ଯାତ୍ରା ପୁସ୍ତକ 9 - ପବିତ୍ର ବାଇବଲ (Re-edited) - (BSI)ପଞ୍ଚମ ଦଣ୍ତ - ପଶୁ ମଡ଼କ 1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଫାରୋ ନିକଟକୁ ଯାଇ ତାହାକୁ କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ଵର ଏହି କଥା କହନ୍ତି, ଆମ୍ଭର ସେବା କରିବା ପାଇଁତୁମ୍ଭେ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ। 2 ମାତ୍ର ଯେବେ ସେମାନଙ୍କୁ ଛାଡ଼ିଦେବା ପାଇଁ ନାସ୍ତି କରିଏବେ ମଧ୍ୟ ବାଧା ଦେବ, 3 ତେବେ ଦେଖ, ତୁମ୍ଭ କ୍ଷେତ୍ରସ୍ଥିତ ଘୋଟକ, ଗର୍ଦ୍ଦଭ, ଓଟ, ଗୋରୁ ଓ ମେଷାଦି ପଶୁଗଣ ଉପରେ ସଦାପ୍ରଭୁଙ୍କ ହସ୍ତ ଅଛି; ଏଣୁ ଅତିଶୟ ମହାମାରୀ ହେବ। 4 ମାତ୍ର ସଦାପ୍ରଭୁ ଇସ୍ରାଏଲୀୟମାନଙ୍କ ଓ ମିସ୍ରୀୟମାନଙ୍କ ପଶୁଗଣ ମଧ୍ୟରେ ପ୍ରଭେଦ କରିବେ; ତହିଁରେ ଇସ୍ରାଏଲ-ସନ୍ତାନମାନଙ୍କର କୌଣସି ପଶୁ ମରିବ ନାହିଁ। 5 ସଦାପ୍ରଭୁ ସମୟ ନିରୂପଣ କରି କହନ୍ତି, କାଲି ସଦାପ୍ରଭୁ ଏ ଦେଶରେ ଏହି କର୍ମ କରିବେ। 6 ଆର ଦିନ ସଦାପ୍ରଭୁ ସେହି କର୍ମ କଲେ, ତହିଁରେ ମିସ୍ରୀୟମାନଙ୍କ ସମସ୍ତ ପଶୁ ମଲେ; ମାତ୍ର ଇସ୍ରାଏଲ-ସନ୍ତାନମାନଙ୍କ ପଶୁଗଣ ମଧ୍ୟରୁ ଗୋଟିଏ ହେଁ ମଲା ନାହିଁ। 7 ତହୁଁ ଫାରୋ ଲୋକ ପଠାଇ ଇସ୍ରାଏଲୀୟମାନଙ୍କର ଗୋଟିଏ ମାତ୍ର ପଶୁ ମରି ନ ଥିବାର ଦେଖିଲେ। ତଥାପି ଫାରୋଙ୍କ ହୃଦୟ ଭାରୀ ହେଲା ଓ ସେ ଲୋକମାନଙ୍କୁ ଛାଡ଼ି ଦେଲେ ନାହିଁ। ଷଷ୍ଠ ଦଣ୍ତ - ଦାହଯୁକ୍ତ ବଥ 8 ଆଉ ସଦାପ୍ରଭୁ ମୋଶା ଓ ହାରୋଣଙ୍କୁ କହିଲେ, ତୁମ୍ଭେମାନେ ମୁଷ୍ଟି ପୂର୍ଣ୍ଣ କରି ଭାଟୀର ଭସ୍ମ ନିଅ, ପୁଣି ମୋଶା ଫାରୋଙ୍କ ସାକ୍ଷାତରେ ତାହା ଆକାଶ ଆଡ଼କୁ ବିଞ୍ଚିଦେଉ। 9 ତହିଁରେ ତାହା ସମୁଦାୟ ମିସର ଦେଶ ଉପରେ ସୂକ୍ଷ୍ମ ଧୂଳି ହୋଇ ମିସ୍ରୀୟ ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ଜନ୍ମାଇବ। 10 ତହୁଁ ସେମାନେ ଭାଟୀର ଭସ୍ମ ନେଇ ଫାରୋ ଆଗରେ ଛିଡ଼ା ହେଲେ; ପୁଣି ମୋଶା ଆକାଶ ଆଡ଼େ ତାହା ବିଞ୍ଚି ଦିଅନ୍ତେ, ସମସ୍ତ ମନୁଷ୍ୟ ଓ ପଶୁମାନଙ୍କ ଶରୀରରେ ଦାହଯୁକ୍ତ ବଥ ହେଲା। 11 ସେହି ବଥ ସକାଶୁ ମନ୍ତ୍ରଜ୍ଞମାନେମୋଶାଙ୍କ ସାକ୍ଷାତରେ ଛିଡ଼ା ହୋଇ ପାରିଲେ ନାହିଁ; କାରଣ ମନ୍ତ୍ରଜ୍ଞମାନଙ୍କ ଓ ସମସ୍ତ ମିସ୍ରୀୟମାନଙ୍କ ଶରୀରରେ ବଥ ଜାତ ହେଲା। 12 ଅନନ୍ତର ସଦାପ୍ରଭୁ ଫାରୋଙ୍କର ହୃଦୟ କଠିନ କଲେ, ତହିଁରେ ସେ ମୋଶାଙ୍କ ପ୍ରତି ଉକ୍ତ ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେମାନଙ୍କ କଥାରେ ମନୋଯୋଗ କଲେ ନାହିଁ। ସପ୍ତମ ଦଣ୍ତ - ଶିଳା ବୃଷ୍ଟି 13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ପ୍ରଭାତରେ ଉଠି ଫାରୋ ସମ୍ମୁଖରେ ଛିଡ଼ା ହୋଇ ତାହାକୁ ଏହି କଥା କୁହ, ଏବ୍ରୀୟମାନଙ୍କ ସଦାପ୍ରଭୁ ପରମେଶ୍ଵର କହନ୍ତି, ଆମ୍ଭର ସେବା କରିବାକୁ ଆମ୍ଭ ଲୋକମାନଙ୍କୁ ଛାଡ଼ିଦିଅ; 14 ନୋହିଲେ ଏହିଥର ଆମ୍ଭେ ତୁମ୍ଭ ହୃଦୟ ବିରୁଦ୍ଧରେ, ପୁଣି ତୁମ୍ଭ ଦାସଗଣ ଓ ଲୋକମାନଙ୍କ ମଧ୍ୟରେ ଆମ୍ଭର ସର୍ବପ୍ରକାର ମହାମାରୀ ପଠାଇବା; ତହିଁରେ ସମୁଦାୟ ପୃଥିବୀରେ ଆମ୍ଭ ତୁଲ୍ୟ କେହି ନାହିଁ, ଏହା ତୁମ୍ଭେ ଜ୍ଞାତ ହେବ। 15 କାରଣ ଏତେବେଳକୁ ଆମ୍ଭେ ଆପଣା ହସ୍ତ ବିସ୍ତାର କରିମହାମାରୀ ଦ୍ଵାରା ତୁମ୍ଭକୁ ଓ ତୁମ୍ଭ ଲୋକମାନଙ୍କୁ ସଂହାର କରନ୍ତୁଣି, ପୁଣି ତୁମ୍ଭେ ପୃଥିବୀରୁ ଉଚ୍ଛିନ୍ନ ହୋଇ ସାରନ୍ତଣି; 16 ମାତ୍ର ତୁମ୍ଭକୁ ଆପଣା ପରାକ୍ରମ ଦେଖାଇବାକୁ ଓ ସମୁଦାୟ ପୃଥିବୀରେ ଯେପରି ଆମ୍ଭର ନାମ କୀର୍ତ୍ତିତ ହେବ, ପ୍ରକୃତରେ ଏଥିପାଇଁ ଆମ୍ଭେ ତୁମ୍ଭକୁ ସ୍ଥାପନ କରି ରଖିଅଛୁ। 17 ଏବେ ହେଁ ତୁମ୍ଭେ କି ଆମ୍ଭ ଲୋକମାନଙ୍କୁ ଛାଡ଼ି ନ ଦେଇ ସେମାନଙ୍କ ଉପରେ ଦର୍ପ କରୁଅଛ? 18 ଦେଖ, ଆମ୍ଭେ କାଲି ଏପରି ସମୟରେ ମିସର ଦେଶରେ ଏପରି ଭାରୀ ଶିଳା ବୃଷ୍ଟି କରିବା ଯେ, ମିସରର ପତ୍ତନାବଧି ଆଜିଯାଏ ସେପରି କେବେ ହୋଇ ନାହିଁ। 19 ଏନିମନ୍ତେ ଏବେ ଲୋକ ପଠାଇ କ୍ଷେତ୍ରରେ ତୁମ୍ଭର ପଶ୍ଵାଦି ଯାହା ଯାହା ଅଛି, ତାହାସବୁ ଶୀଘ୍ର ଅଣାଅ, କାରଣ ଯେଉଁ ମନୁଷ୍ୟ କି ପଶୁ କ୍ଷେତ୍ରରେ ରହିବେ, ଗୃହକୁ ଅଣା ନ ଯିବେ, ସେମାନଙ୍କ ଉପରେ ଶିଳା ବୃଷ୍ଟି ହେଲେ ସେମାନେ ମରିବେ। 20 ସେତେବେଳେ ଫାରୋଙ୍କର ଦାସମାନଙ୍କ ମଧ୍ୟରୁ ଯେଉଁ ବ୍ୟକ୍ତି ସଦାପ୍ରଭୁଙ୍କ ବାକ୍ୟରେ ଭୀତ ହେଲା, ସେ ଶୀଘ୍ର ଆପଣା ଦାସ ଓ ପଶୁମାନଙ୍କୁ ଗୃହକୁ ଆଣିଲା। 21 ମାତ୍ର ଯେ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ ନ କଲା, ସେ ଆପଣା ଦାସ ଓ ପଶୁମାନଙ୍କୁ କ୍ଷେତ୍ରରେ ତ୍ୟାଗ କଲା। 22 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଆକାଶ ଆଡ଼େ ଆପଣା ହସ୍ତ ବିସ୍ତାର କର, ତହିଁରେ ମିସ୍ରୀୟ ସମସ୍ତ ମନୁଷ୍ୟ ଓ ପଶୁ ଓ କ୍ଷେତ୍ରସ୍ଥ ତୃଣାଦି ସମସ୍ତ ଉପରେ ଶିଳା ବୃଷ୍ଟି ହେବ। 23 ତହୁଁ ମୋଶା ଆପଣା ଯଷ୍ଟି ଆକାଶ ଆଡ଼େ ବିସ୍ତାର କରନ୍ତେ, ସଦାପ୍ରଭୁ ମେଘ ଗର୍ଜ୍ଜନ ଓ ଶିଳା ବୃଷ୍ଟି କଲେ; ପୁଣି ବିଜୁଳି ଭୂମି ଆଡ଼େ ବେଗେ ଗମନ କଲା; ଏହିରୂପେ ସଦାପ୍ରଭୁ ମିସର ଦେଶରେ ଶିଳା ବୃଷ୍ଟି କଲେ। 24 ତହିଁରେ ଶିଳା ବୃଷ୍ଟି ହେଲା ଓ ଶିଳା ସଙ୍ଗେ ସଙ୍ଗେ ବିଜୁଳି ଚମକିଲା; ଏପ୍ରକାର ଅତି ଦୁଃସହ ଶିଳାବୃଷ୍ଟି ମିସର ଦେଶରେ ରାଜ୍ୟସ୍ଥାପନାବଧି କେବେ ହୋଇ ନ ଥିଲା। 25 ତହିଁରେ ସମୁଦାୟ ମିସର ଦେଶର କ୍ଷେତ୍ରସ୍ଥ ମନୁଷ୍ୟ ଓ ପଶୁ ସମସ୍ତେ ଶିଳା ଦ୍ଵାରା ହତ ହେଲେ ଓ କ୍ଷେତ୍ରସ୍ଥ ସକଳ ତୃଣ ଶିଳା ବୃଷ୍ଟିରେ ନଷ୍ଟ ହେଲା, କ୍ଷେତ୍ରସ୍ଥ ସବୁ ବୃକ୍ଷ ଭାଙ୍ଗିଗଲା। 26 କେବଳ ଇସ୍ରାଏଲ-ସନ୍ତାନଗଣର ବାସସ୍ଥାନ ଗୋଶନ ପ୍ରଦେଶରେ ଶିଳାବୃଷ୍ଟି ହେଲା ନାହିଁ। 27 ଅନନ୍ତର ଫାରୋ ଲୋକ ପଠାଇ ମୋଶା ଓ ହାରୋଣଙ୍କୁ ଡକାଇ କହିଲେ, ଏହି ଥର ଆମ୍ଭେ ପାପ କଲୁ; ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ। 28 ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର; କାରଣ ପରମେଶ୍ଵରକୃତ ଗର୍ଜ୍ଜନ ଓ ଶିଳା ବୃଷ୍ଟି ଯଥେଷ୍ଟ ହୋଇଅଛି; ଆମ୍ଭେ ତୁମ୍ଭମାନଙ୍କୁ ଛାଡ଼ି ଦେବା, ତୁମ୍ଭମାନଙ୍କର ଆଉ ବିଳମ୍ଵ ହେବ ନାହିଁ। 29 ସେତେବେଳେ ମୋଶା ତାଙ୍କୁ କହିଲେ, ମୁଁ ନଗରରୁ ବାହାର ହୋଇ ଗଲା କ୍ଷଣେ ସଦାପ୍ରଭୁଙ୍କ ନିକଟରେ ଆପଣା ହସ୍ତ ବିସ୍ତାର କରିବି, ତହିଁରେ ମେଘ ଗର୍ଜ୍ଜନ ନିବୃତ୍ତ ହେବ ଓ ଶିଳା ବୃଷ୍ଟି ଆଉ ହେବ ନାହିଁ; ପୁଣି ଏହି ପୃଥିବୀ ଯେ ସଦାପ୍ରଭୁଙ୍କର, ତାହା ଆପଣ ଜାଣି ପାରିବେ। 30 ମାତ୍ର ମୁଁ ଜାଣେ, ଆପଣ ଓ ଆପଣଙ୍କ ଦାସଗଣ ଅଦ୍ୟାପି ସଦାପ୍ରଭୁ ପରମେଶ୍ଵରଙ୍କୁ ଭୟ କରୁ ନାହାନ୍ତି। 31 ସେ ସମୟରେ ଫେସି ଓ ଯବ ସବୁ ନଷ୍ଟ ହେଲା, କାରଣ ଯବ ଶିଷାଯୁକ୍ତ ଓ ଫେସି ପୁଷ୍ପିତ ଥିଲା। 32 ମାତ୍ର ଗହମ ଓ ଯହ୍ନା ବଡ଼ ହୋଇ ନ ଥିବାରୁ ନଷ୍ଟ ହେଲା ନାହିଁ। 33 ଅନନ୍ତର ମୋଶା ଫାରୋଙ୍କ ନିକଟରୁ ନଗରର ବାହାରକୁ ଯାଇ ସଦାପ୍ରଭୁଙ୍କ ଛାମୁରେ ଆପଣା ହସ୍ତ ବିସ୍ତାର କରନ୍ତେ, ମେଘଗର୍ଜ୍ଜନ ଓ ଶିଳା ବୃଷ୍ଟି ନିବୃତ୍ତ ହେଲା, ଭୂମିରେ ଆଉ ଜଳ ବୃଷ୍ଟି ହେଲା ନାହିଁ। 34 ସେତେବେଳେ ବୃଷ୍ଟି ଓ ଶିଳାପାତ ଓ ମେଘ ଗର୍ଜ୍ଜନ ନିବୃତ୍ତ ହେବାର ଦେଖି ଫାରୋ ଆହୁରି ପାପ କଲେ, ପୁଣି ସେ ଓ ତାଙ୍କ ଦାସମାନେ ଆପଣା ଆପଣା ମନ ଭାରୀ କଲେ। 35 ତହିଁରେ ଫାରୋଙ୍କର ହୃଦୟ କଠିନ ହେଲା; ଏଣୁ ମୋଶାଙ୍କ ଦ୍ଵାରା କଥିତ ସଦାପ୍ରଭୁଙ୍କ ବାକ୍ୟାନୁସାରେ ସେ ଇସ୍ରାଏଲ-ସନ୍ତାନମାନଙ୍କୁ ଛାଡ଼ି ଦେଲେ ନାହିଁ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India