ଉପଦେଶକ 6 - ପବିତ୍ର ବାଇବଲ (Re-edited) - (BSI)1 ସୂର୍ଯ୍ୟ ତଳେ ମୁଁ ଏକ ଦୁଃଖର ବିଷୟ ଦେଖିଅଛି, ଆଉ ତାହା ମନୁଷ୍ୟମାନଙ୍କ ପକ୍ଷରେ ଭାରୀ; 2 ପରମେଶ୍ଵର କାହାକୁ କାହାକୁ ଏତେ ଧନ, ସମ୍ପତ୍ତି ଓ ସମ୍ଭ୍ରମ ଦିଅନ୍ତି ଯେ, ତାହାର ମନୋବାଞ୍ଛା ପୂର୍ଣ୍ଣ କରିବାକୁ କୌଣସି ବିଷୟର ଅଭାବ ନ ଥାଏ, ତଥାପି ତାହା ଭୋଗ କରିବା ପାଇଁ ପରମେଶ୍ଵର ତାହାକୁ କ୍ଷମତା ଦିଅନ୍ତି ନାହିଁ, ମାତ୍ର ଅପର ଲୋକ ତାହା ଭୋଗ କରେ; ଏହା ଅସାର ଓ ମନ୍ଦ ବ୍ୟାଧି ସ୍ଵରୂପ। 3 ଯେବେ କୌଣସି ମନୁଷ୍ୟ ଶହେ ସନ୍ତାନ ଜାତ କରି ଅନେକ ବର୍ଷ ବଞ୍ଚି ଦୀର୍ଘଜୀବୀ ହୁଏ, ମାତ୍ର ତାହାର ପ୍ରାଣ ଯେବେ ସୁଖରେ ତୃପ୍ତ ନ ହୁଏ, ଆହୁରି ଯେବେ ତାହାକୁ କବର ଦିଆ ନ ଯାଏ, ତେବେ ମୁଁ କହେ, ତାହାଠାରୁ ବରଞ୍ଚ ଗର୍ଭସ୍ରାବ ଭଲ; 4 କାରଣ ତାହା ବାଷ୍ପ ତୁଲ୍ୟ ଆସେ ଓ ଅନ୍ଧକାରରେ ଯାଏ, ଆଉ ତହିଁର ନାମ ଅନ୍ଧକାରରେ ଆଚ୍ଛନ୍ନ ହୁଏ; 5 ଆହୁରି, ତାହା ସୂର୍ଯ୍ୟ ଦେଖି ନାହିଁ କି ଜାଣି ନାହିଁ; ସେ ଲୋକ ଅପେକ୍ଷା ବରଞ୍ଚ ଏ ବିଶ୍ରାମ ପାଏ; 6 ପୁଣି, ସେ ମନୁଷ୍ୟ କୌଣସି ମଙ୍ଗଳ ଭୋଗ ନ କରି ଦୁଇଗୁଣ ସହସ୍ର ବର୍ଷ ବଞ୍ଚିଲେ ହେଁ ସମସ୍ତେ କି ଏକ ସ୍ଥାନକୁ ନ ଯାʼନ୍ତି? 7 ମନୁଷ୍ୟର ସମସ୍ତ ପରିଶ୍ରମ ତାହାର ମୁଖ ନିମନ୍ତେ, ତଥାପି ଭୋଜନର ଆକାଂକ୍ଷା ପୂର୍ଣ୍ଣ ହୁଏ ନାହିଁ। 8 ଏଣୁ ମୂର୍ଖ ଅପେକ୍ଷା ଜ୍ଞାନୀର କି ଲାଭ? ଆଉ, ଜୀବିତମାନଙ୍କ ସାକ୍ଷାତରେ ଚଳିବାକୁ ଜାଣେ ଯେଉଁ ଦରିଦ୍ର ଲୋକ, ତାହାର ଅବା କି ଲାଭ? 9 ମନର ଲାଳସା ଅପେକ୍ଷା ସାକ୍ଷାତ ଭୋଗ ଭଲ; ଏହା ହିଁ ଅସାର ଓ ବାୟୁର ପଶ୍ଚାଦ୍ଧାବନମାତ୍ର। 10 ଯାହା ହୋଇଅଛି, ଅନେକ କାଳ ହେଲା ତହିଁର ନାମ ଦିଆ ଯାଇଥିଲା, ଆଉ ସେ ମର୍ତ୍ତ୍ୟ ବୋଲି ଜଣା; ପୁଣି, ସେ ଆପଣା ଅପେକ୍ଷା ପରାକ୍ରା; ସଙ୍ଗେ ବିରୋଧ କରି ନ ପାରେ। 11 ଅସାରତାବର୍ଦ୍ଧକ ଅନେକ କଥା ଅଛି, ତହିଁରେ ମନୁଷ୍ୟର କି ଲାଭ? 12 କାରଣ ମନୁଷ୍ୟ ଛାୟା ତୁଲ୍ୟ ଆପଣାର ଯେଉଁ ଅସାର ଜୀବନର ଦିନସବୁ କ୍ଷେପଣ କରେ, ସେହି ଜୀବନ କାଳରେ ତାହାର ମଙ୍ଗଳ କଅଣ, ଏହା କିଏ ଜାଣେ? ଆଉ, ମନୁଷ୍ୟର ମରଣାନ୍ତେ ସୂର୍ଯ୍ୟ ତଳେ ଯାହା ଘଟିବ, ଏହା କିଏ ତାହାକୁ ଜଣାଇ ପାରେ? |
ODIA-OV (Re-edited) - ପବିତ୍ର ବାଇବଲ (Re-edited)
Copyright © 2014 by The Bible Society of India
Used by permission. All rights reserved worldwide.
Bible Society of India