Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 33 - ପବିତ୍ର ବାଇବଲ (Re-edited) - (BSI)


ସାହାଯ୍ୟ ପାଇଁ ପ୍ରାର୍ଥନା

1 ଆପେ ଲୁଟିତ ନୋହିଲେ ହେଁ ଲୁଟୁଅଛ ଯେ ତୁମ୍ଭେ; ପୁଣି, ଲୋକମାନେ ତୁମ୍ଭ ପ୍ରତି ବିଶ୍ଵାସ-ଘାତକତା ନ କଲେ ହେଁ ବିଶ୍ଵାସଘାତକତା କରୁଅଛ ଯେ ତୁମ୍ଭେ, ତୁମ୍ଭେ ସନ୍ତାପର ପାତ୍ର ! ତୁମ୍ଭେ ଲୁଟିବାର ସମାପ୍ତ କଲା ଉତ୍ତାରେ ଲୁଟିତ ହେବ ଓ ବିଶ୍ଵାସଘାତକତା କରିବାର ସମାପ୍ତ କଲା ଉତ୍ତାରେ ଲୋକମାନେ ତୁମ୍ଭ ପ୍ରତି ବିଶ୍ଵାସ-ଘାତକତା କରିବେ।

2 ହେ ସଦାପ୍ରଭୋ, ଆମ୍ଭମାନଙ୍କ ପ୍ରତି କୃପା କର; ଆମ୍ଭେମାନେ ତୁମ୍ଭର ଅପେକ୍ଷା କରିଅଛୁ; ତୁମ୍ଭେ ପ୍ରତି ପ୍ରଭାତ ସେମାନଙ୍କର ବାହୁ ସ୍ଵରୂପ ହୁଅ, ସଙ୍କଟ ସମୟରେ ମଧ୍ୟ ଆମ୍ଭମାନଙ୍କର ତ୍ରାଣ ସ୍ଵରୂପ ହୁଅ।

3 କୋଳାହଳର ଶଦ୍ଦରେ ଗୋଷ୍ଠୀୟମାନେ ପଳାୟନ କଲେ, ତୁମ୍ଭେ ଉଠନ୍ତେ, ଅନ୍ୟ ଦେଶୀୟମାନେ ଛିନ୍ନଭିନ୍ନ ହେଲେ।

4 ପୁଣି, ଯେପରି ପତଙ୍ଗ ସଂଗ୍ରହ କରେ, ସେପରି ତୁମ୍ଭମାନଙ୍କର ଲୁଟ ସଂଗୃହୀତ ହେବ; ଯେପରି ଫଡ଼ିଙ୍ଗମାନେ ଡିଆଁ ମାରନ୍ତି, ସେପରି ଲୋକମାନେ ତହିଁ ଉପରେ ଡିଆଁ ମାରିବେ।

5 ସଦାପ୍ରଭୁ ଉନ୍ନତ; କାରଣ ସେ ଊର୍ଦ୍ଧ୍ଵଲୋକରେ ବାସ କରନ୍ତି; ସେ ସିୟୋନକୁ ନ୍ୟାୟ ବିଚାର ଓ ଧାର୍ମିକତାରେ ପୂର୍ଣ୍ଣ କରିଅଛନ୍ତି।

6 ପୁଣି, ତୁମ୍ଭ ସମୟରେ ସୁସ୍ଥିରତା ହେବ; ପରିତ୍ରାଣର, ଜ୍ଞାନର ଓ ବୁଦ୍ଧିର ବାହୁଲ୍ୟ ହେବ; ସଦାପ୍ରଭୁ ବିଷୟକ ଭୟ ତାହାର ଭଣ୍ତାର।

7 ଦେଖ, ସେମାନଙ୍କର ବିକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଅଛନ୍ତି; ସନ୍ଧି-ଅନ୍ଵେଷଣକାରୀ ଦୂତମାନେ ଅତିଶୟ ରୋଦନ କରୁଅଛନ୍ତି।

8 ରାଜପଥସବୁ ନରଶୂନ୍ୟ, ପଥିକ କେହି ନାହିଁ; ସେ ନିୟମ ଭାଙ୍ଗିଅଛି, ସେ ନଗରସବୁକୁ ତୁଚ୍ଛ କରିଅଛି, ସେ ମନୁଷ୍ୟକୁ ଗଣେ ନାହିଁ।

9 ଦେଶ ବିଳାପ କରି ମଳିନ ହେଉଅଛି; ଲିବାନୋନ ଲଜ୍ଜିତ ହୋଇ ଶୁଷ୍କ ହେଉଅଛି; ଶାରୋଣ ଅରଣ୍ୟ ତୁଲ୍ୟ ହୋଇଅଛି; ପୁଣି ବାଶନ୍ ଓ କର୍ମିଲ୍ ପତ୍ର ଛାଡ଼ି ଦେଉଅଛନ୍ତି।


ପରମେଶ୍ଵରଙ୍କ

10 ସଦାପ୍ରଭୁ କହନ୍ତି, ଆମ୍ଭେ ଏବେ ଉଠିବା; ଆମ୍ଭେ ଏବେ ଆପଣାକୁ ଉଠାଇବା; ଆମ୍ଭେ ଏବେ ଉନ୍ନତ ହେବା।

11 ତୁମ୍ଭେମାନେ ତୁଷରୂପ ଗର୍ଭଧାରଣ କରି ନଡ଼ା ପ୍ରସବ କରିବ; ତୁମ୍ଭମାନଙ୍କର ଅଗ୍ନିବତ୍ ଶ୍ଵାସବାୟୁ ତୁମ୍ଭମାନଙ୍କୁ ଗ୍ରାସ କରିବ।

12 ପୁଣି, ଗୋଷ୍ଠୀୟମାନେ ଭସ୍ମୀକୃତ ଚୂନ ପରି ଓ ଅଗ୍ନିରେ ଦଗ୍ଧ କଟା କଣ୍ଟକ ତୁଲ୍ୟ ହେବେ।

13 ହେ ଦୂରବର୍ତ୍ତୀ ଲୋକସମସ୍ତେ, ତୁମ୍ଭେମାନେ ଆମ୍ଭ କୃତ କର୍ମର କଥା ଶୁଣ; ପୁଣି, ହେ ନିକଟବର୍ତ୍ତୀ ଲୋକ-ସମସ୍ତେ, ତୁମ୍ଭେମାନେ ଆମ୍ଭର ପରାକ୍ରମ ସ୍ଵୀକାର କର।

14 ସିୟୋନରେ ପାପୀମାନେ ଭୀତ ଅଟନ୍ତି; ଅଧାର୍ମିକମାନଙ୍କୁ କମ୍ପ ହଠାତ୍ ଆକ୍ରମଣ କରିଅଛି। ଆମ୍ଭମାନଙ୍କ ମଧ୍ୟରୁ କିଏ ସର୍ବଗ୍ରାସକ ଅଗ୍ନିରେ ବାସ କରିପାରେ? ଆମ୍ଭମାନଙ୍କ ମଧ୍ୟରୁ କିଏ ଅନ; କାଳସ୍ଥାୟୀ ଜ୍ଵଳନରେ ବାସ କରିପାରେ?

15 ଯେଉଁ ଲୋକ ଧର୍ମରୂପ ପଥରେ ଚାଲେ ଓ ଯେ ସରଳ କଥା କହେ; ଯେଉଁ ଲୋକ ଉପଦ୍ରବଜାତ ଲାଭ ତୁଚ୍ଛ କରେ ଓ ଲାଞ୍ଚ ଧରିବା ବିଷୟରୁ ଆପଣା ହାତ ଝାଡ଼ି ଦିଏ, ଯେ ରକ୍ତପାତ କଥାର ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରେ, ପୁଣି ଦୁଷ୍କର୍ମର ଦର୍ଶନରୁ ଆପଣା ଚକ୍ଷୁ ମୁଦ୍ରିତ କରେ;

16 ସେ ଉଚ୍ଚ ସ୍ଥାନରେ ବାସ କରିବ; ଶୈଳଗଣର ଦୁରାକ୍ରମ ସ୍ଥାନ ତାହାର ଦୁର୍ଗ ସ୍ଵରୂପ ହେବ; ତାହାର ଭକ୍ଷ୍ୟ ତାହାକୁ ଦିଆଯିବ; ତାହାର ଜଳର ଅଭାବ ହେବ ନାହିଁ।


