ଯିଶାଇୟ 15 - ପବିତ୍ର ବାଇବଲ (Re-edited) - (BSI)ମୋୟାବ ପ୍ରତି ଭାବବାଣୀ 1 ମୋୟାବ ବିଷୟକ ଭାରୋକ୍ତି। ମୋୟାବର ଆରନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ଵଂସିତ ହେଲା; ଏକ ରାତ୍ରି ମଧ୍ୟରେ ମୋୟାବର କୀର୍ ନଗର ଉଚ୍ଛିନ୍ନ ଓ ଧ୍ଵଂସିତ ହେଲା। 2 ସେ ରୋଦନ କରିବା ପାଇଁ ବୈଥତ୍କୁ ଓ ଦୀବୋନ୍କୁ, ଉଚ୍ଚସ୍ଥଳୀକି ଯାଇଅଛି; ନବୋ ଓ ମେଦବାର ବିଷୟରେ ମୋୟାବ ହାହାକାର କରୁଅଛି; ସେସମସ୍ତଙ୍କର ମସ୍ତକ ମୁଣ୍ତନ ହୋଇଅଛି, ପ୍ରତ୍ୟେକର ଦାଢ଼ି କଟା ହୋଇଅଛି। 3 ସେମାନଙ୍କର ସବୁ ସଡ଼କରେ ଲୋକମାନେ ଚଟବସ୍ତ୍ର ପିନ୍ଧୁଅଛନ୍ତି; ଆପଣା ଆପଣା ଗୃହର ଛାତ ଉପରେ ଓ ଛକ ସ୍ଥାନମାନଙ୍କରେ ପ୍ରତ୍ୟେକ ଲୋକ ଅତିଶୟ ରୋଦନ କରି ହାହାକାର କରୁଅଛନ୍ତି। 4 ହିଶ୍ବୋନ୍ ଓ ଇଲୀୟାଲି କ୍ରନ୍ଦନ କରୁଅଛନ୍ତି; ସେମାନଙ୍କର ରବ ଯହସ୍ ପର୍ଯ୍ୟନ୍ତ ଶୁଣା ଯାଉଅଛି; ଏହେତୁ ମୋୟାବର ସସଜ୍ଜ ଲୋକେ ଆର୍ତ୍ତନାଦ କରୁଅଛନ୍ତି; ତାହାର ପ୍ରାଣ ତାହା ମଧ୍ୟରେ କମ୍ପିତ ହେଉଅଛି। 5 ଆମ୍ଭର ହୃଦୟ ମୋୟାବ ପାଇଁ କ୍ରନ୍ଦନ କରୁଅଛି; ତାହାର କୁଳୀନମାନେ ସୋୟର୍ ପର୍ଯ୍ୟନ୍ତ ଇଗ୍ଲତ୍-ଶଲୀଶୀୟାକୁ ପଳାଉଅଛନ୍ତି; କାରଣ ସେମାନେ ରୋଦନ କରୁ କରୁ ଲୂହୀତ-ଘାଟୀ ଉପରକୁ ଯାଉଅଛନ୍ତି; ହୋରୋନୟିମ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି। 6 କାରଣ ନିମ୍ରୀମର ଜଳସମୂହ ଶୂନ୍ୟ ହେବ; ତୃଣ ଶୁଷ୍କ ହୋଇଅଛି, ନବୀନ ତୃଣର ଅଭାବ ହେଉଅଛି, ହରିଦ୍ବର୍ଣ୍ଣର କିଛି ହିଁ ନାହିଁ। 7 ଏହେତୁ ସେମାନେ ଆପଣାମାନଙ୍କର ପ୍ରାପ୍ତ ଧନ ଓ ରକ୍ଷିତ ଦ୍ରବ୍ୟସବୁ ବାଇଶୀ ବୃକ୍ଷର ସ୍ରୋତ ନିକଟକୁ ନେଇ ଯିବେ। 8 କାରଣ ମୋୟାବର ଚତୁର୍ଦ୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶଦ୍ଦ ଯାଇଅଛି; ତହିଁର ହାହାକାର ଇଗ୍ଲୟିମ୍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲୀମ୍ ପର୍ଯ୍ୟନ୍ତ ଯାଇଅଛି। 9 କାରଣ ଦୀମୋନର ଜଳସମୂହ ରକ୍ତମୟ ହୋଇଅଛି; ପୁଣି, ଆମ୍ଭେ ଦୀମୋନର ଉପରେ ଆହୁରି ଦୁଃଖ ଓ ମୋୟାବର ପଳାତକ ଲୋକ ଉପରେ ଓ ଦେଶର ଅବଶିଷ୍ଟାଂଶ ଉପରେ ଗୋଟିଏ ସିଂହ ଆଣିବା। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India