Biblia Todo Logo
Bìoball air-loidhne

- Sanasan -

ଯିଶାଇୟ 1 - ପବିତ୍ର ବାଇବଲ (Re-edited) - (BSI)

1 ଆମୋସର ପୁତ୍ର ଯିଶାଇୟଙ୍କର ଦର୍ଶନ, ସେ ଯିହୁଦା ରାଜଗଣ ଉଷୀୟ, ଯୋଥମ୍, ଆହସ୍ ଓ ହିଜକୀୟର ଅଧିକାର ସମୟରେ ଯିହୁଦା ଓ ଯିରୂଶାଲମ ବିଷୟରେ ଏହି ଦର୍ଶନ ପାଇଲେ।


ଈଶ୍ଵରଙ୍କ ଅନୁଯୋଗ

2 ହେ ଆକାଶମଣ୍ତଳ, ଶୁଣ, ହେ ପୃଥିବୀ, କର୍ଣ୍ଣପାତ କର, କାରଣ ସଦାପ୍ରଭୁ କହିଅଛନ୍ତିନ୍ତ ଆମ୍ଭେ ସନ୍ତାନ-ଗଣକୁ ପ୍ରତିପାଳନ ଓ ଭରଣପୋଷଣ କରିଅଛୁ, ମାତ୍ର ସେମାନେ ଆମ୍ଭର ବିଦ୍ରୋହାଚରଣ କରିଅଛନ୍ତି।

3 ଗୋରୁ ଆପଣା ଖାଉନ୍ଦକୁ ଓ ଗର୍ଦ୍ଦଭ ଆପଣା କର୍ତ୍ତାର କୁଣ୍ତକୁ ଚିହ୍ନେ; ମାତ୍ର ଇସ୍ରାଏଲ ଜାଣେ ନାହିଁ, ଆମ୍ଭର ଲୋକମାନେ ବିବେଚନା କରନ୍ତି ନାହିଁ।

4 ଆହା ପାପିଷ୍ଠ ଗୋଷ୍ଠୀ, ଅଧର୍ମରେ ଭାରଗ୍ରସ୍ତ ଲୋକେ, ଦୁଷ୍କର୍ମକାରୀମାନଙ୍କ ବଂଶ, ଭ୍ରଷ୍ଟାଚାରୀ ସନ୍ତାନଗଣ ! ସେମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରିଅଛନ୍ତି, ସେମାନେ ଇସ୍ରାଏଲର ଧର୍ମସ୍ଵରୂପଙ୍କୁ ଅବଜ୍ଞା କରିଅଛନ୍ତି, ସେମାନେ ବିମୁଖ ହୋଇ ପଛକୁ ଚାଲି ଯାଇଅଛନ୍ତି।

5 ତୁମ୍ଭେମାନେ ଅଧିକ ଅଧିକ ବିଦ୍ରୋହାଚରଣ କରିବା ପାଇଁ କାହିଁକି ଆହୁରି ପ୍ରହାରିତ ହେବ? ମସ୍ତକଯାକ ପୀଡ଼ିତ ଓ ସମୁଦାୟ ହୃଦୟ ଦୁର୍ବଳ ହୋଇଅଛି।

6 ପାଦର ତଳଠାରୁ ମସ୍ତକ ପର୍ଯ୍ୟନ୍ତ କିଛି ସ୍ଵାସ୍ଥ୍ୟ ନାହିଁ; କେବଳ କ୍ଷତ ଓ ଦାଗ ଓ ପୂଜପୂର୍ଣ୍ଣ ଘା; ସେସବୁ ଟିପା କି ବନ୍ଧା ଯାଇ ନାହିଁ, କିଅବା ତୈଳ ଦ୍ଵାରା କୋମଳ କରାଯାଇ ନାହିଁ।

7 ତୁମ୍ଭମାନଙ୍କର ଦେଶ ଧ୍ଵଂସସ୍ଥାନ; ତୁମ୍ଭମାନଙ୍କର ନଗରସବୁ ଅଗ୍ନିରେ ଦଗ୍ଧ; ତୁମ୍ଭମାନଙ୍କର ଭୂମି ବିଦେଶୀ-ମାନେ ତୁମ୍ଭମାନଙ୍କର ସାକ୍ଷାତରେ ଗ୍ରାସ କରନ୍ତି, ତାହା ବିଦେଶୀମାନଙ୍କ ଦ୍ଵାରା ବିନଷ୍ଟ ହେବା ତୁଲ୍ୟ ଧ୍ଵଂସସ୍ଥାନ ହୋଇଅଛି।

8 ପୁଣି, ସିୟୋନର କନ୍ୟା ଦ୍ରାକ୍ଷାକ୍ଷେତ୍ରର କୁଟୀର, କାକୁଡ଼ିକ୍ଷେତ୍ରର ବସା, ଅବରୁଦ୍ଧ ନଗର ତୁଲ୍ୟ ହୋଇ ରହିଅଛି।

9 ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭମାନଙ୍କ ପାଇଁ ଅତି ଅଳ୍ପ ଲୋକ ଅବଶିଷ୍ଟ ରଖି ନ ଥିଲେ, ଆମ୍ଭେମାନେ ସଦୋମର ତୁଲ୍ୟ ହୋଇଥାʼନ୍ତୁ, ଆମ୍ଭେମାନେ ହମୋରାର ତୁଲ୍ୟ ହୋଇଥାʼନ୍ତୁ।

10 ହେ ସଦୋମର ଶାସନକର୍ତ୍ତାମାନେ, ସଦାପ୍ରଭୁଙ୍କର ବାକ୍ୟ ଶୁଣ, ହେ ହମୋରାର ଲୋକମାନେ, ତୁମ୍ଭେମାନେ ଆମ୍ଭମାନଙ୍କ ପରମେଶ୍ଵରଙ୍କ ବ୍ୟବସ୍ଥାରେ କର୍ଣ୍ଣପାତ କର।

11 ସଦାପ୍ରଭୁ କହନ୍ତି, ଆମ୍ଭ ଉଦ୍ଦେଶ୍ୟରେ ତୁମ୍ଭମାନଙ୍କ ଅପାର ବଳିଦାନର ଅଭିପ୍ରାୟ କଅଣ? ଆମ୍ଭେ ମେଷଗଣର ହୋମବଳିରେ ଓ ପୁଷ୍ଟ ପଶୁଗଣର ମେଦରେ ପୂର୍ଣ୍ଣ ହୋଇଅଛୁ; ପୁଣି, ବୃଷ କି ମେଷ କି ଛାଗଳମାନଙ୍କ ରକ୍ତରେ ଆମ୍ଭର ତୁଷ୍ଟି ନାହିଁ।

12 ତୁମ୍ଭେମାନେ ଆମ୍ଭ ସମ୍ମୁଖରେ ଉପସ୍ଥିତ ହେବା ବେଳେ ଆମ୍ଭର ପ୍ରାଙ୍ଗଣସକଳ ପଦ ତଳେ ଦଳିବା ପାଇଁ କିଏ ତୁମ୍ଭମାନଙ୍କଠାରୁ ଚାହିଁଅଛି?

13 ଅସାର ନୈବେଦ୍ୟ ଆଉ ଆଣ ନାହିଁ; ଧୂପଦାହ ଆମ୍ଭର ଘୃଣିତ; ଅମାବାସ୍ୟା ଓ ବିଶ୍ରାମବାର, ସଭାର ଘୋଷଣା- ଏହି ଅଧର୍ମ ଓ ମହାସଭା ଆମ୍ଭେ ସହି ପାରୁ ନାହୁଁ।

14 ଆମ୍ଭ ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବସବୁ ଘୃଣା କରେ; ସେହିସବୁ ଆମ୍ଭ ପ୍ରତି କ୍ଳେଶକର; ଆମ୍ଭେ ସେସବୁ ବହିବାକୁ କ୍ଳା; ହୋଇଅଛୁ।

15 ପୁଣି, ତୁମ୍ଭେମାନେ ଆପଣାମାନଙ୍କର ହସ୍ତ ପ୍ରସାର କଲା ବେଳେ ଆମ୍ଭେ ତୁମ୍ଭମାନଙ୍କଠାରୁ ଆପଣା ଚକ୍ଷୁ ଆଚ୍ଛାଦନ କରିବା; ଆହୁରି, ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ। ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ।

16 ତୁମ୍ଭେମାନେ ଆପଣାମାନଙ୍କୁ ଧୌତ କର, ଆପଣାମାନଙ୍କୁ ଶୁଚି କର; ଆମ୍ଭ ଦୃଷ୍ଟିରୁ ଆପଣାମାନଙ୍କର କ୍ରିୟାର ମନ୍ଦତା ଦୂର କର; କୁକ୍ରିୟା କରିବାରୁ ନିବୃତ୍ତ ହୁଅ;

17 ସୁକ୍ରିୟା କରିବାକୁ ଶିଖ; ନ୍ୟାୟବିଚାର ଚେଷ୍ଟା କର, ଉପଦ୍ରବଗ୍ରସ୍ତମାନଙ୍କର ସାହାଯ୍ୟ କର, ପିତୃହୀନମାନଙ୍କର ନ୍ୟାୟ ବିଚାର କର, ବିଧବାମାନଙ୍କ ପକ୍ଷରେ ପ୍ରତିବାଦ କର।

18 ସଦାପ୍ରଭୁ କହନ୍ତି, ଆସ, ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ; ତୁମ୍ଭମାନଙ୍କର ପାପସବୁ ସିନ୍ଦୂରବର୍ଣ୍ଣ ପରି ହେଲେ ହେଁ ହିମ ପରି ଶୁକ୍ଳବର୍ଣ୍ଣ ହେବ; ସେସବୁ ଲୋହିତବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋମ ପରି ହେବ।

19 ଯେବେ ତୁମ୍ଭେମାନେ ସମ୍ମତ ଓ ଆଜ୍ଞାବହ ହେବ, ତେବେ ଦେଶର ଉତ୍ତମ ଫଳ ଭୋଗ କରିବ।

20 ମାତ୍ର ଯେବେ ତୁମ୍ଭେମାନେ ଅସମ୍ମତ ଓ ବିରୁଦ୍ଧାଚାରୀ ହେବ, ତେବେ ଖଡ଼୍‍ଗଭୁକ୍ତ ହେବ; କାରଣ ସଦାପ୍ରଭୁଙ୍କ ମୁଖ ଏହା କହିଅଛି।


ପାପପୂର୍ଣ୍ଣ ନଗରୀ

21 ସତୀ ନଗରୀ କିପରି ବେଶ୍ୟା ହୋଇଅଛି ! ସେ ନ୍ୟାୟବିଚାରରେ ପୂର୍ଣ୍ଣା ଥିଲା। ଧର୍ମ ତାହା ମଧ୍ୟରେ ବାସ କଲା, ମାତ୍ର ଏବେ ହତ୍ୟାକାରୀମାନେ ଅଛନ୍ତି।

22 ତୁମ୍ଭର ରୂପା ଖାଦ ହୋଇଅଛି, ତୁମ୍ଭର ଦ୍ରାକ୍ଷାରସ ଜଳମିଶ୍ରିତ ହୋଇଅଛି।

23 ତୁମ୍ଭର ଅଧିପତିମାନେ ବିଦ୍ରୋହୀ ଓ ଚୋରମାନଙ୍କର ସଖା; ପ୍ରତ୍ୟେକେ ଲାଞ୍ଚ ଭଲ ପାʼନ୍ତି ଓ ପାରିତୋଷିକର ପଶ୍ଚାଦ୍ବର୍ତ୍ତୀ ହୁଅନ୍ତି ; ସେମାନେ ପିତୃହୀନମାନଙ୍କର ବିଚାର କରନ୍ତି ନାହିଁ, କିଅବା ବିଧବାର ଗୁହାରି ସେମାନଙ୍କ ନିକଟକୁ ଆସେ ନାହିଁ।

24 ଏହେତୁ ପ୍ରଭୁ, ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ବଳଦାତା କହନ୍ତି, ଆଃ, ଆମ୍ଭେ ଆପଣା ବିପକ୍ଷଗଣ ବିଷୟରେ ଆରାମ ପାଇବା ଓ ଆମ୍ଭେ ଆପଣା ଶତ୍ରୁଗଣଠାରୁ ପରିଶୋଧ ନେବାନ୍ତ

25 ପୁଣି, ଆମ୍ଭେ ତୁମ୍ଭଆଡ଼େ ଆପଣା ହସ୍ତ ଫେରାଇ ତୁମ୍ଭର ଖାଦ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରିବା ଓ ତୁମ୍ଭର ସୀସାସବୁ କାଢ଼ି ନେବା;

26 ଆଉ, ଆମ୍ଭେ ପୂର୍ବ କାଳ ପରି ତୁମ୍ଭର ବିଚାର-କର୍ତ୍ତୃଗଣଙ୍କୁ ଓ ଆଦ୍ୟ ସମୟ ପରି ତୁମ୍ଭ ମନ୍ତ୍ରୀଗଣଙ୍କୁ ପୁନଃସ୍ଥାପନ କରିବା; ତହିଁ ଉତ୍ତାରୁ ତୁମ୍ଭେ ଧର୍ମପୁରୀ, ସତୀ ନଗରୀ ବୋଲି ବିଖ୍ୟାତ ହେବ।

27 ସିୟୋନ ନ୍ୟାୟବିଚାର ଦ୍ଵାରା ଓ ତାହାର ଫେରି ଆସିବା ଲୋକମାନେ ଧାର୍ମିକତା ଦ୍ଵାରା ମୁକ୍ତି ପାଇବେ।

28 ମାତ୍ର ଅଧର୍ମାଚାରୀ ଓ ପାପୀମାନେ ଏକତ୍ର ବିନଷ୍ଟ ହେବେ ଓ ଯେଉଁମାନେ ସଦାପ୍ରଭୁଙ୍କୁ ପରିତ୍ୟାଗ କରନ୍ତି, ସେମାନେ ସଂହାରିତ ହେବେ।

29 କାରଣ ସେମାନେ ତୁମ୍ଭମାନଙ୍କର ବାଞ୍ଛିତ ଅଲୋନ ବୃକ୍ଷ ବିଷୟରେ ଲଜ୍ଜିତ ହେବେ, ପୁଣି ତୁମ୍ଭେମାନେ ଆପଣାମାନଙ୍କର ମନୋନୀତ ଉଦ୍ୟାନସକଳର ବିଷୟରେ ହତାଶ ହେବ।

30 ଯେହେତୁ ତୁମ୍ଭେମାନେ ଶୁଷ୍କପତ୍ର ଅଲୋନ ବୃକ୍ଷ ଓ ନିର୍ଜଳ ଉଦ୍ୟାନ ତୁଲ୍ୟ ହେବ।

31 ପୁଣି, ବଳବାନ ଲୋକ ଛଣପଟ ପରି ଓ ତାହାର କର୍ମ ଅଗ୍ନିକଣା ପରି ହେବ; ସେ ଦୁଇ ଏକତ୍ର ଜ୍ଵଳିବ ଓ କେହି ତାହା ନିଭାଇବ ନାହିଁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan