Biblia Todo Logo
Bìoball air-loidhne

- Sanasan -

ଉପଦେଶକ 8 - ପବିତ୍ର ବାଇବଲ (Re-edited) - (BSI)

1 ଜ୍ଞାନବାନର ତୁଲ୍ୟ କିଏ ଅଛି? ଓ କିଏ ବିଷୟର ଭାବାର୍ଥ ଜାଣେ? ମନୁଷ୍ୟର ଜ୍ଞାନ ତାହାର ମୁଖ ପ୍ରସନ୍ନ କରେ ଓ ତାହାର ମୁଖର କାଠିନ୍ୟ ପରିବର୍ତ୍ତିତ ହୁଏ।


ରାଜାଜ୍ଞା ପାଳନ

2 ତୁମ୍ଭେ ରାଜାଜ୍ଞା ପାଳନ କର, ମୁଁ ଏହା ପରାମର୍ଶ ଦିଏ ଓ ପରମେଶ୍ଵରଙ୍କ ସାକ୍ଷାତରେ ଶପଥ କରିବା ସକାଶୁ ତାହା କର।

3 ତାଙ୍କ ଛାମୁରୁ ବାହାରି ଯିବାକୁ ଚଞ୍ଚଳ ହୁଅ ନାହିଁ; କୌଣସି ମନ୍ଦ ବିଷୟରେ ଆଣ୍ଟ ବାନ୍ଧ ନାହିଁ; କାରଣ ଯାହା ତାଙ୍କର ଇଚ୍ଛା, ସେ ତାହା କରନ୍ତି।

4 ଯେହେତୁ ରାଜବାକ୍ୟ ପରାକ୍ରମବିଶିଷ୍ଟ; ପୁଣି, ତୁମ୍ଭେ କଅଣ କରୁଅଛ, ଏହା ତାଙ୍କୁ କିଏ କହିପାରେ?

5 ଯେ ଆଜ୍ଞା ପାଳନ କରେ, ସେ କୌଣସି ମନ୍ଦ ବିଷୟ ଜାଣିବ ନାହିଁ; ପୁଣି ଜ୍ଞାନୀର ମନ ସମୟ ଓ ବିଚାର ଜାଣେ;

6 କାରଣ ପ୍ରତ୍ୟେକ ଅଭିପ୍ରାୟ ପାଇଁ ସମୟ ଓ ବିଚାର ଅଛିନ୍ତ ଯେହେତୁ ମନୁଷ୍ୟର ଦୁଃଖ ତାହା ପକ୍ଷରେ ଅତିଶୟ;

7 କାରଣ କଅଣ ଘଟିବ, ତାହା ସେ ଜାଣେ ନାହିଁ ଓ କିପ୍ରକାରେ ତାହା ଘଟିବ, ଏହା କିଏ ତାହାକୁ ଜଣାଇ ପାରେ?

8 ଶ୍ଵାସବାୟୁ ଅଟକାଇ ରଖିବା ପାଇଁ ଶ୍ଵାସବାୟୁ ଉପରେ କୌଣସି ମନୁଷ୍ୟର କ୍ଷମତା ନାହିଁ କିଅବା ମରଣ ଦିନ ଉପରେ ତାହାର କିଛି କ୍ଷମତା ନାହିଁ ପୁଣି, ସେହି ଯୁଦ୍ଧରୁ ଛାଡ଼ ନାହିଁ; ଅଥବା ଦୁଷ୍ଟତାରେ ଆସକ୍ତ ଲୋକକୁ ଦୁଷ୍ଟତା ଉଦ୍ଧାର କରିବ ନାହିଁ।


ଦୁଷ୍ଟ ଓ ଧାର୍ମିକ

9 ଏହିସବୁ ମୁଁ ଦେଖିଅଛି ଓ ସୂର୍ଯ୍ୟ ତଳେ ଯେ ପ୍ରତ୍ୟେକ କାର୍ଯ୍ୟ କରାଯାଏ, ତହିଁରେ ମୁଁ ମନୋଯୋଗ କରିଅଛି; କେବେ କେବେ ଏକ ମନୁଷ୍ୟର ଅନ୍ୟ ଉପରେ ତାହାର ଅମଙ୍ଗଳ ନିମନ୍ତେ କ୍ଷମତା ଥାଏ।

10 ଆହୁରି, ଦୁଷ୍ଟମାନେ କବରପ୍ରାପ୍ତ ହୋଇ ପରଲୋକରେ ଉପସ୍ଥିତ ହେଲେ; ପୁଣି, ଯଥାର୍ଥ କର୍ମକାରୀ-ମାନେ ପବିତ୍ର ସ୍ଥାନକୁ ଗଲେ ଓ ନଗରରୁ ବିସ୍ମୃତ ହେଲେ; ଏହା ହିଁ ଅସାର ଦେଖିଲି।

11 କୁକର୍ମ ବିରୁଦ୍ଧରେ ଦଣ୍ତାଜ୍ଞା ତ୍ଵରିତ ସିଦ୍ଧ ନୋହିବାରୁ ମନୁଷ୍ୟ-ସନ୍ତାନମାନଙ୍କ ଅନ୍ତଃକରଣ କୁକର୍ମ କରିବାକୁ ସମ୍ପୂର୍ଣ୍ଣ ଆସକ୍ତ ହୁଏ।

12 ଯଦ୍ୟପି ପାପୀ ଶତବାର ଦୁଷ୍କର୍ମ କରି ଦୀର୍ଘଜୀବୀ ହୁଏ, ତଥାପି ମୁଁ ନିଶ୍ଚୟ ଜାଣେ ଯେ, ପରମେଶ୍ଵରଙ୍କ ଭୟକାରୀମାନେ ତାହାଙ୍କ ଛାମୁରେ ଭୀତ ହୁଅନ୍ତି ବୋଲି ସେମାନଙ୍କର ମଙ୍ଗଳ ହେବ;

13 ମାତ୍ର ଦୁଷ୍ଟର ମଙ୍ଗଳ ହେବ ନାହିଁ, କିଅବା ସେ ଆପଣା ଛାୟା ସ୍ଵରୂପ ପରମାୟୁ ବୃଦ୍ଧି କରିବ ନାହିଁ; କାରଣ ସେ ପରମେଶ୍ଵରଙ୍କ ଛାମୁରେ ଭୀତ ନୁହେଁ।

14 ପୃଥିବୀରେ ଏହି ଗୋଟିଏ ଅସାରତା ସାଧିତ ହୁଏ; କେବେ କେବେ ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ କର୍ମାନୁଯାୟୀ ଫଳ ଘଟେ, ପୁଣି କେବେ କେବେ ଦୁଷ୍ଟମାନଙ୍କୁ ଧାର୍ମିକ-ମାନଙ୍କ କର୍ମାନୁଯାୟୀ ଫଳ ଘଟେ; ମୁଁ କହିଲି, ଏହା ହିଁ ଅସାର।

15 ତହୁଁ ମୁଁ ଆନନ୍ଦର ପ୍ରଶଂସା କଲି, କାରଣ ଭୋଜନପାନ ଓ ଆନନ୍ଦ କରିବା ଅପେକ୍ଷା ସୂର୍ଯ୍ୟ ତଳେ ମନୁଷ୍ୟ ପ୍ରତି ଆଉ କୌଣସି ଉତ୍ତମ ବିଷୟ ନାହିଁ; ଯେଣୁ ସେ ସୂର୍ଯ୍ୟ ତଳେ ପରମେଶ୍ଵରଙ୍କ ଦତ୍ତ ତାହାର ପରମାୟୁ ମଧ୍ୟରେ ଯେ ଯେ ପରିଶ୍ରମ କରେ, ସେସବୁରେ ଏହା ହିଁ ତାହାର ସହବର୍ତ୍ତୀ ହେବ।

16 ଯେତେବେଳେ ମୁଁ ଜ୍ଞାନର ତତ୍ତ୍ଵ ଜାଣିବାକୁ ଓ ପୃଥିବୀରେ କୃତକାର୍ଯ୍ୟ ଦେଖିବାକୁ ମନୋଯୋଗ କଲି; (କାରଣ ଦିବାରାତ୍ର ଯାହାର ଚକ୍ଷୁ ନିଦ୍ରା ନ ଦେଖେ,ଏପରି ଲୋକ ମଧ୍ୟ ଅଛି);

17 ସେତେବେଳେ ମୁଁ ପରମେଶ୍ଵରଙ୍କର ସକଳ କାର୍ଯ୍ୟ ବିଷୟ ଦେଖିଲି ଯେ, ମନୁଷ୍ୟ ସୂର୍ଯ୍ୟ ତଳେ ସାଧିତ କାର୍ଯ୍ୟର ତତ୍ତ୍ଵ ପାଇ ନ ପାରେ; କାରଣ ତାହା ଅନ୍ଵେଷଣ କରିବା ପାଇଁ ମନୁଷ୍ୟ ଯେତେ ପରିଶ୍ରମ କଲେ ହେଁ ତାହା ପାଇ ପାରିବ ନାହିଁ; ଆହୁରି, ଜ୍ଞାନୀ ଲୋକ ତାହା ଜାଣିବାକୁ ଚିନ୍ତା କଲେ ହେଁ ତହିଁର ତତ୍ତ୍ଵ ପାଇବାକୁ ସମର୍ଥ ହେବ ନାହିଁ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan