Biblia Todo Logo
Bìoball air-loidhne

- Sanasan -

ଏବ୍ରୀ 1 - ପବିତ୍ର ବାଇବଲ (Re-edited) - (BSI)


ଈଶ୍ଵରଙ୍କ ପୁତ୍ରଙ୍କ ଶ୍ରେଷ୍ଠତା

1 ଈଶ୍ଵର ପୁରାକାଳରେ ବିଭିନ୍ନ ଭାଗରେ ଓ ବିଭିନ୍ନ ପ୍ରକାରେ ଭାବବାଦୀମାନଙ୍କ ଦ୍ଵାରା ପିତୃପୁରୁଷମାନଙ୍କୁ କଥା କହି

2 ଏହି ଶେଷକାଳରେ ପୁତ୍ରଙ୍କ ଦ୍ଵାରା ଆମ୍ଭମାନଙ୍କୁ କଥା କହିଅଛନ୍ତି; ତାହାଙ୍କୁ ସେ ସମସ୍ତ ବିଷୟର ଅଧିକାରୀ କରି ନିଯୁକ୍ତ କଲେ, ତାହାଙ୍କ ଦ୍ଵାରା ମଧ୍ୟ ସମସ୍ତ ବିଶ୍ଵ ସୃଷ୍ଟି କଲେ;

3 ସେ ତାହାଙ୍କ ମହିମାର ପ୍ରଭା ଓ ତାହାଙ୍କ ତତ୍ତ୍ଵର ପ୍ରତିମୂର୍ତ୍ତି, ସେ ଆପଣା ଶକ୍ତିଯୁକ୍ତ ବାକ୍ୟ ଦ୍ଵାରା ସମସ୍ତ ବିଷୟ ଧାରଣ କରନ୍ତି, ପୁଣି ପାପ ମାର୍ଜ୍ଜନା କଲା ଉତ୍ତାରେ, ଊର୍ଦ୍ଧ୍ଵସ୍ଥ ମହାମହିମଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିଅଛନ୍ତି,

4 ସେ ଯେଉଁ ପରିମାଣରେ ସ୍ଵର୍ଗଦୂତମାନଙ୍କ ଅପେକ୍ଷା ଅତ୍ୟଧିକ ଉତ୍କୃଷ୍ଟ ନାମର ଅଧିକାରୀ ହୋଇଅଛନ୍ତି, ସେହି ପରିମାଣରେ ସେ ସେମାନଙ୍କଠାରୁ ଅତ୍ୟଧିକ ମହାନ ହୋଇଅଛନ୍ତି।

5 କାରଣ ଈଶ୍ଵର ଦୂତମାନଙ୍କ ମଧ୍ୟରୁ କାହାକୁ କେବେ ଏହା କହିଅଛନ୍ତି, “ତୁମ୍ଭେ ଆମ୍ଭର ପୁତ୍ର, ଆଜି ଆମ୍ଭେ ତୁମ୍ଭକୁ ଜନ୍ମ ଦେଇଅଛୁ?” ପୁନଶ୍ଚ, “ଆମ୍ଭେ ତାହାଙ୍କର ପିତା ହେବା, ଆଉ ସେ ଆମ୍ଭର ପୁତ୍ର ହେବେ?”

6 ପୁଣି, ଯେଉଁ ସମୟରେ ସେ ପ୍ରଥମଜାତଙ୍କୁ ପୁନର୍ବାର ଜଗତ ମଧ୍ୟରେ ପ୍ରବେଶ କରାଇବେ, ସେହି ସମୟକୁ ଲକ୍ଷ୍ୟ କରି ସେ କହନ୍ତି, ଈଶ୍ଵରଙ୍କର ସମସ୍ତ ଦୂତ ତାହାଙ୍କୁ ପ୍ରଣାମ କରନ୍ତୁ।

7 ଏକ ପକ୍ଷରେ ସେ ଦୂତମାନଙ୍କ ବିଷୟରେ କହନ୍ତି, “ସେ ଆପଣା ଦୂତମାନଙ୍କୁ ବାୟୁ ସ୍ଵରୂପ କରନ୍ତି, ପୁଣି ଆପଣା ସେବକମାନଙ୍କୁ ଅଗ୍ନିର ଶିଖା ସ୍ଵରୂପ କରନ୍ତିନ୍ତ”

8 ଅନ୍ୟ ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, “ହେ ଈଶ୍ଵର, ତୁମ୍ଭର ସିଂହାସନ ଅନନ୍ତକାଳସ୍ଥାୟୀ, ପୁଣି ନ୍ୟାୟର ଦଣ୍ତ ତୁମ୍ଭର ରାଜଦଣ୍ତ ଅଟେ।”

9 “ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ, ତେଣୁ ଈଶ୍ଵର, ତୁମ୍ଭର ଈଶ୍ଵର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମ୍ଭକୁ ଅଧିକ ଆନନ୍ଦରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି।”

10 ଆହୁରି, “ହେ ପ୍ରଭୁ, ତୁମ୍ଭେ ଆରମ୍ଭରେ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି ଆକାଶମଣ୍ତଳ ତୁମ୍ଭ ହସ୍ତକୃତ କର୍ମନ୍ତ”

11 “ସେହିସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ନିତ୍ୟସ୍ଥାୟୀ; ଆଉ ସେହିସବୁ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ,”

12 “ପୁଣି ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେହିସବୁ ଗୁଡ଼ାଇବ, ଆଉ ସେହିସବୁ ପରିବର୍ତ୍ତିତ ହେବ। କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି ତୁମ୍ଭର ବର୍ଷସମୂହ ଶେଷ ହେବ ନାହିଁ।”

13 ଆଉ “ଆମ୍ଭେ ଯେପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରି ନାହୁଁ, ସେପର୍ଯ୍ୟନ୍ତ ଆମ୍ଭର ଦକ୍ଷିଣରେ ବସିଥାଅ,” ଏହା ସେ ଦୂତମାନଙ୍କ ମଧ୍ୟରେ କାହାକୁ କେବେ କହିଅଛନ୍ତି?

14 ଏମାନେ ସମସ୍ତେ କଅଣ ସେବାକାରୀ ଆତ୍ମା ନୁହନ୍ତି, ପୁଣି ପରିତ୍ରାଣର ଭାବୀ ଅଧିକାରୀମାନଙ୍କର ସେବା କରିବାକୁ କି ସେମାନେ ପ୍ରେରିତ ହୋଇ ନାହାନ୍ତି?

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan