ଯିଶାଇୟ 10 - ପବିତ୍ର ବାଇବଲ (Re-edited) - (BSI)1 ଯେଉଁମାନେ ଅଧର୍ମ ବ୍ୟବସ୍ଥା ସ୍ଥାପନ କରନ୍ତି ଓ ଯେଉଁ ଲେଖକମାନେ ଉପଦ୍ରବର କଥା ଲେଖନ୍ତି, ସେମାନେ ସନ୍ତାପର ପାତ୍ର! 2 ସେମାନେ ବିଧବାମାନଙ୍କୁ ଆପଣାମାନଙ୍କର ଲୁଟଦ୍ରବ୍ୟ ସ୍ଵରୂପ କରିବା ପାଇଁ, ପିତୃହୀନମାନଙ୍କୁ ଆପଣାମାନଙ୍କର ମୃଗୟା ସ୍ଵରୂପ କରିବା ପାଇଁ, ଦରିଦ୍ରମାନଙ୍କୁ ନ୍ୟାୟ-ବିଚାରରୁ ଫେରାଇ ଦିଅନ୍ତି ଓ ମୋହର ଦୁଃଖୀ ଲୋକମାନଙ୍କର ଅଧିକାର ହରଣ କରନ୍ତି। 3 ଏଣୁ ପ୍ରତିଫଳ ଦେବାର ଦିନରେ ଓ ଦୂରରୁ ଆସନ୍ତା ବିନାଶ ସମୟରେ ତୁମ୍ଭେମାନେ କଅଣ କରିବ? ସାହାଯ୍ୟ ନିମନ୍ତେ ତୁମ୍ଭେମାନେ କାହା ନିକଟକୁ ପଳାଇବ? ଓ ତୁମ୍ଭମାନଙ୍କର ପ୍ରତାପ କେଉଁଠାରେ ରଖିବ? 4 ସେମାନେ କେବଳ ବନ୍ଦୀ ଲୋକମାନଙ୍କର ପଦ ତଳେ ନତ ହେବେ ଓ ହତ ଲୋକମାନଙ୍କର ତଳେ ପଡ଼ିବେ। ଏସବୁ ହେଲେ ହେଁ ତାହାଙ୍କର କ୍ରୋଧ ନିବୃତ୍ତ ହୁଏ ନାହିଁ, ମାତ୍ର ତାହାଙ୍କର ହସ୍ତ ପୂର୍ବ ପରି ବିସ୍ତାରିତ ହୋଇ ରହିଅଛି। ଈଶ୍ଵରଙ୍କ ଅସ୍ତ୍ର-ଅଶୂର 5 ହାୟ ଅଶୂର ! ସେ ଆମ୍ଭର କ୍ରୋଧରୂପ ଦଣ୍ତ, ତାହାର ହସ୍ତରେ ଆମ୍ଭର କୋପରୂପ ଯଷ୍ଟି ଅଛି। 6 ଆମ୍ଭେ ତାହାକୁ ଲୁଟିତ ଦ୍ରବ୍ୟ ଓ ମୃଗୟା ନେଇ ଯିବା ନିମନ୍ତେ ଓ ଲୋକମାନଙ୍କୁ ବାଟର କାଦୁଅ ତୁଲ୍ୟ ଦଳିତ କରିବା ନିମନ୍ତେ ଧର୍ମହୀନ ଗୋଷ୍ଠୀର ଓ ଆମ୍ଭ କ୍ରୋଧପାତ୍ର ଲୋକମାନଙ୍କ ବିରୁଦ୍ଧରେ ଆଜ୍ଞା ଦେବା। 7 ତଥାପି ତାହାର ଅଭିପ୍ରାୟ ସେପରି ନୁହେଁ, କିଅବା ତାହାର ହୃଦୟ ସେପରି ଭାବେ ନାହିଁ; ମାତ୍ର ବିନାଶ କରିବାକୁ ଓ ଅନେକ ଗୋଷ୍ଠୀଙ୍କୁ ଉଚ୍ଛିନ୍ନ କରିବାକୁ ତାହାର ହୃଦୟରେ ଅଛି। 8 କାରଣ ସେ କହେ, ଆମ୍ଭର ଅଧିପତିଗଣ ସମସ୍ତେ କି ରାଜା ନୁହନ୍ତି? 9 କଲ୍ନୋ କି କର୍କମୀଶ୍ର ତୁଲ୍ୟ ନୁହେଁ? ହମାତ୍ କି ଅର୍ପଦର ତୁଲ୍ୟ ନୁହେଁ? ଶମରୀୟା କି ଦାମାସ୍କସ୍ ତୁଲ୍ୟ ନୁହେଁ? 10 ଯେଉଁ ପ୍ରତିମାଗଣର ରାଜ୍ୟସକଳର ଖୋଦିତ ମୂର୍ତ୍ତିସମୂହ, ଯିରୂଶାଲମର ଓ ଶମରୀୟାର ମୂର୍ତ୍ତିଗଣ ଅପେକ୍ଷା ଶ୍ରେଷ୍ଠ, ସେସବୁ ରାଜ୍ୟ ଆମ୍ଭର ହସ୍ତଗତ ହୋଇଅଛି; 11 ଆମ୍ଭେ ଶମରୀୟା ଓ ତାହାର ପ୍ରତିମାଗଣ ପ୍ରତି ଯେପରି କରିଅଛୁ, ଯିରୂଶାଲମ ଓ ତାହାର ପ୍ରତିମାଗଣ ପ୍ରତି କʼଣ ସେପରି କରିବା ନାହିଁ? 12 ଏହେତୁ ଏପରି ଘଟିବ ଯେ, ପ୍ରଭୁ ସିୟୋନ ପର୍ବତରେ ଓ ଯିରୂଶାଲମରେ ଆପଣାର ସମସ୍ତ କାର୍ଯ୍ୟ ସାଧନ କଲା ଉତ୍ତାରେ ଆମ୍ଭେ ଅଶୂର-ରାଜର ଅହଙ୍କାରମୟ ଚିତ୍ତରୂପ ଫଳର ଓ ତାହାର ଉଚ୍ଚ ଦୃଷ୍ଟିରୂପ ଆଡ଼ମ୍ଵରର ପ୍ରତିଫଳ ଦେବା। 13 କାରଣ ସେ କହିଅଛି, ମୁଁ ବୁଦ୍ଧିମାନ ହେବାରୁ ଆପଣା ହସ୍ତର ବଳ ଓ ଆପଣା ଜ୍ଞାନ ଦ୍ଵାରା ଏହା କରିଅଛି; ପୁଣି, ମୁଁ ନାନା ଗୋଷ୍ଠୀର ସୀମା ଦୂର କରିଅଛି ଓ ସେମାନଙ୍କର ସଞ୍ଚିତ ଧନ ହରଣ କରିଅଛି, ଆଉ ମୁଁ ବିକ୍ରମଶାଳୀ ଲୋକ ତୁଲ୍ୟ ସିଂହାସନୋପବିଷ୍ଟ ଲୋକମାନଙ୍କୁ ତଳକୁ ଓହ୍ଲାଇ ଆଣିଅଛି; 14 ପୁଣି, ମୋହର ହସ୍ତ ନାନା ଗୋଷ୍ଠୀର ଧନ ପକ୍ଷୀର ବସା ତୁଲ୍ୟ ପ୍ରାପ୍ତ ହୋଇଅଛି ଓ କେହି ଯେପରି ତ୍ୟକ୍ତ ଡିମ୍ଵ ସଂଗ୍ରହ କରେ, ସେପରି ମୁଁ ସମୁଦାୟ ପୃଥିବୀକି ସଂଗ୍ରହ କରିଅଛି; ଆଉ, ପକ୍ଷ ହଲାଇବାକୁ କିଅବା ଚଞ୍ଚୁ ଫିଟାଇବାକୁ ଅବା ଚିଁ ଚିଁ ଶଦ୍ଦ କରିବାକୁ କେହି ନ ଥିଲା। 15 କୁହ୍ରାଡ଼ି କʼଣ ତଦ୍ଦ୍ଵାରା ଛେଦନକର୍ତ୍ତା ବିରୁଦ୍ଧରେ ଦର୍ପ କରିବଣ? କରତ କʼଣ କରତୀୟାର ପ୍ରତିକୂଳରେ ଆପଣାକୁ ଶ୍ରେଷ୍ଠ କରିବ? ଯେଉଁମାନେ ଦଣ୍ତ ଉଠାନ୍ତି, ଦଣ୍ତ କʼଣ ସେମାନଙ୍କୁ ହଲାଇବ? ଯେ କାଷ୍ଠ ନୁହେଁ, ଯଷ୍ଟି କʼଣ ତାହାକୁ ଉଠାଇବ? 16 ଏହେତୁ ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ତାହାର ସ୍ଥୂଳକାୟ ଲୋକମାନଙ୍କ ମଧ୍ୟରେ କ୍ଷୀଣତା ପଠାଇବେ ଓ ତାହାର ପ୍ରତାପର ତଳେ ଅଗ୍ନିଦାହ ତୁଲ୍ୟ ଦାହ ହେବ। 17 ପୁଣି, ଇସ୍ରାଏଲର ଜ୍ୟୋତିଃ ଅଗ୍ନି ସ୍ଵରୂପ ହେବ ଓ ତାହାର ଧର୍ମସ୍ଵରୂପ ଅଗ୍ନିଶିଖା ସଦୃଶ ହେବେ, ଆଉ ତାହା ଜ୍ଵଳି ଏକ ଦିନରେ ତାହାର କାନକୋଳି ଓ କଣ୍ଟକ ବୃକ୍ଷସବୁ ଗ୍ରାସ କରିବ। 18 ଆଉ, ସେ ତାହାର ବନ ଓ ଉର୍ବରା କ୍ଷେତ୍ରର ଗୌରବକୁ ପ୍ରାଣ ଓ ଶରୀର ସୁଦ୍ଧା ସଂହାର କରିବେ; ତହିଁରେ ଧ୍ଵଜାଧାରୀ କ୍ଷୀଣ ହେବା ବେଳେ ଯେପରି ହୁଏ, ସେପରି ହେବ। 19 ପୁଣି, ତାହାର ବନର ଅବଶିଷ୍ଟ ବୃକ୍ଷ ଏତେ ଅଳ୍ପ ହେବ ଯେ, ଗୋଟିଏ ବାଳକ ତାହା ଲେଖି ପାରିବ। ଇସ୍ରାଏଲର ଅବଶିଷ୍ଟାଂଶଙ୍କ ପ୍ରତ୍ୟାବର୍ତ୍ତନ 20 ପୁଣି, ସେଦିନରେ ଏପରି ଘଟିବ ଯେ, ଇସ୍ରାଏଲର ଅବଶିଷ୍ଟାଂଶ ଓ ଯାକୁବ-ବଂଶର ରକ୍ଷାପ୍ରାପ୍ତ ଲୋକେ ଆପଣାମାନଙ୍କ ପ୍ରହାରକାରୀର ଉପରେ ଆଉ ନିର୍ଭର କରିବେ ନାହିଁ; ମାତ୍ର ସେମାନେ ସତ୍ୟ ଭାବରେ ଇସ୍ରାଏଲର ଧର୍ମସ୍ଵରୂପ ସଦାପ୍ରଭୁଙ୍କ ଉପରେ ନିର୍ଭର କରିବେ। 21 ଅବଶିଷ୍ଟାଂଶ, ଅର୍ଥାତ୍, ଯାକୁବର ଅବଶିଷ୍ଟାଂଶ, ପରାକ୍ରା; ପରମେଶ୍ଵରଙ୍କ ନିକଟକୁ ଫେରି ଆସିବେ। 22 କାରଣ ତୁମ୍ଭ ଇସ୍ରାଏଲ ଲୋକେ ସମୁଦ୍ରର ବାଲି ପରି ହେଲେ ହେଁ ସେମାନଙ୍କର କେବଳ ଅବଶିଷ୍ଟାଂଶ ଫେରି ଆସିବେ; ଧାର୍ମିକତାର ବଢ଼ି ସ୍ଵରୂପ ଉଚ୍ଛିନ୍ନତା ନିରୂପିତ ହୋଇଅଛି। 23 ଯେହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ସମୁଦାୟ ପୃଥିବୀରେ ଉଚ୍ଛିନ୍ନତା, ନିରୂପିତ ଉଚ୍ଛିନ୍ନତା, ସିଦ୍ଧ କରିବେ। 24 ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ହେ ସିୟୋନ ନିବାସୀ ଆମ୍ଭର ଲୋକମାନେ, ଯଦ୍ୟପି ଅଶୂର ମିସରର ରୀତି ଅନୁସାରେ ତୁମ୍ଭକୁ ଦଣ୍ତାଘାତ କରେ ଓ ତୁମ୍ଭ ବିପରୀତରେ ଆପଣା ଯଷ୍ଟି ଉଠାଏ, ତଥାପି ତାହା ବିଷୟରେ ଭୀତ ହୁଅ ନାହିଁ। 25 କାରଣ ଅତ୍ୟଳ୍ପ କାଳ ଉତ୍ତାରେ କ୍ରୋଧ ଓ ସେମାନଙ୍କ ବିନାଶରେ ଆମ୍ଭର କୋପ ସିଦ୍ଧ ହେବ। 26 ପୁଣି, ସୈନ୍ୟାଧିପତି ସଦାପ୍ରଭୁ, ଓରେବ ଶୈଳରେ ମିଦୀୟନର ହତ୍ୟା କାଳରେ ଯେପରି କରିଥିଲେ, ସେପରି ତାହାର ପ୍ରତିକୂଳରେ ଆପଣା କୋରଡ଼ା ହଲାଇବେ; ଆଉ, ତାହାଙ୍କର ଦଣ୍ତ ସାଗର ଉପରେ ରହିବ ଓ ମିସରର ରୀତି ଅନୁସାରେ ସେ ତାହା ଉଠାଇବେ। 27 ପୁଣି, ସେଦିନରେ ତାହାର ବୋଝ ତୁମ୍ଭ ସ୍କନ୍ଧରୁ ଓ ତାହାର ଯୁଆଳି ତୁମ୍ଭ ଗ୍ରୀବାରୁ ଦୂର କରାଯିବ, ପୁଣି ଅଭିଷେକ ସକାଶୁ ଯୁଆଳି ବିନଷ୍ଟ ହେବ। 28 ସେ ଅୟାତକୁ ଆସିଅଛି, ସେ ମିଗ୍ରୋଣ ମଧ୍ୟ ଦେଇ ଯାଇଅଛି; ସେ ମିକ୍ମସରେ ଆପଣା ଦ୍ରବ୍ୟ ସାମଗ୍ରୀ ରଖୁଅଛି; 29 ସେମାନେ ଘାଟି ପାର ହୋଇ ଯାଇଅଛନ୍ତି; ସେମାନେ ଗେବାରେ ବସା କରିଅଛନ୍ତି; ରାମା କମ୍ପୁଅଛି; ଶାଉଲର ଗିବୀୟା ପଳାୟନ କରିଅଛି। 30 ଆଗୋ ଗଲ୍ଲୀମର କନ୍ୟେ, ତୁମ୍ଭେ ଆପଣା ରବରେ ଉଚ୍ଚ ଶଦ୍ଦ କର, ହେ ଲୟିଶ୍, କର୍ଣ୍ଣପାତ କର, ଆଃ ଦୁଃଖିନୀ ଅନାଥୋତ୍, 31 ମଦମେନା ପଳାତକ ହୋଇଅଛି; ଗେବୀମ ନିବାସୀମାନେ ପଳାଇବା ପାଇଁ ଏକତ୍ର ହେଉଅଛନ୍ତି। 32 ସେ ଆଜି ନୋବରେ ରହିବ; ସେ ସିୟୋନ କନ୍ୟାର ପର୍ବତ ଯିରୂଶାଲମ ଗିରି ପ୍ରତି ହସ୍ତ ହଲାଉଅଛି। 33 ଦେଖ, ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ ଭୟଙ୍କର ରୂପରେ ଶାଖାସବୁ କାଟି ପକାଇବେ; ପୁଣି, ଉଚ୍ଚ ଆକୃତିସବୁ ହଣା ଯିବ ଓ ଉନ୍ନତସବୁ ନତ କରାଯିବ। 34 ସେ ଲୌହ ଦ୍ଵାରା ବନର ନିବିଡ଼ ସ୍ଥାନସବୁ କାଟି ପକାଇବେ, ପୁଣି ଏକ ମହାପରାକ୍ରମୀ ଦ୍ଵାରା ଲିବାନୋନ ନିପାତିତ ହେବ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India