Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 30 - ପବିତ୍ର ବାଇବଲ (Re-edited) - (BSI)


ମିସରର ସାହାଯ୍ୟ ବୃଥା

1 ସଦାପ୍ରଭୁ କହନ୍ତି, ଯେଉଁ ବିଦ୍ରୋହୀ ସନ୍ତାନଗଣ ମନ୍ତ୍ରଣା କରନ୍ତି, ମାତ୍ର ଆମ୍ଭ ଦ୍ଵାରା ନୁହେଁ; ପୁଣି, ଯେଉଁମାନେ ପାପ ଉପରେ ପାପ କରିବା ନିମନ୍ତେ ଆଚ୍ଛାଦନରେ ଆଚ୍ଛାଦନ କରନ୍ତି, ମାତ୍ର ଆମ୍ଭ ଆତ୍ମାଙ୍କ ଦ୍ଵାରା ନୁହେଁ, ସେମାନେ ସନ୍ତାପର ପାତ୍ର!

2 ସେମାନେ ଆମ୍ଭକୁ ନ ପଚାରି ଫାରୋର ବଳରେ ଆପଣାମାନଙ୍କୁ ବଳିଷ୍ଠ କରିବାକୁ ଓ ମିସରର ଛାୟାରେ ଆଶ୍ରୟ ନେବାକୁ ମିସରକୁ ଯିବା ନିମନ୍ତେ ଯାତ୍ରା କରୁଅଛନ୍ତି।

3 ଏହେତୁ ଫାରୋର ବଳ ତୁମ୍ଭମାନଙ୍କର ଲଜ୍ଜାଜନକ ହେବ ଓ ମିସରର ଛାୟାରେ ଆଶ୍ରୟ ନେବା ତୁମ୍ଭମାନଙ୍କର ଅପମାନଜନକ ହେବ।

4 କାରଣ ତାହାର ଅଧିପତିମାନେ ସୋୟନରେ ଅଛନ୍ତି ଓ ତାହାର ରାଜଦୂତଗଣ ହାନେଷକୁ ଆସିଅଛନ୍ତି।

5 ଯେଉଁ ଗୋଷ୍ଠୀ ସେମାନଙ୍କର ଉପକାର କରି ନ ପାରନ୍ତି, ସେମାନଙ୍କ ବିଷୟରେ ସେସମସ୍ତେ ଲଜ୍ଜିତ ହେବେ, ସେ ଗୋଷ୍ଠୀ ସାହାଯ୍ୟକାରୀ କି ଉପକାରଜନକ ନୁହନ୍ତି, ମାତ୍ର ଲଜ୍ଜା ଓ ଦୁର୍ନାମ ସ୍ଵରୂପ ଅଟନ୍ତି।

6 ଦକ୍ଷିଣର ପଶୁଗଣ ବିଷୟକ ଭାରୋକ୍ତି। ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ଵାରା ସେମାନଙ୍କର ଉପକାର ନୋହିବ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍ଜ ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି।

7 କାରଣ ମିସର ମିଥ୍ୟା ଓ ବୃଥାରେ ସାହାଯ୍ୟ କରେ; ଏଥିପାଇଁ ଆମ୍ଭେ ତାହାକୁ ନିଷ୍କର୍ମରେ ଉପବିଷ୍ଟ ରାହବ ବୋଲି ନାମ ଦେଇଅଛୁ।


ଅବାଧ୍ୟ ଜାତି

8 ଏବେ ଯାଅ, ସେମାନଙ୍କ ସାକ୍ଷାତରେ ଏକ ଫଳକରେ ତାହା ଲେଖ ଓ ତାହା ଯେପରି ଆସନ୍ତା କାଳ ନିମନ୍ତେ, ଅନ; କାଳ ପର୍ଯ୍ୟନ୍ତ ରହିବ, ଏଥିପାଇଁ ଏକ ପୁସ୍ତକରେ ତାହା ଲିପିବଦ୍ଧ କର।

9 କାରଣ ସେମାନେ ବିଦ୍ରୋହୀ ଗୋଷ୍ଠୀ, ମିଥ୍ୟାବାଦୀ ସନ୍ତାନ, ସେମାନେ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ସନ୍ତାନ;

10 ସେମାନେ ଦର୍ଶକଗଣକୁ କହନ୍ତି, ତୁମ୍ଭେମାନେ ଦର୍ଶନ କର ନାହିଁ ଓ ଭବିଷ୍ୟଦ୍ବକ୍ତାଗଣକୁ କହନ୍ତି, ତୁମ୍ଭେମାନେ ଆମ୍ଭମାନଙ୍କ ନିକଟରେ ଯଥାର୍ଥ ବାକ୍ୟ ପ୍ରଚାର କର ନାହିଁ, ଆମ୍ଭମାନଙ୍କୁ କୋମଳ କଥା କୁହ ଓ ଭ୍ରାନ୍ତିଜନକ ବାକ୍ୟ ପ୍ରଚାର କର;

11 ତୁମ୍ଭେମାନେ ପଥରୁ ବାହାରି ଯାଅ, ବାଟ ଛାଡ଼ି ଦିଅ, ଇସ୍ରାଏଲର ଧର୍ମସ୍ଵରୂପଙ୍କୁ ଆମ୍ଭମାନଙ୍କ ସମ୍ମୁଖରୁ ଦୂର କରାଅ।

12 ଏହେତୁ ଇସ୍ରାଏଲର ଧର୍ମସ୍ଵରୂପ ଏହି କଥା କହନ୍ତି, ତୁମ୍ଭେମାନେ ଏହି ବାକ୍ୟ ତୁଚ୍ଛ କରୁଅଛ, ପୁଣି ଉପଦ୍ରବ ଓ କୁଟିଳତାରେ ବିଶ୍ଵାସ କରି ତହିଁ ଉପରେ ନିର୍ଭର ରଖୁଅଛ;

13 ଏଥିପାଇଁ ଉଚ୍ଚ ଭିତ୍ତିର ପତନଶୀଳ ଯେଉଁ ଟୋଲା ଫାଟ, ହଠାତ୍ ଏକାବେଳେ ଭାଙ୍ଗି ପଡ଼େ, ତାହାରି ତୁଲ୍ୟ ଏହି ଅପରାଧ ତୁମ୍ଭମାନଙ୍କ ପ୍ରତି ହେବ।

14 ପୁଣି, ଯେପରି କୁମ୍ଭକାରର ପାତ୍ର ଭଙ୍ଗାଯାଏ, ସେପରି ସେ କିଛି ଦୟା ନ କରି ତାହା ଚୂର୍ଣ୍ଣ କରି ଭାଙ୍ଗି ପକାଇବେନ୍ତ ତହିଁରେ ଚୁଲ୍ଲୀରୁ ଅଗ୍ନି କିଅବା କୁଣ୍ତରୁ ଜଳ ନେବା ଭଳି ଖଣ୍ତେ ଖପରା ହିଁ ତହିଁରୁ ମିଳିବ ନାହିଁ।

15 କାରଣ ପ୍ରଭୁ, ସଦାପ୍ରଭୁ ଇସ୍ରାଏଲର ଧର୍ମସ୍ଵରୂପ କହିଲେ, ଫେରିଲେ ଓ ଶା; ହେଲେ ତୁମ୍ଭେମାନେ ପରିତ୍ରାଣ ପାଇବ; ସୁସ୍ଥିରତା ଓ ବିଶ୍ଵାସରେ ତୁମ୍ଭମାନଙ୍କର ବଳ ହେବ, ପୁଣି ତୁମ୍ଭେମାନେ ଅସମ୍ମତ ହେଲ।

16 ମାତ୍ର ତୁମ୍ଭେମାନେ କହିଲ, ନା, ଆମ୍ଭେମାନେ ଅଶ୍ଵରେ ପଳାଇବୁ; ଏଥିପାଇଁ ତୁମ୍ଭେମାନେ ପଳାତକ ହେବ; ଆଉ କହିଲ, ଆମ୍ଭେମାନେ ଦ୍ରୁତଗାମୀ ବାହନରେ ଚଢ଼ିବା; ଏଥିପାଇଁ ତୁମ୍ଭମାନଙ୍କ ପଶ୍ଚାତ୍ ଗୋଡ଼ାଇବା ଲୋକମାନେ ଦ୍ରୁତଗାମୀ ହେବେ।

17 ଏକ ଜଣର ଧମକରେ ସହସ୍ର ଲୋକ ପଳାୟନ କରିବେ; ପାଞ୍ଚ ଜଣର ଧମକରେ ତୁମ୍ଭେମାନେ ପଳାୟନ କରିବ; ତହିଁରେ ତୁମ୍ଭେମାନେ ପର୍ବତର ଶୃଙ୍ଗରେ ଏକ ଚିହ୍ନ ସ୍ଵରୂପ ଓ ଉପପର୍ବତରେ ପତାକାର ଦଣ୍ତ ସ୍ଵରୂପ ହୋଇ ଅବଶିଷ୍ଟ ରହିବ।

18 ପୁଣି, ତହିଁ ସକାଶୁ ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ; କାରଣ ସଦାପ୍ରଭୁ ନ୍ୟାୟ ବିଚାରକାରୀ ପରମେଶ୍ଵର ଅଟନ୍ତି; ଯେଉଁମାନେ ତାହାଙ୍କ ପାଇଁ ଅପେକ୍ଷା କରନ୍ତି, ସେସମସ୍ତେ ଧନ୍ୟ।


ଲୋକମାନଙ୍କ ପ୍ରତି

19 ଲୋକମାନେ ସିୟୋନରେ, ଯିରୂଶାଲମରେ ବାସ କରିବେ; ତୁମ୍ଭେ ଆଉ ରୋଦନ କରିବ ନାହିଁ; ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ; ସେ ଶୁଣିବା ମାତ୍ରେ ତୁମ୍ଭକୁ ଉତ୍ତର ଦେବେ।

20 ପୁଣି, ଯଦ୍ୟପି ପ୍ରଭୁ ତୁମ୍ଭମାନଙ୍କୁ ଦୁଃଖରୂପ ଖାଦ୍ୟ ଓ କ୍ଳେଶରୂପ ଜଳ ଦିଅନ୍ତି, ତଥାପି ତୁମ୍ଭମାନଙ୍କର ଶିକ୍ଷକଗଣ ଆଉ ଗୁପ୍ତ ରହିବେ ନାହିଁ, ମାତ୍ର ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ।

21 ପୁଣି, ଦକ୍ଷିଣରେ କି ବାମରେ ଫେରିବା ବେଳେ ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ, ପଥ ଏହି, ଏଥିରେ ହିଁ ତୁମ୍ଭେମାନେ ଗମନ କର।

22 ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମା-ଗଣର ମଣ୍ତନ ଓ ଛାଞ୍ଚରେ ଢଳା ସ୍ଵର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ ଏଠାରୁ ବାହାରି ଯାଅ।

23 ପୁଣି, ଭୂମିରେ ବୁଣିବା ନିମନ୍ତେ ସେ ତୁମ୍ଭ ବୀଜ ପାଇଁ ବୃଷ୍ଟି ଦେବେ; ଭୂମ୍ୟୁତ୍ପନ୍ନ ଭକ୍ଷ୍ୟ ଦେବେ ଓ ତାହା ଉତ୍ତମ ଓ ପ୍ରଚୁର ହେବ; ସେଦିନରେ ତୁମ୍ଭ ପଶୁପଲ ପ୍ରଶସ୍ତ ଚରାସ୍ଥାନରେ ଚରିବେ।

24 ମଧ୍ୟ ଭୂମି ଚାଷକାରୀ ବଳଦ ଓ ଯୁବା ଗର୍ଦ୍ଦଭମାନେ ଚାଲୁଣୀ ଓ କୁଲାରେ ଝଡ଼ା ସୁମିଶ୍ରିତ ଶସ୍ୟାଦି ଖାଇବେ।

25 ଆଉ, ଯେଉଁ ମହାହତ୍ୟା ଦିନରେ ଦୁର୍ଗସବୁ ପତିତ ହେବ, ସେହି ଦିନରେ ପ୍ରତ୍ୟେକ ଉଚ୍ଚ ପର୍ବତରେ ଓ ପ୍ରତ୍ୟେକ ଉଚ୍ଚ ଗିରିରେ ନଦୀ ଓ ଜଳସ୍ରୋତ ହେବ।

26 ଆହୁରି, ଯେଉଁ ଦିନ ସଦାପ୍ରଭୁ ଆପଣା ଲୋକମାନଙ୍କର ଆଘାତ ସ୍ଥାନ ବାନ୍ଧିବେ ଓ ପ୍ରହାରଜାତ ସେମାନଙ୍କ କ୍ଷତ ସୁସ୍ଥ କରିବେ, ସେଦିନରେ ଚନ୍ଦ୍ରମାର ଦୀପ୍ତି ସୂର୍ଯ୍ୟର ଦୀପ୍ତି ତୁଲ୍ୟ ହେବ, ଆଉ ସୂର୍ଯ୍ୟର ଦୀପ୍ତି ସାତ ଦିନର ଦୀପ୍ତି ତୁଲ୍ୟ ସପ୍ତଗୁଣ ହେବ।

27 ଦେଖ, ସଦାପ୍ରଭୁଙ୍କର ନାମ ତାହାଙ୍କ କ୍ରୋଧରେ ପ୍ରଜ୍ଵଳିତ ଓ ନିବିଡ଼ ଧୂମରାଶି ହୋଇ ଦୂରରୁ ଆସୁଅଛି; ତାହାଙ୍କର ଓଷ୍ଠାଧର କ୍ରୋଧରେ ପରିପୂର୍ଣ୍ଣ ଓ ତାହାଙ୍କର ଜିହ୍ଵା ସର୍ବଗ୍ରାସକ ଅଗ୍ନି ତୁଲ୍ୟ;

28 ପୁଣି, ତାହାଙ୍କର ଶ୍ଵାସବାୟୁ ପ୍ଳାବିତ ସ୍ରୋତ ତୁଲ୍ୟ, ସର୍ବଦେଶୀୟ ଲୋକମାନଙ୍କୁ ଅସାରତାରୂପ ଚାଲୁଣୀରେ ଚଲାଇବା ନିମନ୍ତେ ତାହା କଣ୍ଠ ପର୍ଯ୍ୟନ୍ତ ଉଠୁଅଛି; ଆଉ, ଗୋଷ୍ଠୀସମୂହର ମୁଖରେ ଭ୍ରାନ୍ତିଜନକ ଲଗାମ ଦିଆଯିବ ।

29 ପବିତ୍ର ଉତ୍ସବ ପାଳନର ରାତ୍ରିରେ ଯେପରି, ସେପରି ତୁମ୍ଭେମାନେ ଗାନ କରିବ; ପୁଣି, ଲୋକେ ଯେପରି ସଦାପ୍ରଭୁଙ୍କ ପର୍ବତକୁ, ଇସ୍ରାଏଲର ଶୈଳ ନିକଟକୁ ଯିବା ପାଇଁ ବଂଶୀ ବଜାଇ ଗମନ କରନ୍ତି, ସେପରି ତୁମ୍ଭମାନଙ୍କର ଚିତ୍ତ ଆନନ୍ଦିତ ହେବ।

30 ପୁଣି, ସଦାପ୍ରଭୁ ଆପଣା କ୍ରୋଧର ପ୍ରଚଣ୍ତତା ଓ ସର୍ବଗ୍ରାସକ ଅଗ୍ନିଶିଖା, ତୋଫାନ ଓ ଝଡ଼ ଓ ଶିଳାବୃଷ୍ଟି ଦ୍ଵାରା ଆପଣାର ପ୍ରତାପାନ୍ଵିତ ରବ ଶୁଣାଇବେ ଓ ଆପଣା ହସ୍ତର ଅବରୋହଣ ଦେଖାଇବେ।

31 କାରଣ ସଦାପ୍ରଭୁଙ୍କ ରବରେ ଅଶୂର ଖଣ୍ତ ଖଣ୍ତ ହୋଇ ଭଗ୍ନ ହେବ, ସେ ତାହାକୁ ଦଣ୍ତାଘାତ କରିବେ।

32 ପୁଣି, ଯେଉଁ ନିରୂପିତ ଯଷ୍ଟି ସଦାପ୍ରଭୁ ତାହା ଉପରେ ଥୋଇବେ, ତହିଁର ପ୍ରତ୍ୟେକ ଆଘାତ ସମୟରେ ତବଲା ଓ ବୀଣା ବାଜିବ ଓ ସେ ସେମାନଙ୍କ ସହିତ ମହାଯୁଦ୍ଧ କରିବେ।

33 କାରଣ ତୋଫତ୍ (ଅଗ୍ନିକୁଣ୍ତ) ପୂର୍ବକାଳରୁ ନିର୍ମିତ ହୋଇଅଛି ଓ ତାହା ରାଜାର ନିମନ୍ତେ ପ୍ରସ୍ତୁତ ହୋଇଅଛି; ସେ ତାହାକୁ ଗଭୀର ଓ ପ୍ରଶସ୍ତ କରିଅଛନ୍ତି, ତହିଁର ସ୍ତୂପ ଅଗ୍ନି ଓ ପ୍ରଚୁର କାଷ୍ଠମୟ; ପୁଣି, ସଦାପ୍ରଭୁଙ୍କ ଫୁତ୍କାର ଗନ୍ଧକ ସ୍ରୋତନ୍ୟାୟ ତାହା ପ୍ରଜ୍ଵଳିତ କରେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan