ଯିଶାଇୟ 21 - ପବିତ୍ର ବାଇବଲ (Re-edited) - (BSI)ବାବିଲର ପତନର ଦର୍ଶନ 1 ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାରୋକ୍ତି। ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁ ତୁଲ୍ୟ ପ୍ରାନ୍ତରରୁ,ଏକ ଭୟଙ୍କର ଦେଶରୁ ଆସୁଅଛି। 2 ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି; ବିଶ୍ଵାସଘାତକ ବିଶ୍ଵାସଘାତକତା କରୁଅଛି ଓ ଲୁଟକାରୀ ଲୁଟୁଅଛି। ହେ ଏଲମ୍, ଉପରକୁ ଯାଅ; ହେ ମାଦୀୟେ, ଅବରୋଧ କର; ମୁଁ ତହିଁର ହାହାକାର ଧ୍ଵନିସବୁ ନିବୃତ୍ତ କରିଅଛି। 3 ଏନିମନ୍ତେ ମୋହର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି; ପ୍ରସବକାରିଣୀର ବେଦନା ତୁଲ୍ୟ ବେଦନା ମୋତେ ଆକ୍ରା; କରିଅଛିନ୍ତ ମୁଁ ଏପରି ବ୍ୟଥିତ ଯେ, ମୁଁ ଶୁଣି ପାରୁ ନାହିଁ; ମୁଁ ଏପରି ବିହ୍ଵଳ ଯେ, ମୁଁ ଦେଖି ପାରୁ ନାହିଁ। 4 ମୋହର ହୃଦୟ ଧକାଉ ଅଛି, ମହାତ୍ରାସ ମୋତେ ଭୀତ କରାଉ ଅଛି; ଯେଉଁ ସାୟଂକାଳ ମୁଁ ବାଞ୍ଛା କଲି, ତାହା ମୋʼ ପ୍ରତି ଥରହରର କାରଣ ହୋଇଅଛି। 5 ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି; ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର। 6 କାରଣ, ପ୍ରଭୁ ମୋତେ ଏହି କଥା କହିଅଛନ୍ତି, ଯାଅ, ଏକ ଜଣ ପ୍ରହରୀ ନିଯୁକ୍ତ କର; ସେ ଯାହା ଦେଖେ, ତାହା ପ୍ରକାଶ କରୁ; 7 ପୁଣି ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ଵାରୋହୀ, ଏକ ଦଳ ଗର୍ଦ୍ଦଭାରୋହୀ ଓ ଏକ ଦଳ ଉଷ୍ଟ୍ରାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗ-ପୂର୍ବକ ଅତି ଯନିରେ କର୍ଣ୍ଣପାତ କରିବ। 8 ତହିଁରେ ସେ ସିଂହ ତୁଲ୍ୟ ଉଚ୍ଚ ଶଦ୍ଦ କରି କହିଲା, ହେ ପ୍ରଭୁ, ମୁଁ ଦିନବେଳେ ନିରନ୍ତର ପ୍ରହରୀ-ଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି; 9 ଆଉ, ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ଵାରୋହୀ ହୋଇ ଆସୁଅଛନ୍ତି। ଆହୁରି, ସେ ପ୍ରତ୍ୟୁତ୍ତର କରି କହିଲା, ବାବିଲ ପଡ଼ିଲାନ୍ତ ପଡ଼ିଲା ଓ ତାହାର ଖୋଦିତ ପ୍ରତିମାସବୁ ଭାଙ୍ଗି ଭୂମିସାତ୍ ହେଲା। 10 ହେ ମୋହର ମର୍ଦ୍ଦିତ ଓ ମୋʼ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ଵର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଇଲି। 11 ଦୁମା ବିଷୟକ ଭାରୋକ୍ତି। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା? 12 ପ୍ରହରୀ କହିଲା, ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି; ତୁମ୍ଭେମାନେ ଯେବେ ପଚାରିବ, ପଚାର; ତୁମ୍ଭେମାନେ ଫେର, ଆସ। 13 ଆରବ ବିଷୟକ ଭାରୋକ୍ତି। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରିଯାପନ କରିବ। 14 ଯେଉଁ ଜନ ତୃଷିତ ଥିଲା, ସେମାନେ ତାହା ନିକଟକୁ ଜଳ ଆଣିଲେ; ଟେମା ଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ। 15 କାରଣ ସେମାନେ ଖଡ଼୍ଗରୁ, ନିଷ୍କୋଷ ଖଡ଼୍ଗରୁ, ଗୁଣଦିଆ ଧନୁରୁ ଓ କ୍ଳେଶଜନକ ଯୁଦ୍ଧରୁ ପଳାଇଲେ। 16 ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦରର ସକଳ ପ୍ରତାପ ଲୁପ୍ତ ହେବ; 17 ଆଉ, କେଦରବଂଶୀୟ ବୀରଗଣ ମଧ୍ୟରେ ଅଳ୍ପସଂଖ୍ୟକ ଧନୁର୍ଦ୍ଧର ଅବଶିଷ୍ଟ ରହିବେ; କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ଵର ଏହା କହିଅଛନ୍ତି। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India