ଯିଶାଇୟ 12 - ପବିତ୍ର ବାଇବଲ (Re-edited) - (BSI)ଧନ୍ୟବାଦର ଗୀତ 1 ସେହି ଦିନରେ ତୁମ୍ଭେ କହିବ, ହେ ସଦାପ୍ରଭୋ, ମୁଁ ତୁମ୍ଭର ଧନ୍ୟବାଦ କରିବି; କାରଣ ତୁମ୍ଭେ ଆମ୍ଭ ପ୍ରତି କ୍ରୁଦ୍ଧ ଥିଲ, ତୁମ୍ଭର କ୍ରୋଧ ନିବୃତ୍ତ ହୋଇଅଛି ଓ ତୁମ୍ଭେ ଆମ୍ଭକୁ ସାନ୍ତ୍ଵନା କରୁଅଛ। 2 ଦେଖ, ପରମେଶ୍ଵର ଆମ୍ଭର ପରିତ୍ରାଣ; ଆମ୍ଭେ ବିଶ୍ଵାସ କରିବା ଓ ଭୀତ ହେବା ନାହିଁ; କାରଣ ଯିହୋବା ସଦାପ୍ରଭୁ ଆମ୍ଭର ବଳ ଓ ଗାନ; ପୁଣି, ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି। 3 ଏହେତୁ ତୁମ୍ଭେମାନେ ଆନନ୍ଦରେ ପରିତ୍ରାଣର କୂପସମୂହରୁ ଜଳ କାଢ଼ିବ। 4 ପୁଣି, ସେଦିନରେ ତୁମ୍ଭେମାନେ କହିବ, ସଦାପ୍ରଭୁଙ୍କର ଧନ୍ୟବାଦ କର, ତାହାଙ୍କ ନାମରେ ପ୍ରାର୍ଥନା କର, ଗୋଷ୍ଠୀୟମାନଙ୍କ ମଧ୍ୟରେ ତାହାଙ୍କର କ୍ରିୟାସକଳ ପ୍ରଚାର କର, ତାହାଙ୍କର ନାମ ଉନ୍ନତ ବୋଲି ବ୍ୟକ୍ତ କର । 5 ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କର; କାରଣ ସେ ମହିମାଯୁକ୍ତ କର୍ମ କରିଅଛନ୍ତି; ତାହା ସମୁଦାୟ ପୃଥିବୀର ଜ୍ଞାତ ହେଉ। 6 ହେ ସିୟୋନ ନିବାସିନୀ, ତୁମ୍ଭେ ଉଚ୍ଚ ସ୍ଵର କରି ଆନନ୍ଦଧ୍ଵନି କର; କାରଣ ଯେ ଇସ୍ରାଏଲର ଧର୍ମସ୍ଵରୂପ, ସେ ତୁମ୍ଭ ମଧ୍ୟରେ ମହାନ ଅଟନ୍ତି। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India