Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 46 - ପବିତ୍ର ବାଇବଲ (Re-edited) - (BSI)


ସଦାପ୍ରଭୁ ଏବଂ ବାବିଲର ଦେବତା

1 ବେଲ୍ ଦେବତା ଅବନତ ହୁଏ, ନବୋ ନତ ହୁଏ; ସେମାନଙ୍କ ପ୍ରତିମାଗଣ ଜନ୍ତୁ ଓ ପଶୁମାନଙ୍କ ଉପରେ ଥୁଆ ଯାଇଅଛନ୍ତି; ଯେଉଁ ଦ୍ରବ୍ୟମାନ ତୁମ୍ଭେମାନେ ବହି କରି ବୁଲିଲ, ତାହା ବୋଝ ହୋଇଅଛି, କ୍ଳା; ପଶୁ ପ୍ରତି ଭାର ହୋଇଅଛି।

2 ସେମାନେ ନତ ହୁଅନ୍ତି, ସେମାନେ ଏକତ୍ର ନତ ହୁଅନ୍ତି; ସେମାନେ ଭାର ରକ୍ଷା କରିପାରିଲେ ନାହିଁ, ମାତ୍ର ଆପେ ବନ୍ଦୀ ହୋଇ ଯାଇଅଛନ୍ତି।

3 ହେ ଯାକୁବ ବଂଶ, ହେ ଇସ୍ରାଏଲ ବଂଶର ଅବଶିଷ୍ଟାଂଶ ସମସ୍ତେ, ଆମ୍ଭର କଥା ଶୁଣ; ତୁମ୍ଭେମାନେ ଉଦରସ୍ଥାୟୀ ହେବାଠାରୁ ଆମ୍ଭ ଦ୍ଵାରା ଉଠା ଯାଇଅଛ, ତୁମ୍ଭେମାନେ ଗର୍ଭରୁ ବହା ଯାଇଅଛ;

4 ପୁଣି, ଆମ୍ଭେ ତୁମ୍ଭମାନଙ୍କର ବୃଦ୍ଧାବସ୍ଥା ପର୍ଯ୍ୟନ୍ତ ସେହି ଅଟୁ ଓ ପକ୍ଵକେଶ ପର୍ଯ୍ୟନ୍ତ ହିଁ ଆମ୍ଭେ ତୁମ୍ଭମାନଙ୍କୁ ବହିବା; ଆମ୍ଭେ ନିର୍ମାଣ କରିଅଛୁ ଓ ଆମ୍ଭେ ବହିବା; ହଁ, ଆମ୍ଭେ ବହିବା ଓ ଉଦ୍ଧାର କରିବା।

5 ତୁମ୍ଭେମାନେ ଆମ୍ଭକୁ କାହାର ସଦୃଶ ଓ ସମାନ କରିବ ଓ କାହାର ସଙ୍ଗେ ଆମ୍ଭର ଉପମା ଦେଲେ, ଆମ୍ଭେମାନେ ସମାନ ହେବା?

6 ସେମାନେ ତୋଡ଼ାରୁ ସୁନା ଢାଳନ୍ତି ଓ ନିକ୍ତିରେ ରୂପା ତୌଲନ୍ତି, ସେମାନେ ସୁନାରିକି ମୂଲ ଲଗାନ୍ତି ଓ ସେ ଗୋଟିଏ ଦେବତା ନିର୍ମାଣ କରେ; ସେମାନେ ଦଣ୍ତବତ କରି ପୂଜା କରନ୍ତି।

7 ସେମାନେ ତାହାକୁ ସ୍କନ୍ଧରେ ବହି ନିଅନ୍ତି ଓ ତାହାକୁ ବହି ତାହାର ସ୍ଥାନରେ ତାହାକୁ ରଖନ୍ତି, ତହିଁରେ ସେ ଛିଡ଼ା ହୁଏ; ସେ ଆପଣା ସ୍ଥାନରୁ ଘୁଞ୍ଚିବ ନାହିଁ; ଆହୁରି, କେହି ତାହାକୁ ଡାକିଲେ ହେଁ ସେ ଉତ୍ତର ଦେଇପାରିବ ନାହିଁ, କିଅବା ସଙ୍କଟରୁ ଉଦ୍ଧାର କରିପାରିବ ନାହିଁ।

8 ତୁମ୍ଭେମାନେ ଏହା ସ୍ମରଣ କର ଓ ପୁରୁଷତ୍ଵ ପ୍ରକାଶ କର; ହେ ଅଧର୍ମାଚାରୀମାନେ, ମନରେ କର।

9 ପୁରାତନ ବିଷୟସବୁ ସ୍ମରଣ କର; କାରଣ ଆମ୍ଭେ ହିଁ ପରମେଶ୍ଵର, ଦ୍ଵିତୀୟ ନାହିଁ; ଆମ୍ଭେ ପରମେଶ୍ଵର, ଆମ୍ଭ ତୁଲ୍ୟ କେହି ନାହିଁ;

10 ଆମ୍ଭେ ଶେଷ ବିଷୟ ଆଦିଠାରୁ ପ୍ରକାଶ କରୁ, ପୁଣି ଯାହା ସାଧିତ ହୋଇ ନାହିଁ, ତାହା ପ୍ରାଚୀନ କାଳରୁ ଜଣାଉ, ଆଉ କହୁ, ଆମ୍ଭର ମନ୍ତ୍ରଣା ସ୍ଥିର ହେବ ଓ ଆମ୍ଭେ ଆପଣାର ସକଳ ମନୋରଥ ସିଦ୍ଧ କରିବା;

11 ଆମ୍ଭେ ପୂର୍ବ ଦିଗରୁ ଉତ୍କ୍ରୋଶ ପକ୍ଷୀକି, ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ଵାନ କରୁ; ଆମ୍ଭେ କହିଅଛୁ , ଆଉ ଆମ୍ଭେ ତାହା ସିଦ୍ଧ କରିବା; ଆମ୍ଭେ କଳ୍ପନା କରିଅଛୁ, ଆଉ ଆମ୍ଭେ ତାହା ସଫଳ କରିବା।

12 ହେ ଧର୍ମରୁ ଦୂରବର୍ତ୍ତୀ କଠିନାନ୍ତଃକରଣ ଲୋକେ, ଆମ୍ଭର କଥା ଶୁଣ।

13 ଆମ୍ଭେ ଆପଣା ଧର୍ମ ନିକଟକୁ ଆଣୁଅଛୁ, ତାହା ଦୂରବର୍ତ୍ତୀ ନୋହିବ ଓ ଆମ୍ଭ ପରିତ୍ରାଣର ବିଳମ୍ଵ ନୋହିବ; ଆମ୍ଭର ଗୌରବ ସ୍ଵରୂପ ଇସ୍ରାଏଲର ନିମନ୍ତେ ଆମ୍ଭେ ସିୟୋନରେ ପରିତ୍ରାଣ ସ୍ଥାପନ କରିବା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan