ହୋଶେୟ 7 - ପବିତ୍ର ବାଇବଲ (Re-edited) - (BSI)1 ଆମ୍ଭେ ଯେତେବେଳେ ଇସ୍ରାଏଲକୁ ସୁସ୍ଥ କରିବାକୁ ଇଚ୍ଛା କରୁ, ସେତେବେଳେ ଇଫ୍ରୟିମର ଅଧର୍ମ ଓ ଶମରୀୟାର ଦୁଷ୍ଟତା ପ୍ରକାଶିତ ହୁଅଇ; କାରଣ ସେମାନେ ଅସତ୍ୟତାର ବ୍ୟବହାର କରନ୍ତି ଓ ଚୋର ଭିତରେ ପ୍ରବେଶ କରେ, ଆଉ ଡକାଇତ-ଦଳ ବାହାରେ ଲୁଟ କରନ୍ତି। 2 ପୁଣି, ଆମ୍ଭେ ଯେ ସେମାନଙ୍କର ସମସ୍ତ ଦୁଷ୍ଟତା ସ୍ମରଣ କରୁ, ଏହା ସେମାନେ ଆପଣାମାନଙ୍କ ଅନ୍ତଃକରଣରେ ବିବେଚନା କରନ୍ତି ନାହିଁ; ଏବେ ସେମାନଙ୍କର ନିଜ କାର୍ଯ୍ୟସବୁ ସେମାନଙ୍କୁ ବେଷ୍ଟନ କରିଅଛି; ସେସବୁ ଆମ୍ଭ ସମ୍ମୁଖରେ ଅଛି। 3 ସେମାନେ ଆପଣାମାନଙ୍କର ଦୁଷ୍ଟତା ଦ୍ଵାରା ରାଜାକୁଓ ଆପଣାମାନଙ୍କ ମିଥ୍ୟା ଦ୍ଵାରା ଅଧିପତିମାନଙ୍କୁ ଆନନ୍ଦିତ କରାନ୍ତି। 4 ସେସମସ୍ତେ ପାରଦାରିକ; ସେମାନେ ରୁଟୀ ପ୍ରସ୍ତୁତକାରୀ ଦ୍ଵାରା ଉତ୍ତପ୍ତ ତନ୍ଦୁର ସ୍ଵରୂପ; ମଇଦା ଦଳିବା ସମୟଠାରୁ ତହିଁରେ ତାଡ଼ି ମିଶ୍ରିତ ନ ହେବା ପର୍ଯ୍ୟନ୍ତ ସେ ଅଗ୍ନି ଉସ୍କାଇବାରୁ ନିବୃତ୍ତ ହୁଏ। 5 ଆମ୍ଭମାନଙ୍କ ରାଜାଙ୍କ ଦିନରେ ଅଧିପତିମାନେ ଦ୍ରାକ୍ଷାରସର ଉତ୍ତାପରେ ଆପଣାମାନଙ୍କୁ ପୀଡ଼ିତ କଲେ; ସେ ନିନ୍ଦକମାନଙ୍କ ସଙ୍ଗେ ଆପଣା ହସ୍ତ ବଢ଼ାଇଲା। 6 କାରଣ ସେମାନେ ଛକି ବସି ଆପଣା ଆପଣା ଅନ୍ତଃକରଣ ତୁନ୍ଦୁରୁ ପରି ପ୍ରସ୍ତୁତ କରିଅଛନ୍ତି; ସେମାନଙ୍କର ରୁଟୀ ପ୍ରସ୍ତୁତକାରୀ ରାତ୍ରିଯାକ ନିଦ୍ରିତ ହୁଏ; ପ୍ରାତଃକାଳରେ ତାହା ପ୍ରଜ୍ଵଳିତ ଅଗ୍ନି ପରି ଜ୍ଵଳଇ। 7 ସେସମସ୍ତେ ତୁନ୍ଦୁର ପରି ଉତ୍ତପ୍ତ ଅଟନ୍ତି ଓ ଆପଣାମାନଙ୍କର ବିଚାରକର୍ତ୍ତୃଗଣକୁ ଗ୍ରାସ କରନ୍ତି; ସେମାନଙ୍କର ସବୁ ରାଜାମାନେ ପତିତ ହୋଇଅଛନ୍ତି; ସେମାନଙ୍କ ମଧ୍ୟରେ କେହି ଆମ୍ଭ ନିକଟରେ ପ୍ରାର୍ଥନା କରନ୍ତି ନାହିଁ। 8 ଇଫ୍ରୟିମ ଗୋଷ୍ଠୀଗଣ ମଧ୍ୟରେ ଆପେ ମିଶ୍ରିତ ହୁଅଇ; ଇଫ୍ରୟିମ ଲେଉଟା ନୋହିବା ପିଷ୍ଟକ ତୁଲ୍ୟ। 9 ବିଦେଶୀମାନେ ତାହାର ବଳ ଗ୍ରାସ କରିଅଛନ୍ତି, ଆଉ ସେ ତାହା ଜାଣେ ନାହିଁ; ହଁ, ତାହାର ମସ୍ତକରେ, ଏଠାରେ ସେଠାରେ ପକ୍ଵକେଶ ଅଛି, ମାତ୍ର ସେ ତାହା ଜାଣେ ନାହିଁ। 10 ପୁଣି, ଇସ୍ରାଏଲର ଦର୍ପ ତାହାର ସାକ୍ଷାତରେ ସାକ୍ଷ୍ୟ ଦିଏ; ତଥାପି ସେମାନେ ସଦାପ୍ରଭୁ ଆପଣାମାନଙ୍କ ପରମେଶ୍ଵରଙ୍କ ନିକଟକୁ ଫେରି ନାହାନ୍ତି, କିଅବା ଏସବୁ ଘଟିଲେ ହେଁ ସେମାନେ ତାହାଙ୍କର ଅନ୍ଵେଷଣ କରି ନାହାନ୍ତି। 11 ପୁଣି, ଇଫ୍ରୟିମ ଅବୋଧ କପୋତର ତୁଲ୍ୟ ବୁଦ୍ଧିହୀନ; ସେମାନେ ମିସରକୁ ନିବେଦନ କରନ୍ତି, ସେମାନେ ଅଶୂରକୁ ଯାଆନ୍ତି,। 12 ଯେତେବେଳେ ସେମାନେ ଯିବେ, ସେତେବେଳେ ଆମ୍ଭେ ସେମାନଙ୍କ ଉପରେ ଆପଣା ଜାଲ ପ୍ରସାର କରିବା; ଆମ୍ଭେ ସେମାନଙ୍କୁ ଆକାଶର ପକ୍ଷୀଗଣ ପରି ତଳକୁ ଆଣିବା; ସେମାନଙ୍କ ସମାଜ ଯେପରି ଶୁଣିଅଛନ୍ତି, ସେପରି ଆମ୍ଭେ ସେମାନଙ୍କୁ ଶାସ୍ତି ଦେବା। 13 ସେମାନେ ସନ୍ତାପର ପାତ୍ର ! କାରଣ ସେମାନେ ଆମ୍ଭ ନିକଟରୁ ବିପଥଗାମୀ ହୋଇଅଛନ୍ତି; ସେମାନଙ୍କର ସର୍ବନାଶ ଘଟିବ; କାରଣ ସେମାନେ ଆମ୍ଭ ବିରୁଦ୍ଧରେ ଅପରାଧ କରିଅଛନ୍ତି; ଆମ୍ଭେ ସେମାନଙ୍କୁ ମୁକ୍ତ କରିବାକୁ ଇଚ୍ଛା କଲେ ହେଁ ସେମାନେ ଆମ୍ଭ ବିରୁଦ୍ଧରେ ମିଥ୍ୟା କଥା କହିଅଛନ୍ତି। 14 ପୁଣି, ସେମାନେ ଅନ୍ତଃକରଣ ସହିତ ଆମ୍ଭ ନିକଟରେ କ୍ରନ୍ଦନ କରି ନାହାନ୍ତି; ମାତ୍ର ସେମାନେ ଆପଣା ଶଯ୍ୟାରେ ହାହାକାର କରନ୍ତି; ସେମାନେ ଶସ୍ୟ ଓ ଦ୍ରାକ୍ଷାରସର ନିମନ୍ତେ ଆପଣାମାନଙ୍କୁ ଏକତ୍ର କରନ୍ତି , ସେମାନେ ଆମ୍ଭ ବିରୁଦ୍ଧରେ ବିଦ୍ରୋହାଚରଣ କରନ୍ତି। 15 ଆମ୍ଭେ ସେମାନଙ୍କ ବାହୁକୁ ଶିକ୍ଷା ଦେଇ ସବଳ କଲେ ହେଁ ସେମାନେ ଆମ୍ଭ ବିରୁଦ୍ଧରେ କୁକଳ୍ପନା କରନ୍ତି। 16 ସେମାନେ ଫେରି ଆସନ୍ତି ପ୍ରମାଣ, ମାତ୍ର ଊର୍ଦ୍ଧ୍ଵସ୍ଥଙ୍କ ପ୍ରତି ନୁହେଁ; ସେମାନେ ପ୍ରବଞ୍ଚକ ଧନୁ ତୁଲ୍ୟ; ସେମାନଙ୍କର ଅଧିପତିମାନେ ଆପଣା ଆପଣା ଜିହ୍ଵାର ପ୍ରଚଣ୍ତତା ହେତୁରୁ ଖଡ଼୍ଗ ଦ୍ଵାରା ପତିତ ହେବେ; ଏହା ମିସର ଦେଶରେ ସେମାନଙ୍କ ପକ୍ଷରେ ଉପହାସର ବିଷୟ ହେବ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India