Biblia Todo Logo
Bìoball air-loidhne

- Sanasan -

ପ୍ରେରିତ 26 - ପବିତ୍ର ବାଇବଲ (Re-edited) - (BSI)


ଆଗ୍ରିପ୍ପାଙ୍କ ସମ୍ମୁଖରେ ପାଉଲଙ୍କ ଆତ୍ମସମର୍ଥନ

1 ସେଥିରେ ଆଗ୍ରିପ୍‍ପା ପାଉଲଙ୍କୁ କହିଲେ, ତୁମ୍ଭକୁ ଆପଣା ସପକ୍ଷରେ କଥା କହିବା ନିମନ୍ତେ ଅନୁମତି ଦିଆଗଲା। ସେତେବେଳେ ପାଉଲ ହସ୍ତ ବିସ୍ତାର କରି ଆପଣା ପକ୍ଷସମର୍ଥନ କରିବାକୁ ଲାଗିଲେ,

2 ହେ ରାଜନ୍ ଆଗ୍ରିପ୍‍ପା, ଯିହୁଦୀମାନେ ମୋʼ ବିରୁଦ୍ଧରେ ଯେସମସ୍ତ ଅଭିଯୋଗ କରୁଅଛନ୍ତି, ସେ ସମ୍ଵନ୍ଧରେ ମୁଁ ଯେ ଆଜି ଆପଣଙ୍କ ଛାମୁରେ ଆତ୍ମ-ପକ୍ଷସମର୍ଥନ କରିବାକୁ ସୁଯୋଗ ପାଇଅଛି, ଏଥିପାଇଁ ମୁଁ ଆପଣାକୁ ସମୃଦ୍ଧିମାନ୍ ମନେ କରୁଅଛି,

3 ବିଶେଷରେ ଏହି କାରଣରୁ ଯେ, ଆପଣ ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ଵନ୍ଧରେ ନିପୁଣ ଅଟନ୍ତି; ଏଥିପାଇଁ ଧୈର୍ଯ୍ୟ ଧରି ମୋର କଥା ଶ୍ରବଣ କରିବା ନିମନ୍ତେ ମୁଁ ଆପଣଙ୍କୁ ବିନତି କରୁଅଛି।

4 ଯୌବନକାଳାବଧି ଆଦ୍ୟରୁ ସ୍ଵଜାତି ମଧ୍ୟରେ ଓ ଯିରୂଶାଲମରେ ମୋର ଆଚାରବ୍ୟବହାର ଯିହୁଦୀମାନେ ସମସ୍ତେ ଜାଣନ୍ତି;

5 ସେମାନେ ମୋତେ ପ୍ରଥମରୁ ଜାଣିଥିବାରୁ ଯଦି ଇଚ୍ଛା କରନ୍ତି, ତେବେ ସାକ୍ଷ୍ୟ ଦେଇ ପାରନ୍ତି ଯେ, ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନ ଯାପନ କଲି।

6 ପୁଣି, ଆମ୍ଭମାନଙ୍କ ପିତୃପୁରୁଷଙ୍କ ନିକଟରେ ଈଶ୍ଵର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା ନିମନ୍ତେ ମୁଁ ବିଚାରିତ ହେବା ପାଇଁ ଏବେ ଠିଆ ହୋଇଅଛି।

7 ଆମ୍ଭମାନଙ୍କ ଦ୍ଵାଦଶ ଗୋଷ୍ଠୀ ସେହି ପ୍ରତିଜ୍ଞାର ଫଳ ପ୍ରାପ୍ତି ଆଶାରେ ଦିବାରାତ୍ର ଏକାଗ୍ର ଚିତ୍ତରେ ଈଶ୍ଵରଙ୍କ ସେବା କରୁଅଛନ୍ତି। ହେ ରାଜନ୍, ସେହି ପ୍ରତ୍ୟାଶା ହେତୁ ମୁଁ ଯିହୁଦୀମାନଙ୍କ ଦ୍ଵାରା ଅଭିଯୁକ୍ତ ହେଉଅଛି।

8 ଈଶ୍ଵର ଯେ ମୃତମାନଙ୍କୁ ଉଠାନ୍ତି, ତାହା କାହିଁକି ଆପଣମାନଙ୍କ ବିଚାରରେ ଅବିଶ୍ଵାସ ବୋଲି ବୋଧ ହୁଏ?

9 ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ, ଏହା ମୁଁ ନିଜେ ମନେ କରିଥିଲି।

10 ଆଉ, ଯିରୂଶାଲମରେ ମୁଁ ଏହା ମଧ୍ୟ କରଥିଲି, ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇ ସାଧୁମାନଙ୍କ ମଧ୍ୟରୁ ଅନେକଙ୍କୁ କାରାଗାରରେ ବନ୍ଦ କରିଥିଲି, ପୁଣି, ସେମାନଙ୍କ ପ୍ରାଣଦଣ୍ତ ସମୟରେ ମୁଁ ମଧ୍ୟ ସେମାନଙ୍କ ବିରୁଦ୍ଧରେ ମୋହର ମତ ଦେଇଥିଲି,

11 ଆଉ ସମସ୍ତ ସମାଜଗୃହରେ ଥରକୁଥର ସେମାନଙ୍କୁ ଶାସ୍ତି ଦେଇ ଯୀଶୁଙ୍କ ନିନ୍ଦା କରିବା ନିମନ୍ତେ ସେମାନଙ୍କୁ ବାଧ୍ୟ କରୁଥିଲି, ପୁଣି ସେମାନଙ୍କ ବିରୁଦ୍ଧରେ ଅତ୍ୟ; ଉନ୍ମତ୍ତ ହୋଇ ବିଦେଶୀୟ ନଗରଗୁଡ଼ିକ ପର୍ଯ୍ୟନ୍ତ ସୁଦ୍ଧା ସେମାନଙ୍କୁ ତାଡ଼ନା କରୁଥିଲି।


ପାଉଲଙ୍କ ପରିବର୍ତ୍ତନର ସାକ୍ଷ୍ୟ

12 ଏହି ଉଦ୍ଦେଶ୍ୟରେ ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଜ୍ଞାପତ୍ର ଘେନି ଦାମାସ୍କସ୍କୁ ଯାଉଥିବା ସମୟରେ,

13 ହେ ରାଜନ୍, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜୋମୟ ଆଲୋକ, ମୋହର ଓ ମୋʼ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ପ୍ରକାଶମାନ ହେବାର ଦେଖିଲି।

14 ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋʼ ପ୍ରତି ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର।

15 ସେଥିରେ ମୁଁ କହିଲି, ପ୍ରଭୋ, ଆପଣ କିଏ? ତେଣୁ ପ୍ରଭୁ କହିଲେ, ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି।

16 କିନ୍ତୁ ଉଠ, ପାଦରେ ଭରା ଦେଇ ଠିଆ ହୁଅ, କାରଣ ଆମ୍ଭେ ତୁମ୍ଭକୁ ଆମ୍ଭର ସେବକ, ଆଉ ତୁମ୍ଭେ ଆମ୍ଭର ଯେଉଁ ଯେଉଁ ଦର୍ଶନ ପାଇଅଛ ଓ ପାଇବ, ସେହିସମସ୍ତ ବିଷୟର ସାକ୍ଷୀସ୍ଵରୂପ ମନୋନୀତ କରିବା ଉଦ୍ଦେଶ୍ୟରେ ତୁମ୍ଭକୁ ଦର୍ଶନ ଦେଇଅଛୁ।

17 ସ୍ଵଜାତି ଓ ବିଜାତିମାନେ ଯେପରି ଅନ୍ଧକାରରୁ ଆଲୋକ ପ୍ରତି ଓ ଶୟତାନର ଶକ୍ତିରୁ ଈଶ୍ଵରଙ୍କ ପ୍ରତି ଫେରନ୍ତି, ପୁଣି ପାପକ୍ଷମା ଓ ଆମ୍ଭଠାରେ ବିଶ୍ଵାସ ଦ୍ଵାରା ପବିତ୍ରୀକୃତ ଲୋକମାନଙ୍କ ମଧ୍ୟରେ ଅଧିକାରପ୍ରାପ୍ତ ହୁଅନ୍ତି,

18 ସେଥିପାଇଁ ସେମାନଙ୍କ ଚକ୍ଷୁ ଉନ୍ନୋଚନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଉଅଛୁ, ଆଉ ଆମ୍ଭେ ତୁମ୍ଭକୁ ସେମାନଙ୍କଠାରୁ ରକ୍ଷା କରିବୁ।

19 ଅତଏବ, ହେ ରାଜନ୍ ଆଗ୍ରିପ୍‍ପା, ମୁଁ ସେହି ସ୍ଵର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ,

20 କିନ୍ତୁ ପ୍ରଥମେ ଦାମାସ୍କସ୍ର ଓ ଯିରୂଶାଲମର ଲୋକମାନଙ୍କ ନିକଟରେ, ପରେ ଯିହୁଦା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି ବିଜାତିମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ ପରିବର୍ତ୍ତନ କରି ଈଶ୍ଵରଙ୍କ ପ୍ରତି ଫେରିଆସନ୍ତି ଓ ମନ ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି।

21 ଏହି କାରଣରୁ ଯିହୁଦୀମାନେ ମନ୍ଦିର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ।

22 ଅତଏବ, ଈଶ୍ଵରଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହୋଇ ମୁଁ ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ଓ ମହାନ ସମସ୍ତଙ୍କ ନିକଟରେ ସାକ୍ଷ୍ୟ ଦେଇ ଆସୁଅଛି, ପୁଣି ଭାବବାଦୀମାନେ ଓ ମୋଶା ଯାହା ଯାହା ଘଟିବ ବୋଲି କହିଅଛନ୍ତି, ସେହିସବୁ ଛଡ଼ା ଆଉ କିଛି କହୁ ନାହିଁ,

23 ଅର୍ଥାତ୍, ଖ୍ରୀଷ୍ଟ ନିଶ୍ଚୟ ଦୁଃଖଭୋଗ କରି ପୁଣି ପ୍ରଥମେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇ ସ୍ଵଜାତି ଓ ବିଜାତିମାନଙ୍କ ନିକଟରେ ଆଲୋକ ପ୍ରକାଶ କରିବେ।

24 ଏହି ପ୍ରକାରେ ସେ ଆତ୍ମପକ୍ଷସମର୍ଥନ କରୁଥିବା ସମୟରେ ଫେଷ୍ଟ ଉଚ୍ଚସ୍ଵରରେ କହିଲେ, ପାଉଲ, ତୁମ୍ଭେ ପାଗଳ; ବହୁ ବିଦ୍ୟା ତୁମ୍ଭକୁ ପାଗଳ କରୁଅଛି।

25 କିନ୍ତୁ ପାଉଲ କହିଲେ, ହେ ମହାମହିମ ଫେଷ୍ଟ, ମୁଁ ପାଗଳ ନୁହେଁ; ମାତ୍ର ସତ୍ୟ ଓ ସ୍ଥିର ବୁଦ୍ଧିର ବାକ୍ୟ ବ୍ୟକ୍ତ କରୁଅଛି।

26 ରାଜା ତ ଏସମସ୍ତ ବିଷୟ ଜାଣନ୍ତି, ଆଉ ମୁଁ ତାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି, କାରଣ ଏହିସମସ୍ତ ବିଷୟର କୌଣସି କଥା ତାଙ୍କର ଅଗୋଚର ନୁହେଁ ବୋଲି ମୋହର ବିଶ୍ଵାସ; ଏହା ତ ଗୋପନରେ କରା ହୋଇ ନାହିଁ।

27 ହେ ରାଜନ୍ ଆଗ୍ରିପ୍‍ପା, ଆପଣ କଅଣ ଭାବବାଦୀ-ମାନଙ୍କୁ ବିଶ୍ଵାସ କରନ୍ତି? ଆପଣ ବିଶ୍ଵାସ କରନ୍ତି ବୋଲି ମୁଁ ଜାଣେ।

28 ସେଥିରେ ଆଗ୍ରିପ୍‍ପା ପାଉଲଙ୍କୁ କହିଲେ, ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିୟାନ କରି ପାର ବୋଲି ମନେ କରୁଅଛ।

29 ପାଉଲ କହିଲେ, ଅଳ୍ପରେ ହେଉ କି ବହୁତରେ ହେଉ, କେବଳ ଆପଣ ନୁହନ୍ତି, ମାତ୍ର ଯେତେ ଲୋକ ଆଜି ମୋର କଥା ଶୁଣୁଅଛନ୍ତି, ଯେପରି ସେମାନେ ସମସ୍ତେ ସୁଦ୍ଧା ଏହି ବନ୍ଧନ ବିନା ମୋହରି ପରି ହୁଅନ୍ତି, ଏହା ମୁଁ ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରୁଅଛି।

30 ସେଥିରେ ରାଜା, ଶାସନକର୍ତ୍ତା, ବର୍ଣ୍ଣୀକୀ ଓ ସେମାନଙ୍କ ସହିତ ଉପବିଷ୍ଟ ବ୍ୟକ୍ତିମାନେ ଉଠିଯାଇ

31 ଅନ୍ତର ହୋଇ ପରସ୍ପର କଥାବାର୍ତ୍ତା କରୁ କରୁ କହିଲେ, ଏହି ଲୋକ ମୃତ୍ୟୁ କି ବନ୍ଧନଯୋଗ୍ୟ କୌଣସି କର୍ମ କରି ନାହିଁ।

32 ଆଉ, ଆଗ୍ରିପ୍‍ପା ଫେଷ୍ଟଙ୍କୁ କହିଲେ, ଏହି ଲୋକ ଯଦି କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରି ନ ଥାଆନ୍ତା, ତେବେ ମୁକ୍ତ କରାଯାଇ ପାରିଥାଆନ୍ତା।

ODIA-OV (Re-edited) - ପବିତ୍ର ବାଇବଲ (Re-edited)

Copyright © 2014 by The Bible Society of India

Used by permission. All rights reserved worldwide.

Bible Society of India
Lean sinn:



Sanasan