Biblia Todo Logo
Bìoball air-loidhne

- Sanasan -

ଦାନିୟେଲ 9 - ପବିତ୍ର ବାଇବଲ (Re-edited) - (BSI)


ଆପଣା ଲୋକଙ୍କ ନିମନ୍ତେ ଦାନିୟେଲଙ୍କ ପ୍ରାର୍ଥନା

1 ମାଦୀୟ ବଂଶଜାତ ଅକ୍ଷଶ୍ଵେରସର ପୁତ୍ର ଯେ ଦାରୀୟାବସ କଲ୍ଦୀୟ ରାଜ୍ୟ ଉପରେ ରାଜା ନିଯୁକ୍ତ ହୋଇଥିଲା, ତାହାର ପ୍ରଥମ ବର୍ଷରେ।

2 ତାହାର ରାଜତ୍ଵର ପ୍ରଥମ ବର୍ଷରେ ମୁଁ ଦାନିୟେଲ ଶାସ୍ତ୍ର ଦ୍ଵାରା ବର୍ଷର ସଂଖ୍ୟା, ଅର୍ଥାତ୍, ଯିରୂଶାଲମର ଉଚ୍ଛିନ୍ନତାର ସମୟ ସତୁରି ବର୍ଷ ହେବା ବିଷୟରେ ସଦାପ୍ରଭୁଙ୍କର ଯେଉଁ ବାକ୍ୟ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କର ନିକଟରେ ଉପସ୍ଥିତ ହୋଇଥିଲା, ତାହା ମୁଁ ବୁଝିଲି।

3 ଏଣୁ ମୁଁ ଉପବାସ, ଚଟ ପରିଧାନ ଓ ଭସ୍ମ ଲେପନ କରି ପ୍ରାର୍ଥନା ଓ ବିନତି ଦ୍ଵାରା ପ୍ରଭୁ ପରମେଶ୍ଵରଙ୍କର ଅନ୍ଵେଷଣ କରିବା ପାଇଁ ତାହାଙ୍କ ପ୍ରତି ଦୃଷ୍ଟି କଲି।

4 ପୁଣି, ମୁଁ ସଦାପ୍ରଭୁ ମୋର ପରମେଶ୍ଵରଙ୍କ ନିକଟରେ ପ୍ରାର୍ଥନା କଲି ଓ ପାପ ସ୍ଵୀକାର କରି କହିଲି, ହେ ପ୍ରଭୁ, ତୁମ୍ଭେ ମହାନ ଓ ଭୟାନକ ପରମେଶ୍ଵର, ଯେଉଁମାନେ ତୁମ୍ଭଙ୍କୁ ପ୍ରେମ କରନ୍ତି ଓ ତୁମ୍ଭର ଆଜ୍ଞା ପାଳନ କରନ୍ତି, ତୁମ୍ଭେ ସେମାନଙ୍କ ପ୍ରତି ନିୟମ ଓ ଦୟା ରକ୍ଷା କରିଥାଅ।

5 ଆମ୍ଭେମାନେ ପାପ ଓ କୁଟିଳାଚରଣ କରିଅଛୁଓ ଦୁଷ୍କର୍ମ କରି ବିଦ୍ରୋହୀ ହୋଇଅଛୁ, ଆଉ ତୁମ୍ଭର ବିଧି ଓ ଶାସନପଥ ତ୍ୟାଗ କରିଅଛୁ।

6 ପୁଣି, ତୁମ୍ଭର ଯେଉଁ ଦାସ ଭବିଷ୍ୟଦ୍ବକ୍ତାଗଣ ଆମ୍ଭମାନଙ୍କର ରାଜଗଣକୁ, ଆମ୍ଭମାନଙ୍କର ଅଧିପତିଗଣକୁ ଓ ଆମ୍ଭମାନଙ୍କର ପିତୃପୁରୁଷଗଣକୁ ଓ ଦେଶସ୍ଥ ଲୋକ-ସମୂହକୁ ତୁମ୍ଭ ନାମରେ କଥା କହିଲେ, ସେମାନଙ୍କ ପ୍ରତି ଆମ୍ଭେମାନେ କର୍ଣ୍ଣପାତ କରି ନାହୁଁ।

7 ହେ ପ୍ରଭୁ ଧାର୍ମିକତା ତୁମ୍ଭର ଅଟେ, ମାତ୍ର ଆଜିକାର ନ୍ୟାୟ ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର; ତୁମ୍ଭ ବିରୁଦ୍ଧରେ କୃତ ସତ୍ୟ ଲଙ୍ଘନ ସକାଶୁ ଯିହୁଦାର ଲୋକ ଓ ଯିରୂଶାଲମ ନିବାସୀଗଣ ଓ ତୁମ୍ଭ ଦ୍ଵାରା ତାଡ଼ିତ ସକଳ ଦେଶସ୍ଥ ନିକଟବର୍ତ୍ତୀ ଓ ଦୂରବର୍ତ୍ତୀ ସମସ୍ତ ଇସ୍ରାଏଲ ଲୋକ (ବିବର୍ଣ୍ଣତାର ପାତ୍ର)।

8 ହେ ପ୍ରଭୁ, ମୁଖର ବିବର୍ଣ୍ଣତା ଆମ୍ଭମାନଙ୍କର, ଆମ୍ଭମାନଙ୍କ ରାଜଗଣର, ଆମ୍ଭମାନଙ୍କ ଅଧିପତିଗଣର ଓ ଆମ୍ଭମାନଙ୍କ ପିତୃପୁରୁଷଗଣର ଅଟେ, କାରଣ ଆମ୍ଭେମାନେ ତୁମ୍ଭ ବିରୁଦ୍ଧରେ ପାପ କରିଅଛୁ।

9 ବିବିଧ ଦୟା ଓ କ୍ଷମା ଆମ୍ଭମାନଙ୍କ ପ୍ରଭୁ ପରମେଶ୍ଵରଙ୍କର ଅଟେ; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ବିଦ୍ରୋହା-ଚରଣ କରିଅଛୁ ଗୀତ. ୧୩୦:୪,୭

10 ଓ ସେ ଆପଣା ଭବିଷ୍ୟଦ୍ବକ୍ତାଗଣ ଦ୍ଵାରା ଆପଣାର ଯେଉଁ ବ୍ୟବସ୍ଥାସକଳ ଆମ୍ଭମାନଙ୍କ ସମ୍ମୁଖରେ ରଖିଲେ, ତଦନୁସାରେ ଆଚରଣ କରିବା ପାଇଁ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ରବରେ ମନୋଯୋଗ କରି ନାହୁଁ।

11 ହଁ, ସମୁଦାୟ ଇସ୍ରାଏଲ ତୁମ୍ଭର ବ୍ୟବସ୍ଥା ଲଙ୍ଘନ କରିଅଛନ୍ତି, ତୁମ୍ଭର ରବରେ ଯେପରି ସେମାନେ ମନୋଯୋଗ ନ କରିବେ, ଏଥିପାଇଁ ସେମାନେ ବିପଥଗାମୀ ହୋଇଅଛନ୍ତି, ଏହି କାରଣରୁ ଅଭିଶାପ ଓ ପରମେଶ୍ଵରଙ୍କ ସେବକ ମୋଶାଙ୍କ ବ୍ୟବସ୍ଥାରେ ଲିଖିତ ଶପଥ ଆମ୍ଭମାନଙ୍କ ଉପରେ ଢଳା ଯାଇଅଛି; କାରଣ ଆମ୍ଭେମାନେ ତାହାଙ୍କ ବିରୁଦ୍ଧରେ ପାପ କରିଅଛୁ।

12 ପୁଣି, ସେ ଆମ୍ଭମାନଙ୍କ ଉପରେ ମହା ଅମଙ୍ଗଳ ଘଟାଇବା ଦ୍ଵାରା ଆମ୍ଭମାନଙ୍କ ବିରୁଦ୍ଧରେ ଓ ଯେଉଁ ବିଚାରକର୍ତ୍ତାଗଣ ଆମ୍ଭମାନଙ୍କର ବିଚାର କଲେ, ସେମାନଙ୍କ ବିରୁଦ୍ଧରେ ଯାହା କହିଥିଲେ, ଆପଣାର ସେହି ବାକ୍ୟ ସେ ସଫଳ କରିଅଛନ୍ତି; କାରଣ ଯିରୂଶାଲମ ପ୍ରତି ଯାହା କରା ଯାଇଅଛି, ସମୁଦାୟ ଆକାଶମଣ୍ତଳ ତଳେ ସେପରି କରାଯାଇ ନାହିଁ।

13 ମୋଶାଙ୍କ ବ୍ୟବସ୍ଥାର ଲିଖନାନୁସାରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି; ତଥାପି ଆମ୍ଭେମାନେ ଆପଣା ଆପଣା ଅଧର୍ମରୁ ଫେରିବା ପାଇଁ ଓ ତୁମ୍ଭର ସତ୍ୟତା ବୁଝିବା ପାଇଁ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵରଙ୍କ ନିକଟରେ ବିନତି କରି ନାହୁଁ।

14 ଏନିମନ୍ତେ ସଦାପ୍ରଭୁ ଅମଙ୍ଗଳାର୍ଥେ ଜାଗ୍ରତ ହୋଇ ଆମ୍ଭମାନଙ୍କ ପ୍ରତି ତାହା ଘଟାଇ ଅଛନ୍ତି; କାରଣ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ଵର ଯାହା ଯାହା କରନ୍ତି, ଆପଣାର ସେହି ସକଳ କାର୍ଯ୍ୟରେ ସେ ଧାର୍ମିକ ଅଟନ୍ତି, ମାତ୍ର ଆମ୍ଭେମାନେ ତାହାଙ୍କ ରବରେ ମନୋଯୋଗ କରି ନାହୁଁ।

15 ଏଣୁ ଏବେ ହେ ପ୍ରଭୁ, ଆମ୍ଭମାନଙ୍କ ପରମେଶ୍ଵର, ତୁମ୍ଭେ ବଳବାନ ହସ୍ତ ଦ୍ଵାରା ମିସର ଦେଶରୁ ଆପଣା ଲୋକମାନଙ୍କୁ ବାହାର କରି ଆଣି ଆଜିକାର ନ୍ୟାୟ କୀର୍ତ୍ତି ଲାଭ କରିଅଛ; ଆମ୍ଭେମାନେ ପାପ କରିଅଛୁ, ଆମ୍ଭେମାନେ ଦୁଷ୍କର୍ମ କରିଅଛୁ।

16 ହେ ପ୍ରଭୁ, ବିନୟ କରେ, ତୁମ୍ଭର ସମସ୍ତ ଧାର୍ମିକତାନୁସାରେ, ତୁମ୍ଭର ନଗର ଯିରୂଶାଲମ, ତୁମ୍ଭର ପବିତ୍ର ପର୍ବତ ପ୍ରତି ତୁମ୍ଭର କ୍ରୋଧ ଓ କୋପ ନିବୃତ୍ତ ହେଉ; କାରଣ ଆମ୍ଭମାନଙ୍କର ପାପ ଓ ଆମ୍ଭମାନଙ୍କର ପିତୃପୁରୁଷଗଣର ଅଧର୍ମ ସକାଶୁ ଯିରୂଶାଲମ ଓ ତୁମ୍ଭର ଲୋକମାନେ ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥିତ ଲୋକଙ୍କର ନିନ୍ଦାର ପାତ୍ର ହୋଇଅଛନ୍ତି।

17 ଏହେତୁ ହେ ଆମ୍ଭମାନଙ୍କର ପରମେଶ୍ଵର, ଏବେ ତୁମ୍ଭ ଦାସର ପ୍ରାର୍ଥନା ଓ ବିନତିରେ କର୍ଣ୍ଣପାତ କର ଓ ତୁମ୍ଭର ଏହି ଯେଉଁ ଧର୍ମଧାମ ଧ୍ଵଂସିତ ହୋଇଅଛି, ତହିଁ ପ୍ରତି ପ୍ରଭୁଙ୍କ ସକାଶେ ଆପଣା ମୁଖ ପ୍ରସନ୍ନ କର।

18 ହେ ମୋର ପରମେଶ୍ଵର, କର୍ଣ୍ଣ ଡେରି ଶୁଣ; ଆପଣା ଚକ୍ଷୁ ମେଲି ଆମ୍ଭମାନଙ୍କର ଉଚ୍ଛିନ୍ନତା ପ୍ରତି ଓ ତୁମ୍ଭ ନାମରେ ଖ୍ୟାତ ଏହି ନଗର ପ୍ରତି ଦୃଷ୍ଟିପାତ କର; କାରଣ ଆମ୍ଭେମାନେ ନିଜ ଧାର୍ମିକତା ସକାଶୁ ନୁହେଁ, ମାତ୍ର ତୁମ୍ଭର ମହାଦୟା ସକାଶୁ ତୁମ୍ଭ ଛାମୁରେ ଆମ୍ଭମାନଙ୍କର ନିବେଦନ ଉତ୍ସର୍ଗ କରୁଅଛୁ।

19 ହେ ପ୍ରଭୁ, ଶୁଣ; ହେ ପ୍ରଭୁ, କ୍ଷମା କର; ହେ ପ୍ରଭୁ, ମନୋଯୋଗ କରି କର୍ମ କର; ବିଳମ୍ଵ ନ କର; ହେ ମୋର ପରମେଶ୍ଵର, ନିଜ ସକାଶେ କର୍ମ କର, କାରଣ ତୁମ୍ଭର ନଗର ଓ ତୁମ୍ଭର ଲୋକମାନେ ତୁମ୍ଭ ନାମରେ ଖ୍ୟାତ ଅଟନ୍ତି।


ଗାବ୍ରିଏଲଙ୍କ ସମ୍ଵାଦ

20 ଏହିରୂପେ ମୁଁ ନିବେଦନ ଓ ପ୍ରାର୍ଥନା କରୁଥିଲି, ପୁଣି ମୋର ପାପ ଓ ମୋର ଇସ୍ରାଏଲ ଲୋକଙ୍କର ପାପ ସ୍ଵୀକାର କରୁଥିଲି, ଆଉ ମୋʼ ପରମେଶ୍ଵରଙ୍କ ପବିତ୍ର ପର୍ବତ ନିମନ୍ତେ ସଦାପ୍ରଭୁ ମୋʼ ପରମେଶ୍ଵରଙ୍କ ଛାମୁରେ ଆପଣା ନିବେଦନ ଉତ୍ସର୍ଗ କରୁଥିଲି;

21 ଏପରି ମୁଁ ପ୍ରାର୍ଥନା କରି କଥା କହୁ କହୁ ଆଦ୍ୟରେ ଦର୍ଶନକ୍ରମେ ମୁଁ ଯାହାଙ୍କୁ ଦେଖିଥିଲି, ସେହି ପୁରୁଷ ଗାବ୍ରିଏଲ ଶୀଘ୍ର ଉଡ଼ିବା ପାଇଁ ଆଦିଷ୍ଟ ହୋଇ ପ୍ରାୟ ସନ୍ଧ୍ୟାକାଳୀନ ନୈବେଦ୍ୟ ସମୟରେ ଆସି ମୋତେ ସ୍ପର୍ଶ କଲେ।

22 ପୁଣି, ସେ ମୋତେ ଶିକ୍ଷା ଦେଲେ ଓ ମୋʼ ସଙ୍ଗେ କଥାବାର୍ତ୍ତା କରି କହିଲେ, ହେ ଦାନିୟେଲ, ମୁଁ ଏବେ ତୁମ୍ଭକୁ ବୁଦ୍ଧିର କୌଶଳ ଦେବାକୁ ଆସିଲି।

23 ତୁମ୍ଭର ବିନତିର ଆରମ୍ଭ ସମୟରେ ଆଜ୍ଞା ନିର୍ଗତ ହେଲା, ଆଉ ତୁମ୍ଭକୁ ଜଣାଇବା ପାଇଁ ମୁଁ ଆସିଅଛି, କାରଣ ତୁମ୍ଭେ ଅତ୍ୟ; ପ୍ରିୟପାତ୍ର; ଏଥିପାଇଁ ଏ ବିଷୟ ବିବେଚନା କର ଓ ଦର୍ଶନ ବୁଝ।

24 ଆଜ୍ଞା ଲଙ୍ଘନ ସମାପ୍ତ କରିବାକୁ ଓ ପାପର ଶେଷ କରିବାକୁ ଓ ଅଧର୍ମର ପ୍ରାୟଶ୍ଚିତ୍ତ କରିବାକୁ, ଆଉ ଅନନ୍ତକାଳସ୍ଥାୟୀ ଧର୍ମ ଆଣିବାକୁ, ପୁଣି ଦର୍ଶନ ଓ ଭବିଷ୍ୟଦ୍ବାକ୍ୟ ମୁଦ୍ରାଙ୍କିତ କରିବାକୁ ଓ ପବିତ୍ରତମଙ୍କୁ ଅଭିଷିକ୍ତ କରିବାକୁ ତୁମ୍ଭ ଲୋକଙ୍କର ଓ ତୁମ୍ଭ ପବିତ୍ର ନଗର ନିମନ୍ତେ ସତୁରି ସପ୍ତାହ ନିରୂପିତ ହୋଇଅଛି।

25 ଏଥିପାଇଁ ତୁମ୍ଭେ ଜ୍ଞାତ ହୁଅ ଓ ବୁଝ ଯେ, ଯିରୂଶାଲମକୁ ପୁନଃସ୍ଥାପନ ଓ ନିର୍ମାଣ କରିବାର ଆଜ୍ଞା ପ୍ରକାଶ ହେବା ସମୟଠାରୁ ଅଧିପତି, ଅଭିଷିକ୍ତ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସାତ ସପ୍ତାହ ହେବ; ପୁଣି, ସଙ୍କଟ କାଳରେ ହିଁ ତାହା ଛକ ଓ ପରିଖା ସହିତ ତିନି କୋଡ଼ି ଦୁଇ ସପ୍ତାହ ପୁନର୍ନିର୍ମିତ ହେବ।

26 ପୁଣି, ତିନି କୋଡ଼ି ଦୁଇ ସପ୍ତାହ ଉତ୍ତାରେ ଅଭିଷିକ୍ତ ବ୍ୟକ୍ତି ଉଚ୍ଛିନ୍ନ ହେବେ ଓ ସେ ଅକିଞ୍ଚନ ହେବେ; ଆଉ, ଆଗାମୀ ଅଧିପତିର ଲୋକମାନେ ନଗର ଓ ଧର୍ମଧାମ ନଷ୍ଟ କରିବେ ଓ ପ୍ଳାବନ ଦ୍ଵାରା ତାହାର ଶେଷ ହେବ, ପୁଣି ଶେଷ ପର୍ଯ୍ୟନ୍ତ ହିଁ ଯୁଦ୍ଧ ହେବ; ନାନା ଉଚ୍ଛିନ୍ନତା ନିରୂପିତ ହୋଇଅଛି।

27 ପୁଣି, ସେ ଏକ ସପ୍ତାହ ପର୍ଯ୍ୟନ୍ତ ଅନେକର ସହିତ ଦୃଢ଼ ନିୟମ କରିବ ଓ ସପ୍ତାହର ଅର୍ଦ୍ଧେକ କାଳ ଯଜ୍ଞ ଓ ନୈବେଦ୍ୟ ନିବୃତ୍ତ କରାଇବ; ଆଉ, ଘୃଣାଯୋଗ୍ୟ ବସ୍ତୁସକଳର ପକ୍ଷ ଉପରେ ବିନାଶକ ଜଣେ ଆସିବ; ପୁଣି, ନିରୂପିତ ସିଦ୍ଧି ପର୍ଯ୍ୟନ୍ତ ବିନାଶକର ଉପରେ କ୍ରୋଧ ଢଳାଯିବ।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan