Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 56 - ପବିତ୍ର ବାଇବଲ (Re-edited) - (BSI)


ବିଜାତୀୟଙ୍କ ପରିତ୍ରାଣ

1 ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ନ୍ୟାୟବିଚାର ପାଳନ କର; ଧର୍ମକର୍ମ କର; କାରଣ ଆମ୍ଭର ପରିତ୍ରାଣର ଆଗମନ ଓ ଆମ୍ଭ ଧର୍ମର ପ୍ରକାଶ ସନ୍ନିକଟ।

2 ଯେଉଁ ମନୁଷ୍ୟ ଏହା କରେ ଓ ଯେଉଁ ମନୁଷ୍ୟ-ସନ୍ତାନ ଏହା ଦୃଢ଼ ରୂପେ ଅବଲମ୍ଵନ କରେ; ଯେ ବିଶ୍ରାମବାର ପାଳନ କରି ତାହା ଅଶୁଚି ନ କରେ ଓ ସବୁ ପ୍ରକାର କୁକର୍ମରୁ ଆପଣା ହସ୍ତକୁ ନିବାରଣ କରେ, ସେ ଧନ୍ୟ।

3 ନିଶ୍ଚୟ ସଦାପ୍ରଭୁ ଆପଣା ଲୋକମାନଙ୍କଠାରୁ ମୋତେ ପୃଥକ କରିବେ, ଏହା ସଦାପ୍ରଭୁଙ୍କଠାରେ ଆସକ୍ତ ବିଦେଶୀ ଲୋକ ନ କହୁ; ଅଥବା ଦେଖ, ମୁଁ ଗୋଟିଏ ଶୁଷ୍କ ବୃକ୍ଷ, ଏହା ନପୁଂସକ ନ କହୁ।

4 କାରଣ ନପୁଂସକମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି, ଯେଉଁମାନେ ଆମ୍ଭର ବିଶ୍ରାମଦିନ ପାଳନ କରନ୍ତି ଓ ଆମ୍ଭର ତୁଷ୍ଟିକର ବିଷୟ ମନୋନୀତ କରନ୍ତି ଓ ଆମ୍ଭର ନିୟମ ଅବଲମ୍ଵନ କରନ୍ତି;

5 ସେମାନଙ୍କୁ ଆମ୍ଭେ ଆମ୍ଭ ଗୃହ ମଧ୍ୟରେ ଓ ଆମ୍ଭ ପ୍ରାଚୀର ଭିତରେ ପୁତ୍ର କନ୍ୟା ଅପେକ୍ଷା ଉତ୍ତମ ସ୍ମରଣାର୍ଥକ ସ୍ତମ୍ଭ ଓ ନାମ ଦେବା; ଆମ୍ଭେ ସେମାନଙ୍କୁ ଅନନ୍ତ- କାଳସ୍ଥାୟୀ ନାମ ଦେବା, ତାହା କଟା ହେବ ନାହିଁ।

6 ଆହୁରି, ଯେଉଁ ବିଦେଶୀୟମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ଓ ସଦାପ୍ରଭୁଙ୍କ ନାମକୁ ପ୍ରେମ କରିବା ପାଇଁ ଓ ତାହାଙ୍କର ଦାସ ହେବା ନିମନ୍ତେ ସଦାପ୍ରଭୁଙ୍କଠାରେ ଆସକ୍ତ ହୁଅନ୍ତି, ଅର୍ଥାତ୍, ଯେଉଁମାନେ ବିଶ୍ରାମଦିନ ପାଳନ କରି ତାହା ଅଶୁଚି ନ କରନ୍ତି ଓ ଆମ୍ଭର ନିୟମ ଅବଲମ୍ଵନ କରନ୍ତି;

7 ସେସମସ୍ତଙ୍କୁ ଆମ୍ଭେ ଆପଣା ପବିତ୍ର ପର୍ବତକୁ ଆଣିବା ଓ ଆମ୍ଭର ପ୍ରାର୍ଥନା-ଗୃହରେ ସେମାନଙ୍କୁ ଆନନ୍ଦିତ କରିବା; ସେମାନଙ୍କର ହୋମବଳି ଓ ପ୍ରାୟଶ୍ଚିତ୍ତ ବଳିସବୁ ଆମ୍ଭ ଯଜ୍ଞବେଦି ଉପରେ ଗ୍ରାହ୍ୟ ହେବ ; କାରଣ ଆମ୍ଭର ଗୃହ ସର୍ବଗୋଷ୍ଠୀୟ ଲୋକଙ୍କର ପ୍ରାର୍ଥନା-ଗୃହ ବୋଲି ବିଖ୍ୟାତ ହେବ।

8 ଯେ ଇସ୍ରାଏଲର ଦୂରୀକୃତ ଲୋକଙ୍କୁ ସଂଗ୍ରହ କରନ୍ତି, ସେହି ପ୍ରଭୁ, ସଦାପ୍ରଭୁ କହନ୍ତି, ତାହାର ସଂଗୃହୀତ ନିଜ ଲୋକ ଛଡ଼ା ଆମ୍ଭେ ଅନ୍ୟ ଲୋକମାନଙ୍କୁ ତାହା ନିକଟରେ ସଂଗ୍ରହ କରିବା।


ଇସ୍ରାଏଲର ଦାୟିତ୍ଵହୀନ ନେତୃତ୍ଵ

9 ହେ କ୍ଷେତ୍ରସ୍ଥ ପଶୁସବୁ, ହେ ବନସ୍ଥ ସମସ୍ତ ପଶୁ, ତୁମ୍ଭେମାନେ ଗ୍ରାସ କରିବାକୁ ଆସ।

10 ତାହାର ପ୍ରହରୀଗଣ ଅନ୍ଧ, ସେସମସ୍ତେ ଜ୍ଞାନହୀନ; ସେସମସ୍ତେ ଘୁଙ୍ଗା କୁକ୍କୁର, ସେମାନେ ଭୁକି ପାରନ୍ତି ନାହିଁ; ସେମାନେ ସ୍ଵପ୍ନଦର୍ଶୀ, ନିଦ୍ରାଳୁ, ଢୁଳାଇବାକୁ ସୁଖ ପାʼନ୍ତି।

11 ଆହୁରି, ସେହି କୁକ୍କୁରମାନେ ପେଟୁକ, ସେମାନେ କେବେ ତୃପ୍ତ ନୁହନ୍ତି; ଆଉ, ଏମାନେ ବିବେଚନାଶକ୍ତିଶୂନ୍ୟ ପାଳକ; ସେସମସ୍ତେ ଚାରିଆଡ଼ରୁ ଆପଣା ଆପଣା ଲାଭ ଚେଷ୍ଟାରେ ଆପଣା ଆପଣା ବାଟ ଆଡ଼େ ଫେରିଅଛନ୍ତି।

12 ପ୍ରତ୍ୟେକେ କହନ୍ତି, ଆସ, ଆମ୍ଭେ ଦ୍ରାକ୍ଷାରସ ଆଣିବା ଓ ଆମ୍ଭେମାନେ ସୁରାପାନରେ ମତ୍ତ ହେବା; ପୁଣି, ଯେପରି ଆଜି, ସେପରି କାଲି ହେବ, ତାହା ଅପରିମିତ ମହାଦିନ ହେବ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan