ଯାତ୍ରା ପୁସ୍ତକ 15 - ପବିତ୍ର ବାଇବଲ (Re-edited) - (BSI)ମୋଶାଙ୍କ ଗୀତ 1 ସେତେବେଳେ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଗୀତ ଗାନ କଲେ, ଯଥା- ଆମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବା, କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ଵ ଓ ଅଶ୍ଵାରୋହୀଙ୍କି ସମୁଦ୍ରରେ ନିକ୍ଷେପ କରିଅଛନ୍ତି। 2 ସଦାପ୍ରଭୁ ଆମ୍ଭର ବଳ ଓ ଗାନ, ପୁଣି ସେ ଆମ୍ଭର ପରିତ୍ରାଣ ହୋଇଅଛନ୍ତି; ସେ ଆମ୍ଭର ପରମେଶ୍ଵର, ଆମ୍ଭେ ତାହାଙ୍କର ପ୍ରଶଂସା କରିବା; ସେ ଆମ୍ଭର ପୈତୃକ ପରମେଶ୍ଵର, ଆମ୍ଭେ ତାହାଙ୍କର ଗୁଣାନୁବାଦ କରିବା। 3 ସଦାପ୍ରଭୁ ଯୁଦ୍ଧବୀର; ସଦାପ୍ରଭୁ ତାହାଙ୍କର ନାମ। 4 ସେ ଫାରୋଙ୍କର ରଥ ଓ ସୈନ୍ୟଗଣକୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି; ପୁଣି ତାଙ୍କର ବଚ୍ଛା ବୀରମାନେ ସୂଫ ସାଗରରେ ନିମଗ୍ନ ହୋଇଅଛନ୍ତି। 5 ଗଭୀର ଜଳ ସେମାନଙ୍କୁ ଆଚ୍ଛାଦନ କରିଅଛି, ସେମାନେ ପ୍ରସ୍ତର ତୁଲ୍ୟ ଅଗାଧ ଜଳରେ ବୁଡ଼ିଗଲେ। 6 ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ବଳରେ ଗୌରବାନ୍ଵିତ; ହେ ସଦାପ୍ରଭୁ, ତୁମ୍ଭର ଦକ୍ଷିଣ ହସ୍ତ ଶତ୍ରୁକୁ ଚୂର୍ଣ୍ଣ କରେ, 7 ତୁମ୍ଭେ ଆପଣା ଉତ୍କୃଷ୍ଟ ମହିମାରେଆପଣା ପ୍ରତିକୂଳାଚାରୀମାନଙ୍କୁ ନିପାତ କରିଥାଅ; ତୁମ୍ଭେ ଆପଣା କ୍ରୋଧାଗ୍ନି ପଠାଅ, ତାହା ସେମାନଙ୍କୁ ନଡ଼ା ପରି ଗ୍ରାସ କରେ। 8 ତୁମ୍ଭ ନାସିକାର ନିଃଶ୍ଵାସ ଦ୍ଵାରା ଜଳ ରାଶୀକୃତ ହେଲା; ସ୍ରୋତସକଳ ସେତୁ ପରି ଛିଡ଼ା ହୋଇ ରହିଲା; ସମୁଦ୍ର ମଧ୍ୟସ୍ଥଳରେ ଗଭୀର ଜଳ ଜମାଟ ହୋଇଗଲା। 9 ଶତ୍ରୁ କହିଲା : ଆମ୍ଭେ ପଛେ ପଛେ ଗୋଡ଼ାଇବା, ଆମ୍ଭେ ସେମାନଙ୍କୁ ଧରିବା, ଆମ୍ଭେ ଲୁଟିତ ଦ୍ରବ୍ୟ ବିଭାଗ କରି ନେବା; ସେମାନଙ୍କ ଉପରେ ଆମ୍ଭର ଅଭିଳାଷ ପୂର୍ଣ୍ଣ ହେବ; ଆମ୍ଭେ ଆପଣା ଖଡ଼୍ଗ ନିଷ୍କୋଷ କରିବା, ଆମ୍ଭର ହସ୍ତ ସେମାନଙ୍କୁ ବିନାଶ କରିବ। 10 ମାତ୍ର ତୁମ୍ଭେ ଆପଣା ନିଃଶ୍ଵାସ ଦ୍ଵାରା ଫୁଙ୍କି ଦେଲ, ସମୁଦ୍ର ସେମାନଙ୍କୁ ଆଚ୍ଛାଦନ କଲା, ସେମାନେ ସୀସା ପରି ଗଭୀର ଜଳରେ ବୁଡ଼ିଗଲେ। 11 ହେ ସଦାପ୍ରଭୁ, ଦେବଗଣ ମଧ୍ୟରେ ତୁମ୍ଭ ତୁଲ୍ୟ କିଏ? ତୁମ୍ଭ ସମାନ ପବିତ୍ରତାରେ ଆଦରଣୀୟ, ପ୍ରଶଂସାରେ ଭୟାନକ ଓ ଆଶ୍ଚର୍ଯ୍ୟକ୍ରିୟାକାରୀ କିଏ? 12 ତୁମ୍ଭେ ଆପଣା ଦକ୍ଷିଣ ହସ୍ତ ବିସ୍ତାର କଲ, ପୃଥିବୀ ସେମାନଙ୍କୁ ଗ୍ରାସ କଲା। 13 ତୁମ୍ଭେ ଆପଣା ଦୟାରେ ନିଜ ମୁକ୍ତ ଲୋକମାନଙ୍କୁ ଗମନ କରାଉଅଛ, ତୁମ୍ଭେ ଆପଣା ପରାକ୍ରମରେ ସେମାନଙ୍କୁ ପଥ କଢ଼ାଇ ତୁମ୍ଭ ପବିତ୍ର ନିବାସ ସ୍ଥାନକୁ ନେଇ ଯାଉଅଛ। 14 ଲୋକମାନେ ଏହା ଶୁଣିଅଛନ୍ତି, ସେମାନେ କମ୍ପୁଅଛନ୍ତି; ବେଦନା ପଲେଷ୍ଟୀୟ ନିବାସୀମାନଙ୍କୁ ଆକ୍ରା; କରିଅଛି। 15 ସେତେବେଳେ ଇଦୋମର ରାଜଗଣବିହ୍ଵଳ ହେଲେ; କମ୍ପ ମୋୟାବର ବଳବାନ ଲୋକଙ୍କୁ ଆକ୍ରମଣ କରୁଅଛି ; କିଣାନନିବାସୀ ସମସ୍ତେ ତରଳି ଯାଇଅଛନ୍ତି। 16 ତ୍ରାସ ଓ ଆଶଙ୍କା ସେମାନଙ୍କ ଉପରେ ପଡ଼ୁଅଛି; ହେ ସଦାପ୍ରଭୁ, ଯେପର୍ଯ୍ୟନ୍ତ ତୁମ୍ଭ ଲୋକମାନେ ଚାଲିଯାଇ ନାହାନ୍ତି, ଯେପର୍ଯ୍ୟନ୍ତ ତୁମ୍ଭ କ୍ରୀତ ଲୋକମାନେ ଚାଲିଯାଇ ନାହାନ୍ତି, ସେପର୍ଯ୍ୟନ୍ତ ତୁମ୍ଭ ବାହୁ ବଳ ଦ୍ଵାରା ସେମାନେ ପ୍ରସ୍ତର ନ୍ୟାୟ ସ୍ତବ୍ଧ ହୋଇ ରହିଅଛନ୍ତି 17 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିବାସ ନିମନ୍ତେ ଯେଉଁ ସ୍ଥାନ ପ୍ରସ୍ତୁତ କରିଅଛ, ପ୍ରଭୁ, ତୁମ୍ଭର ହସ୍ତ ଯେଉଁ ଧର୍ମଧାମସ୍ଥାପନ କରିଅଛି, ତୁମ୍ଭେ ସେମାନଙ୍କୁ ଆଣି ଆପଣାର ସେହି ଅଧିକାର-ପର୍ବତରେ ରୋପଣ କରିବ। 18 ସଦାପ୍ରଭୁ ଯୁଗାନୁକ୍ରମେ ଅନ; କାଳ ରାଜତ୍ଵ କରିବେ। 19 କାରଣ ଫାରୋଙ୍କର ଅଶ୍ଵ ଓ ରଥ ଓ ଅଶ୍ଵାରୂଢ଼ ଲୋକମାନେ ସମୁଦ୍ର ମଧ୍ୟରେ ପ୍ରବେଶ କରନ୍ତେ, ସଦାପ୍ରଭୁ ସେମାନଙ୍କ ଉପରେ ପୁନର୍ବାର ସମୁଦ୍ର ଜଳ ଆଣିଲେ; ମାତ୍ର ଇସ୍ରାଏଲ-ସନ୍ତାନମାନେ ଶୁଷ୍କ ପଥ ଦେଇ ସମୁଦ୍ର ମଧ୍ୟରେ ଗମନ କଲେ। 20 ଅନନ୍ତର ହାରୋଣଙ୍କର ଭଗିନୀ ଭବିଷ୍ୟଦ୍ବକ୍ତ୍ରୀ ମରୀୟମ ହସ୍ତରେ ଦାରା ନେଲେ ଓ ତାଙ୍କର ପଛେ ପଛେ ଅନ୍ୟ ସ୍ତ୍ରୀସକଳ ଦାରା ନେଇନୃତ୍ୟ କରୁ କରୁ ବାହାର ହେଲେ। 21 ସେତେବେଳେ ମରୀୟମ ଲୋକମାନଙ୍କୁ ଉତ୍ତର କଲେ, ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାୟନ କର; କାରଣ ସେ ଅତିଶୟ ଉନ୍ନତ ହୋଇଅଛନ୍ତି; ସେ ଅଶ୍ଵ ଓ ଅଶ୍ଵାରୂଢ଼ ଲୋକମାନଙ୍କୁ ସମୁଦ୍ରରେ ନିକ୍ଷେପ କରିଅଛନ୍ତି। ତିକ୍ତ ଜଳ 22 ଅନନ୍ତର ମୋଶା ଇସ୍ରାଏଲଙ୍କୁ ସୂଫ ସାଗରଠାରୁ ଯାତ୍ରା କରାଇଲେ, ପୁଣି ସେମାନେ ଶୂର-ପ୍ରାନ୍ତର ଆଡ଼କୁ ଯାତ୍ରା କଲେ, ସେମାନେ ପ୍ରାନ୍ତରରେ ତିନି ଦିନ ଯାତ୍ରା କରି ଜଳ ପାଇଲେ ନାହିଁ। 23 ତହୁଁ ସେମାନେ ମାରାଠାରେ ଉପସ୍ଥିତ ହୁଅନ୍ତେ, ତିକ୍ତତା ହେତୁରୁ ମାରାର ଜଳ ପାନ କରି ପାରିଲେ ନାହିଁ; ଏଣୁ ତାହାର ନାମ ମାରା (ତିକ୍ତତା) ହେଲା। 24 ସେତେବେଳେ ଲୋକମାନେ ମୋଶାଙ୍କ ବିରୁଦ୍ଧରେ ବଚସା କରି କହିଲେ, ଆମ୍ଭେମାନେ କଅଣ ପିଇବା? 25 ତହିଁରେ ସେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ, ସଦାପ୍ରଭୁ ତାଙ୍କୁ ଏକ ପ୍ରକାର କାଷ୍ଠ ଦେଖାଇଲେ, ସେ ତାହା ନେଇ ଜଳରେ ପକାନ୍ତେ, ଜଳ ମିଷ୍ଟ ହେଲା। ସେହି ସ୍ଥାନରେ ସଦାପ୍ରଭୁ ସେମାନଙ୍କ ନିମନ୍ତେ ବିଧି ଓ ଆଦେଶ ନିରୂପଣ କଲେ, ପୁଣି ସେମାନଙ୍କର ପରୀକ୍ଷା ନେଇ କହିଲେ, 26 ତୁମ୍ଭେ ଯେବେ ଆପଣା ସଦାପ୍ରଭୁ ପରମେଶ୍ଵରଙ୍କ ବାକ୍ୟରେ ମନୋଯୋଗ କର ଓ ତାହାଙ୍କ ଦୃଷ୍ଟିରେ ଯାହା ଉଚିତ, ତାହା କର ଓ ତାହାଙ୍କ ଆଜ୍ଞାରେ କର୍ଣ୍ଣ ଦିଅ ଓ ତାହାଙ୍କ ବିଧି ସମସ୍ତ ପାଳନ କର, ତେବେ ଆମ୍ଭେ ମିସ୍ରୀୟ ଲୋକମାନଙ୍କୁ ଯେସବୁ ରୋଗ ଭୋଗ କରାଇଲୁ, ତାହାସବୁ ତୁମ୍ଭମାନଙ୍କୁ ଭୋଗ କରିବାକୁ ଦେବା ନାହିଁ; କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ଆରୋଗ୍ୟକାରୀ। 27 ଅନନ୍ତର ସେମାନେ ଏଲୀମଠାରେ ଉପସ୍ଥିତ ହେଲେ; ସେଠାରେ ଜଳର ବାର ନିର୍ଝର ଓ ସତୁରି ଖର୍ଜ୍ଜୁର ବୃକ୍ଷ ଥିଲା; ତହିଁରେ ସେମାନେ ସେହି ଜଳ ନିକଟରେ ଛାଉଣି ସ୍ଥାପନ କଲେ। |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India