଘୋଡ଼ାମାନଙ୍କୁ ବଶୀଭୂତ କରିବା ନିମନ୍ତେ ସେମାନଙ୍କ ମୁଖରେ ଲଗାମ ଦେଲେ, ତଦ୍ଦ୍ଵାରା ସେମାନଙ୍କ ସମସ୍ତ ଶରୀର ମଧ୍ୟ ବୁଲାଉଥାଉ। 4 ଦେଖ, ଜାହାଜ ମଧ୍ୟ ଏତେ ବଡ଼ ହୋଇ ପ୍ରଚଣ୍ତ ପବନରେ ଚାଳିତ ହେଲେ ହେଁ ଗୋଟିଏ ଅତି କ୍ଷୁଦ୍ର ମଙ୍ଗ ଦ୍ଵାରା ମଙ୍ଗଧରାର ଇଚ୍ଛାନୁସାରେ ବୁଲାଇ ଦିଆଯାଏ। 5 ସେହିପରି ଜିହ୍ଵା ମଧ୍ୟ ଗୋଟିଏ କ୍ଷୁଦ୍ର ଅଙ୍ଗ, କିନ୍ତୁ ମହା ଗର୍ବର କଥା କହେ। ଦେଖ, କେଡ଼େ କ୍ଷୁଦ୍ର ଅଗ୍ନିକଣିକା ଦ୍ଵାରା କେଡ଼େ ବଡ଼ ଅରଣ୍ୟରେ ନିଆଁ ଲାଗିଯାଏ। 6 ଜିହ୍ଵା ମଧ୍ୟ ଅଗ୍ନି ସ୍ଵରୂପ; ତାହା ଆମ୍ଭମାନଙ୍କ ଅଙ୍ଗସମୂହ ମଧ୍ୟରେ ସମସ୍ତ ଅଧର୍ମର ମୂଳାଧାର ସ୍ଵରୂପେ ଅବସ୍ଥିତ; ତାହା ସମସ୍ତ ଶରୀରକୁ ଅଶୁଚି କରେ ଓ ନିଜେ ନରକାନଳରେ ପ୍ରଜ୍ଵଳିତ ହୋଇ ପ୍ରକୃତିର ଚକ୍ରକୁ ଜ୍ଵଳାଏ। 7 କାରଣ ସମସ୍ତ ପ୍ରକାର ପଶୁ, ପକ୍ଷୀ, ସରୀସୃପ ଓ ଜଳଚର ପ୍ରାଣୀମାନଙ୍କୁ ମାନବ ଦ୍ଵାରା ବଶରେ ରଖାଯାଇ ପାରେ, ପୁଣି ବଶରେ ରଖାଯାଇଅଛି; 8 କିନ୍ତୁ ଜିହ୍ଵାକୁ କେହି ବଶରେ ରଖି ପାରେ ନାହିଁ, ଅନିଷ୍ଟ ସାଧନରେ ତାହାର ବିରାମ ନାହିଁ, ମାରାତ୍ମକ ଗରଳରେ ତାହା ପରିପୂର୍ଣ୍ଣ। 9 ତଦ୍ଦ୍ଵାରା ଆମ୍ଭେମାନେ ପ୍ରଭୁ ଓ ପିତାଙ୍କର ଧନ୍ୟବାଦ କରିଥାଉ, ପୁଣି, ତଦ୍ଦ୍ଵାରା ଈଶ୍ଵରଙ୍କ ସାଦୃଶ୍ୟରେ ସୃଷ୍ଟ ମନୁଷ୍ୟକୁ ଅଭିଶାପ ଦେଇଥାଉ; 10 ଏକ ମୁଖରୁ ଧନ୍ୟବାଦ ଓ ଅଭିଶାପ ନିର୍ଗତ ହୁଏ। ହେ ମୋହର ଭାଇମାନେ, ଏପରି ହେବା ଉଚିତ ନୁହେଁ। 11 ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ? 12 ହେ ମୋହର ଭାଇମାନେ, ଡିମିରି ବୃକ୍ଷ କଅଣ ଜୀତଫଳ, ଅବା ଦ୍ରାକ୍ଷାଲତା କଅଣ ଡିମିରି ଫଳ ଫଳି ପାରେ? ଲବଣାକ୍ତ ନିର୍ଝର ମଧ୍ୟ ମିଷ୍ଟ ଜଳ ଦେଇ ପାରେ ନାହିଁ। ଊର୍ଦ୍ଧ୍ଵରୁ ଆଗତ ଜ୍ଞାନ 13 ତୁମ୍ଭମାନଙ୍କ ମଧ୍ୟରେ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି? ସେ ଜ୍ଞାନସଙ୍ଗତ ନମ୍ରତା ସହ ସଦାଚରଣ ଦ୍ଵାରା ଆପଣା କର୍ମ ପ୍ରକାଶ କରୁ। 14 କିନ୍ତୁ ଯଦି ତୁମ୍ଭମାନଙ୍କ ହୃଦୟରେ ତିକ୍ତ ଈର୍ଷାଭାବ ଓ ସ୍ଵାର୍ଥପରତା ଥାଏ, ତାହାହେଲେ ସତ୍ୟ ବିରୁଦ୍ଧରେ ଗର୍ବ କର ନାହିଁ ଓ ମିଥ୍ୟା କୁହ ନାହିଁ। 15 ଏପରି ଜ୍ଞାନ ଊର୍ଦ୍ଧ୍ଵରୁ ଆଗତ ନୁହେଁ, ମାତ୍ର ତାହା ପାର୍ଥିବ, ଶାରୀରିକ ଓ ଭୌତିକ ଅଟେ; 16 କାରଣ ଯେଉଁ ସ୍ଥାନରେ ଈର୍ଷା ଓ ସ୍ଵାର୍ଥପରତା ଥାଏ, ସେହି ସ୍ଥାନରେ ସମସ୍ତ ପ୍ରକାର ଦୁଷ୍କର୍ମ ଥାଏ। 17 କିନ୍ତୁ ଊର୍ଦ୍ଧ୍ଵରୁ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ଵିତୀୟରେ ଶାନ୍ତିପ୍ରିୟ, ମୃଦୁଶୀଳ, ବାଧ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସନ୍ଦେହଶୂନ୍ୟ ଓ ନିଷ୍କପଟ। 18 ପୁଣି, ଶାନ୍ତିକାରକ ଲୋକମାନଙ୍କ ଦ୍ଵାରା ଧର୍ମରୂପ ଫଳର ବୀଜ ଶାନ୍ତିରେ ବୁଣାଯାଏ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India