ଯିଶାଇୟ 39 - ପବିତ୍ର ବାଇବଲ (Re-edited) - (BSI)ବାବିଲର ଦୂତ 1 ସେସମୟରେ ବଲଦନର ପୁତ୍ର ବାବିଲରାଜ ମରୋଦକ୍-ବଲ୍ଦନ୍ ହିଜକୀୟ ନିକଟକୁ ପତ୍ରମାନ ଓ ଦର୍ଶନୀ ପଠାଇଲା; କାରଣ ତାହାର ପୀଡ଼ିତ ହେବାର ଓ ସୁସ୍ଥ ହେବାର ସମ୍ଵାଦ ସେ ଶୁଣିଥିଲା। 2 ତହିଁରେ ହିଜକୀୟ ସେମାନଙ୍କ ପ୍ରତି ସନ୍ତୁଷ୍ଟ ହୋଇ ଆପଣାର ବହୁମୂଲ୍ୟ ପଦାର୍ଥର ଗୃହ, ରୂପା ଓ ସୁନା ଓ ସୁଗନ୍ଧିଦ୍ରବ୍ୟ ଓ ବହୁମୂଲ୍ୟ ତୈଳ ଓ ଆପଣା ଅସ୍ତ୍ରାଗାର ଓ ଆପଣା ଭଣ୍ତାରସ୍ଥିତ ସମସ୍ତ ଦ୍ରବ୍ୟ ସେମାନଙ୍କୁ ଦେଖାଇଲା; ହିଜକୀୟ ଯାହା ସେମାନଙ୍କୁ ନ ଦେଖାଇଲା, ଏପରି କୌଣସି ଦ୍ରବ୍ୟ ତାହାର ଗୃହରେ କି ତାହାର ସମୁଦାୟ ରାଜ୍ୟରେ ନ ଥିଲା। 3 ସେତେବେଳେ ଯିଶାଇୟ ଭବିଷ୍ୟଦ୍ବକ୍ତା ହିଜକୀୟ ରାଜା ନିକଟକୁ ଆସି ତାହାକୁ କହିଲେ, ଏହି ଲୋକମାନେ କଅଣ କହିଲେ? ସେମାନେ କେଉଁଠାରୁ ତୁମ୍ଭ ନିକଟକୁ ଆସିଲେ? ତହିଁରେ ହିଜକୀୟ କହିଲା, ସେମାନେ ଦୂର ଦେଶ ବାବିଲରୁ ମୋʼ ନିକଟକୁ ଆସିଅଛନ୍ତି। 4 ଏଥିରେ ସେ ପଚାରିଲେ, ସେମାନେ ତୁମ୍ଭ ଗୃହରେ କଅଣ ଦେଖିଅଛନ୍ତି? ତହୁଁ ହିଜକୀୟ ଉତ୍ତର କଲା, ମୋʼ ଗୃହରେ ଯାହା ଯାହା ଅଛି, ସବୁ ସେମାନେ ଦେଖିଅଛନ୍ତି; ଯାହା ମୁଁ ସେମାନଙ୍କୁ ଦେଖାଇଲି ନାହିଁ, ଏପରି କୌଣସି ପଦାର୍ଥ ମୋʼ ଭଣ୍ତାରସମୂହରେ ନାହିଁ। 5 ଏଥିରେ ଯିଶାଇୟ ହିଜକୀୟକୁ କହିଲେ, ସୈନ୍ୟାଧିପତି ସଦାପ୍ରଭୁଙ୍କର ବାକ୍ୟ ଶୁଣ। 6 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ା ଯିବ ନାହିଁ। 7 ଆଉ, ତୁମ୍ଭ ପୁତ୍ରମାନଙ୍କ ମଧ୍ୟରେ ଯେଉଁମାନେ ତୁମ୍ଭ ଔରସରେ ଜାତ ଓ ତୁମ୍ଭଠାରୁ ଉତ୍ପନ୍ନ ହେବେ, ସେମାନଙ୍କୁ ସେମାନେ ନେଇଯିବେ ଓ ସେମାନେ ବାବିଲ ରାଜାର ଅଟ୍ଟାଳିକାରେ ନପୁଂସକ ହୋଇ ରହିବେ। 8 ସେତେବେଳେ ହିଜକୀୟ ଯିଶାଇୟଙ୍କୁ କହିଲା, ତୁମ୍ଭେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ କହିଅଛ, ତାହା ଉତ୍ତମ। ସେ ଆହୁରି କହିଲା, କାରଣ ମୋʼ ସମୟରେ ଶାନ୍ତି ଓ ସତ୍ୟତା ବିରାଜିତ ହେବ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India