ଯିଶାଇୟ 11 - ପବିତ୍ର ବାଇବଲ (Re-edited) - (BSI)ଶାନ୍ତି ରାଜ୍ୟ 1 ଅନନ୍ତର ଯିଶୟର ଗଣ୍ତିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ।; 2 ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ; 3 ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣର ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ, 4 ମାତ୍ର ସେ ଧର୍ମରେ ଦୀନହୀନମାନଙ୍କର ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେନ୍ତ ପୁଣି, ସେ ଆପଣା ମୁଖସ୍ଥିତ ଦଣ୍ତ ଦ୍ଵାରା ପୃଥିବୀକି ଆଘାତ କରିବେ ଓ ଆପଣା ଓଷ୍ଠାଧରର ନିଃଶ୍ଵାସ ଦ୍ଵାରା ଦୁଷ୍ଟକୁ ସଂହାର କରିବେ। 5 ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ଵସ୍ତତା ତାହାଙ୍କ କକ୍ଷର ପଟୁକା ହେବ। 6 ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତା ବାଘ ଛେଳିଛୁଆ ସଙ୍ଗେ ଶୟନ କରିବ; ବାଛୁରି, ଯୁବାସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେନ୍ତ ଆଉ, ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ। 7 ପୁଣି, ଗାଭୀ ଓ ଭଲ୍ଲୁକୀ ଚରିବେ; ସେମାନଙ୍କର ଛୁଆସବୁ ଏକତ୍ର ଶୟନ କରିବେ; ଆଉ, ସିଂହ ବଳଦ ପରି ନଡ଼ା ଖାଇବ। 8 ପୁଣି, ସ୍ତନ୍ୟପାୟୀ ଶିଶୁ କାଳସର୍ପର ଗର୍ତ୍ତ ଉପରେ ଖେଳିବ ଓ ତ୍ୟକ୍ତସ୍ତନ୍ୟ ବାଳକ କାଳସର୍ପର ଗର୍ତ୍ତ ଉପରେ ହସ୍ତ ଥୋଇବ। 9 ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ। 10 ଆଉ, ସେଦିନରେ ଗୋଷ୍ଠୀଗଣର ଧ୍ଵଜା ରୂପେ ସ୍ଥାପିତ ଯେ ଯିଶୟର ମୂଳ, ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ ସ୍ଥାନ ଗୌରବାନ୍ଵିତ ହେବ। 11 ଆହୁରି, ସେହି ଦିନରେ ପ୍ରଭୁ ଆପଣା ଲୋକ-ମାନଙ୍କର ଅବଶିଷ୍ଟାଂଶକୁ ଅଶୂରରୁ, ମିସରରୁ ଓ ପଥ୍ରୋଷରୁ, କୂଶରୁ, ଏଲମରୁ, ଶିନୀୟରରୁ ଓ ହମାତରୁ ଓ ସମୁଦ୍ରର ଦ୍ଵୀପସମୂହରୁ ମୁକ୍ତ କରି ଆଣିବା ନିମନ୍ତେ ପୁନର୍ବାର ଦ୍ଵିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। 12 ପୁଣି, ସେ ଗୋଷ୍ଠୀବର୍ଗ ନିମନ୍ତେ ଗୋଟିଏ ଧ୍ଵଜା ଉଠାଇବେ ଓ ପୃଥିବୀର ଚତୁଷ୍କୋଣରୁ ଇସ୍ରାଏଲର ତାଡ଼ିତ ଲୋକମାନଙ୍କୁ ଏକତ୍ର କରିବେ ଓ ଯିହୁଦାର ଛିନ୍ନଭିନ୍ନ ଲୋକମାନଙ୍କୁ ସଂଗ୍ରହ କରିବେ। 13 ଆହୁରି, ଇଫ୍ରୟିମର ଈର୍ଷା ଦୂର ହେବ ଓ ଯିହୁଦାକୁ କ୍ଳେଶ ଦେବା ଲୋକମାନେ ଉଚ୍ଛିନ୍ନ ହେବେ; ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ ଓ ଯିହୁଦା ଇଫ୍ରୟିମକୁ କ୍ଳେଶ ଦେବ ନାହିଁ। 14 ପୁଣି, ସେମାନେ ପଶ୍ଚିମ ଦିଗରେ ପଲେଷ୍ଟୀୟ-ମାନଙ୍କ ସ୍କନ୍ଧ ଉପରେ ଝାମ୍ପ ମାରିବେ; ସେମାନେ ଏକତ୍ର ହୋଇ ପୂର୍ବଦେଶୀୟ ସନ୍ତାନଗଣର ଦ୍ରବ୍ୟ ଲୁଟ କରିବେ; ସେମାନେ ଇଦୋମ ଓ ମୋୟାବ ଉପରେ ହସ୍ତକ୍ଷେପ କରିବେ ଓ ଅମ୍ମୋନ-ସନ୍ତାନଗଣ ସେମାନଙ୍କର ଆଜ୍ଞାବହ ହେବେ। 15 ପୁଣି, ସଦାପ୍ରଭୁ ମିସ୍ରୀୟ ସମୁଦ୍ରର ଜିହ୍ଵା ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ ଓ ଆପଣାର ଉତ୍ତପ୍ତ ବାୟୁ ଦ୍ଵାରା ନଦୀ ଉପରେ ଆପଣା ହସ୍ତ ହଲାଇବେ, ଆଉ ତାହାକୁ ପ୍ରହାର କରି ସପ୍ତସ୍ରୋତ କରିବେ ଓ ଲୋକମାନଙ୍କୁ ଶୁଷ୍କ ପଦରେ ତହିଁ ମଧ୍ୟ ଦେଇ ଗମନ କରାଇବେ। 16 ପୁଣି, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଯେପରି ତାହା ନିମନ୍ତେ ହୋଇଥିଲା, ସେପରି ତାହାଙ୍କ ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ, ଅର୍ଥାତ୍, ଅଶୂର ଦେଶରୁ ଅବଶିଷ୍ଟାଂଶ ଲୋକମାନଙ୍କ ନିମନ୍ତେ ଏକ ରାଜପଥ ହେବ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India