ଗୌରବୋଜ୍ଵଳ ଭବିଷ୍ୟତ

17 ତୁମ୍ଭର ଚକ୍ଷୁ ରାଜାଙ୍କୁ ତାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶନ କରିବ; ଏକ ଦୂରବ୍ୟାପୀ ଦେଶ ଦେଖିବ।

18 ତୁମ୍ଭର ଚିତ୍ତ ଭୟ ବିଷୟ ଆନ୍ଦୋଳନ କରିବ; ସେ ଗଣନାକାରୀ କାହିଁ? ମୁଦ୍ରା ତୌଲକାରୀ କାହିଁ? ଦୁର୍ଗ ଗଣନାକାରୀ କାହିଁ?

19 ତୁମ୍ଭେ ସେହି ଦୁର; ଗୋଷ୍ଠୀକି, ଅର୍ଥାତ୍, ଯେଉଁମାନଙ୍କର ଗଭୀର ଭାଷା ତୁମ୍ଭେ ଜାଣି ପାରିଲ ନାହିଁ, ଯେଉଁମାନଙ୍କର ବିଦେଶୀୟ ଭାଷା ତୁମ୍ଭେ ବୁଝି ପାରିଲ ନାହିଁ, ସେହି ଗୋଷ୍ଠୀକି ଆଉ ଦେଖିବ ନାହିଁ।

20 ଆମ୍ଭମାନଙ୍କର ପବିତ୍ର ସଭାସ୍ଥାନ ସିୟୋନ ନଗର ପ୍ରତି ଦୃଷ୍ଟି କର; ତୁମ୍ଭର ଚକ୍ଷୁ ଶାନ୍ତିମୟ ବସତି-ସ୍ଥାନ ଯିରୂଶାଲମକୁ ଦେଖିବ, ତାହା ଅଟଳ ତମ୍ଵୁ ସ୍ଵରୂପ, ତହିଁର କୀଳାସବୁ କେବେ ଉପୁଡ଼ା ଯିବ ନାହିଁ, କିଅବା ତହିଁର କୌଣସି ରଜ୍ଜୁ ଛିଣ୍ତିବ ନାହିଁ।

21 ମାତ୍ର ସେଠାରେ ସଦାପ୍ରଭୁ ପ୍ରତାପରେ ଆମ୍ଭମାନଙ୍କର ସହବର୍ତ୍ତୀ ହେବେ, ପ୍ରଶସ୍ତ ନଦନଦୀ ଓ ସ୍ରୋତସମୂହର ସ୍ଥାନ ସ୍ଵରୂପ ହେବେ; ସେସ୍ଥାନରେ ଆହୁଲାଯୁକ୍ତ କୌଣସି ପୋତ ଗମନ କରିବ ନାହିଁ, କିଅବା ଭୟଙ୍କର ଜାହାଜ ତାହା ପାର ହେବ ନାହିଁ।

22 କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଚାରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାଦାତା, ସଦାପ୍ରଭୁ ଆମ୍ଭମାନଙ୍କର ରାଜା,, ସେ ଆମ୍ଭମାନଙ୍କର ପରିତ୍ରାଣ କରିବେ।

23 ତୁମ୍ଭର ପାଲ-ଦଉଡ଼ିସବୁ ହୁଗୁଳା ହୋଇଅଛି, ସେସବୁ ଆପଣା ମାସ୍ତୁଲକୁ ଦୃଢ଼ ଓ ପାଲକୁ ବିସ୍ତାର କରି ପାରିଲା ନାହିଁ; ସେତେବେଳେ ବସ୍ତର ଲୁଟଦ୍ରବ୍ୟ ବିଭାଗ କରାଗଲା; ଛୋଟା ଲୋକ ଲୁଟ ଦ୍ରବ୍ୟ ଧରିଲା।

24 ପୁଣି, ମୁଁ ପୀଡ଼ିତ ଅଛି ବୋଲି ନିବାସୀ-ଲୋକ କହିବ ନାହିଁ; ତନ୍ନିବାସୀ-ଲୋକମାନଙ୍କର ଅପରାଧ କ୍ଷମା କରାଯିବ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan