Biblia Todo Logo
Bìoball air-loidhne

- Sanasan -

ଦ୍ଵିତୀୟ ବିବରଣ 14 - ପବିତ୍ର ବାଇବଲ (Re-edited) - (BSI)


ନିଷିଦ୍ଧ ଶୋକ ପ୍ରକାଶ

1 ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ଵରଙ୍କ ସନ୍ତାନ; ତୁମ୍ଭେମାନେ ମୃତ ଲୋକମାନଙ୍କ ନିମନ୍ତେ ଆପଣା ଆପଣା ଶରୀରରେ କଟାକଟି କରିବ ନାହିଁ, କିଅବା ଆପଣାମାନଙ୍କ ଭ୍ରୂଲତାର ମଧ୍ୟସ୍ଥଳ କ୍ଷୌର କରିବ ନାହିଁ।

2 କାରଣ ତୁମ୍ଭେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ପବିତ୍ର ଲୋକ, ପୁଣି ପୃଥିବୀସ୍ଥ ସମସ୍ତ ଗୋଷ୍ଠୀରୁ ତୁମ୍ଭକୁ ଆପଣାର ସଞ୍ଚିତ ଧନ କରିବା ନିମନ୍ତେ ସଦାପ୍ରଭୁ ତୁମ୍ଭକୁ ମନୋନୀତ କରିଅଛନ୍ତି।


ଶୁଚି ଓ ଅଶୁଚି ଖାଦ୍ୟ

3 ତୁମ୍ଭେ କୌଣସି ଘୃଣାଯୋଗ୍ୟ ଦ୍ରବ୍ୟ ଭୋଜନ କରିବ ନାହିଁ।

4 ଏହି ସକଳ ପଶୁ ତୁମ୍ଭେମାନେ ଭୋଜନ କରିବ; ଯଥା,

5 ଗୋରୁ, ମେଷ ଓ ଛେଳି, ହରିଣ ଓ କୃଷ୍ଣସାର ଓ ବନଗୋରୁ ଓ ବନଛାଗ ଓ ଗବୟ ଓ ବାହୁଟିଆ ହରିଣ ଓ ଚମୂରୁ,

6 ପଶୁଗଣ ମଧ୍ୟରୁ ଯେତେ ପଶୁ ବିଭକ୍ତ-ଖୁରା ଓ ଦ୍ଵିଖଣ୍ତ-ଖୁରାବିଶିଷ୍ଟ ଓ ପାକୁଳି କରନ୍ତି, ସେସବୁ ତୁମ୍ଭେମାନେ ଭୋଜନ କରିବ।

7 ମାତ୍ର ଯେଉଁମାନେ ପାକୁଳି କରନ୍ତି, ଅବା ଦ୍ଵିଖଣ୍ତ-ଖୁରାବିଶିଷ୍ଟ ଅଟନ୍ତି, ସେମାନଙ୍କ ମଧ୍ୟରୁ ଏହିସବୁ ଭୋଜନ କରିବ ନାହିଁ; ଯଥା, ଓଟ ଓ ଠେକୁଆ ଓ ଶାଫନ୍ ପଶୁ, କାରଣ ସେମାନେ ପାକୁଳି କରନ୍ତି, ମାତ୍ର ଦ୍ଵିଖଣ୍ତ-ଖୁରାବିଶିଷ୍ଟ ନୁହନ୍ତି, ସେମାନେ ତୁମ୍ଭମାନଙ୍କ ପ୍ରତି ଅଶୁଚି;

8 ପୁଣି ଶୂକର, ଯେହେତୁ ସେ ବିଭକ୍ତ ଖୁରାବିଶିଷ୍ଟ, ମାତ୍ର ପାକୁଳି କରେ ନାହିଁ, ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି; ତୁମ୍ଭେମାନେ ସେମାନଙ୍କ ମାଂସ ଭୋଜନ କରିବ ନାହିଁ ଓ ସେମାନଙ୍କ ଶବ ସ୍ପର୍ଶ କରିବ ନାହିଁ।

9 ଜଳଜନ୍ତୁ ମଧ୍ୟରୁ ଏହିସବୁ ତୁମ୍ଭେମାନେ ଭୋଜନ କରିବ; ଯାହାର ଡେଣା ଓ କାତି ଅଛି, ତାହା ତୁମ୍ଭେମାନେ ଭୋଜନ କରିବ;

10 ପୁଣି ଯାହାର ଡେଣା ଓ କାତି ନାହିଁ, ତାହା ତୁମ୍ଭେମାନେ ଭୋଜନ କରିବ ନାହିଁ; ତାହା ତୁମ୍ଭମାନଙ୍କ ପ୍ରତି ଅଶୁଚି।

11 ତୁମ୍ଭେମାନେ ସବୁ ପ୍ରକାର ଶୁଚି ପକ୍ଷୀ ଭୋଜନ କରିପାର,

12 ମାତ୍ର ଏହିସବୁ ଭୋଜନ କରିବ ନାହିଁ , ଯଥା, ଉତ୍କ୍ରୋଶ ଓ ହାଡ଼ଭଙ୍ଗା ଓ ବହୀରି;

13 ଗୃଧ୍ର ଓ ଚିଲ ଓ ଆପଣା ଆପଣା ଜାତି ଅନୁସାରେ ବାଜ

14 ଓ ଆପଣା ଆପଣା ଜାତି ଅନୁସାରେ ସମସ୍ତ ଡାମରାକାଉ;

15 ପୁଣି ଉଷ୍ଟ୍ରପକ୍ଷୀ ଓ ତାମସପକ୍ଷୀ ଓ ସମୁଦ୍ରଚିଲ ଓ ଆପଣା ଆପଣା ଜାତି ଅନୁସାରେ ଛଞ୍ଚାଣ;

16 ଆଉ କୋଷପକ୍ଷୀ ଓ ବଗ ଓ ଦୀର୍ଘ-ଗଳ ହଂସ;

17 ପାଣିଭେଳା ଓ ଶାଗୁଣା ଓ ପାଣିକୁଆ

18 ଓ ଚରଳ ଓ ଆପଣା ଆପଣା ଜାତି ଅନୁସାରେ କଙ୍କ, ଟିଟ୍ଟିଭ ଓ ଚାମଚିକା;

19 ପୁଣି ଗମନକାରୀ ପକ୍ଷବାନ ଜନ୍ତୁସକଳ ତୁମ୍ଭମାନଙ୍କ ପ୍ରତି ଅଶୁଚି; ସେମାନେ ଭୋଜନ କରାଯିବେ ନାହିଁ।

20 ତୁମ୍ଭେମାନେ ସମସ୍ତ ଶୁଚି ପକ୍ଷୀକି ଭୋଜନ କରି ପାରିବ।

21 ତୁମ୍ଭେମାନେ ସ୍ଵୟଂମୃତ କୌଣସି ପ୍ରାଣୀର ମାଂସ ଭୋଜନ କରିବ ନାହିଁ; ତୁମ୍ଭେ ଆପଣା ନଗରଦ୍ଵାରବର୍ତ୍ତୀ କୌଣସି ବିଦେଶୀକି ତାହା ଭୋଜନାର୍ଥେ ଦେଇ ପାର; ଅବା ତୁମ୍ଭେ କୌଣସି ବିଦେଶୀ ନିକଟରେ ତାହା ବିକ୍ରୟ କରି ପାର; କାରଣ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କ ପବିତ୍ର ଲୋକ ଅଟ। ତୁମ୍ଭେ ଛାଗବତ୍ସକୁ ତାହାର ମାତାର ଦୁଗ୍ଧରେ ପାକ କରିବ ନାହିଁ।


ଦଶମାଂଶର ନିୟମ

22 ତୁମ୍ଭେ ପ୍ରତି ବର୍ଷ ଆପଣା କ୍ଷେତ୍ରରୁ ଉତ୍ପନ୍ନ ବୀଜର ଦଶମାଂଶ ଅବଶ୍ୟ ପୃଥକ କରିବ।

23 ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଆପଣା ନାମ ବାସ କରାଇବା ପାଇଁ ଯେଉଁ ସ୍ଥାନ ମନୋନୀତ କରିବେ, ସେହି ସ୍ଥାନରେ ତୁମ୍ଭେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଦଶମାଂଶ ଓ ଆପଣା ଗୋମେଷାଦି ପଲର ପ୍ରଥମଜାତମାନଙ୍କୁ ତାହାଙ୍କ ସମ୍ମୁଖରେ ଭୋଜନ କରିବ; ଏହିରୂପେ ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ ସର୍ବଦା ଭୟ କରିବା ପାଇଁ ଶିକ୍ଷା କରିବ।

24 ଆଉ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଆଶୀର୍ବାଦ କରିବା ବେଳେ ଯେବେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଆପଣା ନାମ ସ୍ଥାପନାର୍ଥେ ଯେଉଁ ସ୍ଥାନ ମନୋନୀତ କରିବେ, ତାହା ତୁମ୍ଭଠାରୁ ଅତିରିକ୍ତ ଦୂର ହୁଏ, ତେଣୁ ସେହି ପଥ ତୁମ୍ଭ ପ୍ରତି ଅତିରିକ୍ତ ଦୀର୍ଘ ହେବା ହେତୁରୁ ତୁମ୍ଭେ ସେହି ଦ୍ରବ୍ୟ ବହି ନେବା ପାଇଁ ଅସମର୍ଥ ହୁଅ;

25 ତେବେ ତୁମ୍ଭେ ତାହା ଟଙ୍କା କରି ସେହି ଟଙ୍କା ବାନ୍ଧି ଆପଣା ହାତରେ ନେଇ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ମନୋନୀତ ସ୍ଥାନକୁ ଯିବ।

26 ପୁଣି ତୁମ୍ଭ ପ୍ରାଣ ଯାହା ବାଞ୍ଛା କରେ, ଗୋରୁ, କି ମେଷ, କି ଦ୍ରାକ୍ଷାରସ, କି ମଦ୍ୟ, କିଅବା ଯାହା କିଛି ତୁମ୍ଭ ପ୍ରାଣ ତୁମ୍ଭଠାରୁ ଚାହେଁ, ତହିଁ ପାଇଁ ତୁମ୍ଭେ ସେହି ଟଙ୍କା ଦେବ, ପୁଣି ତୁମ୍ଭେ ସେଠାରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵରଙ୍କ ସମ୍ମୁଖରେ ଭୋଜନ କରି ତୁମ୍ଭେ ଓ ତୁମ୍ଭ ପରିବାର ଆନନ୍ଦ କରିବ;

27 ଆଉ ତୁମ୍ଭେ ଆପଣା ନଗରଦ୍ଵାରବର୍ତ୍ତୀ ଲେବୀୟ ଲୋକକୁ ତ୍ୟାଗ କରିବ ନାହିଁ; କାରଣ ସେ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ପାଇ ନାହିଁ।

28 ପ୍ରତି ତୃତୀୟ ବର୍ଷର ଶେଷରେ ତୁମ୍ଭେ ସେହି ବର୍ଷରେ ଉତ୍ପନ୍ନ ଆପଣା ଶସ୍ୟାଦିର ସମସ୍ତ ଦଶମାଂଶ ବାହାର କରି ଆଣି ଆପଣା ନଗରଦ୍ଵାର ଭିତରେ ସଞ୍ଚୟ କରି ରଖିବ;

29 ଆଉ ଲେବୀୟ ଲୋକ ତୁମ୍ଭ ସଙ୍ଗରେ କୌଣସି ଅଂଶ କି ଅଧିକାର ନ ପାଇବାରୁ ସେ ଓ ତୁମ୍ଭ ନଗରଦ୍ଵାରରେ ଥିବା ବିଦେଶୀ ଓ ପିତୃହୀନ ଓ ବିଧବା, ଏମାନେ ଆସି ଭୋଜନ କରି ତୃପ୍ତ ହେବେ; ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭ ହସ୍ତକୃତ ସମସ୍ତ କର୍ମରେ ତୁମ୍ଭକୁ ଆଶୀର୍ବାଦ କରିବେ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan